Lunar Das

Drama Romance Tragedy


3  

Lunar Das

Drama Romance Tragedy


ନିରବ ବେଦନା

ନିରବ ବେଦନା

11 mins 6.7K 11 mins 6.7K

ସବୁଦିନ ପରି ସନ୍ଧ୍ୟାଟା ମୋ ସ୍ୱାମୀଙ୍କ ଅପେକ୍ଷାରେ କଟିଯାଏ। ସ୍ୱାମୀ ଘରକୁ ଫେରିଲେ କ'ଣ ଖାଇବେ, ସବୁଠାରୁ ମୋର ବଡ଼ ଚିନ୍ତାର ବିଷୟ। ଛୋଟ ବେଳୁ ମା'କହନ୍ତି "ପୁରୁଷମାନଙ୍କ ପ୍ରେମ ପେଟ ସହ ସଂଯୁକ୍ତ ହୋଇଥାଏ ଯଦି ପେଟ ପୁରିଛି ତ ପୃଥିବୀ ଶାନ୍ତ ନହେଲେ ପ୍ରଳୟର ଧୂନି ଶୁଭେ।" ସେ ଯାହାବି ହେଉ ଘରେ ନଥିଲେ ଘରଟା ପୁରା ଶୂନ୍ୟ ଲାଗେ। ଏମିତି ତାଙ୍କରି ଭାବନାରେ ନିମଗ୍ନ ରହି ଝରକା ପାଖରେ ବସି ବାହାରକୁ ଦେଖୁଥିଲି । କୋରିୟର୍ ବାଲାଟେ ଚିଠି ନେଇ ଆସିଲା ଭାବିଲି ,ଆଙ୍କରି ଅଫିସ୍ରୁ ଚିଠି ଆସିଥିବ ବୋଧହୁଏ ! ଏମିତି ସବୁଦିନ ତ ଆସୁଥାଏ । କୋରିୟର୍ ପିଲାଟା ଚିଠି ଦେଲା ବେଳକୁ ପଚାରିଲା,"ଆପଣ କ'ଣ "ଅସୀମା ମହାନ୍ତି"....? ମୁଁ ଚମକି ପଡ଼ିଲି.... ମୋ ନାମରେ ପୁଣି କିଏ ଚିଠି ଦେବ? ସାଙ୍ଗମାନେ ତ କେବେଠୁ କିଏ କୁଆଡ଼େ ଗଲେଣି.....! ଚିଠିଟାକୁ ଭଲ କି ଦେଖିଲି ବ୍ରାକେଟରେ ଲେଖା ଥିଲା "ଅସ୍" .........

ଛାତି ଭିତରଟା ଦମ୍ କଲା ।"ଅସ୍" ନାମ ତ ଜଣେ କେବଳ ମୋତେ କଲେଜ ବେଳେ ଡାକୁଥିଲେ..... ଆଗ୍ରହରେ ଚିଠିଟା ଖୋଲିଲି। ଭିତରେ ଲେଖାଥିଲା,

ମୋ ପ୍ରିୟ "ଅସ୍"

ତୁମେ ମତେ କେମିତି ଭୁଲିଗଲ ଅସ୍ ? ତୁମେ ତ ମୋ ଅତୀତର ଅପାସୋରା କବିତାଟିଏ, ମୋ ପ୍ଲାବିତ ଜୀବନ ନଦୀର ଅସରନ୍ତି ଧାରଟିଏ, ମୋ କୂଳକୁ ଲଙ୍ଘନ କରି ଚାଲିଛ। ମୁକ୍ତି ପାଉନି ମୁଁ ତୁମଠୁ। ତୁମେ ମୋ ଜୀବନରୁ ଗଲାପରେ ପ୍ରତି ମୁହୂର୍ତ୍ତରେ ମୁଁ ମରି ମରି ବଞ୍ଚିଛି । ପ୍ଲିଜ଼ ଅନୁରୋଧ ମୋର ଏ ଚିଠିକୁ ଚିରିକି ଫୋପାଡ଼ି ଦେବନି। ତା'ଭିତରେ ମୋ ଆତ୍ମାଟିଏ ବୁଦ୍ ବୁଦ୍ ହୋଇ ଜଳୁଛି । ମୁଁ ତୁମ ସଂସାରକୁ ଭାଙ୍ଗିବାକୁ ଚାହୁଁନି କେବଳ ତୁମକୁ ଥରେ ଦେଖିବାକୁ ଚାହୁଁଛି । କ'ଣ ତୁମକୁ ଦେଖିବାଟା ବି ମୋର ଅପରାଧ କି..? ଏ ହୃଦୟକୁ ମୁଁ ବୁଝେଇ ପାରୁନି, ବଞ୍ଚିଛି ସତ ମାତ୍ର ମୃତ୍ୟୁ ଠାରୁ ମଧ୍ୟ ଅଧିକ ଯନ୍ତ୍ରଣା ପାଉଛି। ପ୍ରେମ କରିଥିଲି ତୁମକୁ କିଛି ପାପ ତ କରିନି। ପ୍ରେମରେ କ'ଣ କାହାର ଅକ୍ତିଆର ଅଛି କି..?ଗୋଟିଏ ପଦ ହେଲେ ମଧ୍ୟ ଲେଖିକି ଜଣାଇବ....ଇତି ତୁମର, ସୁମନ୍ତ । 

ଚିଠିଟାକୁ ଏକା ନିଶ୍ୱାସରେ ପଢ଼ିଦେଲି। ଗୋଟେ ମୁହୂର୍ତ୍ତରେ ପୃଥିବୀଟା ମୋ ମୁଣ୍ଡ ଚାରି ପଟେ ଘୁରି ବୁଲିଲା, ଦେହ ଥରିଲା, ବାହାଘରର ଦଶ ବର୍ଷ ପରେ ମଧ୍ୟ"ସୁମନ୍ତ" ମୋତେ ଖୋଜୁଛନ୍ତି !

ମୋ ସ୍ୱାମୀଙ୍କର ଆସିବା ସମୟ ହୋଇଯାଇଥିଲା ତର ବରରେ ଆଲମୀରାର ଲୁଗା ତଳେ ଚିଠିକୁ ଲୁଚାଇ ଦେଲି । ମୋତେ ଖାଲି ଅସ୍ଥିର ଅସ୍ଥିର ଲାଗୁଥିଲା, ମୁଁ ମୋ ସ୍ୱାମୀଙ୍କ ସହ ଠିକ୍ ସେ କଥା ମଧ୍ୟ ହୋଇପାରୁନଥିଲି। ମୋ ସ୍ୱାମୀ ମୋତେ ବାରମ୍ବାର ପଚାରିଥିଲେ,"କ'ଣ ହୋଇଛି ତୁମର ତୁମେ ଚୁପ୍ କାହିଁକି ରହୁଛ..?

କିଛି ହୋଇନି କହି କଥାଟା ଏଡ଼ାଇ ଦେଲି। ସେଦିନ ରାତିରେ ମୋତେ ଆଉ ନିଦ ହେଲାନି । ବିନା କାରଣରେ ଏ ଅଲୋଡ଼ା ଅତୀତଟେ ମାଡ଼ି ଆସିଲା କେମିତି....?

ତା'ପର ଦିନ ମୋ ସ୍ୱାମୀ ଅଫିସ ଗଲା ପରେ, ସେ ଚିଠିକୁ କାଢ଼ି ଆଉ ଥରେ ପଢ଼ିଲି କିନ୍ତୁ ମନରେ ରାଗ ଆସିଲା କିଛି ଉତ୍ତର ଦେବିନି ବୋଲି ଭାବିଲି , କାଳେ ସ୍ୱାମୀଙ୍କ ଆଖିରେ ପଡ଼ିଯିବ ଭାବି, ଚିଠିଟାକୁ ଚିରି ଦେଲି। ଦୀର୍ଘ ନିଶ୍ଵାସଟିଏ ମାରିଲି ।

ଓ ହୋ....... ବିପତ୍ତି ଗଲା, କିନ୍ତୁ ଚିନ୍ତାଟା ମୋ ମୁଣ୍ଡରୁ ଯାଇନଥିଲା ଭୟ ରହୁଥିଲା , ପୁଣି କାଳେ ଚିଠି ଯଦି ଆସିବ....!

ସୁମନ୍ତ କ'ଣ ଏତେ ଦିନ ଯାଏ ବାହାହେଇ ନାହାଁନ୍ତି, ଏତେ ଦିନ କରୁଥିଲେ କ'ଣ....?

ମୋ ସହ ତ ଖୁବ୍ କମ୍ ଦିନର ଘନିଷ୍ଠତା ଥିଲା, ଏମିତି ଲକ୍ଷେ ପ୍ରଶ୍ନ ମୋତେ ଅସ୍ଥିର କରିଦେଉଥିଲା ।

*** *** ***

ମୋର ମନେ ପଡ଼ିଲା ମୁଁ "ରମାଦେବୀ ଓମେନ୍ସ କଲେଜରେ ପଢ଼ୁଥିଲା ବେଳେ ଦିନେ ସାଙ୍ଗମାନଙ୍କ ସହ ରାମ ମନ୍ଦିରକୁ ବୁଲିବାକୁ ଯାଇଥିଲି, ସେ ଦିନ ବହୁତ ଭିଡ଼ ଥିଲା । ମୁଁ ତର ବରରେ ଭିଡ଼ରେ ପଶୁ ପଶୁ ସୁମନ୍ତଙ୍କ ଦେହରେ ଧକ୍କା ଲାଗିଗଲା, ମୁଁ ଭାବିଲି ସେ ରାଗିଯିବେ ବୋଲି ଡରରେ ସୋରି...ବୋଲି କହିଲି କିନ୍ତୁ ସେ ମୋତେ ଦେଖି ହସିଦେଲେ ।


ଆମ ପରିବାର "ସହିଦ ନଗର"ରେ ରହୁଥିବାରୁ ଆମ ଘରଠୁ ରାମ ମନ୍ଦିର କମ୍ ବାଟ ଥିଲା, ସେଦିନ ମୁଁ ସାଙ୍ଗମାନଙ୍କ ସହ ଗପି ଗପି ଘରକୁ ଚାଲି ଆସିଲି । ଘରେ ପହଞ୍ଚି ଗେଟ୍ ଦେଲା ବେଳେ ଦେଖିଲି, ସେ କିଛି ଦୂରରେ ଛିଡ଼ା ହୋଇଛନ୍ତି । ସେ ଦିନ ସେ ମୋ ଘରର ଠିକଣା ପାଇଯାଇଥିଲେ। ତା'ପରଠୁ ମୁଁ କଲେଜ ଗଲାବେଳେ ଅଧିକାଂଶ ସମୟରେ ତାଙ୍କୁ ମୋ ପଛେ ପଛେ ଯିବାର ଦେଖେ।


ଦିନେ ଏକ୍ସଟ୍ରା କ୍ଳାସ ଥିବା ଯୋଗୁ ମୋର ଘରକୁ ଫେରିବାରେ ଡେରି ହୋଇ ଯାଇଥିଲା, ସେ ଦିନ ସନ୍ଧ୍ୟା ବି ହୋଇ ଯାଇଥିଲା। ସେ ଦିନ ସେ ମୋ ବାଟ ଓଗାଳି କହିଲେ, "ଗୋଟେ କଥା ପଚାରିବି କିଛି ଭୁଲ୍ ବୁଝିବିନି ତ..?"

"ତୁମେ କ'ଣ ପଢୁଛ? ତୁମ ନାମ କ'ଣ..?

ମୁଁ ପ୍ରଥମେ ପ୍ରଥମେ ତା'ଙ୍କ ସହ କଥା କହିବାକୁ ସଂକୋଚ କରୁଥିଲି , ସେ ଜାଣିପାରିଲେ ବୋଧହୁଏ, ପୁଣି କହିଲେ , ମୁଁ ବାତ୍ରା ପିଲା ନୁହେଁ , ଯଦି ଚାହୁଁନ ତେବେ ନ କହିପାର..."।

ତାଙ୍କର ଅଭିମାନ ଭରା କଥାରେ ମୋ ମନ ତରଳି ଗଲା । ମୁଁ ମୋ ନାମ "ଅସୀମା" ବୋଲି କହିଲି। ତା'ପରେ ସେ ଅନ୍ୟ ସବୁ କଲେଜ କଥା କହିଲେ, ଧୀରେ ଧୀରେ ତାଙ୍କସହ କଥା ହେବାକୁ ମୋତେ ସହଜ ମନେ ହେଲା।

ସେଇ ଦିନଠୁ ମୁଁ ସବୁଦିନ ତାଙ୍କ ସହ କଥା ହେଉଥିଲି, ଦିନକୁ ଦିନ ଘନିଷ୍ଠତା ତାଙ୍କସହ ମୋର ବଢ଼ି ବଢ଼ି ଯାଉଥିଲା ,ଦିନେ ନ କଥା ହେଲେ ମୋତେ ଜମା ମଧ୍ୟ ଭଲ ଲାଗୁନଥିଲା ।


ଦିନେ ସେ ମୋତେ କହିଲେ, ମୁଁ ଆଉ ତୁମକୁ ଏତେ ବଡ଼ ନାମରେ ଡାକିବିନି ଆଜିଠୁ "ଅସ୍" ବୋଲି ଡାକିବି । ମୁଁ ହସିଦେଲି ସେ ତାଙ୍କ ସୁରିଲା ସ୍ୱରରେ ଡାକିଲେ.....ଅସ୍...... କେଜାଣି କାହିଁକି ତାଙ୍କ ମୁହଁରୁ ମୋ ନୂଆଁ ନାମଟା ଖୁବ୍ ଭଲ ଲାଗିଲା ମୋତେ , ମୋତେ ଲାଗୁଥିଲା ମୁଁ ଯେମିତି ଧିରେ ଧିରେ ବଦଳି ଯାଉଛି ।

*** *** ***

ଦିନକୁ ଦିନ ମୁଁ ସୁମନ୍ତଙ୍କ ଆଡ଼କୁ ଢଳି ଯାଉଥିଲି ଦିନେ ନ ଦେଖିଲେ ମୋତେ ଯୁଗ ପରି ଲାଗୁଥିଲା, ମୁଁ ଅଧିର ହୋଇ ଉଠୁଥିଲି । ଦିନେ ଅନ୍ୟମନସ୍କ ହୋଇ ରାସ୍ତାରେ ଗଲା ବେଳେ , ମୁଁ ଯେ ରାସ୍ତା ମଝିରେ ଚାଲୁଥିଲି ମୋତେ ଜଣା ନଥିଲା । ଗୋଟେ ଗାଡ଼ି କ୍ଷିପ୍ର ଗତିରେ ମୋ ଆଡ଼କୁ ମାଡ଼ି ଆସୁଥିଲା କିନ୍ତୁ ଗାଡ଼ି ପ୍ରତି ମୋର ଜମା ବି ଧ୍ୟାନ ନ ଥିଲା ସେଦିନ ସୁମନ୍ତ ନ ଥିଲେ ବୋଧହୁଏ ମୁଁ ଆରପାରିରେ ଥାଆନ୍ତି ।ସୁମନ୍ତ କେତେବେଳେ

ଯେ ମୋ ପଛରେ ଚୁପ୍ ଚାପ୍ ଚାଲୁଥିଲେ, ମୋତେ ଜଣାନଥିଲା । ଗାଡ଼ିଟି ଧକ୍କା ଦେବା ପୂର୍ବରୁ ସେ ତାଙ୍କ ଆଡକୁ ମୋତେ ଟାଣିନେଲେ, ମୋ ମୁହଁ ସେଦିନ ତା'ଙ୍କ ଛାତିରେ ଗୁଞ୍ଜି ହୋଇଯାଇଥିଲା, ସେ ଚିତ୍କାର କରି କହିଲେ, "ପାଗଳ କି ତମେ....!ଦେଖିକି ରାସ୍ତା ଚାଲୁନ, ଏବେ ଯଦି ଗାଡ଼ି ଧକ୍କା ଦେଇ ଥାଆନ୍ତା ତାହାଲେ...?"

ତାହାଲେ... କ'ଣ ସୁମନ୍ତ....? ସେଦିନ ସୁମନ୍ତ ତାଗିଦ୍ କରି କହିଲେ, "ଚୁପ୍ ଚାପ୍ ବାଟ ଦେଖିକି ଚାଲ ।ସବୁ କଥାର ଜବାବ୍ ଦେବାକୁ ମୁଁ ବାଧ୍ୟ ନୁହେଁ "। ସେଦିନ ତୁମ ରାଗଟା ମୋ ପ୍ରେମର ଆକାଶକୁ ଛୁଆଁଇ ଦେଇ ଥିଲା, ମୁଁ ନିରବରେ ହସି ଦେଇଥିଲି ସେଦିନ, ହଁ ତୁମେ କହିବାକୁ ବାଧ୍ୟ ନଥିଲ ସୁମନ୍ତ କିନ୍ତୁ ମୁଁ ବି ତ ଅଜଣା ନଥିଲି । ତୁମ ଛାତିରେ ମୁହଁ ଗୁଞ୍ଜି ହୋଇଗଲା ବେଳେ, ତୁମ ହୃଦୟର ଶବ୍ଦକୁ ଶୁଣି ଦେଇଥିଲି । ସେଦିନ ମୋ ଭାବନା ସରିନଥିଲା କିନ୍ତୁ ମୋତେ ଭାବନାକୁ ପରିବର୍ତ୍ତନ କରିବାକୁ ପଡ଼ି ଥିଲା ବାଧ୍ୟ ହୋଇ କି ।


ଘରକୁ ଫେରିଲା ବେଳେ ମୋ "ପାପା" "ମା"ଙ୍କ ସହ କଥା ହେଉଥିଲେ"ଗୋଟେ ଭଲ ପ୍ରସ୍ତାବ ଆସିଛି 'ଅସୀମା' ପାଇଁ। ଆମ ଅଫିସର ଜଣେ ଷ୍ଟାଫ ମୋତେ ଖବର ଦେଇଛନ୍ତି । ସେମାନେ ଏଇ "ରବିବାର" ଦିନ ଅସୀମାକୁ ଦେଖିବାକୁ ଆସିବେ "।

ପାପା"ଙ୍କ କଥା ଶୁଣିଲା ପରେ ମୁଁ "ସୁମନ୍ତ"ଙ୍କ କଥା ଭାବିଥିଲି । ମୋ ମସ୍ତିଷ୍କର ତନ୍ତୁଗୁଡ଼ିକ ଯେମିତି ଛିଣ୍ଡିବା ଭଳି ଲାଗିଲା କିନ୍ତୁ "ପାପା"ଙ୍କୁ ବୁଝାଇ ପାରିଲି ନାହିଁ ଯେ, ମୋ ମନ ଆଉ ହୃଦୟରେ ସୁମନ୍ତ ହିଁ ବୁଲୁଛନ୍ତି ବୋଲି ।


"ପାପା" କହିଲେ, ସେମାନେ ତୋତେ ଦେଖି ଯାଇ ସାରିବା ପରେ ଯାଇ ତୁ ଘରୁ ଗୋଡ଼ କାଢ଼ିବୁ। ଦୁଇ ଦିନ ପରେ ରବିବାର ଥିଲା । "ରବିବାର" ଦିନ ମୋ ଶାଶୂଘର ଲୋକ ମୋତେ ଦେଖିବାକୁ ଆସିଥିଲେ ଆଉ ସେ ଦିନ ମୋ ଭାଗ୍ୟ ମଧ୍ୟ ନିର୍ଦ୍ଧାରିତ ହୋଇ ଯାଇଥିଲା ।


ସେମାନେ ଯିବାପରେ ମୁଁ ସେ ଦିନ ଆଗ ଧାଇଁଥିଲି ସୁମନ୍ତଙ୍କ ସହ ଦେଖା କରିବାକୁ କିନ୍ତୁ ବହୁତ ଅପେକ୍ଷା ପରେ ମଧ୍ୟ ସୁମନ୍ତଙ୍କ ସହ ସାକ୍ଷାତ ହୋଇ ପାରିଲା ନାହିଁ। ସୁମନ୍ତଙ୍କ ସାଙ୍ଗଠୁ ଶୁଣିଲି ସେ କୋଉ ପରୀକ୍ଷା ପାଇଁ "କଲିକତା" ଯାଇଛନ୍ତି। ସେଦିନ ମୁଁ ଦୁଃଖରେ ଫେରି ଆସିଥିଲି ।

*** *** ***

ମୋ ବାହାଘର ଦିନ ପାଖେଇ ଆସୁଥିଲା, ଡେଟ୍ ମଧ୍ୟ ନିର୍ଦ୍ଧାରିତ ହୋଇ ସାରିଥିଲା ସେଥିପାଇଁ ମୋର କଲେଜ ଯିବା "ପାପା" ବନ୍ଦ କରିଦେଲେ। ମୋର ଆଉ ସୁମନ୍ତଙ୍କ ସହ ଦେଖା ହୋଇ ପାରିଲା ନାହିଁ। ସେଦିନଠୁ ମୁଁ ଭାବିଲି ମୋ ପ୍ରେମ କାହାଣୀ ସେତିକିରେ ସରିଗଲା ବୋଧହୁଏ କିନ୍ତୁ ପୁଣି ଦଶ ବର୍ଷ ପରେ ଜାଣିଲି ଆଜି ବି

ସୁମନ୍ତ ତାଙ୍କ ପ୍ରିୟା "ଅସୀମା"କୁ ଖୋଜୁଛନ୍ତି । ମୋ ମନଟା ଦୁଃଖରେ ଭାଙ୍ଗି ପଡ଼ିଲା । ମନେ ମନେ ଭାବିଲି, ଏବେ ଆଉ ସେ ଚିଠିର ଉତ୍ତର ଦେବିନି ଯଦି ସେକେଣ୍ଡ ଚିଠି ଆସେ ତାହେଲେ ଦେବି ।


କିଛି ଦିନ ପରେ ପୁଣି ସୁମନ୍ତଙ୍କର ସେକେଣ୍ଡ ଚିଠି ପହଞ୍ଚିଲା ସେଥିରେ ସେ ଲେଖିଥିଲେ "ତୁମେ ମୋତେ ଉତ୍ତର ଦେଲନି କାହିଁକି "ଅସ୍" ମୁଁ ଏତିକି ଦିନ ତୁମ ଚିଠିର ଅପେକ୍ଷାରେ ବସିଥିଲି। ମୁଁ କେବଳ ତୁମକୁ ଥରେ ଦେଖିବାକୁ ଚାହୁଁଛି। ମୋତେ ନ ଜଣାଇ ତମେ ବାହାହୋଇ ଗଲ ତା'ର କୈଫିୟତ୍ ବି ମୁଁ ମାଗୁନି, ମୋ ଜୀବନର ଯନ୍ତ୍ରଣା କଥା ବି ମୁଁ କହୁନି କିନ୍ତୁ ଗୋଟିଏ ଧାଡ଼ି ହେଲେ ଲେଖିବ ଯଦି ତୁମେ ମତେ ଗୋଟିଏ ଦିନ ପାଇଁ ମଧ୍ୟ ଭଲ ପାଇଥିବ।


ସେଦିନ ଭାବିଲି ମୁଁ ନିଶ୍ଚୟ ଉତ୍ତର ଦେବି। ମୁଁ ଚିଠିଟିଏ ଲେଖିଥିଲି ସେ ଦିନ। ମୁଁ ଆଉ ତୁମର "ଅସ୍ " ନୁହେଁ। ଅନ୍ୟର ଧର୍ମ ପତ୍ନୀ ହୋଇ ସାରିଛି। ତୁମକୁ ଦେଖା କରିବାର ଅର୍ଥ ମୋ ପତିଙ୍କୁ ଧୋକା ଦେବା। ମୁଁ ଏବେ ଗୋଟେ ଉଚ୍ଚ ବଂଶର କୂଳବଧୁ। ମୁଁ ତୁମ ସହ ଲୁଚି ଲୁଚି ଦେଖା କରି ମୋ ମର୍ଯ୍ୟାଦାକୁ ତଳେ ପକାଇ ପାରିବିନି।

ଏ ସମାଜରେ ମୋ ସ୍ୱାମୀଙ୍କ ସମ୍ମାନ ଅଛି ମୁଁ ତାଙ୍କ ସମ୍ମାନ ପାଇଁ ଆଜି ପର୍ଯ୍ୟନ୍ତ ଘରୁ ତାଙ୍କ ବିନା ଆଦେଶରେ ଗୋଡ଼ କାଢ଼ି ପାରିନି ଆଉ ତୁମେ କହୁଛ ତୁମକୁ ଦେଖା କରିବାକୁ ଯିବି ! ଭୁଲିଯାଅ ସୁମନ୍ତ । ମୋତେ କ୍ଷମା କରିଦିଅ ମୁଁ କେବେ ମଧ୍ୟ ତୁମକୁ ଦେଖା କରିପାରିବିନି । ଏତିକି ଲେଖି ମୁଁ ଚିଠିଟିଏ ତାଙ୍କୁ ପୋଷ୍ଟ କରିଦେଇଥିଲି । ମୁଁ ଭାବିଲି ସେ ଆଉ କେବେମଧ୍ୟ ଚିଠି ଦେବେନି କିନ୍ତୁ କିଛି ଦିନ ପରେ ପୁଣି ତାଙ୍କର ଚିଠି ଆସିଲା। ସେଥିରେ ଲେଖା ଥିଲା "ମୁଁ ଜାଣିଛି "ଅସ୍ " ତୁମେ ଆଉ ମୋର ନୁହେଁ, ତୁମ ପ୍ରତି ମୋର ଯେଉଁ ଅତ୍ୟଧିକ ଆକର୍ଷଣ ମୋତେ କେବେବି ଠିକ୍ ସେ ବଞ୍ଚିବାକୁ ଦେଉନି। ଦୀର୍ଘ ଦଶ ବର୍ଷ ଖୋଜିବା ପରେ ତୁମ ଠିକଣା ପାଇଥିଲି ଭାବିଲି, ତୁମେ ତୁମ ପତିଙ୍କର ହେଲେ ମଧ୍ୟ କାଣିଚାଏ ସ୍ନେହ ମୋ ପାଇଁ ମଧ୍ୟ ସାଇତି ରଖିଥିବ କିନ୍ତୁ ତୁମେ କହୁଛ ତୁମେ ମୋର "ଅସ୍" ନୁହେଁ, ମୁଁ ପ୍ରତ୍ୟେକ ମୁହୂର୍ତ୍ତରେ ମରୁଛି ଆଉ ତୁମେ କହୁଛ ତୁମେ ସମାଜକୁ ଭୟ କର, ତୁମ ପତିଙ୍କର ସମ୍ମାନକୁ ଦେଖ, କୂଳବଧୁର ମର୍ଯ୍ୟାଦାକୁ ଲଙ୍ଘନ କରି ପାରିବନି, ପତିଙ୍କର ବିଶ୍ବାସ ଘାତିନୀ ହୋଇ ପାରିବନି, ମୁଁ ତ କେବେ ବି କହିନି ବିଶ୍ୱାସଘାତିନୀ ହେବାକୁ କେବଳ ଥରଟିଏ ତୁମକୁ ଦେଖିବାକୁ ଚାହୁଁଥିଲି। ମୋ ବିଷୟରେ ନା ତୁମେ ପଚାରିଲ ନା ମୁଁ କହିବାକୁ ଚାହିଁଲି । ନିଜ ଆଡ଼ୁ ଉପରପଡ଼ି କହିବାକୁ ମୋ ସ୍ୱାଭିମାନ ମନାକରେ ତୁମେ ମୋତେ ଭଲ କି ଜାଣିଛ। ହଁ ତୁମେ ମୋର କିଏ....?

କିନ୍ତୁ ଏତିକି କହିବି ତୁମେ ତୁମ ସମ୍ମାନକୁ ନେଇ ବଞ୍ଚ ମୁଁ ମୋ ପ୍ରେମକୁ କଳ୍ପନା କରି ବଞ୍ଚିବି। ଏଇଟା ମୋର ଶେଷ ଚିଠି.....। 


ଚିଠି ପଢ଼ିଲା ପରେ ମୁଁ ସେଦିନ ଅନେକ କାନ୍ଦିଥିଲି ସୁମନ୍ତ ତାଙ୍କ ଅନୁଭବ କଥା ନ କହି ମଧ୍ୟ ସବୁ କିଛି କହିଦେଲେ ଆଉ ମୁଁ କିଛି ବି କହି ପାରିଲିନି। କାହାକୁ ବା କହିଥାନ୍ତି ନିଜ ମନ କଥା, କିଏ ଶୁଣିଥା'ନ୍ତା ...... ସୁମନ୍ତଙ୍କୁ ନ କହି ବାହାହେଲା ବେଳେ ମୁଁ ଯେ ହଜାରେ ଥର ମରିଥିଲି କେମିତି ବୁଝେଇ ଥାଆନ୍ତି, ଗୋଟେ ନାରୀର ମନସ୍ତତ୍ତ୍ୱକୁ ପର ଘରେ ତାକୁ କେତେ ସମର୍ପଣ କରିବାକୁ ପଡ଼େ, ଲୁହକୁ ଛୁପାଇ କେତେ ହସିବାକୁ ପଡ଼େ। ସେଦିନ ଅବୁଝା ଶବ୍ଦ ସବୁ ଭାରାକ୍ରାନ୍ତ କରିଦେଲା ମୋତେ ତେବେ ବି ସଂସାର ତ କରିସାରିଛି। ସବୁ ଭାବନାକୁ ଆଡ଼ କରିଦେଇ କାମରେ ଲାଗିଗଲି ।

*** *** ***

ୟା ଭିତରେ ପାଞ୍ଚ ମାସ ବିତି ଯାଇଥିଲା ଦିନେ ଘରୁ ଫୋନ ଆସିଲା "ପାପା"ଙ୍କର ହାର୍ଟ ଷ୍ଟ୍ରୋକ୍ ହେଇଛି ସେ କଳିଙ୍ଗ ହସ୍ପିଟାଲରେ ଏଡ୍ ମିଟ୍ ହୋଇଛନ୍ତି। ମୁଁ ସଙ୍ଗେ ସଙ୍ଗେ ଭୁବନେଶ୍ୱର ବାହାରିଲି ମୋ ସ୍ୱାମୀ ମୋତେ ଭୁବନେଶ୍ୱରରେ ଛାଡ଼ି ପୁଣି ବାରିପଦା ଫେରି ଆସିଲେ ମୁଁ ସବୁଦିନ "ପାପା"ଙ୍କୁ ଦେଖା କରିବାକୁ ହସ୍ପିଟାଲ ଯାଉଥିଲି। ଦିନେ ହସ୍ପିଟାଲରୁ ବାହାରିଲା ବେଳେ ଦେଖିଲି ଗୋଟେ ଲୋକ ପାଗଳ ଭଳି ଦିଶୁଛି ଆଉ ହସ୍ପିଟାଲ ପାଖ ଦୋକାନରେ ବସି ମତେ ଗୋଟେ ଲୟରେ ମୋତେ ଦେଖୁଛି। ମୁଁ ଭାବିଲି ପାଗଳ ଟାଏ ହେଇଥିବ ବୋଧହୁଏ ମୋତେ ଟିକେ ଡର ଲାଗିଲା ମୁଁ ତା ଆଡ଼େ ନ ଅନେଇ ଶୀଘ୍ର ଶୀଘ୍ର ଅଟୋରେ ବସିପଡ଼ିଲି।

ତା'ପରଦିନ ପୁଣି ହସ୍ପିଟାଲରେ ଡିଉଟି ମୋର ଥିଲା । ମୁଁ ପୁଣି ତା'ପର ଦିନ ବି ଦେଖିଲି ସେ ଲୋକଟା ପୁଣି ଆସି ସେଇଠି ଛିଡ଼ା ହୋଇ ମୋତେ କଟମଟ କରି ଦେଖୁଛି। ମୁଁ ଚୁପ୍ ଚାପ୍ ଭିତରକୁ ଚାଲି ଗଲି। କିଛି ସମୟ ପରେ ସେ ବି ଚାଲିଗଲା। ସେ ଗଲାପରେ ମୁଁ ପାଖ ଦୋକାନକୁ ଯାଇକି ସେ ଲୋକ ବିଷୟରେ ପଚାରିଲି ,ସେ ଦୋକାନୀଠୁ ତାଙ୍କ ପରିଚୟ ପାଇଲା ପରେ , ମୁଁ ଯେମିତି ଲକ୍ଷ ଲକ୍ଷ ଖଣ୍ଡରେ ବିଭକ୍ତ ହୋଇ ଯାଇଥିଲି। ସେ ପାଗଳ ଭଳି ଦିଶୁଥିବା ଲୋକଟା "ସୁମନ୍ତ" ହିଁ ଥିଲେ।


ମୁଁ ଯେତେବେଳେ ମୋ ବାହାଘର ଖବର ଦେବାକୁ ସୁମନ୍ତଙ୍କର ଅପେକ୍ଷା କରିଥିଲି ସେତେବେଳେ ସୁମନ୍ତ ନ ଥିଲେ ତାଙ୍କର ଜଣେ ସାଙ୍ଗଠୁ ଶୁଣିଥିଲି ସେ ପରୀକ୍ଷା ଦେବାକୁ "କଲିକତା" ଯାଇଛନ୍ତି କିନ୍ତୁ ସୁମନ୍ତ ପରୀକ୍ଷା ହଲ୍ରେ ସେଦିନ ପହଞ୍ଚି ପାରିନଥିଲେ । ରାସ୍ତାରେ ତାଙ୍କର ଏକସିଡେଣ୍ଟ ହୋଇଯାଇଥିଲା ସେ କଲିକତାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସେଇ ସମୟରେ ମୋର ବାହାଘର ହୋଇଯାଇଥିଲା । ଯେତେବେଳେ ସେ ଭୁବନେଶ୍ୱର ଫେରିଲେ ତା'ଙ୍କ ସାଙ୍ଗମାନେ ତାଙ୍କୁ ମୋ ବାହାଘର ଖବର ଦେଇଥିଲେ। ତାଙ୍କ ମନ ପୁରା ଭାଙ୍ଗି ଯାଇଥିଲା ସେ ମୋ ବିଷୟରେ କିଛି ମଧ୍ୟ ଜାଣି ପାରିନଥିଲେ। ଦଶ ବର୍ଷ ଧରି ମୋତେ ହିଁ ଖୋଜୁଥିଲେ।

ମୋର ଜଣେ ସାଙ୍ଗଠୁ ମୋ ଠିକଣା ପାଇଲାପରେ ସେ ମୋତେ ଚିଠିଟିଏ ଦେଇଥିଲେ। ସବୁବେଳେ ମୋ ପରିବାର ଉପରେ ହିଁ ତାଙ୍କର ଦୃଷ୍ଟି ଥିଲା । ମୋ "ପାପା"ଙ୍କର ଦେହ ଖରାପ କଥା ଶୁଣିବା ପରେ ସେ ଜାଣିଥିଲେ ଯେ ମୁଁ ନିଶ୍ଚିତ ମୋ "ପାପା"ଙ୍କୁ ଦେଖା କରିବାକୁ ଆସିବି ଆଉ ସେ ମୋତେ ଦେଖି ପାରିବେ।


ପାଖ ଦୋକାନୀଠୁ ସବୁ କଥା ଶୁଣିଲା ପରେ ମୁଁ ତାଙ୍କ ସହ ଦେଖା କରିବା ପାଇଁ ବିକଳ ହୋଇ ଉଠିଲି କିନ୍ତୁ ସବୁଦିନ ଅପେକ୍ଷା ପରେ ମଧ୍ୟ ତାଙ୍କ ସହ ଦେଖା କରିପାରିଲି ନାହିଁ। ମୋ ସ୍ୱାମୀ ମୋତେ ନେବାକୁ ଆସିଲେ ମୁଁ ତାଙ୍କ ସହ "ବାରିପଦା" ଫେରି ଆସିଲି କିନ୍ତୁ ମନ ରହିଗଲା ସୁମନ୍ତଙ୍କ ପାଖରେ.....।

*** *** **

ବାରିପଦାରେ ପହଞ୍ଚୁ ପହଞ୍ଚୁ ଅଧା ରାତ୍ରି ବିତି ସାରିଥିଲା ମୋ ସ୍ୱାମୀ ଟାୟାଡ଼ ହୋଇ ଶୋଇ ପଡ଼ିଲେ କିନ୍ତୁ ମୋତେ ଆଉ ନିଦ ହେଲାନି ସୁମନ୍ତଙ୍କୁ ଲେଖିଥିବା ସବୁ ଶବ୍ଦ ମୋର ମନେ ପଡ଼ିଲା........ ମୋତେ ଦୋଷୀ ଦୋଷୀ ନିଜକୁ ମନେ ହେଲା ଯେମିତି ମୁଁ ସୁମନ୍ତଙ୍କର ଜୀବନ ନଷ୍ଟ କରିଦେଇଛି। ମୋ ଚିଠି ତାଙ୍କୁ କେତେ କଷ୍ଟ ଦେଇଥିବ, ସବୁକଥା ଭାବିଚାଲିଲି, ମୁଁ ଆଉ ଶାନ୍ତି ପାଇଲିନି ଯେଉଁ ସ୍ୱାମୀଙ୍କ ବାହୁରେ ମୁଁ ସ୍ବର୍ଗର ସୁଖ ଉପଭୋଗ କରୁଥିଲି, ଭୁବନେଶ୍ୱରରୁ ଫେରିଲା ପରେ ସବୁ କିଛି ଓଲଟି ଯାଇଥିଲା । 

ମୋ ସ୍ୱାମୀ ଏ ସବୁ ନିରୀକ୍ଷଣ କରୁଥିଲେ, ମୋତେ ସବୁବେଳେ ପଚାରୁଥିଲେ ,ଭୁବନେଶ୍ୱରରୁ ଫେରିଲା ପରେ କ'ଣ ହେଇଛି ତମର...? ମୋଠୁ ସବୁବେଳେ ଦୁରେଇ ଦୁରେଇ ରହୁଛ, ମନରେ ହସ ନାହିଁ ,କିଛି ଖୁସି ନାହିଁ , କ'ଣ "ପାପା"ଙ୍କ କଥା ଚିନ୍ତା କରୁଛ କି..? ମୁଁ ଅଛି ପରା....! ତୁମର କିଛି ବି ଚିନ୍ତା କରିବା ଦରକାର ନାହିଁ।


ମୋ ସ୍ୱାମୀ ଯେତେ ବୁଝାଇଲେ ମଧ୍ୟ ମୁଁ ଖୁସି ହୋଇ ପାରିଲି ନାହିଁ। ଧିରେ ଧିରେ ଡିପ୍ରେସନ୍ ମୋତେ ପୁରା ମାତ୍ରାରେ ଗିଳି ପକେଇଥିଲା ।


ମୋ ସ୍ୱାମୀ ମୋତେ ଜଣେ ସାଇକାଟ୍ରିଷ୍ଟଙ୍କ ପାଖକୁ ନେଇ ଦେଖାଇଲେ କିନ୍ତୁ କିଛି ମଧ୍ୟ ଲାଭ ହେଲାନି ମେଡିସିନ୍ର ପ୍ରତିକ୍ରିୟାରେ ମୋତେ ସବୁବେଳେ ଅଚେତ ଭଳି ଲାଗୁଥିଲା। ମନ ଭିତରର ଯନ୍ତ୍ରଣା ମୋତେ ଅସହ୍ୟ ଲାଗୁଥିଲା । ଦିନେ ଭାବିଲି ନା....ମୁଁ ଆଉ ସହି ପାରିବିନି ମୋତେ ସୁମନ୍ତଙ୍କ ପାଖକୁ ଯିବାକୁ ପଡ଼ିବ, ମୁଁ ମୋ ସ୍ୱାମୀଙ୍କୁ କହିଲି, "ମୋତେ କିଛି ଦିନ ପାଇଁ ଭୁବନେଶ୍ବରରେ ଛାଡ଼ି ଦିଅ "ପାପା"ଙ୍କ ପାଖେ ରହିଲେ ମୋତେ ଠିକ୍ ଲାଗିବ।" ସେ କିଛି ଦିନ ପାଇଁ ମୋତେ ଭୁବନେଶ୍ୱରରେ ଛାଡ଼ିଦେଇ ଆସିଲେ ।


ମୁଁ ସୁମନ୍ତଙ୍କ ସହ ଦେଖା କରିବାକୁ ଚାହୁଁଥିଲି । ଦିନେ ରାସ୍ତାରେ ସୁମନ୍ତଙ୍କ ସହ ଭେଟ ହୋଇଗଲା ସେ ମୋତେ ଦେଖି ମୁହଁ ଲୁଚାଇ ଚାଲିଯିବାକୁ ଚେଷ୍ଟା କରୁଥିଲେ। ମୁଁ ତାଙ୍କୁ ଅନୁସରଣ କଲି, ପଛରୁ ଡାକ ପକାଇ କହିଲି...

"ସୁମନ୍ତ ମୁଁ ତୁମକୁ ଚିହ୍ନି ସାରିଛି, ପ୍ଲିଜ୍ ରହିଯାଅ"

ସେ ଛିଡ଼ା ହୋଇଗଲେ। ମୁଁ ତାଙ୍କ ପାଖକୁ ଗଲାବେଳେ ସେ କହିଲେ, "ମୋ ପାଖକୁ ଆସନି ତୁମର ସମ୍ମାନ ଚାଲିଯିବ........ ତୁମେ ତୁମ ଘରକୁ ଚାଲିଯାଅ"..।

ମୁଁ ମୋ କୋହକୁ ଚାପି ପାରିଲିନି, ଅନେକ ଦିନ ଧରି ଜମିରହିଥିବା ବରଫ ଖଣ୍ଡଟେ ଯେମିତି ତରଳିବାକୁ ଆରମ୍ଭ କରି ନଦୀଟିଏ ହୋଇଗଲା, ମଣିଷ ନିଜକୁ ଯେତେ ବି ଢଙ୍କେଇ ରଖିଲେ ମଧ୍ୟ ତା'ର ଗୋଟେ ସତ୍ୟ ନିଶ୍ଚିତ ଥାଏ। ଯେତେବେଳେ ସେ ସତ୍ୟ ସାମ୍ନାକୁ ଆସିଯାଏ, ସେ ଦୁର୍ବଳ ହୋଇଯାଏ ସେତେବେଳେ ଅଶ୍ରୁମାନେ ତା'କଥା ଶୁଣନ୍ତି ନାହିଁ। ମୁଁ ତାଙ୍କୁ ହାତ ଯୋଡ଼ି କହିଲି "ପ୍ଲିସ ସେମିତି କୁହନି, ମୁଁ ସେଦିନ ତୁମ ବିଷୟରେ କିଛି ଜାଣିନଥିଲି କିନ୍ତୁ ଯେବେଠୁ ସବୁ ତୁମ ବିଷୟରେ ଶୁଣିଲି, ମୁଁ ତମ ପାଇଁ ପ୍ରତିକ୍ଷଣେ ମରୁଛି। ମୁଁ ଆଜି ଆସିଛି କିଛିଗୋଟେ ସମାଧାନ କରିବାକୁ।

ସୁମନ୍ତ ଖୁବ୍ ଯୋର୍ରେ ରାଗିଗଲେ ଆଉ କହିଲେ, "ସବୁ ସରି ଯାଇଛି "ଅସ୍" ଆଉ କ'ଣ ବାକିଅଛି ଯେ, ତୁମେ ସମାଧାନ କରିବ "।

ମୁଁ ପୁଣି ତାଙ୍କୁ କହିଲି"ପ୍ଲିଜ୍ ବୁଝିବାକୁ ଚେଷ୍ଟା କର । ତୁମେ ବିବାହ କଲନାହିଁ କାହିଁକି..?

ବିବାହର କଥା ଶୁଣି ତାଙ୍କର ମୁହଁ ଶୁଖିଗଲା, ମୁହଁ ତଳକୁ କରି କହିଲେ"ତୁମେ ଯେ ନ ଥିଲ... ଗୋଟେ ଅପଦାର୍ଥକୁ କିଏ ବାହାହୋଇ ଥାନ୍ତା..? ନା, ଚାକିରୀ ଥିଲା,ନା ଘରଦ୍ୱାର ଥିଲା କିଏ ମୋତେ କନ୍ୟାଦାନ କରିଥା'ନ୍ତା...?


ଘରଦ୍ୱାର କଥା ଶୁଣି ମୁଁ ଚମକି ପଡ଼ିଲି । 

"ତମ ଘର କୁଆଡ଼େ ଗଲା"?

ସୁମନ୍ତ ହସିଦେଲେ ଯେମିତି ଅନେକ ଦିନରୁ ସବୁ ହସକୁ ଠୁଳେଇ ରଖିଥିଲେ,ତାଙ୍କ ମୁହଁରେ କୁଞ୍ଚିତ ରେଖାଗୁଡ଼ାକ ଟାଣିହୋଇ ବୟସ୍କ କରିଦେଉଥିଲା ତାଙ୍କୁ। ସେ କହିଲେ,"ଚାକିରୀ ତ ମିଳିଲାନି ଭାବିଲି ଏ ଘର ଏଗେନ୍ସଟରେ ଲୋନ୍ କରି ବିଜନେସଟିଏ ଆରମ୍ଭ କରିବି। ଘର ଏଗେନ୍ସଟରେ ଲୋନ୍ ବି ମିଳିଲା। ଛୋଟକାଟିଆ ବ୍ୟବସାୟଟିଏ ବି ଆରମ୍ଭ କଲି କିନ୍ତୁ ଆଇଡିଆ ନଥିଲେ କି ବ୍ୟବସାୟ ଠିକ୍ ସେ ଚାଲିବ...! ଲୋନ୍ ଶୁଝିପାରିଲି ନାହିଁ ଶେଷରେ ଘର ମଧ୍ୟ ନିଲାମ ହୋଇଗଲା । ତା'ପରେ କିଛି ସମୟ ନିରବ ରହି ପୁଣି କହିଲେ,

"ଏ ଅପଦାର୍ଥକୁ ତୁମେ କ'ଣ ବିବାହ କରିଥାଆନ୍ତ...?"

ମୁଁ କ'ଣ କହିବି କିଛି ବୁଝିପାରିଲିନି ।

ସେ ପୁଣି ହସିଲେ ଆଉ କହିଲେ"ମୁଁ ଜାଣିଥିଲି ତୁମେ ନିରବ ରହିବ। ହଁ କିନ୍ତୁ ତୁମକୁ ଭୁଲି ପାରିଲିନି, ଭାବିଲି ଅତନ୍ତ ମରିବା ପୂର୍ବରୁ ମୋ "ଅସ୍କୁ ଥରେ ଦେଖିବି, ସେଥିପାଇଁ ଚିଠିଟିଏ ତୁମ ପାଖକୁ ଲେଖିଥିଲି" । ଆଜି ମୁଁ ବହୁତ ଖୁସି "ଅସ୍".......... ମୋ ଧାରଣା ଥିଲା, ତୁମେ ମୋତେ କେବେ ବି ଭଲ ପାଇନଥିଲ, ସେଥିପାଇଁ ସେ ଚିଠିରେ ରୋକ୍ ଠୋକ୍ ଶୁଣେଇ ଦେଲ ବୋଲି ।

ମୁଁ ଭାବିଥିଲି ଆଉ ଜୀବନରେ କେବେ ବି ତୁମସହ ଦେଖା ହେବନି , ଆଜି ତୁମେ ମୋ ପାଇଁ ଯେ ଖାଲି

ଭୁବନେଶ୍ୱର ଆସିଲ ଆଉ ମୋ ସହ ଦେଖା କଲ, ସତ କହୁଛି ମୋର ସବୁ ଯନ୍ତ୍ରଣା ଦୂର ହୋଇଗଲା ।


ମୁଁ ନିରବ ହୋଇ ତାଙ୍କର ସବୁକଥା ଶୁଣୁଥିଲି ଶେଷରେ ମୁଁ ତାଙ୍କଠୁ ବିଦାୟ ନେବାକୁ ଚାହିଁଲି ସେ ହସିଦେଲେ ଆଉ କହିଲେ "ହଁ ଏବେ ତୁମେ ଯାଇପାର କିନ୍ତୁ ଯିବା ପୂର୍ବରୁ ଯଦି କିଛି ମାଗିବି ତମେ ଦବ....?" ମୁଁ ଡରିଗଲି , କଣ ମାଗିବେ ସେଇ ଆଶଙ୍କାରେ.. ମୋ ମୁହଁର ରଙ୍ଗ ବଦଳିଗଲା, ସେ ଜାଣିପାରିଲେ ବୋଧହୁଏ,କହିଲେ" ଓ ହୋ....ଏତେ ଡରକୁଳି, ଡରନି ...ମ....ମୁଁ ସେମିତି କିଛି ମାଗିବିନି ଯାହାପାଇଁ ତୁମର ମର୍ଯାଦା ତଳେ ପଡ଼ିଯିବ ।

ମୁଁ ଜାଣିଛି ତମେ ଅନ୍ୟର ସ୍ତ୍ରୀ । ସେଥିପାଇଁ ଗୋଟିଏ ମୁହୂର୍ତ୍ତ ପାଇଁ ତୁମ ହାତ ମାଗୁଛି।ସେ ତାଙ୍କ ହାତବଢ଼ାଇ ଦେଇ ମୋ ହାତ ପାପୁଲିକୁ ଯୋର୍ କରି ଚିପିଧରି କହିଲେ, ଏତିକି ଅନୁଭବର ସ୍ପର୍ଶକୁ ମୁଁ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଟାଣିନେବି ।


ମୁଁ ଅନୁଭବ କଲି ମୋ ହାତ ଧରିଥିବା ବେଳେ ସେ ଥରୁ ଥିଲେ ତାଙ୍କ ଆଖିରୁ ଧାର ଧାର ହୋଇ ଅଶ୍ରୁ ବୋହି ଯାଉଥିଲା। ଶେଷରେ କହିଲେ....."ଏତିକି ପାଇଁ ମତେ ସାରା ଜୀବନ ଅପେକ୍ଷା କରେଇ ଦେଲ ତୁମେ । ଏବେ ତୁମେ ଯାଇପାର"......।


ମୋ ମନରୁ ବଡ଼ ବୋଝଟେ ହାଲ୍କା ହୋଇଗଲା ଯେମିତି ମୁଁ ଘରକୁ ଫେରି ମୋ ସ୍ୱାମୀଙ୍କୁ ଫୋନ୍ କଲି "ମୋତେ ଶୀଘ୍ର ନେଇଯାଅ, ମୁଁ ତୁମକୁ ଛାଡ଼ି ଆଉ ଏଠି ରହିପାରିବିନି"......। ଫୋନରୁ ମୋ ସ୍ୱାମୀଙ୍କର ମୁକ୍ତ ହସ ଶୁଭୁଥିଲା....।



Rate this content
Originality
Flow
Language
Cover Design