Er.Sasanka Sekhar Panda

Abstract Tragedy Thriller

4.5  

Er.Sasanka Sekhar Panda

Abstract Tragedy Thriller

ଆତ୍ମାର ପରିଚୟ

ଆତ୍ମାର ପରିଚୟ

10 mins
231


      ଜୀବନ ଥିଲେ ଭୟ ଥାଏ, ତାହା କେମିତି ବି ଆସିପାରେ, ଯେମିତି କି କାହାକୁ ଅନ୍ଧାର ରାତିକୁ, କାହାକୁ ହିଂସ୍ର ଜୀବଜନ୍ତୁଙ୍କୁ, କାହାକୁ କୁ-ମଣିଷଙ୍କୁ ଆଉ କାହାକୁ ଭୁତପ୍ରେତ ବା ଅଦୃଶ୍ୟ ଶକ୍ତିକୁ ଏମିତି ଅନେକ ମାଧ୍ୟମରେ ଭୟ ଜାତ ହୁଏ । ଠିକ ସେମିତି ସେଦିନ ଭୟ ଆସିଥିଲା ତପନକୁ, ଡାକ୍ତରି ପାଠ ପଢ଼ିବା ପାଇଁ କଟକ ସ୍ଥିତ ଖାନନଗର ମଶାଣୀ ପାଖ ହଷ୍ଟେଲରେ ରହୁଥିଲା ତପନ, ରାତିରେ ତପନ ସହିତ ଅନେକ ପିଲା ନିଜ ବେଡ଼ ଉପରେ ବସି ପାଠ ପଡୁଥିଲେ, ସମସ୍ତଙ୍କ ବେଡ଼ ପାଖରେ ଗୋଟେ ଗୋଟେ ଝରକା ଥାଏ ।

ସେତେବେଳେକୁ ରାତି 1:30 ହେବ, ପ୍ରାୟ ପିଲା ଶୋଇ ପଡ଼ିଥିଲେ ହେଲେ ତପନ ସହିତ ଆଉ କିଛି ପିଲା ବସି ପଢୁଥାନ୍ତି, ହଠାତ ତପନ ଝରକା ନିକଟରୁ ଧୂଆଁ ଉପୁଜିଲା ଆଉ ତା ଭିତରୁ ଜଣେ ଧଳା ଶାଢ଼ୀ ପିନ୍ଧା ମହିଳା ମୁକୁଳା କେଶ କରି ଧିରେ ଧିରେ ଉଠିଲା, ଆଉ ହାତ ଠାରି ତପନକୁ ଡାକିଲା । ଏହା ଦେଖି ତପନ ଚିତ୍କାର କରି ମୁର୍ଚ୍ଛା ଚାଲିଗଲା । ପାଖ ବେଡ଼ରେ ବସିଥିବା ଅନ୍ୟ ପିଲା ଦୌଡ଼ି ଆସିଲେ ଆଉ ତପନକୁ ପଚାରିଲେ କ'ଣ ହେଲା ଏମିତି ପାଟି କଲୁ କାହିଁକି..? ହେଲେ ତପନ କିଛି ନ କହି ମୁର୍ଚ୍ଛା ହୋଇ ପଡ଼ି ରହିଥିଲା । ତାଙ୍କ ଭିତରୁ ଜଣେ ପିଲା ପାଣି ଆଣି ତପନ ମୁଁହକୁ ଛିଞ୍ଚିଲା, ତପନର ଧିରେ ଧିରେ ଚେତା ଆସିଲା, ଆଉ ଘଟିଥିବା ଘଟଣା କହିଲା, ହେଲେ କେହି ବିଶ୍ୱାସ କଲେ ନାହିଁ । କାହିଁକି ନା ସେମାନେ ସବୁ ଡାକ୍ତରି ଛାତ୍ର ବିଜ୍ଞାନ ପଢ଼ି ଭୁତ ପ୍ରେତକୁ ସହଜରେ ବିଶ୍ୱାସ କରି ପାରୁ ନ ଥିଲେ ।


ତାଙ୍କ ଭିତରୁ ଜଣେ ତପନର ଅନ୍ତରଙ୍ଗ ବନ୍ଧୁ ଥିଲା ମନୋଜ, ସେ ତପନ ପାଖରେ ବସିଲା ଆଉ ଏକାଠି ଶୋଇଲା । ରାତି ପାହି ସକାଳ ହେଲା ମନୋଜ ତପନକୁ ପଚାରିଲା ତୁ ସତରେ କ'ଣ କିଛି ଦେଖିଲୁ..? ତପନ ନିରବ ରହି କିଛି ସମୟ ପରେ ଉତ୍ତର ଦେଲା ହଁ ସତରେ ମୁଁ ଦେଖିଛି ଆଉ ସେ ମୋତେ ହାତ ଠାରି ଡାକୁଥିଲା ହେଲେ.. ସେ ମୁହଁ ଚିହ୍ନା ଚିହ୍ନା ଲାଗିଲା କଉଠି ନା କଉଠି ଦେଖିଲା ଭଳି ଲାଗିଲା । ତୁ ଏମିତି କଣ କହୁଚୁ ତପନ, କଟକକୁ ତ ଏବେ ପଢିବାକୁ ଆସିଲୁ ଏଠି ତୋର କେମିତି ଚିହ୍ନା ହୋଇଗଲେ ।

ତପନ ଉତ୍ତର ଦେଲା ମୋତେ ଲାଗୁଛି ସେ ଝିଅର ମୁଁହକୁ କେଉଁଠି ଦେଖିଛି । ନିଜକୁ ନିଜେ ପଚାରିଲା କଉଠି ଦେଖିଛି କଉଠି ଦେଖିଛି...ହଁ ସେ ଝିଅ ମୋ ସହିତ B.Sc 2nd year ରେ ପଢୁଥିଲା, ହେଲେ ତାର କଣ ହେଲା । ସେ କାହିଁକି ମୋତେ ହାତ ଠାରି ଡାକୁଥିଲା । 


ତା'ହେଲେ ତୁ ଠିକ ଦେଖିଛୁ ବୋଲି ମନୋଜ କହିଲା । ସିଏ ଆଉ କେହି ନୁହେଁ ସେଇ ଝିଅ ସେ, ବୋଧ ହୁଏ ତୋତେ ଭଲପାଇଥିଲା ଆଉ କୌଣସି ପରିସ୍ଥିତିରେ ମରିଯାଇଛି, ଆଉ ତୋତେ ଚିହ୍ନିଚି ବୋଲି ତୋ ପାଖକୁ ଆସିଛି । ହେଲେ ତୁ ବ୍ୟସ୍ତ ହ ନାହିଁ କିଛି ନାଁ କିଛି ବ୍ୟବସ୍ଥା କରିବା । 


ତପନ କହିଲା ହେଲେ ମୁଁ ତ କେବେ ତାକୁ ଚାହିଁ ନ ଥିଲି । କେବଳ ପାଠ ପଢ଼ି କେମିତି ଡାକ୍ତର ହେବି ଏହା ହିଁ ମୋର ସ୍ୱପ୍ନ ଅଛି, ତା' ଛଡ଼ା ଆଉ କିଛି ନାହିଁ । ତପନ ତୁ ସିନା ତୋ ସ୍ୱପ୍ନ ଦେଖୁଛୁ ହେଲେ ସେ ଝିଅ ଦେଖିଥିବା ସ୍ୱପ୍ନ, ତାର କ'ଣ କିଛି ମାନେ ନ ଥିଲା ।ତାହେଲେ ମୁଁ କଣ କରିବି ମନୋଜ,ତୁ ଗୋଟେ କାମ କର ମୋ ସହିତ ଚାଲ ମୁଁ ଜଣେ ତାନ୍ତ୍ରିକକୁ ଚିହ୍ନିଛି ତା ସହିତ ଏ ସବୁ ବିଷୟରେ କଥା ହେବା ପରେ ସିଏ କିଛି ନା କିଛି ଉପାୟ ବତାଇବ । ହଁ ତୁ ଠିକ କହିଛୁ ମନୋଜ ଚାଲ ଆମେ ଯିବା, ହଁ ଶୁଣ ଏ କଥା ଯେମିତି ଆଉ କୌଣସି ସାଙ୍ଗକୁ ନ କହୁ, ନ ହେଲେ ସେମାନେ ତ ବିଶ୍ୱାସ କରିବେନି ଓଲଟା ଡାକ୍ତରୀ ଛାତ୍ର ହିସାବରେ ପରିହାସ କରିବେ । ତପନ ତୁ କଣ ମୋତେ ଜାଣିନୁ ମୁଁ କାହିଁକି କାହାକୁ କହିବି ତୁ ଚାଲ, ଆଜି ମଙ୍ଗଳବାର ଅଛି ଭଲ ଦିନ ତାନ୍ତ୍ରିକ ମହାଶୟ ଯଦି କିଛି ଉପାୟ ବାହାର କରିବେ ତାହେଲେ ତାହା ନିଶ୍ଚୟ ଫଳପ୍ରଦ ହେବ ।

ଦୁହେଁ ବିଳମ୍ବ ନ କରି ତାନ୍ତ୍ରିକ ପାଖକୁ ଚାଲିଲେ, ଆଉ ସେଠାରେ ପହଞ୍ଚି ସବୁ କଥା କହିଲେ । ହେଲେ ତାନ୍ତ୍ରିକ ତପନକୁ ଦେଖି ବୁଝି ସାରିଥିଲା ତା ଦେହରେ ସେ ଝିଅର ଆତ୍ମା ପ୍ରବେଶ କରି ସାରିଛି, ଆଉ ସେ ଆତ୍ମାକୁ ବାହାର କରିବା ଏତେ ସହଜ ନୁହେଁ । ତଥାପି ନିଜ ସମର୍ଥ ବଳରେ ତପନ ଉପରେ କିଛି ମନ୍ତ୍ର ପ୍ରୟୋଗ କଲା, ସଙ୍ଗେ ସଙ୍ଗେ ତପନ ବିଚଳିତ ହୋଇ ଉଠିଲା ଆଉ କହିଲା ଏ ତାନ୍ତ୍ରିକ ତୁ ମୋତେ ତପନ ଦେହରୁ ଅଲଗା କରିବାକୁ ଚାହୁଁଛୁ ହେଲେ ପାରିବୁ ନାହିଁ । ମୁଁ ତପନକୁ ଭଲପାଏ । ଆଉ ସଦା ସର୍ବଦା ମୁଁ ତା ପାଖରେ ରହିବି । ତୁ ତପନକୁ ଭଲପାଉ ହେଲେ କେମିତି ତାନ୍ତ୍ରିକ ପଚାରିଲା-

ତପନ ଦେହରେ ଥିବା ଆତ୍ମା ଉତ୍ତର ଦେଲା-

ଆମେ ଯେତେବେଳେ B.Sc 2nd year ପଢ଼ୁଥିଲୁ ସେତେବେଳେ ମୁଁ ତପନକୁ ଭଲପାଉଥିଲି, ହେଲେ କେବେ କହିବାକୁ ସୁଯୋଗ ପାଇ ନ ଥିଲି, ମୁଁ ସେ କଲେଜର ପ୍ରିନସିପାଲଙ୍କ ଝିଅ ଥିଲି । ବାପାଙ୍କର ସମ୍ମାନକୁ ଆଖି ଆଗରେ ରଖି ମୁଁ ସମୟକୁ ଅପେକ୍ଷା କରିଥିଲି, ହେଲେ ସବୁ କିଛି ଓଲଟ ପାଲଟ ହୋଇଗଲା । ତପନ ମେଡିକାଲ ପଢିବାକୁ ଚାଲି ଆସିବା ପରେ ମୋ ସହିତ ଦୁଷ୍କର୍ମ ହେଲା, ଆଉ ମୁଁ ନିଜର କଳଙ୍କିତ ମୁହଁକୁ କାହାକୁ ଦେଖାଇ ପାରିବି ନାହିଁ କି ବାପାଙ୍କ ସମ୍ମାନକୁ ତଳେ ପକାଇ ପାଇବି ନାହିଁ, ଏ କଥାକୁ ଆଖି ଆଗରେ ରଖି ମୁଁ ଆତ୍ମହତ୍ୟା କରିଦେଲି । ହେଲେ ସେଇ ଦିନଠାରୁ ମୁଁ ତପନକୁ ଖୋଜୁଥିଲି ଆଉ ଏବେ ପାଇଛି, ଆଉ ଛାଡ଼ିବି ନାହିଁ । ମୁଁ ତପନ ଦେହରେ ରହିବି ମୋତେ କେହି ବି ଅଲଗା କରି ପାରିବେ ନାହିଁ । ତାନ୍ତ୍ରିକ କହିଲା ଦେଖ ଝିଅ ତୁ ତୋ ଜୀବନକୁ ନଷ୍ଟ କରିଦେଲୁ ଆଉ ଏବେ କଣ ତପନ ଜୀବନକୁ ନଷ୍ଟ କରିବାକୁ ଚାହୁଁଚୁ..? ତୁ ପରା ତାକୁ ଭଲପାଉଥିଲୁ ଏଇ କଣ ଭଲପାଇବା, ତୁ ଯଦି ତପନ ଦେହରେ ରହିବୁ ତାହେଲେ ତାର ପରିସ୍ଥିତି କଣ ହେବ ଏ କଥା ଟିକିଏ ଭାବ ।

ସବୁ ପରେବି ମୁଁ ତପନକୁ ଭଲପାଏ ତାର କିଛି ହେବାକୁ ଦେବିନି ହେଲେ ମୁଁ ତୁମକୁ ଗୁହାରୀ କରୁଛି ମୋତେ ତପନ ଦେହରୁ ଅଲଗା କର ନାହିଁ । ନ ହେଲେ ମୁଁ କାହାକୁ ଛାଡ଼ିବି ନାହିଁ ସମସ୍ତଙ୍କୁ ମାରିଦେବି ।

ତାନ୍ତ୍ରିକ ପାଟି କରି କହିଲା ଏ.. ଝିଅ ମୁଁ ତୋତେ ଭଲରେ କହୁଛି ତୁ ତପନ ଦେହରୁ ବାହାରି ଯା ନ ହେଲେ ମୁଁ ମନ୍ତ୍ର ପ୍ରୟୋଗ କରିବି ଆଉ ତୋତେ ବନ୍ଦୀ କରିଦେବି ।

ନାଁ ତୁ ମୋର କିଛି କରି ପାରିବୁ ନାହିଁ ତାନ୍ତ୍ରିକ ତୁ ମୋର କିଛି କରି ପାରିବୁ ନାହିଁ, ମୋର ଯେତେବେଳେ ଇଛା ହେବ ମୁଁ ତପନ ଦେହକୁ ଆସିବି ଆଉ ମନ ଇଛା ରହିବି ।

ତୁ ତାହେଲେ ଭଲରେ ଯିବୁନି ଏହା କହି ହାତରେ କିଛି ପାଣି ନେଇ ତାନ୍ତ୍ରିକ ମନ୍ତ୍ର ଉଚ୍ଚାରଣ କଲା ଆଉ ତପନ ଉପରକୁ ଛାଟିଲା । ତପନ ବେହୋସ ହୋଇ ପଡ଼ିଗଲା, ପାଖରେ ଥିବା ମନୋଜ ତାକୁ ପାଣି ଛାଟି ଉଠାଇଲା ଆଉ କହିଲା ଏବେ କେମିତି ଲାଗୁଛି ତପନ ଟିକେ ଭଲ ଲାଗୁଛି ତ...

ତପନ କହିଲା ମୋର କଣ ହୋଇଥିଲା କି କାଇଁ ମୁଁ ତ କିଛି ଜାଣିନି । ତାନ୍ତ୍ରିକ ଆଉ ମନୋଜ ବୁଝିଗଲେ ଯେ ଏହା ଦେହରେ ଆତ୍ମା ଆସୁଛି ଆଉ ଚାଲି ଯାଉଛି । ତାନ୍ତ୍ରିକ କହିଲା ଏ କବଚଟିକୁ ନିଅ ଆଉ ପିନ୍ଧିଦିଅ ତୁମ ଦେହକୁ ଆତ୍ମା ପ୍ରବେଶ କରୁଛି । ଏହାକୁ ପ୍ରତିରୋଧ କରିବା ପାଇଁ ତୁମକୁ ଏ କବଚ ସବୁଦିନ ପିନ୍ଧିବାକୁ ପଡ଼ିବ । ବଡ଼ ବଡ଼ ଆଖି କରି ମନୋଜକୁ ଚାହିଁଲା ତପନ ଆଉ କିଛି ନ କହି ଦୁହେଁ କବଚ ନେଇ ସେଠାରୁ ଫେରି ଆସିଲେ । ଆସିବା ବାଟରେ ମନୋଜ ସବୁ କଥା କହିଲା ଯାହା ସେ ଆତ୍ମାଠାରୁ ଶୁଣିଥିଲା । ପୂର୍ବରୁ ଭୁତ, ପ୍ରେତ, ଆତ୍ମାକୁ ବିଶ୍ୱାସ କରୁଥିବା ତପନର କଥାବାର୍ତ୍ତାରେ ପରିବର୍ତ୍ତନ ଦେଖାଦେଲା ଆଉ କହିଲା ତୁ ବି ସେଇ ପୁରୁଣାକାଳିଆ ଲୋକଙ୍କ ଭଳି ମୋତେ ଆତ୍ମା କଥା କହି ଡରାଉଛୁ । ଆରେ ମନୋଜ ଏ ଦୁନିଆରେ ଭୁତ, ପ୍ରେତ, ଆତ୍ମା ଏ ସବୁ କିଛି ନାହିଁ ଏ ସବୁ ମନ ଗଢ଼ା କାହାଣୀ ଆମେ ପରା ଡାକ୍ତରୀ ଛାତ୍ର ଏ ସବୁ କଣ ବିଶ୍ୱାସ କରି ପାରିବା...?

ତପନର ଏମିତି ପ୍ରଶ୍ନ ଶୁଣି ମନୋଜ ମନରେ ସନ୍ଧେହ ସୃଷ୍ଟି ହେଲା ଭାବିଲା ଏ କଣ ତପନର ନିଜ କଥା, ନାଁ ମୋତେ କାହିଁ ଲାଗୁନି ।

ମନୋଜ ନିରବ ରହିବା ଦେଖି ତପନ କହିଲା ଆରେ କଣ ଭାବୁଚୁ ମନୋଜ,

ମନୋଜ କହିଲା ତୋ କହିବା ଯଦି ଠିକ ତା'ହେଲେ ଗତକାଲି ରାତିରେ ଯାହା ଘଟିଲା ସେଇଟା ସତ ଥିଲା ନା ମନଗଢ଼ା କାହାଣୀ । ତପନ କହିଲା ଗତକାଲି ରାତିରେ କଣ ଘଟିଲା କାଇଁ ମୁଁ ତ କିଛି ଜାଣିନି ।

ମନୋଜ ବୁଝିଗଲା ଯେ ତାନ୍ତ୍ରିକ ଦେଇଥିବା କବଚ କାମ କରୁଛି । କଥା ବୁଲେଇ କହିଲା ହଉ ଛାଡ଼ ସେ କଥା ତପନ ତୁ କହୁଥିଲୁ ପରା ଘରକୁ ଯିବୁ, ଯା ତପନ ଟିକେଆଡ଼େ ବୁଲିଆସେ ତୋ ମନକୁ ଟିକେ ଭଲ ଲାଗିବ । ସାମାନ୍ୟ ବିରକ୍ତି ହୋଇ ତପନ କହିଲା ମନୋଜ ତୋର ପୁଣି ସେଇ କଥା ମୁଁ କହିଲି ପରା ମୋର କିଛି ହୋଇନି, ମୁଁ କାହିଁକି ଘରକୁ ଯିବି ।


ହଉ ତୁ ଘରକୁ ନ ଗଲୁ ନାହିଁ ଚାଲ ଆମେ ହଷ୍ଟେଲ ଯିବା । ଦୁହେଁ ଚାଲିଲେ, ହେଲେ ସେଇ ଦିନଠାରୁ ତପନର ଚାଲିଚଳଣି କଥାବାର୍ତ୍ତାରେ ଅଲଗା ପରିଲିକ୍ଷିତ ହେଉ ଥିଲା । ହାତରେ ପିନ୍ଧିଥିବା ତାବିଜକୁ କଉଠି ଫିଙ୍ଗି ଦେଇଥିଲା ତପନ । ଏକା ଏକା ବସି ଗପିବା କାହାକୁ ଗାଳି ଦେବା ଏମିତି ଅନେକ । ମନୋଜ ତପନର ଏମିତି ଅବସ୍ଥା ଦେଖି ତପନ ଘରକୁ ଖବର ଦେଲା, ତପନର ବାପା ଆସି ମନୋଜ ଠାରୁ ସବୁ କଥା ଶୁଣି ତପନକୁ କିଛି ଦିନ ପାଇଁ ଘରକୁ ନେଇଗଲେ । ହେଲେ ଦୁର୍ଭାଗ୍ୟର ବିଷୟ ସେଇଠୁ ଆରମ୍ଭ ହେଲା, ବାପା ମାଙ୍କ ପ୍ରତି ଏମିତି ଦୁର୍ବ୍ୟବହାର କେବେବି ଦେଖି ନ ଥିବା ତପନ ବାପା ମା ଟିକେ ବିଚାର ବିମୋସ ହୋଇଗଲେ । କାଳେ ଜାତକରେ କିଛି ତୃଟି ଥିବ ଭାବି ଜଣେ ଭଲ ଜୋତିଶକୁ ଦେଖାଇଲେ, ଜୋତିଶ କହିଲା ଏ ଜାତକରେ ଶନି ଦଶା ପଡ଼ିଛି ତେଣୁ ସମୟ ଲାଗିବ ଆଚ୍ଚରଣ ଓ ଉଚ୍ଚାରଣର ପରିବର୍ତ୍ତନ ହେବାକୁ । ତଥାପି ଗୋଟିଏ କାମ କରନ୍ତୁ ଶନି ଦଶା କଟିବା ପାଇଁ ଆପଣ ହୋମ ଯଜ୍ଞ କରାନ୍ତୁ, କିଛି କେଳାମାନଙ୍କୁ ଖାଇବାକୁ ଦିଅନ୍ତୁ । ଯାହା କିଛି ଜୋତିଶ କହିଲା ଠିକ ସେହିପରି ତପନର ବାପା କଲେ ।


କିନ୍ତୁ ତପନର କିଛି ବି ପରିବର୍ତ୍ତନ ହେଲା ନାହଁ । ଦିନକୁ ଦିନ ମାନସିକ ବିକୃତ ଭଳି ବ୍ୟବହାର କଲା, ମେଡିକାଲ କୋଚିଂ ମଧ୍ୟ ଅଧାରୁ ବନ୍ଦ ହୋଇଗଲା । ଖବର ପାଇ ମନୋଜ ତପନ ଘରକୁ ଆସିଲା ଆଉ ପୂର୍ବରୁ ଘଟିଥିବା ଘଟଣା ବିଷୟରେ ତପନର ବାପାଙ୍କ ସହିତ ଆଲୋଚନା କଲା, ହେଲେ ସେ ଯାହା ଦେଖିଲା ନିଜ ଆଖିକୁ ବିଶ୍ୱାସ କରି ପାରିଲା ନାହିଁ । ନିଜ ସାଙ୍ଗ ମନୋଜକୁ ଚିହ୍ନି ପାରୁ ନାହିଁ । ମନକୁ ଯାହା ଆସୁଛି ଅସଭ୍ୟ ଭାଷାରେ ସମସ୍ତଙ୍କୁ ଗାଳି କରୁଛି, ଏକୁଟିଆ ବସି ନିଜ ମଥାକୁ ଜାବୁଡ଼ା ମାରୁଛି । ବାରମ୍ବାର ଖାଇବାକୁ ମାଗୁଛି, ଟଙ୍କା ନେଇ ପାନ, ଗୁତୁଖା, ଖଇନି ଖାଉଛି, ରାତିରେ ଶୋଉ ନାହିଁ ସତେ ଯେମିତି ପାଗଳ ସଦୃଶ୍ୟ । ଗାଁ ଲୋକଙ୍କୁ ଗାଳି କରିବାରୁ ସେମାନେ ମାଡ଼ ମାରିବା ଘଟଣା ଏସବୁ ଦେଖି ମନୋଜ ହତୋଭାଗ ହୋଇଗଲା । ଗାଁ ଲୋକମାନେ କହୁଥାନ୍ତି, ତପନ ପାଗଳ ହୋଇଯାଇଛି, କାହାକୁ ଚିହ୍ନି ପାରୁନି ତାକୁ ମେଣ୍ଟାଲ ହସ୍ପିଟାଲରେ ଦେଖନ୍ତୁ ଏସବୁ ବାରମ୍ବାର କହିବା ପରେ ତପନର ବାପା ତପନକୁ ମେଣ୍ଟାଲ ହସ୍ପିଟାଲକୁ ନେବାକୁ ବାହାରିଲେ । କିନ୍ତୁ ତପନକୁ କିଏ ବା ନେଇ ପାରିବ ସେତେବେଳେ ତା ଦେହରେ ଅମାପ ବଳ, ଯିଏ ତାକୁ କହିଲା ସିଏ ଗାଳି ଶୁଣିଲା, ଶେଷରେ କିଛି ଲୋକ ଓ ମନୋଜ ମିଶି ତପନକୁ ମେଣ୍ଟାଲ ହସ୍ପିଟାଲକୁ ନେଇଗଲେ । ସେଠାରେ ଡାକ୍ତର ତପନକୁ 5 ଟି ଇଲେକ୍ଟ୍ରି ସକ ଦେଲେ । ଆଉ କହିଲେ ଏହାର ମସ୍ତିଷ୍କରେ ଅନ୍ୟ କିଛି ବିଚରିତ ହେଉଛି, ତେଣୁ ମୁଁ କିଛି ମେଡ଼ିସିନ ଓ ଇଞ୍ଜେକ୍ସନ ଲେଖି ଦେଉଛି ରେଗୁଲାର ଦେବେ ଦେଖିବା କିଛି ଦିନ ଯାଉ କଣ ପରିବର୍ତ୍ତନ ହେଉଛି ମୋତେ କହିବେ ।

ମେଡ଼ିସିନ ଓ ଇଞ୍ଜେକ୍ସନ ଆଣିଲେ ସତ ହେଲେ ଖାଇବାକୁ ଦେବ କିଏ, ମେଡ଼ିସିନ କଥା ଶୁଣି ବାପା ମାକୁ ବହୁତ ଗାଳି କଲା ତପନ, ଏମିତି ବି ମାରି ଗୋଡ଼ାଇଲା ତାର ମା'କୁ, ଭୟରେ ତା ମା କବାଟ ବନ୍ଦ କରି ରହିଲା ନ ହେଲେ ଅନ୍ୟ ଘରେ ଲୁଚି ରହିଲା । ବାପାଙ୍କୁ କମ ଗାଳି କରେ କାହିଁକି ନାଁ ଟଙ୍କା ନେଉଥିଲା ପାନ ଗୁତୁଖା ଖାଇବାକୁ, କିନ୍ତୁ ମେଡ଼ିସିନ ଖାଇବା କଥା ବିଲକୁଲ ଶୁଣେ ନାହିଁ ତପନ ।


ଦିନକର ଘଟଣା ଗୋଟିଏ ନଈର ପୋଲ ଉପରେ ଥିବା ସିମେଣ୍ଟ ବାଡ଼ାରେ ଛିଡ଼ା ହୋଇ ନଈକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ପୁଣି ତଳକୁ ଚାଲି ଆସୁଥାଏ, ଏମିତି ବାରମ୍ବାର କରିବାର ଦେଖି ଲୋକ ତପନକୁ ଗାଳି କରି ଘରକୁ ଫେରାଇ ଦେଲେ । ଠିକ ସେମିତି ଆଉ ଦିନେ ନଈ କୂଳରୁ ପାଣି ଭିତରକୁ ଦୌଡ଼ି ଯାଉଥାଏ ପୁଣି ଫେରି ଆସୁଥାଏ, ଲୋକମାନେ ଦେଖି ତାକୁ ଗାଳି କରି ଫେରାଇ ଦିଅନ୍ତି ।


ଧିରେ ଧିରେ ତପନର ମୁଣ୍ଡ ଅଧିକ ଖରାପ ହେବାକୁ ଲାଗିଲା,ଗାଁ ଲୋକ ସମସ୍ତେ କହିଲେ ତପନ ପାଗଳ ହୋଇ ଯାଇଛି, ତାକୁ ରାଞ୍ଚି ନେଇଯାଅ । ନ ହେଲେ ଘରେ କବାଟ ଦେଇ ରଖ, ବାଧ୍ୟ ହୋଇ ତପନର ବାପା ତପନକୁ ରାଞ୍ଚି ପାଗଳଖାନାକୁ ନେଇ ଗଲେ, ସେଠାରେ ଡାକ୍ତର କହିଲେ ଏ ପାଗଳ ନୁହେଁ ଏହାର ମସ୍ତିଷ୍କ ବେଳେ କାମ କରୁଛି ବେଳେ କାମ କରୁନି, ତେଣୁ ଆମେ ଏଠି ରଖି ପାରିବୁ ନାହିଁ । ତାକୁ ଘରକୁ ନେଇଯାଅ । ସେଠାରୁ ଫେରି ଆସି ତପନକୁ କବାଟ ଦେଇ ରଖିଲେ, ଝରକା ବାଟ ଦେଇ ଖାଦ୍ୟ ଦେଲେ । ହେଲେ ପ୍ରତି ଅଧ ଘଣ୍ଟାରେ ତପନ ଖାଇବାକୁ ମାଗୁଥାଏ ଆଉ ଅନ୍ୟ କାହା ସହିତ କଥା ହେବା ଭଳି ନିଜେ ନିଜେ ଅସଭ୍ୟ ଭାଷାରେ କହୁଥାଏ - ସଙ୍ଗେ ସଙ୍ଗେ ଖାଇବାକୁ ଦେଲି ପୁଣି ଚାଲି ଆସିଲୁ ଖାଇବାକୁ, ଗଲୁନା ଏଠୁ, ମନେ ଏମିତି କଥା ହେଉଥାଏ । ଯେମିତି ତପନ ସହିତ ଆଉ କିଏ ଘର ଭିତରେ ଅଛି । ଏ ସବୁ ଦେଖି ମନୋଜ ତପନର ବାପାଙ୍କୁ କହିଲା ମଉସା ତପନକୁ ସେଇ ତାନ୍ତ୍ରିକ ପାଖକୁ ନେଇଯିବା । ଯିଏ ପ୍ରଥମେ ଏହା ଦେହରେ ଆତ୍ମା ଅଛି ବୋଲି କହିଥିଲା । କିନ୍ତୁ ତପନର ବାପା କହିଲେ ତପନକୁ ଘରୁ ବାହାର କରି ହାତରେ କଡ଼ି ପକାଇ ନେବା କଷ୍ଟକର ବରଂ ସେ ତାନ୍ତ୍ରିକକୁ ଆମ ଘରକୁ ନେଇ ଆସିବା, ଯଦି ଏଠି କିଛି କରିବାର ଥିବ ତାହେଲେ ଏକା ଥରକେ ହୋଇଯିବ । ଦୁହେଁ ବିଚାର କରି ସେ ତାନ୍ତ୍ରିକକୁ ଘରକୁ ଡାକି ଆଣିଲେ । ତାନ୍ତ୍ରିକକୁ ଦେଖି ତପନ ରାଗରେ ଜଳିଲା ଭଳି ମନେ ହେଲା । ସତେ ଯେମିତି ଆଗରୁ ସେ ତାର ବହୁତ ବଡ଼ କ୍ଷତି କରିଛି । ତାନ୍ତ୍ରିକ ନିଜର ସିଦ୍ଧି ଦ୍ୱାରା ଜାଣିବାକୁ ପାଇଲା ଯେ ସେ ଯେଉଁ ଝିଅର ଆତ୍ମାକୁ ତପନ ଶରୀରରେ ଦେଖିଥିଲା ସେ ଆତ୍ମା ସାଙ୍ଗରେ ଆଉ ଗୋଟିଏ ଆତ୍ମା ଆସି ମିଶୁଛି । ଜଣେ ମାରିବାକୁ ଚାହୁଁଛି ଆଉ ଜଣେ ବଞ୍ଚାଇବାକୁ ଚାହୁଁଛି । ବ୍ୟସ୍ତ ବିବ୍ରତ ହୋଇ ତପନର ବାପା ପଚାରିଲେ ସେ କେଉଁ ଆତ୍ମା..?


ତାନ୍ତ୍ରିକ ଉତ୍ତର ଦେଲା ଏବେ ଯେଉଁ ଆତ୍ମା ତା ଦେହରେ ପ୍ରବେଶ କରୁଛି ସେ ଗୋଟିଏ ମୁସଲମାନ ଝିଅର ଆତ୍ମା ସେ ଆପଣଙ୍କ ଘର ଦେଇ ଆଗରୁ ଯିବା ଆସିବା କରୁଥିଲା କିନ୍ତୁ କିଛି କ୍ଷତି କରୁ ନ ଥିଲା, ହେଲେ ଯେଉଁ ଦିନଠାରୁ ଏହା ଦେହରେ ସେ ହିନ୍ଦୁ ଝିଅର ଆତ୍ମା ପ୍ରବେଶ କଲା ସେଇ ଦିନରୁ ସେ ମୁସଲମାନ ଆତ୍ମା ବି ପ୍ରବେଶ କରିବାକୁ ସୁଯୋଗ ଖୋଜୁଥିଲା ଆପଣ ଯେବେ ତପନକୁ ଘରକୁ ନେଇ ଆସିଲେ ସେଇ ଦିନରୁ ଆତ୍ମା ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବାର ଲାଗିଛି ।

ଆପଣଙ୍କ ଜାଣିବା ପାଇଁ ମୁଁ ଗୋଟେ ପରୀକ୍ଷା କରିବି ମୋତେ ଗୋଟିଏ କଳା ରଙ୍ଗର ଗଞ୍ଜା ଆଣି ଦିଅନ୍ତୁ ଆଉ ଦେଖନ୍ତୁ କ'ଣ ହେଉଛି ।


ଠିକ ସେଇଆ ହେଲା ସଙ୍ଗେସଙ୍ଗେ କଳା ଗଞ୍ଜା ଅଣାଗଲା । ହେଲେ ଏ କଣ ବଞ୍ଚିଥିବା ଗଞ୍ଜାଟିକୁ ତପନର ସାମ୍ନାକୁ ନେବା ମାତ୍ରେ ଗଞ୍ଜାଟି ମରିଗଲା । ସମସ୍ତଙ୍କର ବିଶ୍ୱାସ ହୋଇଗଲା ଯେ ତପନ ପାଗଳ ନୁହେଁ ତା ଦେହରେ ଆତ୍ମା ପ୍ରବେଶ କରିଛି ।

ପ୍ରତିକାର ପାଇଁ ତାନ୍ତ୍ରିକକୁ ପଚରାଗଲା, ତାନ୍ତ୍ରିକ କହିଲା ଏ ଜାଗା ଉପରେ ଯଜ୍ଞ କରିବାକୁ ପଡ଼ିବ ଆଉ କଳା ଛେଳି, କଳା କୁକୁଡ଼ା ବଳି ଦେବାକୁ ପଡ଼ିବ, ମୁଁ ଏ ଘରକୁ କଣ୍ଟାରେ କିଳି ଦେବି ଯେମିତି ସେ ଆତ୍ମାର ପ୍ରବେଶ ହୋଇ ପାରିବ ନାହିଁ । ତାନ୍ତ୍ରିକ ଯାହା କହିଲା ଠିକ ସେମିତି କଲେ ତପନର ବାପା ମା । ଏପଟେ ଖାଦ୍ୟରେ ମିଶାଇ ମେଡ଼ିସିନ ଦିଆଯାଉଥାଏ, ସାମାନ୍ୟ ପରିବର୍ତ୍ତନ ହେବା ପରି ମନେହେଲା । ଆଗରୁ ଯେମିତି ପାଟିକରି ଅସଭ୍ୟ ଭାଷାରେ ଗାଳି କରୁଥିଲା ସେ ସବୁ ଧିରେ ଧିରେ କମିଗଲା । ହେଲେ ମନେ ମନେ କାହା ସାଙ୍ଗରେ ଗପିବା ବନ୍ଦ ହେଉ ନ ଥାଏ । ପୁଅର ଏମିତି ଅବସ୍ଥା ଦେଖି ବାପା ମାଙ୍କ ଦୁଃଖ କହିଲେ ନ ସରେ । ତପନକୁ ଟିକିଏ ଭଲ ହେବା ଦେଖି ତପନର ବାପା ଭାବିଲେ ବୋଧହୁଏ ଏଇ ଘରଟି ମୋ ପୁଅ ପାଇଁ ଅଶୁଭ, ତେଣୁ ଅନ୍ୟ କେଉଁ ଜାଗାରେ ଘର କରି ପୁଅକୁ ସେଠାକୁ ନେଇ ଯିବାକୁ ପ୍ରସ୍ତୁତ ହେଲେ । ଆଉ ତାହା ମଧ୍ୟ ହେଲା ପୁରୁଣା ଘରଠୁଁ ତିନି କିଲୋମିଟର ଦୂରରେ କିଛି ଦିନର ବ୍ୟବଧାନ ମଧ୍ୟରେ ନୂଆ ଘର ପ୍ରସ୍ତୁତ କଲେ । ନୂଆ ଘରକୁ ବଦଳି ଗଲେ କିନ୍ତୁ ତପନ ଅବସ୍ଥା ଆଜିବି ସେଇ ପରି । ଚୁପ ଚାପ କାହାକୁ କିଛି କହୁ ନାହିଁ କି ଠିକ ସେ ଚିହ୍ନି ପାରୁନାହିଁ । କେବଳ ଖାଇବାକୁ ମାଗୁଛି ଆଉ ଟଙ୍କା ମାଗୁଛି ପାନ ଗୁତୁଖା ପାଇଁ । କିନ୍ତୁ ପ୍ରତ୍ୟେକ ଦିନ ଦୁଇରୁ ତିନି ଥର ସାଇକେଲ ଧରି ପୁରୁଣା ଘରକୁ ଆସୁଛି ଆଉ ଫେରିଯାଉଛି । ପଚାରିଲେ କହୁଛି ସେ ନୂଆ ଘର ମୋର ନୁହେଁ ମୋ ବାପାଙ୍କର, ମୋର ତ ଏ ପୁରୁଣା ଘର ଯେଉଁଠି ମୁଁ ରହେ ଏଠାକୁ ଥରେ ନ ଆସିଲେ ମୁଁ ରହି ପାରିବି ନାହିଁ ।

ଦୁଃଖରେ ଭାଙ୍ଗି ପଡୁଛନ୍ତି ତପନର ବାପା ମା, ହେଲେ ଭଗବାନଙ୍କର ବିଚିତ୍ର ଲୀଳା ଆଉ ତାଙ୍କର ବିଧାନ ଆଗରେ ମୁଣ୍ଡ ନୁଆଇଁ ପ୍ରଣିପାତ କରୁଛନ୍ତି । କେବଳ ଦୁଃଖକୁ ଜାବୁଡ଼ି ଧରି ସୁଖର ଦିନକୁ ଅପେକ୍ଷା କରିଛନ୍ତି । ଆଉ ଏହା ତାଙ୍କର କର୍ମ ଫଳ ମାନିନେବାକୁ ବାଧ୍ୟ ହେଉଛନ୍ତି.... ।



Rate this content
Log in

Similar oriya story from Abstract