ସମୟ ଖେଳୁଛି ଚକାଭଉଁରୀ
ସମୟ ଖେଳୁଛି ଚକାଭଉଁରୀ
ପତି ରାଜ ଓ ପତ୍ନୀ ରୀତା ସମୁଦ୍ର କୂଳରେ ବସିଥାଆନ୍ତି.ପୁଅ ବୋହୁ ଓ ନାତିକୁ ନେଇ ବିଦେଶରେ. ଝିଅ ଜୋଇଁ ନାତୁଣୀକୁ ନେଇ ତାଙ୍କ ସଂସାରରେ. ତଥାପି ପତି ପତ୍ନୀ ଦୁହେଁ ସାଥି ହୋଇ ଚାଲୁଛନ୍ତି ବାଟ. ପରସ୍ପର ପରସ୍ପରର ଭୋକ. ଜଣଙ୍କୁ ଛାଡ଼ି ଅନ୍ୟ ଜଣେ ବଞ୍ଚିବା ମୁସ୍କିଲ. ସେଇଥିପାଇଁ ସବୁଦିନ ଏକାଠି ଆଖିର ଭୋକ ଜଗନ୍ନାଥ ଦର୍ଶନ ସାରି ପେଟର ଭୋକକୁ ଅବଢ଼ା ଅନ୍ନରେ ପୁରଣ କରି ମନର ଭୋକକୁ ସମୁଦ୍ରକକୂଳରେ ଭରିବାକୁ ଯାଇ ସବୁଦିନ ଆସନ୍ତି ସମୁଦ୍ରକୂଳ. ରୋମନ୍ଥନ କରନ୍ତି ଅତୀତ ଆଉ ସ୍ୱାମୀ ରାଜ ପଚାରନ୍ତି ତୁମେ ନୂଆ ନୂଆ ମତେ ଛାଡ଼ି ବାପା ମାଆଙ୍କ ପାଖକୁ ବା କୁଆଡେ ଗଲେ ଲେଖିଥାଅ ପତ୍ର. ସେତେବେଳେ ସେ ପତ୍ରରେ ଥିବା ମିଠାସକୁ ବୁଝିବା ପରିବର୍ତ୍ତେ ସନ୍ଦେହ ଦେଖାଯାଏ ଆଖିକୁ ତ ପୁରୁଷ ମନ ବିଚଳିତ ହୁଏ. ରାଗ ଆସେ. କିନ୍ତୁ ଆଜି ବୁଝୁଛି ସେ ଲେଖା ଭିତରେ ଭଲ ପାଇବାର କେତେ ସ୍ୱାକ୍ଷର ଓ ସନ୍ଦେହ ଭୋକ ଭିତରେ କେତେ ଅନୁରକ୍ତି. ତୁମେ ଲେଖିଥାଅ ଏମିତି ଯେ ଯାହା ଲେଖିଚି ଟିକିଏ ଧ୍ୟାନ ଦେଇ ପଢିବ , ମୋ କଥା ତ ତମର ଏ କାନରେ ପଶି ସେ କାନ ଦେଇ ବାହାରି ଯାଏ।ମେଡ୍ ସରଭ୍ୟାଣ୍ଟକୁ ତା ମାସିକ ଦରମା ଦେଇ ଦେଇଚି। ବେଶି ଦାନବୀର ହବାର ଦରକାର ନାହିଁ.ଆଗରୁ ବି କେତେଥର କହିଚି କି ଆମର ଆଉ ପଡୋଶୀଙ୍କ ସମାଜବାଲା , କ୍ଷୀରବାଲା ଆଉ ସଫେଇଵାଲା ଅଲଗା। ସକାଳୁ ସକାଳୁ ତାଙ୍କ ଘରକୁ ଯାଇ ପଚାରିବା ଦରକାର ନାହିଁ , 'ପେପର ଆସିଲାଣି କି ନାହିଁ !!' ସେ ସ୍ତ୍ରୀ ଲୋକ ଟା ଭଲ ନୁହେଁ ମୋଟେ.ଆଲମୀରାର ବାମ ପଟରେ ତମର ଚଡ୍ଡି,ବନିୟାନ୍ ଆଉ ଦକ୍ଷିଣ ପଟରେ ପୁଅ ଝିଅଙ୍କର ଡ୍ରେସ ଅଛି। ଗଲା ଥର ଉଲଟା ପୁଲଟା ପିନ୍ଧି କି ସାରା ଦିନ ଗଞ୍ଜି,ଚଡ୍ଡି ଟଣା ଟଣି କରୁଥିଲ ଅଫିସରେ.ଚଷମା ଠିକ ଜାଗାରେ ରଖିବ. ଗଲାଥର ମୁଁ ପାଞ୍ଚଟା ଦିନ ପାଇଁ କଣ ଆସିଥିଲି ଯେ ଚଷମା ଫ୍ରିଜ୍ ଭିତରୁ ମିଳିଥିଲା.ଆଉ ଗୋଟେ ଚଷମାର ଅର୍ଡର ବି ଦେଇ ସାରିଥିଲ!ମୋବାଇଲ ଫୋନ୍ ସମ୍ଭାଳି କି ରଖିବ. ଗତଥର ଗାଧୁଆଘର ଭିତରେ ସାବୁନ୍ କେସରୁ ମିଳିଥିଲା.ମୁଁ ଏପର୍ଯ୍ୟନ୍ତ ଜାଣିପାରିଲିନି, ଯେ ମୋବାଇଲ ଫୋନ୍ ବାଥରୁମ ଭିତରେ କଣ କରୁଥିଲା!ଆଉ ହଁ, ମୁଁ ନାହିଁ ବୋଲି ଯେତେ ହଜିଲା ଦିନର ଫାଜିଲ୍ ସାଙ୍ଗମାନଙ୍କୁ ଡାକିକି ଘରେ ଆଡ୍ଡା ଜମେଇବନି.ଗତଥର ସୋଫାର କଭର ଭିତରୁ ବାଦାମ ଚୋପା ସହ କଫି ଦାଗ ସଫା କରୁ କରୁ ମୁଁ ପରା ଦରମରା ହେଇଯାଇଥିଲି.ଆଉ ଗୋଟେ କଥା। ମୁଁ ନାହିଁ ବୋଲି ଖୁସିରେ ଡିଆଁ ଡେଇଁ କରି ଘର ଫଟେଇବା ଦରକାର ନାହିଁ.ମନେରଖ, ଘର ମୋର; ଯେ କୌଣସି ସମୟରେ ବି ମୁଁ ଆସି ଯାଇପାରେ।.!!ସେ ଚିଠି ପଢି ସେତେବେଳେ କି ରାଗର ଭୋକ. ସେହି ଭୋକକୁ ଚିଠିର ଉତ୍ତର ଚିଠିରେ ଦେଇ ଲେଖୁଥିଲେ ରାଜ ପ୍ରତ୍ତ୍ୟୁତର.ଚିଠି ପଢି ସେଦିନ ରାଜ ଖୁବ ରାଗିଯାଇଥିଲେ ଓ କହିଥିଲେ ଏସବୁ ମୁଣ୍ଡକୁ ଆସୁଛି କେମିତି? ଏଣିକି ବାପଘର ଖୁବ କମ ଯାଉଥିବା ପତ୍ନୀ ରୀତାଙ୍କୁ ମଧ୍ୟ ରାଜ କହିବାକୁ ଭୁଲନ୍ତି ନାହିଁ ଯେ ମୁଁ କୋଢ଼ିଆ ନୁହେଁ ଯେ ଚାକରାଣୀକୁ ଅଧିକା ପଇସା ଦେଵି ବା ମୋଠୁ ଅଧିକ ସୁନ୍ଦର ସେ ପଡୋଶୀ ଭାଇ ନୁହଁନ୍ତି ଯେ ତାଙ୍କ ସ୍ତ୍ରୀଙ୍କୁ ବାହାନା କରି ଯାଇ ପେପର ଆସିଲାଣି କି ନାହିଁ ପଚାରିବି. ଯେତେ ସବୁ ଫାଲତୁ କଥା ତୁମ ମନକୁ ଆସେ କେମିତି!କେଜାଣି? ଆଉ ଯେଉଁ ଚଷମା କଥା ଫ୍ରୀଜ଼ରୁ ମିଳିଥିଲା ସେଇଟା ମୋର ନୁହେଁ ତୁମର ବୋଲି ଭୁଲିଯାଉଛ ଯେ ନିଶ୍ଚୟ ତୁମ ବୟସ ଦୋଷ. ସେମିତି ଗାଧୁଆ ଘରେ ମୋବାଇଲଟା ମୋର ନୁହେଁ ବରଂ ତୁମର. ମୁଁ ପଚାରୁଛି ତୁମ ପୁରୁଣା ମୋବାଇଲ ରହିବା ଜାଗା କଣ ଗାଧୁଆ ଘର? ଆଉ ମୋ ସାଙ୍ଗମାନେ ଆଲତୁ ଫାଲତୁ ଲୋକ ନୁହଁନ୍ତି ବରଂ ତୁମ ସାଙ୍ଗମାନେ ଆସି ତୁମଠୁ ଚପଲ,ଶାଢ଼ୀ, ଏମିତିକି ମାଗିନେଇଥିବା ଧାର ଟଙ୍କା ମଧ୍ୟ ଫେରାନ୍ତି ନାହିଁ? ଆଉ ଏବେ ବାପଘର ନଯାଇ ତୁମ ଘର ବୋଲି ଯୋଉଟା ଜଗି ରହିଛ ସେଇଟା ମୋ ପିତୃଦତ୍ତ ଘର ବୋଲି ଭୁଲିଯାଅନି.ଆଜି ସେକଥା ମନେପଡିଲେ ଲାଗୁଛି ବୁଝିନଥିବା ସେ ଅଳ୍ପ ଅଳ୍ପ ଦିନର ଦାମ୍ପତ୍ୟ ଭିତରେ କେତେ ସ୍ନେହ, ଶ୍ରଦ୍ଧା, ଆନ୍ତରିକତା ଓ ଭଲପାଅଇବାର ଭୋକ ଥାଏ ସତରେ!
ଚୁପ ହୋଇ ସ୍ୱାମୀଙ୍କ ମୁଁହଙ୍କୁ ଚାହିଁ ଚୁପି ଚୁପି ହସୁଥିଲେ ରୀତା. ରାଜ କହିଲେ ସେଦିନର ସେ ଦାମ୍ପତ୍ୟ କଳି ଆଉ ନାହିଁ. ଜୁଆରରେ ଭଟ୍ଟା ପଡିଛି ଜୀବନ ସମୁଦ୍ରରେ କିନ୍ତୁ ମନରେ ଅନେକ ଭୋକ ରୀତା, ଥରେ ସେଇ ଅଭିମାନ ଭରା ଅନୁରାଗର ଭୋକକୁ ସନ୍ଦେହରେ ବାଢିଦିଅନା ତୁମ ଗୋଲାପୀ ଓଠରେ ବା ଫର୍ଦ୍ଦେ ଧଳା କାଗଜରେ. ରୀତା ଚାହିଁଲେ ସ୍ୱାମୀଙ୍କୁ. ମନରେ କେତେ କଣ ସ୍ବପ୍ନ ଓ ଭାବନା ଆସୁଥିଲେ ବି ରୀତା ବୁଝିଯାଇଥିଲେ ଜୀବନର ଏଇ ଅନ୍ତିମ ବେଳା କେବଳ ଐଶ୍ବର୍ଗୀକ ଭାବନା ଓ ସ୍ବର୍ଗୀୟ ଚିନ୍ତନ ପାଇଁ ଉଦ୍ଦିଷ୍ଟ.ପ୍ରତ୍ୟକ କଥା ବା ସ୍ବପ୍ନ ପୁରଣ କରିବାକୁ ଉଚିତ ସମୟ ଥାଏ. ଜୁଆର ଉଠେ ହେଲେ ପୁଣି ସମୟ ସୁଅରେ ସେଥିରେ ଭଟ୍ଟା ପଡେ. ଆଜି ଅବୁଝା ରାଜଙ୍କୁ କେମିତି ବୁଝେଇବେ ରୀତା ଯେ ସେ ଏବେ ପ୍ରତିଦିନ ସକାଳୁ ଉଠିଲେ ତାଙ୍କୁ ଐଶ୍ବର୍ଗୀକ ଉପାସନାର ଭୋକ. ସୂର୍ଯ୍ୟଙ୍କ ଆରାଧନା, ତୁଳସୀଙ୍କୁ ଜଳଦାନ ସହ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନର ଭୋକ. ସେସବୁ ପୁଣି ସ୍ୱାମୀ ରାଜ ଓ ପୁତ୍ର, କନ୍ୟା, ଜାମାତା ବଧୂ, ନାତି ଓ ନାତୁଣୀଙ୍କ ଆୟୁଷ, ଆଶିଷ ଓ ନିରୋଗ ରହିବା ପାଇଁ ନିବେଦନର ଭୋକ. ଠିକ ଏହି ସମୁଦ୍ର ଭଳି ଶାନ୍ତ, ସ୍ନିଗ୍ଧ ଓ ନିରାମୟତା ଭିତରେ ସ୍ୱାମୀଙ୍କ ସାନିଧ୍ୟର ଭୋକ. ରାଜ ଚାହିଁଲେ ରୀତାଙ୍କ ମୁହଁକୁ. କିଛି ନକହି ରୀତା ହାତ ଠାରି ଗୁପଚୁପ ବାଲା ଆଡକୁ ଚାହିଁ କହିଲେ ଭାରି ଭୋକ. ଚାଲନା ଗୁପଚୁପ ଖାଇବା. ରାଜ ସନ୍ତୁଷ୍ଟିରେ ଗୁପଚୁପ ଖାଇ ଚାଲିଥିଲେ ସତେ ଯେମିତି ସମୁଦ୍ରର ଅଥଳ, ଆକୁଳ, ଅଚଳ ପରି ତାଙ୍କ କ୍ଷୁଦ୍ଧା. କାହିଁ କେବେତ ଗୁପଚୁପ ଖାଇବାକୁ ମନ ବଳାନ୍ତି ନାହିଁ ରାଜ!ଆଜି ରୀତାଙ୍କ ପତ୍ରଠୋଲା ହାତ ଆଗେଇ ଯିବା ଆଗରୁ ପଛକୁ ଫେରୁଥିଲା. ଗୁପଚୁପ ବାଲା ଚୁପି ଚୁପି ହସୁଥିଲା ।
