STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ସକାଳର ଦୃଶ୍ୟ

ସକାଳର ଦୃଶ୍ୟ

5 mins
2

ଶୀତ ସକାଳର ଦୃଶ୍ୟ ଅତ୍ୟନ୍ତ ମନୋରମ ଥିଲା ବେଳେ କୋଉଠୁ ଗୋଟେ ପିଲାର କରୁଣ କାନ୍ଦଣା ଶୁଭୁଥିଲା ତ ଆଖି ଛଳ ଛଳ ହୋଇ ପଡିଲା କରୁଣାଙ୍କର.ଆଜିକାଲି ଖୁବ ସକାଳୁ ସକାଳୁ ମାନେ ରାତି ଚାରିରୁ ନିଦ ଭାଙ୍ଗିଯାଏ କରୁଣାଙ୍କର ତ ଉପର ଘର ଦଣ୍ଡପଟ ଗ୍ରିଲ ଖୋଲି ଦେଖନ୍ତି ଦଳ ଦଳ ଗାଈ ଓ ଷଣ୍ଢ ଏକତ୍ରିତ ହୋଇ ଶୋଇଯାଇଛନ୍ତି ତାଙ୍କ ଘର ବାମ ରୁ ଧରି ଡାହାଣ ପଟ ଯାଏଁଲମ୍ବି ଥିବା ରାସ୍ତାରେ. ଲୋକଗୁଡ଼ା ଗୁହାଳ କରୁନାଁହାନ୍ତି ଆଜିକାଲି. ପୁଣି ଭାବନ୍ତି ହଁ ଗୁହାଳ କଲେ ବିଚରା ଷଣ୍ଢ ସବୁ କୁଆଡେ ଯିବେ!ଏମିତି ଅନ୍ତତଃ ଗାଈ ଓ ଷଣ୍ଢ ମିଶି ପରସ୍ପର ନିଶ୍ଵାସ ପ୍ରଶ୍ୱାସ ଭିତରେ ଆଉ କିଛି ଦିନ ବଞ୍ଚିଯିବା ପ୍ରୟାସ ଜାରି ରଖିଛନ୍ତି. ଭାବୁ ଭାବୁ ତଳ ଘରେ ଭଡ଼ା ଥିବା ଚିତ୍ରକର ପୁଅ ଫୁଲ ତୋଳି ଉପରକୁ ଗୋଟେ ପ୍ୟାକେଟ କରି ଛାଡ଼ନ୍ତି ତ କରୁଣା ଧଡ଼ପଡ଼ ହୁଅନ୍ତି ନିତ୍ୟକର୍ମ ସାରି ତାଙ୍କୁ ଠାକୁର ପୂଜା କରିବାର ଅଛି. ଦାଣ୍ଡ ଦୁଆର ଝଙ୍କାଳିଆ ବରଗଛ ଆଗରେ ସଂକ୍ରାନ୍ତି ଧୂପ ଦୀପ ଦେଉ ଦେଉ ଉଡିଯାଉଥିଲେ ବାଦୁଡ଼ି ଦଳ, ଉଠିଯାଉଥିଲେ ଶୋଇଥିବା ଗୋରୁ ଗାଈ ଦଳ ଓ ପକ୍ଷୀ ସବୁ ଡେଣା ଝାଡ଼ି ଫଡ଼ ଫଡ଼ କଲାବେଳେ କରୁଣାଙ୍କ ଦୃଷ୍ଟି ପଡେ ବାଲ୍ଟି ନେଇ ପହଁଞ୍ଚି ଯାଉଥିବା ପାଖା ପାଖି ସାହି ତଥା ବସ୍ତି ମାନଙ୍କରୁ ପୁରୁଷ ଓ ସ୍ତ୍ରୀ ଲୋକେ ଗୋବର ନେବାକୁ ତ ଆନମନା ହୁଏ କରୁଣା ଙ୍କ ମନ. ଶୀତ ସକାଳେ ପୁଣି ଭୋର ଭୋର ପିଲା ପୁଅ ଅବା ଝିଅକୁ କୋଳରୁ ଉତ୍ତାରି ମାଆ ଟି ଗୋବର ନେବା ଭଳି ଅନ୍ୟାନ୍ୟ ବାସିପାଇଟି କରିବାକୁ ସିନା ଆସିବାରୁ ଏମିତି କୋଉ ମାଆର ପିଲାଟି କାନ୍ଦୁଛି!ପ୍ରଭୁ ହେ ତୁମେ ଚାହିଁଲେ ସବୁ କିଛିର ସମାଧାନ କରିପାରିବ ଭାବି ଫେରି ପଡ଼ୁ ପଡ଼ୁ ତୁଳସୀ ଗଛ ମୂଳକୁ ଗଙ୍ଗା ଦେବୀଙ୍କ ଜଳ ଛିଞ୍ଚି ପୂଜା କରିବାକୁ କରୁଣା କାନ ଡେରିଲେ. କାନ୍ଦ କୋଉ ପିଲାର ନୁଁହଁ ବରଂ କୁକୁର ଛୁଆଙ୍କର. ମଣିଷ ତାର ଅସହାୟତା ଯୋଗୁଁ କେତେ କଷ୍ଟ କରୁଛି. ଜଂଜାଳ ନିଭାଇବାକୁ ଯାଇ ପୋଷା ଜନ୍ତୁ ଙ୍କୁ ଯେମିତି ଅବହେଳା କରୁଛି ସେମିତି କଷ୍ଟ ବି ପାଉଛି ବୋଲି ଭାବିବାକୁ ଯାଇ ମନ ଊଣା କରି ପ୍ରଭୁ ହେ ତୁମ ସୁନ୍ଦର ସୃଷ୍ଟିକୁ ତୁମେ ହିଁ ରକ୍ଷାକରିପାରିବ ଭାବୁ ଭାବୁ ଭାବନା ଅଟକି ଗଲା କୁକୁରଛୁଆ ଙ୍କ କୁଁ କୁଁ କାନ୍ଦଣା ପାଖରେ କରୁଣଙ୍କର. ତଥାପି କରୁଣା ଡାକୁଥିଲେ ପ୍ରଭୁ କରୁଣାକର,ତୁମେ ତୁମ ସୃଷ୍ଟିକୁ ବଞ୍ଚାଇ ଏ ସକାଳକୁ ସ୍ବର୍ଗୀୟ ସୁଷମା ରେ ଭରିଦିଅ ପ୍ରଭୁ.
     ତୁଳସୀ ମୂଳେ ପାଣି ଦେଉ ଦେଉ ବାମ ପଟେ ହଳଦୀ ବସନ୍ତ ଚଢ଼େଇ ଓ ଡାହାଣ ପଟେ ଶୁଆ ପକ୍ଷୀ ଉଡିଯିବା ସହ କୋଇଲି, କୁମ୍ଭାଟୁଆ, କଜ୍ଜଳ ପାତି ଇତ୍ୟାଦି ଚଢେଇଙ୍କୁ ଦେଖି କରୁଣା ଭାବୁଥିଲେ ପ୍ରଭୁ ଅଳ୍ପ ରେ ସନ୍ତୁଷ୍ଟ ହେଉଥିବା ଏ ପକ୍ଷୀ ଜୀବନ ବହୁତ ଭଲ. ସେତିକି ବେଳକୁ କଜ୍ଜଳପାତି ପକ୍ଷୀ ସବୁ ନିଜ ନିଜ ଭିତରେ କଳି କଲାଭଳି ଦୃଶ୍ୟ ସହ କିଛି ପକ୍ଷୀଙ୍କର ଲଢୁଆ ପ୍ରକୃତି କରୁଣା ଙ୍କୁ ପକ୍ଷୀ ଦେଖାରୁ ନିବୃତ୍ତ କରି ସକାଳୁ ସକାଳୁ ଫୁଟିଥିବା ସଜ ଫୁଲ ଗୁଡିକ ଉପରେ ଦୃଷ୍ଟି ନିବଦ୍ଧ ହେଲା କରୁଣାଙ୍କର. କେଡେ ସୁନ୍ଦର ଏ ପ୍ରକୃତିର ଶୋଭା!ହେ ଅଦୃଷ୍ଟ କଳାକାର କି ଚମତ୍କାର ତୁମ ଶିଳ୍ପୀ ହାତ. ଭିଜା ଶିଶିରର କାକର ଟୋପା ସବୁ ପଡି ଫୁଲମାନେ ହସୁଛନ୍ତି ଯେମିତି. ସୂର୍ଯ୍ୟ ଉଇଲେଣି. ଚନ୍ଦ୍ର ଛପି ଗଲେଣି. ପ୍ରଜାପତି ମାନେ ଉଡିଲେଣି. ଫୁଲ ନେଇ ତଳକୁ ଠାକୁର ଘର ଆଡ଼େ ମୁଁହାଇଲା ବେଳକୁ ଶୀତ ସକାଳର ସବୁ ସୌନ୍ଦର୍ଯ୍ୟ ଭିତରେ କୁକୁର ଛୁଆମାନଙ୍କର କୁଁ କୁଁ କାନ୍ଦଣା କରୁଣା ଙ୍କ ଅନ୍ତର ଦୁହିଁ ଦେଉଥିଲା. ଏବେ ସେ କଷ୍ଟ ପାଉଥିବା ଜନ୍ତୁ କି ପକ୍ଷୀ କି ପଶୁ ଅବା ମଣିଷ ଙ୍କୁ ଦେଖିବେନି ବୋଲି ଯେତେ ଭାବିଲେ ମଧ୍ୟ ସେମିତି ଦୃଶ୍ୟ ସବୁ ତାଙ୍କ ଆଖିକୁ ଚାଲିଆସେ. ଏଇ ଯେମିତି କାଲି ସନ୍ଧ୍ୟାରେ ମାଙ୍କଡ଼ ଦଳ ପାଣି ମୁନ୍ଦେ ପିଇବାକୁ ଛଟପଟ ହୋଇ ପକ୍ଷୀଙ୍କ ଲାଗି ଥୁଆ ହୋଇଥିବା ମଗ ଓ ଷ୍ଟିଲ ଢାଳ ରେ ମୁଁହଁ ପୁରେଇ କେହି କେହି ପିଇ ପାରୁଥିଲା ତ କେହି ଫେରିଯାଉଥିଲା ପୁଣି କିଏ ଥରେ ଅଳ୍ପ ପିଇ ଦେଇ ଜଗିରହୁଥିଲା ମୁଁହଁ ବୁଡେଇ ପିଇ ହେଉଥିବା ମଗ ର ଜଳ ସରିବା ପର୍ଯ୍ୟନ୍ତ କିନ୍ତୁ ଅନ୍ୟକୁ ଘଉଡ଼େଇ ଦେଉଥିଲା ଟୋପେ ପାଣିରୁ ବଞ୍ଚିତ କରି ତ ଜାଫ୍ରି ଖୋଲି ସବୁ ବଡ଼ ବାଲ୍ଟି ରେ ପାଣି ଭରି ଓ ଭାରି ବାଲ୍ଟି ସବୁ ମାଙ୍କଡ଼ ଙ୍କ ମୁଁହଁ ପାଖେ ଥୋଉ ଥୋଉ ସମସ୍ତେ ଚାଲିଯାଇଥିଲେ ପାଣି ଟୋପେ ନପିଇ ତ ରାତି ସାରା ସେଇ କଥା ଭାବୁ ଭାବୁ ପୁଣି ଗୋଟେ ଦୃଶ୍ୟ ମନକୁ ଆନ୍ଦୋଳିତ କରିଥିଲା କି ଅସହାୟ ଛୋଟି ପାରାଟି ତାଙ୍କ ଉପସ୍ଥିତି କୁ ନଡରି ପାଣି ମୁନ୍ଦେ ପିଇ ଉଡିଯାଇ ପାଖ ଇଲେକ୍ଟ୍ରି ଖୁଣ୍ଟି କୁ ଖୁଣ୍ଟି ଯୋଡ଼ା ଯାଇଥିବା ତାର ଉପରେ ବସୁ ବସୁ ସକ ଲାଗି ତଳକୁ ଛିଟିକି ପଡିବା ଦୃଶ୍ୟ ତାଙ୍କୁ ତିନିଦିନ ଧରି ଜ୍ୱର ପ୍ରପୀଡ଼ିତ କରିଥିଲେ ମଧ୍ୟ ତାଙ୍କ ହାତରେ ଖଡା ସିଝିବନି ଜାଣି କେବଳ ଡାକୁଥିଲେ ପ୍ରଭୁ ହେ ସବୁ ତୁମ ଇଛା ହେ ଇଛାମୟ ତଥାପି ପ୍ରାରବ୍ଧ କର୍ମ ଫଳକୁ ଶୁଭ ସକାଳ ପରି ଆରବ୍ଧ କରିଦିଅ ନାଥ ବୋଲି ପ୍ରାର୍ଥନା କରୁ କରୁ ମନେପଡ଼ିଲା ସେହି କୁକୁର ମାଆ ଟି ଟମି କଥା. ଏମିତି ଆରବର୍ଷ ଏଇ ଶୀତ ସକାଳୁ ସକାଳୁ ଗେଟ ଖୋଲି ସେ ଦେଖିଥିଲେ ଅଜଣା ସ୍ଥାନରୁ ଚାଲିଆସିଥିବା ମାଈ କୁକୁରଟିକୁ ଏଠିକା କୁକୁର ଦଳ ଚାରିପଟୁ ଅଭିମନ୍ୟୁ କୁ ଘେରିଗଲା ପରି ସପ୍ତରଥି ପରି ଅନେକ ବୁଲାକୁକୁର ଘେରି ଯାଇଛନ୍ତି ଓ ସେ ବିକଳରେ କୁଁ କୁଁ ହେଉଛି. ସବୁଦିନର ଅଭ୍ୟାସ ବଶତଃ କୁକୁରଙ୍କୁ ବିସ୍କୁଟ ଦେଇ ଅପରିଚିତ ମାଈ କୁକୁରଟିକୁ ଅନ୍ୟ ବୁଲାକୁକୁର ଙ୍କ ରାଗ ହିଂସା ଦ୍ୱେଷ ଇତ୍ୟାଦିର ଦୃଷ୍ଟିରୁ ଦୂରେଇ ପାରିଥିଲେ ମଧ୍ୟ ସେ ଭୋକିଲା ରହିବା କଥା ଭାବୁ ଭାବୁ ତାକୁ ଆବିଷ୍କାର କଲେ ତାଙ୍କରି ବାରିପଟେ ପୁଣି ପାଚେରୀ ଆବଦ୍ଧ ପରିବେଶ ରେ ତ ଉପରୁ ବିସ୍କୁଟ, ପାଉଁରୁଟି, ରୁଟି ଦେବାରେ ଆଉ ଅସୁବିଧା ନଥିଲା ଟମିକୁ.
     ସେଇ କିଛି ଦିନ ଟମି କୁ ଆ ଆ ଚୁ ଚୁ ଡାକି ତାକୁ ଖାଇବାକୁ ଦେଉ ଦେଉ ଦେଖାଗଲା ସେ ଦାଣ୍ଡପଟ କୁକୁର ଦଳ ଙ୍କ ସଙ୍ଗେ ଖାଲି ମିଶିଯାଇନି ବରଂ ପେଟ ବଢି ମାଆ ହେବାର ସୂଚନା ଦେଉଛି. ଆଉ ବାଡ଼ିପଟକୁ ଆସୁନି ବରଂ ଗୋଠରେ ରହି ଭାଗରେ ପଡିଲେ ଖାଉଛି ନହେଲେ ନାହିଁ. ଦୀର୍ଘନିଶ୍ୱାସ ଟିଏ ବାହାରୁ ବାହାରୁ କରୁଣା ଦେଖିଲେ ପୁଣି ଟମି ବାରିପଟେ କିନ୍ତୁ ଖାଦ୍ୟ ପାଇଁ ନୁଁହଁ ବରଂ ମାଆ ହୋଇଛି ଆଉ ଦୁଇ ଚାରିଟା ଛୁଆ ତା ପେଟ ରେ ମୁଁହଁ ଗୁଞ୍ଜି ଚଷି ଚାଲିଛନ୍ତି ତ ପଡିଲା ରୁଟି କରୁଣା ଙ୍କ କରୁଣାରୁ. ବାରିକୁ ଯାଇ ପୁରୁଣା କଡେଇ ରେ ପେଜ ମିଶା ଭାତ ଓ ରୁଟି କ୍ଷୀର ମାଆ ଖାଉ ଖାଉ ବଢି ଆସୁଥିବା ଚାରି ବଢନ୍ତା ଛୁଆ ଖାଉଥିବାର ଦେଖି ଟମି ଆଉ ଖାଦ୍ୟ ଛୁଇଁଲାନି କାଳେ ତା ଛୁଆ ମାନଙ୍କୁ ନିଅଣ୍ଟ ହେବଭାବୁଥିଲା ନିଶ୍ଚୟ. ଚାଁହୁ ଚାଁହୁ ଚାରିଗୋଟି ଛୁଆ ବଢିଗଲେ ଓ ଦାଣ୍ଡ ପଟକୁ ଆସି ଅନ୍ୟ ବୁଲାକୁକୁର ସମସ୍ତଙ୍କ ସଙ୍ଗେ ମିଶିଗଲେ କିନ୍ତୁ ଟମି ନଥିଲା.ସୁନେଲି ସକାଳ ସବୁ ଆସୁଥିଲା ଯାଉଥିଲା. ଏବେ କେଇଦିନ ହେଲାଣି କୁକୁରଛୁଆଙ୍କର କୁଁ କୁଁ କାନ୍ଦଣା କୁ ପ୍ରଥମେ ପିଲା କାନ୍ଦ ଭାବି ତା ମାଆ ବାପାଙ୍କ ଅସହାୟ ଅବସ୍ଥା ଚିନ୍ତା କରି ସକାଳୁ ସକାଳୁ ଠାକୁରଙ୍କୁ ଡାକିଲା ବେଳେ ଏବେ କୁକୁର ଛୁଆ ଦେଖାଯାଉନଥିଲେ ମଧ୍ୟ କାନ୍ଦଣା ଟମି କୁ ମନେ ପକେଇଦେଉଥିଲା କରୁଣାଙ୍କୁ.ଆରବର୍ଷ ଟମି କୁକୁରର ଆବିର୍ଭାବ ଓ କୁକୁରର ସନ୍ତାନ ବତ୍ସଳତା ରେ ଚମତ୍କୃତ ହେଲାବେଳେ ଏ ବର୍ଷ ଶୀତ ସକାଳୁ ସକାଳୁ କୁକୁର ଛୁଆମାନଙ୍କ କୁଁ କୁଁ ଶବ୍ଦ ରେ କରୁଣା ଙ୍କ କର୍ଣ୍ଣ ପଟଳ ଫାଟି ପଡୁଥିଲା ବେଳେ ସେ ଭାବୁଥିଲେ କେବଳ ହରି ଭରସା. ଆଜି ସଂକ୍ରାନ୍ତି. ପୁଣି ଧନୁ ସଂକ୍ରାନ୍ତି. ସବୁଦିନ ଭଳି ଉପର ଘରର ଦାଣ୍ଡ କବାଟ ଖୋଲି ଗାଈ ଗୋଠ ଙ୍କ ଶୋଇଯାଉଥିବା ଦୃଶ୍ୟ ରେ ମୁଗ୍ଧ ହେଉ ହେଉ କୁକୁର ସବୁ ବିସ୍କୁଟ ପାଇଁ ଦଉଡି ଆସୁଥିବା ବେଳେ ଗାଈ ଷଣ୍ଢ ମାନେ ସକାଳ ଆଗମନ ସୂଚନା ପାଇ ଉଠିବାକୁ ବସିଲା ବେଳେ ଦେଖାଗଲା ଛୁଆ କୁକୁର ଦୁଇ ଚାରୋଟି ଗାଈ ପେଟ ତଳେ ରହି ଶୋଇଯାଇଥିଲେ. ମାଆ ଟି ଜାତି ର ହେଉ ଅବା ଅଜାତିର,ଉଷୁମ କୋଳ ହିଁ ନିଷ୍ପାପ ଶିଶୁ ପାଇଁ ଅମୃତ ମଣୋହି ବୋଲି ବୁଝିଥିବା କରୁଣା ଆଉ ସେବେଠୁ କୁକୁର କାନ୍ଦଣା ନଶୁଣି ପ୍ରଭୁଙ୍କୁ ଧନ୍ୟବାଦ ଦେଇ ଭାବୁଥିଲେ କି ବିଚିତ୍ର ଲୀଳା ପ୍ରଭୁ ତୁମର ସତରେ!


Rate this content
Log in

Similar oriya story from Abstract