Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Er.Sasanka Sekhar Panda

Drama Tragedy


4.9  

Er.Sasanka Sekhar Panda

Drama Tragedy


କାବେରୀର ସ୍ୱପ୍ନ

କାବେରୀର ସ୍ୱପ୍ନ

5 mins 2.1K 5 mins 2.1K


ଗୋଧୂଳି ସଞ୍ଜର ଏକ ଶାନ୍ତ କମନୀୟ ଆଉ ଶାରଦୀୟ ମୁହୂର୍ତ୍ତ I ସୁନେଲି ଆକାଶରେ ଚଲା ବଉଦମାନଙ୍କର ଅଭିନବ ସମ୍ଭାର I ଦିବସର ଅବସାନ ପରେ ପଶ୍ଚିମାମୂଖୀ ସୂର୍ଯ୍ୟ ତାଙ୍କର କ୍ଲାନ୍ତ ଶରୀରକୁ ନେଇ ଫେରି ଯାଉଛନ୍ତି ଦୂର ଦିଗବଳୟର ଭିନ୍ନ ଏକ ପ୍ରାନ୍ତକୁ I ଅସ୍ତଗାମୀ ସୂର୍ଯ୍ୟଙ୍କର ରକ୍ତାଭ ରଶ୍ମି କେରା କେରା ହୋଇ ବିଛୁଡ଼ି ପଡ଼ିଥାଏ ଗଭୀର ସାଗରର ଜଳରାଶି ଉପରେ I ବିସ୍ତୀର୍ଣ୍ଣ ବେଳାଭୂମିର ବାଲୁକା ଶଯ୍ୟା ଉପରେ ବେପରୁଆ ଭାବରେ ବସିଥାଏ କାବେରୀ I ଉପଭୋଗ କରି ଚାଲୁଥାଏ ପ୍ରକୃତି ରାଣୀର ଅପୂର୍ବ ମନୋରମ ଦୃଶ୍ୟକୁ I ସାନ୍ଧ୍ୟ ସମୟର ମୃଦୁ ସମୀରର ତାଳେ ତାଳେ ତରଙ୍ଗାୟିତ ହୋଇ ଉଠୁଛି ଅତୀତର ଜର୍ଜରିତ ଭାବନା I ରୋମାଂଚିତ ଶରୀରରେ ଉଜୁଡ଼ା ମନର କରୁଣ ବିଳାପ I ମାନସ ପଟରେ ବାରମ୍ବାର ପିଟି ହୋଇ ଯାଉଛି ଭାବନାର ଗୋଟିଏ ପରେ ଗୋଟିଏ ଢେଉ I ଅଡ଼ୁଆ ସୂତାରେ ଗଣ୍ଠି ପଡ଼ିଗଲା ପରି ଭାବନାର ସୂତାଖିଅରେ ଗଣ୍ଠି ପଡ଼ି ଯାଇଛି I ଯେତେ ଚେଷ୍ଟା କଲେବି ପଡ଼ି ଯାଇଥିବା ଗଣ୍ଠିର ଶେଷ ଅଂଶଟି ମିଳୁ ନାହିଁ I ନିଜ ମନକୁ ଦୃଢ କରି ଭାବନା ରାଇଜରୁ ଫେରି ଆସିବାକୁ ସତ ଚେଷ୍ଟା କରୁଛି ସେ I ହେଲେ ଆଖି ସାମ୍ନାରେ ବାରମ୍ବାର ଦୃଶ୍ୟ ପଟ୍ଟ ହେଉଛି ବିଗତ ଇତିହାସର ସ୍ୱର୍ଣ୍ଣିମ ଅଧ୍ୟାୟ I ଯେଉଁ ଅଧ୍ୟାୟର ପ୍ରତିଟି ପୃଷ୍ଠାରେ ଜୀବନର ରୂପ ରେଖ ବର୍ଣ୍ଣନା ହୋଇଥିଲା I

କାବେରୀ ନୂଆ କରି କଲେଜ ମାଟିରେ ପାଦ ଦେଇଥାଏ I ଅନେକ ସାଙ୍ଗ ସାଥୀ ମିଳି ଗଲେ, ପ୍ରଥମ ବର୍ଷଟା କେମିତି ବିତିଗଲା ଜଣା ପଡ଼ିଲା ନାହିଁ I ଦ୍ୱିତୀୟ ବର୍ଷରେ ପଦାର୍ପଣ କରିବା ପରେ କାବେରୀ ଟିକେ ପ୍ରେମାଭିମୂଖୀ ହୋଇଯାଇଥିଲା I ଚିହ୍ନା ସାଥୀ ମଧ୍ୟରୁ ବାରି ହୋଇ ପଡୁଥିଲା ସେ, କାହିଁକି ନାଁ ଉଚ୍ଚ ସମ୍ଭ୍ରାନ୍ତ ବଂଶର ଏକମାତ୍ର ଅଲିଅଳି ଝିଅ କାବେରୀ, ସୁନ୍ଦରତାରେ ପରିପୂର୍ଣ୍ଣ ଶରୀର I ହେଲେ ସିଏ ଯାହାକୁ ଭଲପାଉଥିଲା ସେ ଏକ ପୁତି ଗନ୍ଧମୟ ପରିବାରରୁ ଜନ୍ମିତ ତାହା ସହିତ ଗରିବ ସୀମା ରେଖା ତଳେ ବାସ କରୁଥିବା ନିଛକ ମଣିଷଟିଏ I ଯାହାର ନାଁ ରାଜେଶ, କଲେଜର କୃତି ଛାତ୍ର ହିସାବରେ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କର ପ୍ରିୟ ଥିଲା ସେ I କାହିଁକି ନାଁ ରାଜେଶର ଯେଉଁ ଆଇ.ଏ.ଏସ ହେବାର ସ୍ୱପ୍ନ ଦେଖିଛି ତାହା କେବଳ ନିଜ ପାଖରେ ସୀମିତ ନୁହେଁ ବରଂ ସେ କଲେଜର ସଫଳ ଉଦ୍ୟମ ବଳରେ ଶୀର୍ଷକୁ ଛୁଇଁ ପାରିବ ଓ ଓଡ଼ିଶାରେ ସୁନାମ ଅର୍ଜନ କରି ପାରିବ I କିନ୍ତୁ ଏ କଥାକୁ କାବେରୀର ତିଳେ ମାତ୍ର ଧ୍ୟାନ ନ ଥାଏ I ନିଜ ପ୍ରେମକୁ ସଫଳତାର ସହ ହାସଲ କରିବା ସକାଶେ ବ୍ୟତିବ୍ୟସ୍ତ ହୋଇ ପଡୁଥିଲା I ପ୍ରଥମେତ କାବେରୀର ପ୍ରେମ ନିବେଦନ ପତ୍ରଟିକୁ ଫେରାଇ ଦେଇଥିଲା ରାଜେଶ, ନିଜକୁ ନ୍ୟୁନ ଭାବି କାବେରୀ ସହିତ ତୁଳନା କରି ପାରି ନ ଥିଲା I ହେଲେ କାବେରୀ ଧନ ସମ୍ପତ୍ତିକୁ ଭଲପାଉଥିବା ଝିଅ ନଥିଲା, କେବଳ ଗୋଟିଏ ସୁନ୍ଦର ମନକୁ ଭଲ ପାଉଥିଲା I ଯାହାକି ରାଜେଶ ପାଖରେ ଥିଲା I ଦୁହେଁ ପରସ୍ପରକୁ ବୁଝିବା ପାଇଁ କଲେଜର ପ୍ରଥମ ବର୍ଷଟି ବିତି ଯାଇଥିଲା I ହେଲେ ପରବର୍ତ୍ତୀ ଅବସ୍ଥାରେ ସବୁକିଛି ଠିକ ହୋଇ ଯାଇଥିଲା I ଗଡ଼ି ଚାଲୁଥିବା ସମୟ ଚକରେ ରାଜେଶ ଓ କାବେରୀର କଲେଜ କେରୀଏରର ସମାପ୍ତି ହେଲା I ଦୁହିଁଙ୍କ ଭଲପାଇବାଟି ଶକ୍ତ ଚଟ୍ଟାଣ ପରି ଟାଣ ହୋଇ ଯାଇଥିଲା I ସାରା ଜୀବନ ରାଜେଶକୁ ନେଇ ଘର ସଂସାର କରିବାର ସ୍ୱପ୍ନ ଭିତରେ ନିଜକୁ ହଜେଇ ଦେଇ କାବେରୀ ପ୍ରସ୍ତୁତ କରି ନେଇଥିଲା ନିଜକୁ I ଘରର ସଦସ୍ୟଙ୍କ ଅମାନ୍ୟ ସତେ ରାଜେଶକୁ ବିବାହ କରିବାକୁ ଜିଦ ଧରିଲା କାବେରୀ I ପ୍ରାପ୍ତ ବୟସ୍କା ହୋଇ ଗଲା ପରେ ନିଜ ନିଷ୍ପତ୍ତି ନିଜେ ନେବା ପାଇଁ ଉପଯୋଗୀ ହୋଇଯାନ୍ତି, ତେଣୁ ମୋ ନିଷ୍ପତ୍ତି ଅନୁସାରେ ମୁଁ ବାହା ହେବି ଏଥିରେ କାହାରି କିଛି ଅଭିଯୋଗ ଆସୁ ଏ କଥା ମୁଁ ଚାହେଁ ନାହିଁ I ଏମିତି ଅନେକ କିଛି କଥା କାବେରୀ ନିଜ ଘରର ସଦସ୍ୟଙ୍କୁ ଶୁଣାଇ ଦେଲା I କାବେରୀର ପରିବାର ବାଧ୍ୟ ହେଲେ କାବେରୀର ଇଛା ଅନୁସାରେ ବାହା ଦେବା ପାଇଁ I ଅପେକ୍ଷାର ଦିନ ଅବସାନ ହେଲା, ଆଶା ଓ ଉଦ୍ଦୀପନାର ଦୀପ ଶିଖା ଜଳି ଉଠିଲା, ଅଗ୍ନିକୁ ସାକ୍ଷୀ ରଖି ରାଜେଶ ଓ କାବେରୀ ମଧ୍ୟରେ ବିବାହର ହସ୍ତ ଗଣ୍ଠି ପଡ଼ିଲା I ବହୁ ଦିନର ସ୍ୱପ୍ନ ସାକାର ହେବା ପରି ମନେ ହେଉ ଥିଲା I ଦୁଇଟି ଅନ୍ତରର ଗୋଟିଏ ଆତ୍ମା ଆଉ ଗୋଟିଏ ମୁଦ୍ରାର ଦୁଇ ପାଖ ସଦୃଶ ସେମାନଙ୍କ ପ୍ରେମ ସମ୍ପର୍କ I ହସ ଖୁସିର ବଗିଚାରେ ସୁଗନ୍ଧିତ ପୁଷ୍ପ ପ୍ରସ୍ଫୁଠିତ ହେବା ପରି ପରିବାରରେ ଆନନ୍ଦର ଲହରୀ ପ୍ରବାହିତ ହେଉଥିଲା I ଶାଶୁ ଶ୍ୱଶୁରଙ୍କର ଅପତ୍ୟ ସ୍ନେହଁ ତାସହିତ ସ୍ୱାମୀ ରାଜେଶଙ୍କର ଦାମ୍ପତ୍ୟ ପ୍ରେମ I ଏ ସବୁ ଭିତରେ ନିଜକୁ ଧନ୍ୟ ମନେ କରୁଥିଲା କାବେରୀ, ଦୁଇ ଗୋଟି ପୃଥକ ସ୍ନେହଁର ଅଧିକାରିଣୀ ହୋଇ ନିଜକୁ ଅତ୍ୟନ୍ତ ଭାଗ୍ୟବତୀ ବୋଲି ଭାବୁଥିଲା I ଜୀବନକୁ ଉପଭୋଗ କରିବା ସହ ସରଳତାର ନିଛକ ପରିଚୟ ଦେଇ ପରିବାରରେ ଖୁସି ବାଣ୍ଟୁ ଥିଲା କାବେରୀମାତ୍ର ଖୁସିର ରଜ୍ଜୁଟି କେତେବେଳେ ଛିଡ଼ି ଯିବ ସେ କଥା କେହି ଜାଣି ନାହାନ୍ତି I ନିୟତିର ଗତି ଆଉ ବିଧିର ବିଧାନ ପାଖରେ ସମସ୍ତେ ହାର ମାନିଥାନ୍ତି I ନିୟତିର ବିସ୍ତାରିତ ମାୟା ଜାଲରେ ମଣିଷ ଏକ କ୍ଷୁଦ୍ର କୀଟ ପରି, ଯେଉଁ ମାୟା ଜାଲରେ ପଡ଼ି ମଣିଷ ଦେଖି ଚାଲିଥାଏ ସୁନେଲି ଜୀବନର ଗୋଲାପୀ ସ୍ୱପ୍ନ I ମାତ୍ର ଭୁଲିଯାଏ ତାହା କ୍ଷଣିକ ପାଇଁ ଉଦିଷ୍ଠ I ସେହି ଗୋଲାପୀ ସ୍ୱପ୍ନର ପ୍ରତ୍ୟେକ ଖିଅରେ ଲୁକ୍କାୟିତ ଥାଏ କାଳସର୍ପ, ଯାହାକି ମଣିଷର କାମନା ଓ ବାସନାକୁ ପ୍ରତି ମୁହୂର୍ତ୍ତରେ ତିଳ ତିଳ କରି ଦଂଶନ କରେ I ହସ ଖୁସିର ଗୋଲାପ ବଗିଚାରେ ବାରମ୍ବାର ଅଗ୍ନି ସଂଯୋଗ ହେଲା ପରି କାବେରୀ ଜୀବନରେ ଉଲ୍ଲାସର ବସନ୍ତ ମଳୟ ଧିରେ ଧିରେ ଅବସାନ ହୋଇ ଆସିଲା I ସୁନେଲି ସ୍ୱପ୍ନ ଚିରଦିନ ପାଇଁ ମଉଳି ଆସିଲା Iଦୀପ ଶିଖା ଲିଭିବା ପୂର୍ବରୁ ଜୋରରେ ଜଳି ଉଠିବା ପରି ରାଜେଶ ଆଇ.ଏ.ଏସ. ପାଇଲା I କାବେରୀ ଓ ରାଜେଶର ପରିବାର ମନରେ ଅମାପ ଖୁସିର ପସରା ଓଜାଡ଼ି ହୋଇ ପଡ଼ିଲା I ଚାକିରିରେ ଯୋଗଦେବା ପାଇଁ ସହଳେ ଉଠି ରାଜେଶ ବାହାରି ପଡ଼ିଲା ନିଜର କର୍ମ କ୍ଷେତ୍ରକୁ I ଏକ ଭିନ୍ନ ବାତାବରଣ ସୃଷ୍ଟି ହୋଇଥିଲା ଯେତେବେଳେ ରାଜେଶ ମଥାରେ ସିନ୍ଦୁର ଲଗାଇ କାବେରୀ ଓ ପରିବାର ବର୍ଗ ବିଦାଇ ସମ୍ବର୍ଦ୍ଧନା ଦେଇଥିଲେ I ନିଜକୁ ପ୍ରସ୍ତୁତ କରି ନେଇ ରାଜେଶ ଆଗେଇ ଗଲା I ଗାଡ଼ିରୁ ଓହ୍ଲାଇ କାର୍ଯ୍ୟାଳୟକୁ ଯିବା ପାଇଁ ରାସ୍ତା ପାରି ହେବା ସମୟରେ ହଠାତ ଦୃତ ଗତିରେ ଗୋଟିଏ ଟ୍ରକ ନିର୍ମମ ଭାବରେ ମାଡ଼ି ଗଲା ରାଜେଶ ଉପରେ I ସେଇଠି ଚିରଦିନ ପାଇଁ ରାଜେଶର ଜୀବନ ଦୀପ ଲିଭିଗଲା I ଏଭଳି ଏକ ନିଷ୍ଠୁର ନିର୍ମମ ଦାରୁଣ ଖବର ପାଇ କାବେରୀର ଚନ୍ଦନ ଚର୍ଚ୍ଚିତ ହୃଦୟରେ କୁଠାରଘାତ ହେଲା I ସୀମାନ୍ତରୁ ସବୁଦିନ ପାଇଁ ସିନ୍ଦୁର ଲିଭିଗଲା I ହାତରୁ ଶଙ୍ଖା ଚୁଡ଼ି ଭାଙ୍ଗି ଦେଇ ବିଧବା ସାଜିଲା I ଅତୀତରୁ ସାଇତି ଆସିଥିବା ଆନନ୍ଦ ଅଶ୍ରୁ ସବୁଦିନ ପାଇଁ ବିଷାଦର ଅଶ୍ରୁରେ ପରିଣତ ହୋଇଗଲା I ପୁତ୍ର ବିୟୋଗରେ ରାଜେଶର ବୃଦ୍ଧ ପିତା ମାତା ପ୍ରାୟତଃ ମୃତ I ଅତ୍ୟନ୍ତ ଗଭୀର କ୍ଷତ ସୃଷ୍ଟି ହୋଇଛି ସେମାନଙ୍କ ହୃଦୟରେ I ଯେଉଁ ବୋହୁକୁ ନିଜ କନ୍ୟାଠାରୁ ଅଧିକ ଭଲପାଉଥିଲେ ତାକୁ କଳଙ୍କିନୀର ଆଖ୍ୟା ଦେଇ ନ୍ୟୁନ ଚକ୍ଷୁରେ ଦେଖିଲେ I

କବି ତାର ସ୍ୱଲିଖିତ କବିତା ବା ଗଳ୍ପକୁ ନେଇ ଆନନ୍ଦିତ ହୁଏ ଆଉ ତାରି ଭିତରେ ବଞ୍ଚି ରହିବାକୁ ଚେଷ୍ଟା କରେ I ବିଦ୍ୟାର୍ଥୀ ତାର ବିଦ୍ୟାକୁ I ଶିଳ୍ପୀ ନିଜର କଳାକୁ ନେଇ ସାରା ଜୀବନ ଖୁସି ପାଏ I ଆଉ ଭାବୁକ ନିଜକୁ ହଜାଇ ଦିଏ ପ୍ରକୃତିର ଅପୂର୍ବ ସମାହାରରେ I କିନ୍ତୁ କାବେରୀ କାହାକୁ ନେଇ ବଞ୍ଚି ରହିବ ? ସେତ ବାସହୀନ ପଳାସ ଫୁଲ ସଦୃଶ I ସୁଗନ୍ଧିତ ପୁଷ୍ପକୁ ସିନା ଭ୍ରମର ଛୁଇଁଯାଏ ହେଲେ ବାସହୀନ ପୁଷ୍ପ ପ୍ରସ୍ପୁଟିତ ହୋଇ ଅନାଦୃତ ଅବସ୍ଥାରେ ମଉଳି ଯାଏ I ଏ ନିଷ୍ଠୁର ଦୁନିଆ କାବେରୀର ଶାନ୍ତ କମନୀୟ ନୟନରୁ ଜ୍ୟୋତିକୁ ହରାଇ ନେଲା I ଆଉ ନୟନ କୋଣରେ ଭରିଦେଲା ଅସରନ୍ତି ଅଶ୍ରୁ I ଯେଉଁ ଅଶ୍ରୁକୁ ପିଇ ସାରା ଜୀବନ ଶୋଷ ମେଣ୍ଟେଇ ପାରିବ I ତା ହୃଦୟରେ ସାଇତି ରଖିଥିବା ଅଦେଖା ଆଘାତ ବାରମ୍ବାର ତାକୁ କ୍ଷତ ବିକ୍ଷତ କରୁଛି I ହା ହୁତାସର ନିଜକୁ ବୁଡ଼ାଇ ଦେଇ ଅସ୍ତବ୍ୟସ୍ତ ହେଉଛି I ମାନସ ପଟ୍ଟରେ ଧୂ ଧୂ ନିଆଁ ଜଳି ଉଠିଛି I ସେ ନିଆଁର ଶିଖାରେ ନିଜକୁ ସମ୍ପୂର୍ଣ୍ଣ ରୂପେ ଜାଳି ପୋଡ଼ି ଶେଷ କରି ଦେବାକୁ ଚେଷ୍ଟା କରିଛି I

ହାତରେ ଧରିଥିବା ବିଷ ଶିଶିଟିକୁ ଖୋଲି ପିଇବାକୁ ଉଦ୍ୟମ କରୁଥିବା ବେଳେ ପଛରୁ ତାର ସଙ୍ଗିନୀ ଅନୁସୟା ଆସି କାବେରୀର ହାତକୁ ଧରି ନେଇଛି, ଆଉ କହିଛି - ତୁ ଏ କ'ଣ କରିବାକୁ ଯାଉଛୁ କାବେରୀ ? ମୋତେ ଛାଡ଼ିଦେ ଅନୁସୟା ମୁଁ ନିଜକୁ ଶେଷ କରି ଦେବାକୁ ଚାହେଁ I ଯେଉଁ ଜୀବନର କିଛି ମୂଲ୍ୟ ନାହିଁ ତାକୁ ନେଇ ସାରା ଜୀବନ କଷ୍ଟ ପାଇବା ଅପେକ୍ଷା ମୁହୂର୍ତ୍ତକ ପାଇଁ କଷ୍ଟ ପାଇ ନିଜକୁ ଏଇ ଗଭୀର ସମୁଦ୍ର ଭିତରେ ହଜେଇ ଦେବାକୁ ଚାହେଁ I ଟିକିଏ ଉଚ୍ଚ କଣ୍ଠରେ ଅନୁସୟା କହିଲା- ଆଲୋ ଏ କାବେରୀ ତୁ କଣ ଭାବୁଛୁ ଆତ୍ମହତ୍ୟା କରିଦେଲେ ସବୁ ସମସ୍ୟାର ସମାଧାନ ହୋଇଯିବ ? ଯଦି ଭାବୁଥାଉ ତାହେଲେ ସେଇଟା ଭୁଲ, ଆତ୍ମହତ୍ୟା ମହାପାପ I ଯେଉଁ ଜୀବନକୁ ତୁ ଗଢି ନାହୁଁ ସେ ଜୀବନକୁ ଭାଙ୍ଗିବାର ତୋର କୌଣସି ଅଧିକାର ନାହିଁ I ବିଷ ପିଇ କିମ୍ବା ଗଭୀର ସମୁଦ୍ର ଜଳରେ ନିଜକୁ ହଜେଇ ଦେ ଏଥିରେ ତୋ ସ୍ୱପ୍ନ ସାକାର ହେବନି ? ବରଂ ସମାଜ ଆଖିରେ ଜଣେ ପରାଜିତା ବୋଲି ନିଜର ପରିଚୟ ସୃଷ୍ଟି କରିବୁ I ଥରେ ଚିନ୍ତାକର ଲୋ କାବେରୀ, ନିଜ ପାଇଁ ନ ହେଲା ନାହିଁ ତୋ ପେଟରେ ବଢୁଥିବା ପିଲାଟା କଥା ଟିକେ ଭାବ I ହଠାତ ଚମକି ପଡ଼ିଛି ଓ ନିଜ ପେଟରେ ହାତ ମାରି କାବେରୀ କହିଛି - କ'ଣ କହିଲୁ ମୋ ପେଟରେ ପିଲା ? ମୁଁ ମୁଁ ମା' ହେବାକୁ ଯାଉଛି ? ନାଁ ନାଁ ତୁ ମୋତେ ମିଛ କହୁଛୁ, ମୋ ସାଙ୍ଗରେ ଥଟ୍ଟା ଖେଳୁଛୁ I ଅନୁସୟା ଉତ୍ତର ଦେଇଛି ମୁଁ ଯାହା କହୁଛି ଠିକ କହୁଛି ଲୋ, ଏଇ ଦେଖୁନୁ ଦେଖ, ଅନୁସୟା ହାତରେ ଧରିଥିବା ମେଡ଼ିକାଲ ରିପୋର୍ଟଟିକୁ ଛଡ଼ାଇ ନେଇ କାବେରୀ ଦେଖିଛି I ତୁ ଏବେ ତିନି ମାସର ଗର୍ଭବତୀ କାବେରୀ I କିଛି ନ କହି ଜୁଳୁ ଜୁଳୁ କରି ଅନୁସୟାର ମୁହଁକୁ ଚାହିଁଛି କାବେରୀ I ମୋ ମୁହଁକୁ ଏମିତି କ'ଣ ଦେଖୁଛୁ, ତୋ ସ୍ୱପ୍ନ ଅଧୁରା ନୁହେଁ ଲୋ, ଏବେବି ତୋ ସ୍ୱପ୍ନ ବଞ୍ଚିଛି, ଆଉ ତୋ ପେଟରେ ବଢୁଛି I ତାକୁ ଠିକ ମାର୍ଗ ଦେଖାଇବା ତୋର କର୍ତ୍ତବ୍ୟ I ତୁ ଆଉ ରାଜେଶ ଦୁହେଁ ଦେଖିଥିବା ସେ ସୁନେଲି ସ୍ୱପ୍ନ ଦିନେ ସାକାର ହେବ ଲୋ, ତୁ ମା' ହେବୁ I ମାତୃତ୍ୱର କର୍ତ୍ତବ୍ୟ କରିବାକୁ ଯାଇ ନିଜ ସନ୍ତାନକୁ ଜନ୍ମ ଦେବା ତୋର ଧର୍ମ I ମୁଁ ତୋତେ ହାତ ଯୋଡୁଛି କାବେରୀ ତୋ ଗର୍ଭରେ ବଢୁଥିବା ପିଲାଟା ଦୁନିଆର ଆଲୋକ ଦେଖିବା ପୂର୍ବରୁ ତାକୁ ମାରି ଦେଏନି I ତା' ନ ହେଲେ ରାଜେଶର ଆତ୍ମା କେବେ ଶାନ୍ତି ପାଇବ ନାହିଁ I ସବୁଦିନ ପାଇଁ ତୁ ରାଜେଶ ପାଖରେ ଋଣୀ ହୋଇ ରହିଯିବୁ I ତୋତେ ତୋ ପିଲାକୁ ବଡ଼ ମଣିଷ କରାଇ ରାଜେଶର ଅତୃପ୍ତ ଆତ୍ମାକୁ ମୁକ୍ତି ଦେବାକୁ ହେବ I ନିଜ ମନକୁ ଦୃଢ଼ କରି ଦେ କାବେରୀ, ସବୁ ସମସ୍ୟାର ସମାଧାନ ହୋଇଯିବ I ଆଖିରେ ଛଳ ଛଳ ଅଶ୍ରୁ ସହିତ ଓଠରେ ସାମାନ୍ୟ ଖୁସିର ଝଲକ ନେଇ କାବେରୀ କହିଛି- ତୋ କଥା ଯଦି ଠିକ ହୁଏ ତା'ହେଲେ ମୋତେ ରାଜେଶର ସ୍ୱପ୍ନକୁ ପୂରଣ କରିବାକୁ ହେବ I ହେଲେ ମୋ ଶାଶୁ ଶ୍ୱଶୁରଙ୍କ ନିନ୍ଦା ଅପବାଦ କଥା ଶୁଣି ମୁଁ କେମିତି ବଞ୍ଚିବି ଲୋ ଅନୁସୟା I କାବେରୀ କାନ୍ଧରେ ହାତ ରଖି ଅନୁସୟା କହିଛି- ଜୀବନ ମାନେ ହିଁ ଯନ୍ତ୍ରଣା କାବେରୀ, ସଘର୍ଷ ନ ଥିଲେ ଜୀବନରେ ପୂର୍ଣ୍ଣତା ଆସେ ନାହିଁ I ତୋତେ କଷ୍ଟ ସହିବାକୁ ପଡ଼ିବ, ଏ ସମାଜକୁ କର୍ତ୍ତବ୍ୟପରାୟଣା ସ୍ତ୍ରୀ ହିସାବରେ ନିଜର ଆଧିପତ୍ୟ ସାବ୍ୟସ୍ତ କରିବାକୁ ପଡ଼ିବ I ଏଥି ପାଇଁ ପଛଘୁଞ୍ଚା ଦେଲେ ତୁ ସଫଳତାର ଶୀର୍ଷରେ ପହଁଚି ପାରିବୁନି ଲୋ I ମୋ କଥା ମାନ ନିଜକୁ ସ୍ୱାବଲମ୍ବୀ କର, ତୁ ପାଠ ପଡ଼ିଛୁ, ମୋର ବିଶ୍ୱାସ ତୁ କେବେ ହାରି ଯିବୁ ନାହିଁ I ଚାଲ ତୋ ବାପା ତେଣେ ରାସ୍ତା ଉପରେ ଗାଡ଼ି ଧରି ତୋତେ ଅପେକ୍ଷା କରିଛନ୍ତି I ତୋର ଏମିତି ବେଶକୁ ଦେଖିବା ପାଇଁ ତାଙ୍କ ପାଖରେ ଧର୍ଯ୍ୟ ନାହିଁ I ତଥାପି ସେ ମନରେ ଶକ୍ତି ଜୁଟେଇ ତୋତେ ଦେଖିବାକୁ ଆସିଛନ୍ତି I ତୁ କ'ଣ ଭାବୁଛୁ ତୋ ପ୍ରତି ଘଟିଥିବା ଘଟଣାକୁ ନେଇ ତୋ ବାପା ଅନୁତପ୍ତ ନୁହନ୍ତି ? ହେଲେ କଣ କରିବେ ବିଧିର ନିଷ୍ଠୁର ବିଧାନ ପାଇଁ ସେ ଦିନକୁ ଦିନ ଭାଙ୍ଗି ପଡ଼ୁଛନ୍ତି, ଆଉ ନିଜକୁ ସମ୍ଭାଳି ପାରୁ ନାହାନ୍ତି I ତୋ ସଙ୍ଗିନୀ ହିସାବରେ ମୁଁ ମୋର କର୍ତ୍ତବ୍ୟ କରିବାକୁ ଚେଷ୍ଟା କରୁଛି, ହେଲେ ମଉସାଙ୍କ ମନରେ ଲାଗିଥିବା ଆଘାତକୁ ମୁଁ ଯେତେ ଚେଷ୍ଟା କଲେ ବି ଭଲ କରି ପାରୁନି କାବେରୀ, ମୋତେ କ୍ଷମା କର I ଅନୁସୟା ତୁ ଏମିତି କହି ମୋତେ ଦୁର୍ବଳ କରି ଦେଏନି ଲୋ, ତୋ ଛଡ଼ା ମୋର ଆଉ କିଏ ଅଛି କହୁନୁ ମୋ ଅନ୍ତର ବେଦନାକୁ ବୁଝି ପାରିବ I ତୁ ଠିକ କହିଛୁ କାବେରୀ ତୋତେ ଯେତିକି କଷ୍ଟ ହେଉଛି ମୋତେ ବି ସେତିକି କଷ୍ଟ ହେଉଛି I ଆଉ ଶୁଣ ଯଦି ତୁ ମୋତେ ତୋର ସଙ୍ଗିନୀ ଭାବୁଥାଉ ତାହେଲେ ମୁଁ କହୁଛି କାବେରୀ ମୋର ଦୃଢ ବିଶ୍ୱାସ କହୁଛି ତୋ ବାପା ତୋର ସବୁ ସମସ୍ୟାର ସମାଧାନ କରି ଦେବେ Iଅନୁସୟା କାବେରୀର ହାତ ଧରି ଧିର ଭାବରେ ଉଠାଇଛି, ପଛକୁ ବୁଲି ପଡ଼ି କାବେରୀ ଦେଖେତ ତା'ର ବାପା ତା ସାମ୍ନାରେ ଛିଡ଼ା ହୋଇଛନ୍ତି I ନିଜର କୋହକୁ ରୋକି ପାରିଲାନି କାବେରୀ, ବାପା ବୋଲି ଡାକି କାନ୍ଦି କାନ୍ଦି ଲୋଟି ପଡ଼ିଲା ଛାତି ଉପରେ I ନିଜର ଏକ ମାତ୍ର ଅଲିଅଳୀ ଝିଅର ଏମିତି ଅବସ୍ଥା ଦେଖି କାବେରୀର ବାପା ମଧ୍ୟ ନିଜ ଲୁହକୁ ଅଟକାଇ ରଖି ପାରିଲେ ନାହିଁ I ଦୁହିଁଙ୍କ ମଧ୍ୟରେ ବେସ କିଛି ସମୟ ହୃଦୟ ବିଦାରକ ଦୃଶ୍ୟ ପ୍ରଣିପାତ ହେଲା I ପାଖରେ ଛିଡ଼ା ହୋଇଥିବା ଅନୁସୟା ନିଜକୁ ସମ୍ଭାଳି କହିଲା- ଚାଲନ୍ତୁ ମଉସା ସମୟ ଅନେକ ହେଲାଣି I ଅନ୍ୟ ମନସ୍କ ଭାବେ କାବେରୀର ବାପା ଉତ୍ତର ଦେଲେ- "ଉଁ.., ହଁ..ହଁ... ଯିବା", ଚାଲ ମା କାବେରୀ ତୁ ଆଜି ଠାରୁ ମୋ ଘରେ ରହିବୁ I କାବେରୀ କୋହଭରା କଣ୍ଠରେ କହିଲା ନାଁ ବାପା ଯେଉଁ ଦିନ ତୁମମାନଙ୍କ କଥା ନ ରଖି ମୁଁ ନିଜ ଇଛାରେ ବାହା ହେଲି, ସେଇଦିନ ମୁଁ ମୋର ଆତ୍ମୀୟତାକୁ ପଛରେ ଛାଡ଼ି ଦେଇ ଆସିଛି I ମୋତେ ବାଧ୍ୟ କରନ୍ତୁନି ବାପା, ମୋ ପୋଡ଼ା କପାଳକୁ ନେଇ ମୁଁ ବଞ୍ଚିବି I ତୁ ତୋ ମନକୁ କଷ୍ଟ ଦେଏନି କାବେରୀ ତୋ ବାପା ଆଜିବି ବଞ୍ଚିଛି, ମୋର ଯାହାବି ଧନ ସମ୍ପତ୍ତି ଅଛି ସେ ସବୁର ଅଧିକାରିଣୀ କେବଳ ତୋ ଛଡ଼ା ଆଉ କେହି ନାହାନ୍ତି I ତୋ ଖୁସି ପାଇଁ ମୁଁ ସବୁକିଛି କରିବାକୁ ପ୍ରସ୍ତୁତ, ହେଲେ ତୋର ଏମିତି ଶୁଖିଲା ମୁହଁକୁ ମୁଁ କେବେବି ଦେଖି ପାରିବିନି ଲୋ I ଅଭାବ କ'ଣ ଜାଣି ନ ଥିବା ଝିଅଟା ମୋର ଆଜି ଅଭାଗିନୀ ପାଲଟି ଗଲା I ହେ ପ୍ରଭୁ ମୋ ଝିଅର ଏମିତି ଅବସ୍ଥା ଦେଖିବା ପୂର୍ବରୁ ମୋତେ ମାରି ଦେଲନି କାହିଁକି ? ଛାତିରେ କୋହ ଭରା ଭାବନା ନେଇ ବାପ-ଝିଅ ଦୁହେଁ ଏମିତି ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି କରି ଦେଲେ ଯେ ଯେଉଁଠି ଖାଲି ମେଞ୍ଚା ମେଞ୍ଚା ଲୁହର ଵିଭସ୍ୟ ପ୍ରତିଛବି ଲୋକାର୍ପଣ ହେଉଥିଲା I ଯାହାକୁ ଦେଖିବା ସରଳ ମଣିଷ ପାଇଁ ହୃଦୟ ବିଦାରକ I କାବେରୀର ବାପା ନିଜ ମନକୁ ବୁଝାଇ ଦେଇ କହିଛନ୍ତି- ଆଲୋ ମା ତୋ ଇଛାକୁ ମୁଁ କେବେବି ଅବରୋଧ କରିନି, ତୁ ଯେତେବେଳେ ଯାହା କହିଛୁ ତୋ ଖୁସି ପାଇଁ ମୁଁ ସେୟା କରିଛି I ଆଉ ଆଜିବି କରିବି ତେଣିକି ତୋ ଭାଗ୍ୟ I ବାପା ବୋଲି ଡାକି କାବେରୀ ପୁଣି କାନ୍ଦିଛି I ଅନୁସୟା କାବେରୀକୁ ବୁଝାଇ ଦେଇ କହିଛି- ଦେଖ କାବେରୀ ମଉସା ଯାହା କହୁଛନ୍ତି ତୋ ଭଲ ପାଇଁ, ତୁ ଚାହିଁଲେ ସବୁ ଠିକ ହୋଇଯିବ I କାନ୍ଦି କାନ୍ଦି କାବେରୀ କହିଛି- ମୁଁ ଚେଷ୍ଟା କରିବି ଅନୁସୟା I ହଉ ଏବେ ଚାଲ ଏସବୁ ବିଷୟରେ ଭାବି ମନକୁ ଆଉ କଷ୍ଟ ଦେଏନି, ସମୟ ସବୁକିଛିର ସମାଧାନ କରିଦେବ I 

ସମସ୍ତେ ଆଗେଇ ଯାଇଛନ୍ତି ଗାଡ଼ି ଅଭିମୁଖେ, କାବେରୀ ଟିକେ ଆଗକୁ ଯାଇ ବୁଲି ଚାହିଁଛି ପଛକୁ I ଅନୁସୟା ସାନ୍ତ୍ୱନା ଦେଇ କହିଛି- କାବେରୀ ଅତୀତକୁ ମନେ ପକାଇ ମନକୁ ଯନ୍ତ୍ରଣାସିକ୍ତ କରନି ଲୋ, ବର୍ତ୍ତମାନକୁ ନେଇ ବଞ୍ଚିବା ଶିଖ I ତୋ ଭବିଷ୍ୟତ ନିଶ୍ଚିତ ସୁଖମୟ ହେବ ଏଇଟା ତୋ ସାଙ୍ଗ ଅନୁସୟାର ବିଶ୍ୱାସ I କାବେରୀ ମୂଖରେ ସାମାନ୍ୟ ହସର ଝଲକ ବାରି ହୋଇ ପଡ଼ୁଥିଲା I ନିଜ କଣ୍ଠରେ ପରିବର୍ତ୍ତନ ଆଣି କାବେରୀ କହିଲା ହଉ ହେଲା ତୋ କଥା ରଖିବି, ଏବେ ଖୁସିତ I ଦୁହେଁ ହାତ ଧରାଧରି ହୋଇ ଗାଡ଼ିରେ ବସିବାକୁ ଚାଲିଗଲେ Iଦିନ ପରେ ଦିନ ଗଡ଼ି ଚାଲିଲା କାବେରୀ ନିଜ ବାପାଙ୍କ ଘରେ କିଛି ଦିନ ରହି ପୁଣି ଫେରି ଆସିଲା ଶ୍ୱଶୁର ଘରକୁ I ନିଜ ନାଁରେ ଥିବା ଧନ ସମ୍ପତ୍ତିକୁ ପ୍ରକୃତ ବିନିଯୋଗ କରି ସେ ରାଜେଶ ନାଁରେ ଏକ ସ୍ୱୟଂ ସହାୟକ ଗୋଷ୍ଟି ତିଆରି କଲା I ଯେଉଁଠି କି ଅନେକ ମହିଳାଙ୍କୁ ଚାକିରୀ ମିଳି ପାରିଲା, ସେହି ଗୋଷ୍ଟିରେ ତିଆରି ହେଉଥିବା ଅନେକ ସାମଗ୍ରୀ ଦେଶର ବିଭିନ୍ନ ପ୍ରାନ୍ତରେ ସୁନାମ ଅର୍ଜନ କଲା I ଯାହା ଫଳରେ କାବେରୀ ନିଜ ସଂସ୍ଥାକୁ ବିସ୍ତାରିତ କରି ପାରିଲା I 

ତାରି ଭିତରେ କାବେରୀ ଏକ ପୁତ୍ର ସନ୍ତାନର ଜନନୀ ମଧ୍ୟ ହୋଇ ଯାଇଥିଲା I ନାତି ମୁହଁକୁ ଚାହିଁ ରାଜେଶର ବାପା-ମା ଆନନ୍ଦିତ ହେଉଥିଲେ I ତା' ସହିତ ବୋହୁ କାବେରୀକୁ ମଧ୍ୟ ପ୍ରଶଂସାରେ ବିମୋହିତ କରୁଥିଲେ I କାହିଁକି ନାଁ ବଂଶ ରକ୍ଷା ପାଇଁ ରାଜେଶର ଶେଷ ସନ୍ତକ ତାଙ୍କ କୂଳରେ ଜନ୍ମ ନେଇଛି I ହେଲେ ସେ ଖୁସିର ମୁହୂର୍ତ୍ତକୁ ବେଶି ଦିନ ଉପଭୋଗ କରି ପାରିଲେ ନାହିଁ I ରାଜେଶର ବାପା-ମା ଆଗ ପଛ ହୋଇ ଦୁହେଁ ଆର ପାରିକୁ ଚାଲିଗଲେ I ଏପଟେ କାବେରୀର କମ୍ପାନୀ ମଧ୍ୟ ଠିକଠାକ ଚାଲୁଥାଏ, ଘର ଚଳିବାରେ କୌଣସି ବ୍ୟତିକ୍ରମ ଉପଲବ୍ଧି ହେଉ ନ ଥିଲା I ଧିରେ ଧିରେ କାବେରୀର ପୁଅ ବଡ଼ ହେଲା, ତା ସାଙ୍ଗକୁ ସେ ଭଲ ପାଠବି ପଢୁଥିଲା I ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବାରେ ପୁଅ ରିଷି ନିଶ୍ଚିତ ଫଳପ୍ରଦ ହେବ ଏ ବିଶ୍ୱାସ କାବେରୀର ଥିଲା I ସେଇ ବିଶ୍ୱାସକୁ ନେଇ ରିଷି ପାଠ ପଢ଼ାରେ ଲାଗି ପଡ଼ିଲା I ପରିଶ୍ରମ କଲେ ନିଶ୍ଚିତ ସଫଳତା ମିଳେ ତାହାକୁ ପ୍ରମାଣ କରି ଦେଖାଇଲା କାବେରୀର ପୁଅ ରିଷି I ଅପେକ୍ଷାର ଦିନ ପାଖେଇ ଆସିଲା ଦିନେ ଖବର କାଗଜରେ ବଡ଼ ବଡ଼ ଅକ୍ଷରରେ ପ୍ରକାଶିତ ହେଲା ରିଷବ ଦାସ ଏ ବର୍ଷର ଆଇ.ଏ.ଏସ ଟପର I ଏ କଥା ଶୁଣି କାବେରୀ ଖୁସିରେ ଆନନ୍ଦିତ ହେଲା I ରିଷି ଦୌଡ଼ି ଆସି କାବେରୀର ପାଦ ଛୁଇଁ ପ୍ରଣାମ କରି କହିଲା- ମା' ତୋ ସ୍ୱପ୍ନ ଆଜି ସାକାର ହେଇଛି, ମୋତେ ଆଶୀର୍ବାଦ ଦେ ମୁଁ ଯେମିତି ଆହୁରି ଆହୁରି ଆଗକୁ ଯାଏ I କେବଳ ମୋ ଠାରୁ ଆଶୀର୍ବାଦ ନେଲେ ହେବନି ତୋତେ ଆଉ ଜଣଙ୍କ ପାଖରୁ ଆଶୀର୍ବାଦ ନେବାକୁ ହେବ I ଆସ ମୋ ସାଙ୍ଗରେ ରିଷିକୁ ଟାଣି ନେଇଛି ରାଜେଶର ଫଟ ପାଖକୁ ଆଉ କହିଛି - ତୋ ବାପାଙ୍କ ଠାରୁ ଟିକିଏ ଆଶୀର୍ବାଦ ନେ, ତାଙ୍କରି ସ୍ୱପ୍ନକୁ ତୁ ଆଜି ସାକାର କରିଛୁ I ସତରେ ରିଷି ତୋତେ ଜନ୍ମ ଦେଇ ମୁଁ ଆଜି ଗର୍ଵିତା ମୋ ମାତୃତ୍ୱର ତୁ ଠିକ ପରିଚୟ ଦେଇଛୁ I ଏ କଥା ଶୁଣିବା ପରେ ହଠାତ ରିଷି ଆଖିରେ ମଧ୍ୟ ଲୁହ ଆସି ଯାଇଛି, ଲୁହକୁ ଦେଖି କାବେରୀ ରିଷିକୁ ପାଖକୁ ଟାଣି ନେଇ ମଥାକୁ ଆଉଁସି ଦେଇଛି ଆଉ କହିଛି- ତୁ କେବଳ ତୋ ବାପାଙ୍କ ସ୍ୱପ୍ନକୁ ନୁହେଁ, ତୋ ମା' କାବେରୀ ସ୍ୱପ୍ନକୁ ବି ପୁରା କରିଛୁ I ତାରି ଭିତରେ ଦୁହିଁଙ୍କ ଆଖିରୁ ଝରି ପଡୁଥିଲା ଆନନ୍ଦର କେଇ ବୁନ୍ଦା ଲୁହ..... 



Rate this content
Log in

More oriya story from Er.Sasanka Sekhar Panda

Similar oriya story from Drama