Lunar Das

Romance Inspirational

4.5  

Lunar Das

Romance Inspirational

ଅର୍ଦ୍ଧାଙ୍ଗିନୀ

ଅର୍ଦ୍ଧାଙ୍ଗିନୀ

3 mins
23.2K



ସବୁଦିନ ପୋଷ୍ଟ ପିଅନର ଅପେକ୍ଷାରେ ବସିଥାନ୍ତି 'ତାପସୀ' । ଏମିତି ସବୁଦିନ ତାଙ୍କୁ ନିରାଶ ହେବାକୁ ପଡ଼େ । ଅଜଣା ଭୟରେ ଗୋଳେଇ ଘାଣ୍ଟି ହୁଏ ମନ ଟା....। 'ପ୍ରଦୀପ'ଙ୍କ ଫୋଟ ଟିକୁ ଛାତିରେ ଚାପିଧରି କୋହ ଭରା ସ୍ବରରେ କହନ୍ତି "କେବେ ତୁମ ନିଦ ଭାଂଗିବ ମୋ ପାଇଁ,କିଛି ବି ଖବର ନାହିଁ ତୁମର,ଏ ଜୀବନ୍ତ ଶରୀର ଆତ୍ମା ବିହୀନ ଲାଗୁଛି ତୁମ ବିନା.....।"


୧୯୯୯ ମସିହାରେ ଯେଉଁ ଭାରତ ଓ ପାକିସ୍ତାନ ମଧ୍ୟରେ "କାର୍ଗିଲ" ଯୁଦ୍ଧ ହୋଇଥିଲା, ସେ ଯୁଦ୍ଧରେ 'ପ୍ରଦୀପ' ମଧ୍ୟ ସାମିଲ୍ ହେଇଥିଲେ । ଯୁଦ୍ଧ ସରିବାର ସାତ ବର୍ଷ ବିତିଗଲାଣି କିନ୍ତୁ ପ୍ରଦୀପ'ଙ୍କର କିଛି ବି ଖବର ଆସିନାହିଁ। ସେତେବେଳେ ସେ ଯୁଦ୍ଧର ବିଭୀଷିକାକୁ ଦୂରଦର୍ଶନ ମାଧ୍ୟମରେ 'ତାପସୀ' ଅହରହ ଦେଖୁଥିଲେ। ସେ କରୁଣ ବିଦାରକ ଦୃଶ୍ୟ ତାଙ୍କ ନିଦ ଭୋକ ହଜାଇ ଦେଇ ଥିଲା । ସେ ଠାକୁରଙ୍କ ପାଖେ ଦିନ ରାତି ପାର୍ଥନା କରୁଥିଲେ' ମୋ ସିନ୍ଦୂରକୁ ରକ୍ଷାକର ଭଗବାନ ମୁଁ ଆଉ କିଛି ବି ଜୀବନରେ ମାଗିବିନି'.....।


ଦୀର୍ଘ ସାତବର୍ଷ ପରେ, ଦିନେ ସେ ଚିଠିଟିଏ ପାଇଲେ 'ପ୍ରଦୀପ'ଙ୍କ ଠାରୁ ମାତ୍ର ଦୁଇ ପଦ ସେ ଚିଠିରେ ଲେଖାଥିଲା "ତାପସୀ ମୁଁ ଗାଁକୁ ଫେରୁଛି"..... ସେଇ ଦୁଇ ପଦ ଲେଖାରେ 'ତାପସୀ' ଙ୍କ

ପ୍ରାଣ ଯେମିତି ପୁନର୍ବାର ସଂଚାରିତ ହୋଇ ଉଠିଥିଲା ସେ ଖୁସିରେ ଅଧିର ହୋଇ ଉଠିଲେ। ଯେଉଁ ଚେହେରାକୁ ଦର୍ପଣ ଆଗରେ ଦେଖିବାକୁ ଭୁଲି ଯାଇଥିଲେ ପୁଣି ନିଜକୁ ଦର୍ପଣ ଆଗରେ ସଜାଇବାକୁ ଲାଗିଲେ.....।


ଆଜି 'ପ୍ରଦୀପ'ଙ୍କ ଫେରିବା ଦିନ । ମନ ଭାବନାର ସୁଅ ଭିତରେ କେତେଯେ ରୋମାଂଚିତ ସ୍ମୃତି ତାଙ୍କୁ ଛୁଇଁ ଛୁଇଁ ଚାଲିଯାଉ ଥିଲା ତା'ର ସୀମା ନାହିଁ ତେବେ ବି, ନାରୀ ସିଏ ନିଜର ସଂଯମତାକୁ, ନିଜ ଭିତରେ ଆୟତ୍ତ କରି ରଖିବା ହିଁ ସେ ଶିଖିଥିଲେ ।


ଘର ସାରା ଉତ୍ସବ ମୁଖର,ଫୁଲର ବାସ୍ନାରେ ମହକି ଉଠୁଛି ପ୍ରେମର ଜାମିନୀ । ତାପସୀ 'ଖୋଜୁଛନ୍ତି ନିଶବ୍ଦ ପ୍ରହରଟିଏ ନିଜ ପ୍ରିୟ ବିଷୟରେ କିଛି ଭାବିବାକୁ....। ଘଣ୍ଟା କଣ୍ଟା କ୍ରମଶଃ ବୁଲି ଚାଲିଛି ସେମିତି କିନ୍ତୁ ତାପସୀ'ଙ୍କ ଆଖି ପ୍ରତି ମୁହୂର୍ତ୍ତରେ ଘଣ୍ଟାକୁ ଦେଖି ଚାଲିଛି। 'ତାପସୀ'ଙ୍କ ମନରେ ଅନେକ ସ୍ୱପ୍ନ, 'ପ୍ରଦୀପ'ଙ୍କ ବାହୁ ବନ୍ଧନରେ ଆବଦ୍ଧ ହୋଇ ସେ ବିରହରେ ବିତାଇ ଥିବା ପ୍ରତ୍ୟକଟି ମୁହୂର୍ତ୍ତର ଭାବନାକୁ ତାଙ୍କ ଆଗରେ ବାଣ୍ଟି ଚାଲିବେ.......!!


ହଠାତ୍ ଜୟଧ୍ଵନିରେ ଗଗନ ପବନ ମୁଖରିତ ହୋଇ ଉଠିଲା"ପ୍ରଦୀପ ସାହୁ "ଅମର ରହେ...."

ହୃଦୟ ଭିତରେ ଅନେକ ଅକୁହା ପୁଲକ, ଗର୍ବରେ ଛାତି ଫୁଲି ଉଠୁଥିଲା ତାଙ୍କର ସେ ଜଣେ ବୀର ଯୋଦ୍ଧାର ସ୍ତ୍ରୀ । ଖୁସିରେ ତା'ଙ୍କ ଆଖିରୁ ଆନନ୍ଦାଶ୍ରୁ ଝରିପଡୁଥିଲା। ବାହାଘରର ମାତ୍ର ଗୋଟିଏ ସପ୍ତାହ ପରେ 'ପ୍ରଦୀପ' ଫେରି ଯାଇଥିଲେ ନିଜ କର୍ତ୍ତବ୍ୟ ଭୂମିକୁ । ଗଲାବେଳେ ସ୍ମୃତି ସ୍ୱରୂପ ନେଇ ଯାଇଥିଲେ 'ତାପସୀ'ଙ୍କର ସଦ୍ୟ ବିବାହିତ ଫୋଟୋଟିକୁ ସେତିକି ହିଁ ତାଙ୍କ ବଞ୍ଚିବାର ପ୍ରଥମ ହାରା

ଥିଲା ।

ପ୍ରକୃତରେ ମଣିଷର ଆତ୍ମତୃପ୍ତିର ଅବସାଦ କଟିଯାଏ , ଯେତେବେଳେ ସେ ଜାଣିଥାଏ ତା'ରାସ୍ତାକୁ କିଏ ଅନେଇ ବସିଛି....!! 'ପ୍ରଦୀପ' ତାଙ୍କ ଉପରେ ଘୋଡ଼ାଇ ରଖିଥିଲେ ଭାରତମାତାର ଚିତ୍ର ଥିବା ଏକ ଚଦରଟିଏ । ଆଖିର ଚାହାଣୀରୁ ବୀରତ୍ବର ଭାବ ଫୁଟି ଉଠୁଥିଲା । ସ୍ୱାଗତ ଓ ଅଭ୍ୟର୍ଥନା ଶେଷ ହେବାପରେ ସମସ୍ତେ ଫେରି ଯାଇଥିଲେ ନିଜ ନିଜ ଘରକୁ ।'ପ୍ରଦୀପ' ମଧ୍ୟ ଫେରି ଆସିଥିଲେ 'ତାପସୀ'ଙ୍କ ନିକଟକୁ ।


ଶୟନ କକ୍ଷର ଝାପସା ଆଲୋକରେ, ସେ 'ତାପସୀ'ଙ୍କ ନିରବ ହୋଇ ଯାଇଥିବା ନୟନର ଭାବଭଙ୍ଗୀକୁ ନିରୀକ୍ଷଣ କରୁଥିଲେ କିନ୍ତୁ କିଛି କହୁ ନ ଥିଲେ । କିଛି ମୁହୂର୍ତ୍ତ ନିରବରେ କଟି ଯାଇଥିଲା, ଦୁହେଁ ଦୁହିଁଙ୍କୁ କେବଳ ଦେଖି ସ୍ମିତ ହାସ୍ୟଟିଏ ଦେଉଥିଲେ....।


'ତାପସୀ'ଙ୍କର ଧାରଣା ଥିଲା ଏତେ ଦିନ ପରେ 'ପ୍ରଦୀପ' ତାଙ୍କୁ ଦେଖୁଥିବାରୁ ଗଦ ଗଦ ହୋଇ ଅନେକ କିଛି କହିବେ, ତାଙ୍କୁ ବାହୁ ବନ୍ଧନରେ ବାନ୍ଧି ପକାଇବେ କିନ୍ତୁ 'ପ୍ରଦୀପ' ସେମିତି କିଛି କଲେ ନାହିଁ, ନିରବ ହୋଇ ବସି ପଡ଼ିଲେ।


'ତାପସୀ' ଧୀରେ ଧୀରେ ବିଚଳିତ ବୋଧ କରୁଥିଲେ..... ରାତ୍ରୀରେ ମୁଗ୍ଧ ଜାମିନୀର ତନ୍ଦ୍ରା କ୍ରମେ ବଢ଼ି ବଢ଼ି ଯାଉଥିଲା, ସେ ଅସହିଷ୍ଣୁ ହୋଇଉଠି ଆସିଲେ । 'ପ୍ରଦୀପ'ଙ୍କ ଶରୀରରୁ ହଟାଇ ଦେଲେ ଚଦରର ଆସ୍ତରଣ..... ଏ କ'ଣ ଦେଖୁଛନ୍ତି ସେ, ତା'ଙ୍କ ସ୍ୱାମୀଙ୍କର ହାତ ବିହୀନ ଶରୀର । ଛଳ ଛଳ ଆଖିରେ ସେ 'ତାପସୀ'ଙ୍କୁ ଅନାଇଲେ, ତା'ଙ୍କ ପାଟିରୁ ଗୋଟିଏ ମାତ୍ର ଶବ୍ଦ ବାହାରିଲା "ଏଇଥି ପାଇଁ ଏତେ ବର୍ଷ ତୁମକୁ ଚିଠିଟିଏ ଦେଇ ପାରି ନଥିଲି 'ତପୁ'..."


'ତାପସୀ' ନିଜ କୋହକୁ ଚାପି ହୃଦୟରେ 'ପ୍ରଦୀପ'ଙ୍କୁ ଆବୋରୀ ନେଇଥିଲେ । ଥର ଥର କଣ୍ଠରେ ତା'ଙ୍କ ମୁହଁରୁ ଦୁଇ ପଦ କଥା ଶୁଭିଲା, "ଅର୍ଦ୍ଧାଙ୍ଗିନୀ ମୁଁ ତୁମର,ମୋର ଏ ଦୁଇ ବାହୁ ବି ତୁମର, ତୁମେ ଫେରି ଆସିଛ ନା...!!! ମୋ ସିନ୍ଦୂରର ରଙ୍ଗ ଆହୁରି ଗାଢ଼ ହୋଇ ଯାଇଛି........"।

'ପ୍ରଦୀପ' ନିରବ ହୋଇ କେବଳ ତା'ଙ୍କ କଥା ଶୁଣୁ ଥିଲେ, ତା'ଙ୍କ ଆଖିରୁ , ଧାର ଧାର ହୋଇ ବୋହିଯାଉଥିଲା ଖୁସିର ମୁକ୍ତା ସବୁ...।



Rate this content
Log in

Similar oriya story from Romance