ସାହାଡ଼ା ସୁନ୍ଦରୀ
ସାହାଡ଼ା ସୁନ୍ଦରୀ
ଏ କାହାଣୀ ମୋ ଜୀବନ ର ଏକ ଅଲିଭା ଗପ। ଜେଜେମା ଙ୍କରସ୍ମୃତି ରୁ ଗୋଟିଏ। ଆମ ବାଡ଼ି ଆଡ଼େ ଗୋଟିଏ ସାହାଡ଼ା ଗଛ ଥିଲା। ଆମେ ମାନେ ରାତିରେ ନ ଶୋଇଲେ ଜେଜେମା କହନ୍ତି , ଶୀଘ୍ର ଶୋଇ ପଡ଼ ନହେଲେ ସାହାଡ଼ା ସୁନ୍ଦରୀ ଆସିକି ନେଇଯିବ।
ସେ ସାହାଡ଼ା ଗଛରେ ବନ୍ଦୀ କରି ଦେବ। ଆମ ସବୁ ଛୁଆଙ୍କର ଆଗ୍ରହ ଥିଲା ସେ ସାହାଡ଼ା ସୁନ୍ଦରୀ କିଏ? ସେ ପୁଣି କେମିତି ଦେଖା ଯାଆନ୍ତି । ଜେଜେମା କହୁଥିଲେ ସେ ଦେଖିବାକୁ ଖୁବ ସୁନ୍ଦର ଆଉ ଅଣ୍ଟାରେ ନୂପୁର ମାଳ ପିନ୍ଧିକି ଛମ୍ ଛମ୍ କରି ଚାଲେ। ଯିଏ ତା' ଆଗରେ ପଡ଼ିଯାଏ ସେ ସେଇ ସାହାଡ଼ା ଗଛରେ ପୁରାଇ
ବନ୍ଦୀ କରିକି ରଖିଦିଏ। ଏମିତି କେତେ ଛୁଆଙ୍କୁ ବନ୍ଦୀ କରିକି ରଖିଛି। ଜେଜେମା ଗପ କହନ୍ତି ଆଉ ସମସ୍ତେ ଆଁ କରିକି ଶୁଣନ୍ତି। ଆମ ଛୁଆ ମାନଙ୍କ ଭିତରେ ଜଣେ ବଡ଼ ଭାଇ ଥିଲେ ସେ ଦର୍ପର ସହ କହନ୍ତି ,"ମୁଁ ଏବେ ସିନା ଛୋଟ ଅଛି ବଡ଼ ହେଲେ ସେଇ ସାହାଡ଼ା ସୁନ୍ଦରୀ କୁ ନିଶ୍ଚିତ ବାହା ହେବି। ଜେଜେମା ବି ତା' କଥାରେ ସମ୍ମତି ପ୍ରକାଶ କରନ୍ତି। ମୁଁ ଚୁପ ହୋଇ ଜେଜେମା ଙ୍କ
କୋଳରେ ସିନା ବସି ଥାଏ କିନ୍ତୁ ମୋ ସୈତାନ ଦିମାକ୍ କିନ୍ତୁ କେବେ ଚୁପ ହୋଇ ବସି ପାରେ ନାହିଁ। ସବୁବେଳେ ମୋର ନଜର ସେଇ ସାହାଡ଼ା ଗଛ ଉପରେ ଥାଏ। ମନେ ମନେ ଭାବେ କାସ୍ ଜାଣି ପାରନ୍ତି ସେ ସାହାଡ଼ା ସୁନ୍ଦରୀ ର ବାହାରିବା ର ସମୟ ଟା।
ଏମିତି ବି ସାହାଡ଼ା ସୁନ୍ଦରୀ ଙ୍କୁ ଦେଖିବାକୁ ସମସ୍ତ ଙ୍କର ଇଚ୍ଛା ଥିଲା କିନ୍ତୁ ସମସ୍ତେ ଭୟ ରେ ଚୁପ ରହୁଥିଲେ।
ଆମ ଘରେ ଜେଜେମା ଙ୍କ ପାଖରେ ଜଣେ ବୟସ୍କ ସ୍ତ୍ରୀ ଲୋକ କାମ କରୁଥିଲେ ସେ ମଧ୍ୟ ଜେଜେମା ଙ୍କ କଥାରେ ପାଳି ଧରି କହନ୍ତି ,ହଁ ପରା ସେ କେତେଜଣ ଙ୍କୁ ନେଇ ଗଲାଣି। ଛୁଆ ମନ ସେଥିପାଇଁ ସମସ୍ତେ ମିଛ ଗପ କୁ ସତ ଭାବନ୍ତି। ମୁଁ ବି ମନେ ମନେ ସେ ରୂପର କେତେ କଳ୍ପନା କରୁଥିଲି। ସେ ବୟସ୍କ ସ୍ତ୍ରୀ ଲୋକକୁ ସମସ୍ତେ " କୋଇଲିମା" ବୋଲି ଡାକୁଥିଲେ।ଦିନେ ସେ କୋଇଲି ମା 'ଙ୍କ ପାଖରେ ଜିଦ୍ଦି କଲି ମୁଁ ଆଜି ଯେମିତି ହେଲେ ବି ସାହାଡ଼ା ସୁନ୍ଦରୀ ଙ୍କୁ ଦେଖିବି। ମୋତେ ନେଇକି ଚାଲ। ସେ କିନ୍ତୁ ଜମା ଯିବାକୁ ରାଜି ହେଲେ ନାହିଁ। ମୁଁ କାନ୍ଦ ଆରମ୍ଭ କଲି ସେ କହିଲେ ହଉ ରାତି ହେଉ ତୋତେ
ନେଇକି ଯିବି। ରାତି ହେଲା ମୁଁ କିନ୍ତୁ ଘଡ଼ି କୁ ଦେଖୁଥାଏ। ରାତି ନଅ ଟା ରେ ସବୁଛୁଆ ଶୋଇ ପଡ଼ିଲେ କିନ୍ତୁ ମୋତେ ନିଦ ନଥିଲା। ମୁଁ କୋଇଲିମା ଙ୍କୁ ଶୋଇବାକୁ ଦେଲି ନାହିଁ।ସେ ହଉ ଚାଲ୍ କହି ମୋ ହାତ କୁ ଧରି ଧରି ନେଲେ। ବାଡ଼ି ପଟେ ଖୁବ ଅନ୍ଧାର ଥିଲା । ବାଡ଼ି ରେ ପାଞ୍ଚ ଛଅ ଟା ତାଳ ଗଛ ବିଥିଲା। ସେ ସେହି ତାଳ ଗଛ ପାଖରେ ମୋ ହାତ କୁ ଧରି ଛିଡ଼ା ହେଲେ।
ସେ ନିଜେ ବହୁତ ଡରୁଆ ଥିଲେ ଆଉ ତାଙ୍କର ପୂର୍ବ ରୁ ଗୋଟିଏ ଗୁଣ ଥିଲା ସେ ଡରି ଗଲେ ଯେତେ ପ୍ରକାର ସଂସାର ରେ ଗାଳିଅଛି ସବୁ ଆରମ୍ଭ କରି ଦିଅନ୍ତି।
ମୋ ଜିଦ୍ଦି ଯୋଗୁଁ ମୋତେ ନେଇକି ଆସିଲେ ସିନା ମନରେ ଖୁବ ଭୟ ଥିଲା ତାଙ୍କର। ମୁଁ ଏକାଲୟରେ ସାହାଡ଼ା ଗଛ କୁ ଅନାଇ ଥାଏ। ସେହି ସମୟ ରେ ଆମ ପଛ ଆଡ଼େ କ'ଣ ଗୋଟିଏ
ଭୁସ୍ ହୋଇ ପଡ଼ିଲା। କୋଇଲିମା ମୋତେ କାଖ କରି ଝାଡ଼ା ବାନ୍ତିଆ ଭାଇଲା ଲୋ ....କହି ଡିଆଁ କୁଦା ମାରି ଅଣ ନିଶ୍ୱାସୀ ହୋଇ ଘରେ ପହଁଚି ଗଲେ ଆଉ ତାଙ୍କ ଦେହ ଗୋଟା ପଣେ ଥରୁଥିଲା।
ସେ ଯେତେ ଥରୁ ଥିଲେ ମଧ୍ୟ ପାଟିରୁ ଗାଳି ସରୁନଥିଲା।ଜେଜେମା ଶୋଇବା ଘରୁ ଉଠି ଆସି କ'ଣ ହେଲା ବୋଲି ପଚାରିଲେ କିନ୍ତୁ କୋଇଲିମା ଙ୍କର ଗାଳି ସରିଲେ ତ ଅସଲ କଥା ଟା କହିବେ। କିଛି ସମୟ ପରେ ସେ ଶାନ୍ତ ହେଲେ ଆଉ ଜେଜେମା ଙ୍କୁ ସବୁ କଥା କହିଲେ । ତାଳ ଗଛରୁ କିଏ ଗୋଟେ ତାଙ୍କ ଉପରେ ଚିଲା ମାରିଲା ବୋଲି କହିଲେ। ମୋର ବଡ଼
କୌତୁହଳ ହେଲା କିଏ ଚିଲା ମାରିଲା କୋଇଲିମା ଙ୍କର ଉପରେ।ସେ ଦିନ ରାତିରେ ମୋତେ ଆଉ ନିଦ ହେଲାନାହିଁ। ସକାଳୁ ଉଠି କି ଯାଇକି ଦେଖିଲି ସେଇ ସ୍ଥାନକୁ ଯେଉଁଠି କୋଇଲିମା ମୋତେ ଧରି ଛିଡ଼ା ହୋଇଥିଲେ ରାତିରେ। ସେଇଠି ଦୁଇଟା ପାଚିଲା ତାଳ ଖସିଥିଲା। ମୁଁ ସାହାଡ଼ା ସୁନ୍ଦରୀ ଙ୍କୁ ଆଉ ଦେଖି ପାରିଲି ନାହିଁ। ଗାଁ ଛାଡ଼ି ଭୁବନେଶ୍ୱର କୁ ପାପାଙ୍କ ସହ ଚାଲି ଆସିଲି ସତ କିନ୍ତୁ ମନ ଭିତରେ ସାହାଡ଼ା ସୁନ୍ଦରୀ ଙ୍କ କଳ୍ପିତ ଚେହେରା ଟା ଆଜିବି ମୋ ଆଖି ଆଗରେ
ସବୁବେଳେ ଝଲସୁ ଥାଏ।
