Rozalini Mishra

Tragedy Inspirational


3.5  

Rozalini Mishra

Tragedy Inspirational


ଲକ୍ ଡାଉନ୍ ଇଫେକ୍ଟ

ଲକ୍ ଡାଉନ୍ ଇଫେକ୍ଟ

7 mins 25 7 mins 25


         ସକାଳୁ ସକାଳୁ ବସି ଖବରକାଗଜରୁ କରୋନା ଅପଡେଟସ୍ ଦେଖୁଥିଲେ ଅନିମେଶ । ହଠାତ ବାଥରୁମରୁ ଶୁଭିଲା ଦୁମ୍ ଭୁସ୍ କିଛି ପଡିବାର ଶବ୍ଦ । ଡ୍ରଇଂରୁମରୁ ଧାଇଁ ଆସିଲେ ଅନିମେଶ ଖବରକାଗଜଟାକୁ ଟିପୟ ଉପରେ ଫୋପାଡ଼ି ଦେଇ ।

  କ'ଣ ହେଲା ଶୁଭ୍ରା ?? ....କବାଟ ଖୋଲ ଜଲଦି ....

  ହଁ ....ହଁ ..... ଖୋଲୁଛି.....।


 ଧୀରେ କବାଟ ଖୋଲି ବାହାରକୁ ଆସିଲା ଶୁଭ୍ରା । ଏକ ଯନ୍ତ୍ରଣାସିକ୍ତ ଚାହାଣୀରେ ଚାହିଁଲା ଅନିମେଶଙ୍କୁ ।

କ'ଣ ହେଲା ? ପଡିଗଲ କି ବାଥରୁମ ଭିତରେ?? ହଁ.... ଗୋଡ଼ ଖସିଗଲା ମୋର ...  କିଛି ହେଇନି ତ .......?

  ନା .... ସେମିତି ବିଶେଷ କିଛି ହେଇନି .....କିନ୍ତୁ ଡାହାଣ ହାତଟା ମାଡ଼ ହୋଇଗଲା ଟିକେ କହୁଣୀ ପାଖରୁ ।

  ଓଃ.....ନୋ .....କି ପିଲା ତୁମେ ? ଦେଖିକି କିଛି କାମ କରି ପାରୁନ ?? କ'ଣ କରିବ ଏବେ ??? ସବୁବେଳେ କେୟାରଲେସ । ଏବେ ଯଦି କିଛି ବଡ଼ ଦୁର୍ଘଟଣା ହୋଇ ଯାଇଥାନ୍ତା ? କେତେ ହଇରାଣ ହେବାକୁ ପଡ଼ିଥାନ୍ତା ଜାଣିଛ ଏ କରୋନା ଟାଇମରେ ।  


  ଓଃ ....ହୋ .... କିଛି ତ ହେଇନି ନା .... । ତୁମର ସବୁବେଳେ ଏ ଆଡ଼ଭାନ୍ସ ଚିନ୍ତାଧାରା କାହିଁକି ?

ତୁମର ସେତିକି ନାହିଁ ବୋଲି ତୁମେ ସବୁବେଳେ କେୟାରଲେସ । ହଉ ଛାଡ଼ .... ଯାହା ହେବାର ହେଲାଣି .... ପେନ୍ ରିଲିଫ ସ୍ପ୍ରେ ଟା କୋଉଠି ଅଛି ଦିଅ ମୁଁ ସ୍ପ୍ରେ କରିଦେବି ତୁମ ହାତରେ ।  


          ସେ ଦିନଯାକ ଯନ୍ତ୍ରଣାରେ ଛଟପଟ ହେଲା ଶୁଭ୍ରା ହାତରେ କ୍ରେପ୍ ବ୍ୟାଣ୍ଡେଜ ଟିଏ ଗୁଡେଇ । ସନ୍ଧ୍ୟା ବେଳକୁ ଅନିମେଶ କହିଲେ , " ତୁମେ କିଛି ଦିନ ଏବେ ରେଷ୍ଟ ନିଅ ଟିକେ । ନହେଲେ ହାତରେ ପ୍ରେସର ପଡିବ ଆଉ ବେଶୀ ଯନ୍ତ୍ରଣା ବି ହେବ । ମଙ୍ଗୁଳି କୁ କୁହ ସେ କାଲି ଠାରୁ ଆସି ସବୁ ଘରକାମ ଆଉ ରୋଷେଇବାସ କରି ଦେଇ ଯାଉ । ଏବେ ଯେଉଁ ପରିସ୍ଥିତି ଚାଲିଛି ସରକାର କହିଛନ୍ତି ସୋସିଆଲ ଡିଷ୍ଟାନ୍ସ ମେଣ୍ଟେନ କରିବା ପାଇଁ । ଆମକୁ ତ ଏ ସବୁ ମାନିକି ଚଳିବାକୁ ପଡିବ ନା । ସେଥିପାଇଁ ତୁମେ ଯେତେ କହିଲେ ବି ମୁଁ ତାକୁ ଆରମ୍ଭରୁ ହିଁ ଘରେ ପୁରେଇବା ପାଇଁ ରାଜି ନ ଥିଲି କିନ୍ତୁ ଏବେ ତ ଆଉ କିଛି ଉପାୟ ନାହିଁ । ଛାଡ....ତୁମ ହାତ ବି ତ ଖରାପ ନା .... । ମଙ୍ଗୁଳିକୁ ବୁଝେଇକି କହିଦେବ ସେ ଯେତିକି ଦିନ ଆମ ଘରେ କାମ କରିବ ସେତିକି ଦିନ ଯେମିତି ଘରୁ ପଦାକୁ ବି ଗୋଡ଼ ନ କାଢେ । ପରିଷ୍କାର ପରିଚ୍ଛନ୍ନ ହୋଇ ଆସି ଆମ ଘରେ କାମ କରିବ ଆଉ ସେଇ ଆଉଟହାଉସ ରେ ହିଁ ରହିବ । ସେ ଆଉ ତା ପିଲାମାନେ ବି କିଛି ଦିନ ଖାଇ ଦିଅନ୍ତୁ ଏଠି ଆମ ଘରେ । ନହଲେ ତା ପାଇଁ ପୁଣି ଆମେ ହଇରାଣ ହୋଇ ଯିବା ଯେ....." ।       ଶୁଭ୍ରା କହିଲା , " ତୁମେ କିଛି ବ୍ୟସ୍ତ ହେବା ଦରକାର ନାହିଁ । ମୁଁ ମଙ୍ଗୁଳିକୁ ବୁଝେଇକି କହିଦେବି । "


          ମଙ୍ଗୁଳି ସ୍ୱାମୀ ପରିତ୍ୟକ୍ତା ସ୍ତ୍ରୀ ଲୋକଟିଏ । ଅନିମେଶ ଏହି ଘରଟି ତୋଳିଲାବେଳେ ସେ ମୁଲିଆଣି ଭାବେ ଆସିଥିଲା କାମ କରିବା ପାଇଁ । ଘର ତିଆରି ସରିଲା ପରେ କଣ୍ଟ୍ରାକ୍ଟର , ମୂଲିଆ, ମଜୁରିଆ ସବୁ ଯିଏ ଯାହା ବାଟରେ ଚାଲିଗଲେ । କିନ୍ତୁ ମଙ୍ଗୁଳି ଶୁଭ୍ରା ପାଖରେ ହାତଗୋଡ଼ ଯୋଡି ନେହୁରା ହୋଇ ଯୋଗାଡ଼ କରି ନେଇଥିଲା ତା ପାଇଁ ଏହି ଆଶ୍ରୟ ସ୍ଥଳୀ ଖଣ୍ଡିକ । ଶୁଭ୍ରା ଘରର ପଛ ପଟକୁ ଲାଗିକି ଥିବା ଆଉଟହାଉସରେ ରହି ଯାଇଥିଲା ତାର ଦୁଇ ପୁଅଙ୍କୁ ଧରି ।   ମଙ୍ଗୁଳି ଦୁଇ ଚାରିଟା ବାବୁଘରେ ରୋଷେଇବାସ କାମ ଧରିଥିଲା । ଶୁଭ୍ରା ବି ବେଳେବେଳେ ତାକୁ ବଗିଚା କାମରେ ସାହାଯ୍ୟ କରିବା ପାଇଁ କୁହେ । ଏମିତି ସୁଖେଦୁଃଖେ ତା ସଂସାରକୁ ଚଳେଇ ନିଏ ମଙ୍ଗୁଳି ।  କିନ୍ତୁ ଏ କରୋନା ଲକ୍ ଡାଉନ୍ ପରଠାରୁ ମଙ୍ଗୁଳିର ହାତଗୋଡ଼ ବନ୍ଦ । ମୁଲ ମଜୁରୀ କିଛି ମିଳୁନି ଆଉ ଯୋଉ ବାବୁଘରେ କାମ କରୁଥିଲା ସେମାନେ ବି ମନା କରିଦେଇଛନ୍ତି ତାକୁ ଏବେ ତାଙ୍କ ଘରକୁ ଯିବା ପାଇଁ । ରୋଜଗାର ଶୁନ୍ ଆଉ ଖାଇବା ପାଇଁ ତିନି ତିନିଟା ପେଟ । କୋଉଠୁ ଆଣିବ ସେ ? ଅଳ୍ପ ଅଳ୍ପ କରି ସଞ୍ଚିଥିଲା କିଛି ପଇସା ...ସେ ବି ସରିବାକୁ ବସିଲାଣି । ଛୁଆ ଦୁଇଟାଙ୍କୁ ଆହାର ଦବ ସେ କେମିତି ??      


 ଅଗତ୍ୟା ବାଧ୍ୟ ହୋଇ ଦିନେ ଶୁଭ୍ରା ପାଖରେ ଗୋଡ଼ ଭାଙ୍ଗି ଠିଆ ହେଲା ମଙ୍ଗୁଳି । କହିଲା , " ମା' ଏବେକାର ଅବସ୍ଥା ତ ଦେଖୁଛ ତୁମେ । କାମଧନ୍ଦା କିଛି ନାହିଁ । ମୁଲ ମଜୁରୀ କିଛି ମିଳୁନି ଏବେ । ବାବୁଘର ମାନେ ବି ବାହାର କରିଦେଇଛନ୍ତି ମୋତେ କାମରୁ । କହିଛନ୍ତି ଦରକାର ହେଲେ ଖବର ଦେବେ । ଏ ଅସମୟରେ ମୋତେ ଟିକେ ସାହାଯ୍ୟ କର ମା' । ତୁମ ଘରେ ସବୁ କାମ କରିଦେବି ମୁଁ । ମୋତେ ଆଉ ମୋ ଛୁଆଙ୍କୁ ଖାଲି ଦିନକୁ ବେଳାଏ ପେଟପୁରା ଖାଇବା ପାଇଁ ଦବ ମା' । ଏତିକି ଦୟାକର ମୋତେ ଏ ଅସୁବିଧା ସମୟରେ ।   ଶୁଭ୍ରା କିଛି କହିବା ଆଗରୁ ମଙ୍ଗୁଳିର କଥା ଶୁଣି ଚିହିଁକି ଉଠିଲେ ଅନିମେଶ ।


   ନା ....ନା .... ହେଇ ପାରିବନି ସେମିତି । ମୁଁ ତୋତେ ଘରେ ପୁରେଇ ପାରିବିନି ଏ ସମୟରେ । ସରକାର କହିଛନ୍ତି ସୋସିଆଲ ଡିଷ୍ଟାନ୍ସ ମେଣ୍ଟେନ କରିବା ପାଇଁ । ତୁ କେତେ କୁଆଡେ ବାହାରକୁ ଯାଉଥିଲୁ କାମ କରିବା ପାଇଁ । ମୁଁ କେମିତି ଏବେ ତୋତେ ମୋ ଘରେ କାମ କରିବାକୁ ଅନୁମତି ଦେଇଦେବି ? ନା .... ନା .... ତୋ ବ୍ୟବସ୍ଥା ତୁ କର । ହଁ ... ଯଦି ନିହାତି ପଇସାପତ୍ର ଦରକାର ହୁଏ ତାହେଲେ ତୁ ଶୁଭ୍ରା କୁ ମାଗିପାରୁ । ଏହାଠାରୁ ଅଧିକା ସାହାଯ୍ୟ ମୁଁ ତୋତେ ଆଉ କିଛି କରିପାରିବିନି ।


        ଅନିମେଶଙ୍କର ଏ କେତୋଟି ବାକ୍ୟ ମଙ୍ଗୁଳିର ସ୍ୱାଭିମାନକୁ ଖୁବ ଆଘାତ ଦେଇଥିଲା । କେତେଦିନ ସେ ମାଗିକି ଖାଇବ ଶୁଭ୍ରା ଠାରୁ ? ରାତି ପାହିଲେ ସେ କ'ଣ ଶୁଭ୍ରା ପାଖରେ ହାତ ପତେଇବ ତା ପେଟ ଚାଖଣ୍ଡକ ପାଇଁ । କେତେଦିନ ଏମିତି ହାତ ପତେଇ ପାରିବ ସେ ?? ନା ... ସେ ଭୋକରେ ମରିଯିବ ପଛେ କିନ୍ତୁ ଭିକାରୁଣୀ ସାଜିବନି । କିନ୍ତୁ ପିଲା ଦିଟା .....       ଶୁଭ୍ରା ବି ଆହତ ହୋଇଥିଲା ଅନିମେଶଙ୍କର କଥାରେ । ଘରୁ କିଛି ଖାଇବା ଜିନିଷ ନେଇ ଯାଇଥିଲା ମଙ୍ଗୁଳି ପାଖକୁ । ଦେଖିଲା ତା ପିଲା ଦୁଇଟା ପାଣିରେ ମୁଢି ଭିଜେଇ ଖାଉଛନ୍ତି ଦିନ ଦିପହର ଟାରେ । ବିଚାରୀ ର ଚାଉଳ ସରି ଯାଇଛି ବୋଧେ । କିନ୍ତୁ ସେ ମୁଁହ ଖୋଲି ମାଗି ପାରିନି ତାକୁ । ଦୋଷୀ ଦୋଷୀ ଲାଗୁଥିଲା ଶୁଭ୍ରାକୁ । ଗୁମସୁମ ହୋଇ ସେ ବସିଲା ଯାଇ ବଗିଚାର ଚେୟାରରେ । ନଜର ବିସ୍ତାରି ନିରୀକ୍ଷଣ କଲା " ଶୁଭ୍ରା ମାନସନ୍ " ର ବିରାଟ ବଗିଚାକୁ । ତା ବଗିଚାର ପିଜୁଳି ଗଛରେ ହଳଦୀବସନ୍ତ ଟିଏ ବସି ଦରପାଚିଲା ପିଜୁଳି ଟିଏକୁ ଖୁମ୍ପି ଖୁମ୍ପି ଖାଉଛି । ବଗିଚାର ପାଚେରୀ ଉପରେ ଆଜି ସକାଳେ ସେ କିଛି ଦାନା ଥୋଇଥିଲା ପାରା ମାନଙ୍କ ପାଇଁ । ପାରାମାନେ ଖାଇବା ପରେ ବଳିଥିବା ଦାନାକୁ ଖୁଣ୍ଟି ଖୁଣ୍ଟି ଖାଉଛନ୍ତି କୁଣ୍ଡାଖିଆ ଚଢେଇ ଦି ଟା । ଗୋଲାପ ଗଛର କୁଣ୍ଡ ପାଖରେ ଗୁଣ୍ଡୁଚି ମୂଷାଟିଏ ତାର କୁନିକୁନି ଆଗ ଗୋଡ଼ ଦୁଇଟିରେ ମାଟି ଖୋଳିବାରେ ଲାଗିଛି ଏକଡ଼ ସେକଡ଼ କୁ ଚାହିଁ ଚାହିଁ । କିଛି କୋଳି କି ମଞ୍ଜି କୋଉଠୁ ଆଣି ପୋତିଥିଲା ବୋଧେ ସେଠି .... ଖୋଜୁଛି ଏବେ । ପୋଷା କୁକୁର ଟମି ପେଟେ ପେଡିଗ୍ରୀ ଖାଇ ପେଟ ଦେଖେଇ ଶୋଇଛି ତା ଗୋଡ଼ ପାଖରେ । ଟମିର ଅଇଁଠା ଥାଳିରେ ଲାଗିଥିବା ଛୋଟ ଛୋଟ ଖାଦ୍ୟ କଣିକାକୁ ବୋହିବାରେ ଲାଗିଛନ୍ତି ଧାଡିଏ ନାଲି ପିମ୍ପୁଡି । ବାହାରେ ଥୁଆ ହୋଇଥିବା ମଇଳା ବାଲ୍ଟି ଉପରେ କାଉଟିଏ ବସି କିଛି ଗୋଟେ ଖାଉଛି ଥଣ୍ଟରେ ଆଡେଇ ଆଡେଇ । ତା ଆଖି ଆଗରେ ପଡୁଥିବା ପକ୍ଷୀଠାରୁ କୀଟ ପତଙ୍ଗ ଯାଏ ସମସ୍ତେ ଯିଏ ଯାହା ପେଟ ଭରିବାରେ ବ୍ୟସ୍ତ । କିନ୍ତୁ ତା ଆଉଟହାଉସ ରେ ରହୁଥିବା ତିନୋଟି ପେଟ ଭୋକିଲା କାହିଁକି ? ସାମାଜିକ ଦୂରତ୍ୱ ରକ୍ଷାକରିବାର ଅର୍ଥ କ'ଣ ଜଣେ ଅସହାୟର ଅସହାୟତାକୁ କେବଳ ଦୂରରେ ରହି ଦେଖିବା ?

*****  *****

      ସନ୍ଧ୍ୟାବେଳେ ହାତରେ କ୍ରେପ ବ୍ୟାଣ୍ଡେଜଟିଏ ଗୁଡେଇ ଶୁଭ୍ରା ଗଲା ତା ଘର ପଛପଟ ଆଉଟହାଉସ କୁ । ଶୁଭ୍ରାକୁ ଏମିତି ଅବସ୍ଥାରେ ଦେଖି ବ୍ୟସ୍ତ ହୋଇପଡିଲା ମଙ୍ଗୁଳି ।

  ତୁମର ଏ ସବୁ କେମିତି ହେଲା ମା' ?

  ଆରେ .... ନା .... ସେମିତି ବେଶୀ କିଛି ହେଇନି । ଆଜି ସକାଳେ ବାଥରୁମରେ ପଡ଼ିଗଲି ତ ହାତଟା ଟିକେ ମାଡ଼ ହୋଇଗଲା । ଦରଜ ବି ହୋଇଛି ବହୁତ । କିଛି ଦିନ ଟିକେ ତୋ ସାହାଯ୍ୟ ଦରକାର ମୋତେ । କାଲିଠାରୁ ଘରକାମ ଆଉ ରୋଷେଇବାସ ଦାୟିତ୍ୱ ତୋର ।

  ହଁ ...ଯେ .....କିନ୍ତୁ ବାବୁ ରାଗିବେ ....

  ନା .... ନା .... ସେ ରାଗିବେନି । ସେ ହିଁ କହିଲେ ତୋର ସାହାଯ୍ୟ ନେବା ପାଇଁ । ବାବୁ ପୁରା ତାଗିଦ କରି କହିଛନ୍ତି ତୋତେ । କାଲି ଠାରୁ ତୁ ଆମ ପାଇଁ ରାନ୍ଧି ଦେବୁ । ତୁ ଆଉ ତୋ ପିଲାମାନେ ବି ସେଇଠି ଖାଇନେବ । ତୁ ଏ କିଛି ଦିନ ଗେଟ ଡେଇଁ କୁଆଡେ ବାହାରକୁ ଯିବା ଦରକାର ନାହିଁ ।        ନିଜକୁ ବିଶ୍ୱାସ କରି ପାରୁ ନଥିଲା ମଙ୍ଗୁଳି । ସତରେ କ'ଣ ଭଗବାନ ତା ପିଲା ଦୁଇଟାଙ୍କର ପେଟକୁ ଦୟା କଲେ !! ଖୁସି ଆଉ କୃତଜ୍ଞତାରେ ଗଦଗଦ ହୋଇ ଉଠିଲା ମଙ୍ଗୁଳି ।         ତା ପରଦିନ ଠାରୁ ମନଦେଇ କାମରେ ଲାଗିପଡ଼ିଲା ସେ ଶୁଭ୍ରା ଘରେ । ସେମାନଙ୍କ ପାଇଁ ରାନ୍ଧିଦିଏ । ନିଜ ପାଇଁ ଆଉ ତା ପିଲାମାନଙ୍କ ପାଇଁ କିଛି ଖାଇବା ଘରକୁ ନେଇ ଆସେ । ଶୁଭ୍ରା ବି ବେଳେବେଳେ ପିଲାମାନଙ୍କ ପାଇଁ ବିସ୍କୁଟ, କେକ୍, ଫଳ କିଛି କିଛି ଦେଇଦିଏ ଖୁସିରେ ।        ଏବେ ଆଉ ଦୁଃଖ ନାହିଁ ମଙ୍ଗୁଳିର । ଶୁଭ୍ରା ଯାହାଦିଏ ଖୁସିରେ ଗ୍ରହଣ କରେ ସେ । କାରଣ ସେ ତ ଖଟୁଛି ଆଉ ଖାଉଛି । ମାଗଣାରେ ଯଦି ଶୁଭ୍ରା ଦୟାରେ ପେଟ ପୋଷିଥାନ୍ତା ଆଉ ସବୁଦିନେ ଶୁଭ୍ରାର ହାତଟେକା କୁ ଚାହିଁକି ବସିଥାନ୍ତା ତାହେଲେ ତା ସ୍ୱାଭିମାନରେ ଆଞ୍ଚ ଆସିଥାନ୍ତା ନିଶ୍ଚୟ ।


      ଦିନେ ସନ୍ଧ୍ୟାବେଳେ ମଙ୍ଗୁଳି କହିଲା ଶୁଭ୍ରାକୁ...  ମା' .... ବାବୁ ସବୁଦିନେ କହୁଛନ୍ତି ତୁମକୁ ହାତରେ ଗରମ ପାଣି ସେକ ଦେବା ପାଇଁ । କିନ୍ତୁ କେବେ ତ ଦଉନ ତୁମେ । ଆଜି ମୁଁ ତୁମ ହାତରେ ଗରମ ପାଣି ସେକ ଦେଇଦେବି ।

  _ ଆରେ .... ନା ...କିଛି ଦରକାର ନାହିଁ ।

  କ'ଣ ପାଇଁ ମା' .... ମୁଁ କଣ ତୁମର ଏତିକି ସେବା କରି ପାରିବିନି ।        ରୋଷେଇ ଘରକୁ ଗଲା ମଙ୍ଗୁଳି । ଆଉ ଗରମ ପାଣି କରି ଆଣି ବସି ପଡ଼ିଲା ଶୁଭ୍ରା ପାଖରେ ସେକ ଦେବା ପାଇଁ ।   _ ମୋର କିଛି ହେଇନି ମଙ୍ଗୁଳି ....ତୁ ଯାଆ ତୋ କାମ କର ।    ନା ... ମା' ... ତୁମେ ମିଛ କହୁଛ ।

 _ ଆରେ .... ସତ କହୁଛି ମୁଁ । ଦେଖେ ମୋ ହାତ .....ପୁରା ଠିକ ଅଛି କହି କ୍ରେପ ବ୍ୟାଣ୍ଡେଜଟିକୁ ଖୋଲିଦେଲା ଶୁଭ୍ରା ଆଉ ଆରାମରେ ହାତକୁ ଏପଟ ସେପଟ କରି ବୁଲେଇଲା ମଙ୍ଗୁଳିକୁ ଦେଖେଇବା ପାଇଁ ।        ଆଶ୍ଚର୍ଯ୍ୟ ହୋଇଗଲା ମଙ୍ଗୁଳି । ଘଟଣା କ'ଣ କିଛି ବୁଝି ପାରିଲାନି ସେ । ବଲବଲ କରି ଚାହିଁଲା ଶୁଭ୍ରା ମୁଁହକୁ ।  ଶୁଭ୍ରା ଖାଲି ଟିକେ ହସି ଦେଲା ଆଉ କହିଲା , " ଏ ଅସମୟରେ ଗୋଟେ ମଣିଷ ହିସାବରେ ଆଉ ଗୋଟେ ମଣିଷକୁ ମୁଁ କ'ଣ ଏତିକି ସାହାଯ୍ୟ କରି ପାରିବିନି ? ଦରକାର ପଡ଼ିଲେ ଏମିତି ହଜାରେ ମିଛ ମୁଁ କହିପାରିବି ମଙ୍ଗୁଳି କିନ୍ତୁ ସୋସିଆଲ ଡିଷ୍ଟାନ୍ସ ର ଦ୍ୱାହି ଦେଇ ମାନବିକତା ର ତଣ୍ଟି ଚିପି ପାରିବିନି । "

                  

       



Rate this content
Log in

More oriya story from Rozalini Mishra

Similar oriya story from Tragedy