Er.Sasanka Sekhar Panda

Tragedy

4.6  

Er.Sasanka Sekhar Panda

Tragedy

ଅନ୍ତିମ ଚିଠି

ଅନ୍ତିମ ଚିଠି

3 mins
50


ହେ ସାଥି.... !

ପ୍ରତାରଣାର ଝାଞ୍ଜି ପବନ ଦେହଟାକୁ କ୍ଷତାକ୍ତ କରୁଛି I ଟୁକୁରା ଟୁକୁରା କରି ଦେଉଛି ହୃଦୟରେ ସାଇତା ସ୍ମୃତିକୁ, ଆଉ କେଇ ଖଣ୍ଡ ପଞ୍ଜରାରେ ବୋଳି ଦେଉଛି ସେ ବିଷାକ୍ତଭରା ଆଶ୍ୱାସନାକୁ I ଏମିତି କାହିଁକି ହେଉଛି ? ସତରେ କ'ଣ ଜୀବନଟା ଅଭିଶପ୍ତ ? ନାଁ ଆଉ କିଛି ? 

ତୁମକୁ ପ୍ରଶ୍ନ ପଚାରିବାର ଅଧିକାର ନ ଥିଲେ ବି ଟିକେ ନିଜର ଭାବି ଆଜି ଏ ଯନ୍ତ୍ରଣାଶିକ୍ତ ଶରୀରରେ କିଛି କହିବାକୁ ସାହସ ଯୋଟାଉଛି I ଜାଣିନି ଭୁଲ କହିବି କି ଠିକ୍ I ଖାଲି ଏତିକି ଜାଣିପାରୁଛି ଯାହାକି କଥାରେ ଅଛି ନିଜର ଦୁଃଖକୁ ଅନ୍ୟ ପାଖରେ କହିଦେଲେ ମନଟା ହାଲୁକା ହୋଇଯାଏ I ସେଇ ବିଶ୍ୱାସରେ ମୁଁ କିଛି କହୁଛି ଧୈର୍ଯ୍ୟ ଧରି ଏ ଚିଠିଟିକୁ ପଢିବ, ଯଦି ନ ପଢ଼ ତାହେଲେ ମୁଁ ତୁମକୁ ବାଧ୍ୟ କରିବିନି କାହିଁକି ନାଁ ମୁଁ ତୁମର କେହି ନୁହେଁ I ମାତ୍ର କିଛି ମୁହୂର୍ତ୍ତର ସାଥୀ, ସେଇଥି ପାଇଁ ନିଜକୁ ନିଜେ ସଞ୍ଜତ କରିନେଉଛି I 

ହେଲେ ବୁଝି ପାରୁନି ହଠାତ ଏମିତି ବିବର୍ତ୍ତନ କ'ଣ ପାଇଁ ? କଣ ପାଇଁ ମୁଁ ହାରିଗଲି ? ଅର୍ଥହୀନତାର ଧୂସର ବଗିଚାରେ ବାସହୀନ ମଉଳା ଫୁଲଟେ ଥିଲି ବୋଲି ନାଁ ଭଲପାଇବାର ପ୍ରକୃତ ସଂଜ୍ଞା ନ ବୁଝି ଆପଣାର କରିବାର ଇଚ୍ଛା କଲି ବୋଲି I ଏଥିରେ କେଉଁଠି ଭୁଲ ରହିଲା, ମୁଁ ଯେ ତୁମକୁ ନିଜ ଜୀବନଠୁଁ ଅଧିକ ଭଲପାଉଥିଲି I ପ୍ରତି ମୁହୂର୍ତ୍ତରେ ତୁମ କଥା ଭାବି ଭାବି ଜୀଇଁବାର ରାହା ପାଉଥିଲି I ହେଲେ କ'ଣ କଲ ? ଆଶ୍ୱାସନାର ଜାଲରେ ଛନ୍ଦି ଦେଇ କେଉଁ ସୁଖର ଅନ୍ୱେଷଣ ବାହାରିଗଲ ? ଆଉ ମୋତେ ଠକି ଦେଲ I କାହାକୁ ନିଜ ଜୀବନର ଇତିହାସ କଥା ଶୁଣାଇବ ? ଯେଉଁ ଇତିହାସରେ ଖାଲି ବିରହ, ବିଚ୍ଛେଦ ଆଉ ପ୍ରତାରଣାର ରକ୍ତିମ ଅଧ୍ୟାୟ ଲେଖାଯାଇଛି I ଥରେ ଭାବି ଦେଖ, କ'ଣ ପାଇଲ ଆଉ କ'ଣ ହରେଇଲ l ଯଦି ଏମିତି କୁତ୍ସିତ ଭାବନା ତୁମ ମନ ଭିତରେ ଥିଲା, ତା'ହେଲେ କାହିଁକି ନିଜର କରିବାକୁ ଆଗେଇ ଆସିଲ I ଗୋଟିଏ ନିରୀହ ଜୀବନ ସହିତ ଅନ୍ଧପୁଟୁଳିର ଖେଳ ଖେଳି ତାକୁ ଅନ୍ଧାର ଭିତରକୁ ଠେଲି ଦେଲ I ଥରେ ବି ଚିନ୍ତା କଲନି ଅନ୍ଧାରଟା ଯେ କେତେ ଭୟଙ୍କର I କାହାକୁ କହିବି କିଏ ବା ମୋର ଆପଣାର ଅଛି, ମୋ ଦୁଃଖ ସୁଖର ଭାଗିଦାର ହେବ I ନିଜର ବୋଲି ଯାହାକୁ ଭାବିଥିଲି ସିଏ ତ ମୋତେ ପର କରିଦେଲା, ସ୍ମୃତିର ନିଆଁରେ ବାରମ୍ବାର ଜଳିବାକୁ ମୋତେ ବାଧ୍ୟ କରିଗଲା I ଶକ୍ତ ଚଟ୍ଟାଣ ପରି ଗଢ଼ିଥିବା ସବୁ ସମ୍ପର୍କ ଅଦିନିଆ ଝଡ଼ରେ ଭାଙ୍ଗିରୁଜି ଚୁରମାର ହୋଇଗଲା I ଖାଲି ସ୍ମୁତିକୁ ସାଉଣ୍ଟି ବଞ୍ଚିବାର ଉପାୟ ଖୋଜୁଛି I ବିସ୍ତୀର୍ଣ୍ଣ ଦୁନିଆରେ ଆଜି ମୁଁ ଏକା, ନାଁ ଅଛି ଓଠରେ ହସ ନାଁ କିଛି ପାଇବାର ଆଶା I ତଥାପି ଚାତକ ପକ୍ଷୀ ଭଳି ଶୂନ୍ୟ ଆକାଶକୁ ଚାହିଁ ବସିଛି, କେବଳ ବାକି ଜୀବନକୁ ବିତାଇବା ପାଇଁ I ହେଲେ ଚାରିଆଡ଼େ ପ୍ରତାରଣାର ସ୍ୱର ମୋତେ ଅସ୍ତବ୍ୟସ୍ତ କରୁଛି I ଥରୁଟେ ଭାବି ଦେଖ ମୁଁ ଯେ କେତେ କଷ୍ଟ ପାଉଛି I ନାଁ ଅଛି ଆଖିରେ ନିଦ ନାଁ ସ୍ୱପ୍ନ I ସବୁକିଛି ତୁମେହିଁ ଛଡ଼ାଇ ନେଇଛ I ମୋତେ କଣ୍ଟକର ଶେଯରେ ଶୁଆଇଦେଇ ଯାଇଛ I ଲୁହର ଖାଣ୍ଡବ ବନରେ ଏକା ଛାଡ଼ିଦେଇ ଯାଇଛ I 

ତଥାପି ମୁଁ ଖୁସିରେ ଅଛି, ଆଉ ଭାବୁଛି ତୁମେ ବି ନିଶ୍ଚୟ ବିଳାସମୟ ଜୀବନ ଭିତରେ ନିଜକୁ ହଜାଇ ଦେଇଥିବ I ସେତିକିରେ ମୁଁ ଶାନ୍ତି I ତୁମର ଖୁସି ଦେଖି ମୁଁ ଅସହ୍ୟ ହେବିନି, ମୋ ଉପରେ ବିଶ୍ୱାସ ରଖ I ବଦଳି ଯାଉଥିବା ସମୟ ସହିତ ନିଜକୁ ଖାପ ଖୁଆଇ ଚଳିବାର ଭିନ୍ନ ଏକ ପନ୍ଥାକୁ ଆପଣେଇ ନେଇଛି I ଆଶା ଅଛି ତୁମେବି ନିଜକୁ ପରିବର୍ତ୍ତନ କରି ନେଇଥିବ I ଏତିକି ଅନୁରୋଧ ମୋ କଥାକୁ ମନେ ପକାଇ କେବେବି ନିଜକୁ ଅସବିଧାରେ ପକାଇବନି I କାହିଁକି ନାଁ ମୁଁ ଏକ କଳଙ୍କିତ ଅଧ୍ୟାୟ I ଆଉ ବେଶିକିଛି କହିବାକୁ କି ଲେଖିବାକୁ ମନରେ ସାହସ ନାହିଁ କି ହାତରେ ଶକ୍ତି ନାହିଁ I ଖାଲି ମନରେ ପ୍ରଶ୍ନ ଗୁଡାକ ଖାଣ୍ଟି ଗୋଳେଇ ହେଉଥିଲା ବୋଲି କିଛି କହି ଦେଲି I ତୁମର ବଡ଼ ପଣରେ ମୋତେ କ୍ଷମା କରିବ I 

   ଇତି ତୁମର 

   ବିଗତ ଇତିହାସ 



Rate this content
Log in

Similar oriya story from Tragedy