ଡ଼ାଳ ମିଳିଗଲା
ଡ଼ାଳ ମିଳିଗଲା
ନିଦ ନଥିଲା ଆଖିରେ ଶ୍ରାବଣୀଙ୍କ ର. ଲୁହ ମଧ୍ୟ ଶୁଖିଯାଇଥିଲା. ଯୋଉ ଡ଼ାଳ ରେ ହାତ ଦେଲେ ସେ ଡ଼ାଳ ଭାଙ୍ଗି ଯାଉଥିଲା ବେଳେ ତାଙ୍କ ଅନ୍ତରରୁ ଶୁଭୁଥିଲା ସେଇ ଗୋଟିଏ ସ୍ୱର. ଯିଏ ତୋ ନିଜର ବୋଲି ତଥାପି ବାକି ରହିଛି ତୋ ଛାଇ ପରି ତାକୁ ଧରିରଖ ଶ୍ରାବଣୀ. ଶାନ୍ତି ପାଇବୁ. ତୃପ୍ତି ମିଳିବ. ମନ ବୁଝିଯିବ. ହୃଦୟ ସ୍ଥିର ଓ ଅବିଚଳିତ ହୋଇଯିବ. ହେଲେ କିଏ ତା ପାଖରେ ଆଉ ବଳି ପଡ଼ିଛି ଯେ! ଯାହା କୋଳରେ ସେ ଜନ୍ମ ହୋଇଥିଲା ସେ ଦୁହେଁ ଗଲେ. ଭାଇ ମଧ୍ୟ ତାଙ୍କ ସହିତ ରୋଡ଼ ଆକ୍ସିଡେଣ୍ଟ ରେ ଗଲା. ହାତ ଧରି ଯାହାକୁ ବାହା ହେଲା ସେ ତିନି ତିନିଟା ଝିଅଙ୍କୁ ତା ହାତରୁ ଛଡେଇ କଂସ ମାମୁଁ ପରି ଶୀଳରେ କଚାଡିବା ପରି କୁଆଡେ ଆସିଲା ଛାଡ଼ି ଭଗବାନଙ୍କୁ ଜଣା. ତୃତୀୟ ଝିଅକୁ ଛାଡିବାକୁ ଯାଇ ମଧ୍ୟ ପାପ ର ପ୍ରାୟଶ୍ଚିତ ରେ ବସ ବାଡେଇ ଦେଲା ସ୍ୱାମୀଙ୍କ ବାଇକ କୁ ଯେ ସେଇଠି ଜୀବନ ହାରିଲେ ସ୍ୱାମୀ. ଗାଁରେ ଶାଶୁ ଶଶୁର ଥିଲେ ଯେ ସେ ଦୁହେଁ ମଧ୍ୟ ଅଜଣା ରୋଗରେ ପଡି ଯାଇଥିଲେ ସ୍ୱର୍ଗପୁର ଆଗୁଆ. ତେବେ ଆଉ ରହିଲା କିଏ? ତା ହୃଦୟ ଭିତରୁ ତଥାପି ଆବାଜ ଆସୁଥିଲା ଅଛି. ତୋ ପାଖେ ପାଖେ ଅଛି. ତ ଆଖିରୁ ନିଦ ହଜି ଯାଇଥିଲା. ମନ ଚିନ୍ତାଗ୍ରସ୍ତ ହେଉଥିଲା. ହୃଦୟରୁ କେବଳ ଗୋଟିଏ କଥା ଶୁଭୁଛି ଅଛି ଅଛି ଅଛି.ଦୌଡିଲେ ଶ୍ରାବଣୀ. ଅନାଥା ଆଶ୍ରମରୁ ଆଶ୍ରମ କୁ ଘୁରି ବୁଲିଲେ ଝିଅ ମାନଙ୍କର ବା ଗୋଟିକର ସନ୍ଧାନ ରେ ହେଲେ ସବୁ ବୃଥା. ସମସ୍ତ ଶିଶୁ କନ୍ୟା ଙ୍କର ପରିଚୟ ଥିଲା.ସେମାନେ ହୁଏତ ଗରୀବ ଥିବାରୁ ତାଙ୍କ ପିତା ମାତା ଏଠାରେ ତାଙ୍କୁ ଛାଡିଯାଇଛନ୍ତି. ପୁଣି ପିତା ମାତାଙ୍କ ନାମ ମଧ୍ୟ ରେଜିଷ୍ଟର ଖାତା ପ୍ରମାଣ ଦେଉଥିଲା. ଅସ୍ତବ୍ୟସ୍ତ ହୋଇ ଭଙ୍ଗା ହୃଦୟ ନେଇ ଘରକୁ ଫେରି ନିଦ ହେଉନଥିଲା ବେଳେ ଗୋଟେ ଅନାଥ ଆଶ୍ରମର ଦୃଶ୍ୟ ତାଙ୍କୁ ବ୍ୟଥିତ କରିବା ସହ ନିଦ ହଜେଇ ଦେଇଥିଲା ଆଖିରୁ. ଛୋଟ ଶିଶୁ କନ୍ୟାଟିକୁ ଆୟା ପ୍ୟାଣ୍ଟି ରେ କାହିଁକି ପରିସ୍ରା କଲୁ କହି ବାଡେଇବା ଦୃଶ୍ୟ ତାଙ୍କୁ ବିଚଳିତ କରିଥିଲା ତ ଆଖିକୁ ନିଦ ନଥିଲା ସେଦିନ ରାତି ସାରା.
ତା ପରଦିନ ସେହି ଅନାଆଶ୍ରମ ଯାଇ ଶିଶୁକନ୍ୟା ସହ ସେହି ଆୟାଙ୍କୁ ଠାଵ କରିବା ପରେ ତା ପିତା ମାତାଙ୍କୁ ଡକେଇ ଆଶ୍ରମ ର ପରିଚାଳକ ଓ ପିତାମାତା ଙ୍କ ସହମତିରେ ବାଳିକାଟିକୁ ପୋଷ୍ୟ କରିବା ଇଛା ମଧ୍ୟ ମରିଯାଇଥିଲା ଶ୍ରାବଣୀଙ୍କର କାରଣ ମାଆ ତାର କହୁଥିଲା ପ୍ରଥମରୁ ଶାସନ ର ଅଭାବ ଓ ଅତ୍ୟଧିକ ସ୍ନେହ ଶ୍ରଦ୍ଧା ଯୋଗୁଁ ବଡ଼ ହେଲାପରେ ପିଲାମାନେ ବାଟରେ ରହୁନଥିବାରୁ ପିଲାଦିନୁ ମୃଦୁ ଶାସନର ଆବଶ୍ୟକତା ଅଛି. ଦ୍ୱିତୀୟରେ ସେ ମାଆ ନିଜେ କହିଥିଲା ଆଶ୍ରମ ରେ ସବୁପିଲାଙ୍କ ଭିତରେ ରହି ଅନୁଶାସନ ଓ ସାମାଜିକତା ଉଭୟ ଶିକ୍ଷା ପାଇବ ଆମ ଝିଅ. ଆପଣଙ୍କ ଘରକୁ ଗଲେ, ଭଲ ଖାଇ ପିନ୍ଧି ଗେଲବସର ହୋଇ କୁପଥଗାମୀ ହୋଇଯିବାର ଆଶଙ୍କା କୁ ଏଡେଇ ଦେଇହେବନି. କାନ ମୁଣ୍ଡା ଭାଁ ଭାଁ ହୋଇଗଲା ମାଆଟିର ଅକାଟ୍ୟ ଯୁକ୍ତିରେ ତ ଘରକୁ ଫେରିଆସିଥିଲେ ମଧ୍ୟ ଶ୍ରାବଣୀ ଙ୍କୁ ନିଦ ନଥିଲା. ଭାବୁଥିଲେ ଏତେବଡ ଦୁନିଆଁରେ କିଏ ଆଉ ରହିଲା ତାଙ୍କ ନିଜର!ରାତିରେ ନିଦ ହଜି ମନ ଅଶାନ୍ତ ରହୁଥିବାରୁ ଡେରିରେ ନିଦ ଭାଙ୍ଗିଲା ସେଦିନ ଶ୍ରାବଣୀଙ୍କର. ସକାଳୁ ଦେଖିଲେ କରିଡର ରେ ପକ୍ଷୀ ଟିଏ ଛଟପଟ ହେଉଛି. ତାକୁ ପାଣି ଦେଇ ସାଷ୍ଟାଙ୍ଗ କଲାପରେ ସେ ଟିକେ ସୁସ୍ଥ ଅନୁଭବ କରିବା ପରେ ଉଡିନଯାଇ ପଡିରହିବାରୁ ତାକୁ କ୍ଷୀର ଓ ପରେ ପରେ ଛତୁଆ ଗୋଳେଇ ଖୁଆଇ ଦେଇ ଅଫିସ ଗଲେ ଶ୍ରାବଣୀ. ଉଡି ଯାଇନଥିଲା ପକ୍ଷୀ ଟି ବରଂ ମଲାତ୍ୟାଗ କରିବାକୁ ଜାଫ୍ରି ଫାଙ୍କ ଦେଇ ଉଡିଯିବା ପରେ ପୁଣି କାଠି କୁଟା ନେଇ ଫେରିଆସୁଥିଲା ତ ବୁଝିଗଲେ ଶ୍ରାବଣୀ ଯେ ପକ୍ଷୀଟି ଆସନ୍ନ ପ୍ରସବା ଓ ନୀଡ଼ ଗଢବାକୁ ଚହୁଁଛି ତ ଲାଗିପଡିଲେ ଶ୍ରାବଣୀ ପକ୍ଷୀ ପାଇଁ. ପକ୍ଷୀ ମଧ୍ୟ ବିଶ୍ୱାସ ରେ ଉଡି ଯାଉ ନଥିଲା. ସୁନ୍ଦର ଅଖା ଜରି, କମଳ ଓ କୁଟା କାଠି ଭିତରେ ଯୋଉଦିନ ଅଣ୍ଡାରୁ ଛୁଆ ଫୁଟେଇ ମାଆ ପକ୍ଷୀ ଉଡିଯାଉଥିଲା ଖାଦ୍ୟ ଅନ୍ୱେଷଣ ରେ, ଶ୍ରାବଣୀଙ୍କ ମନ କହୁଥିଲା ପାଇଗଲି ପାଇଗଲି. ତ ଦେଖିଲା ବେଳକୁ ପକ୍ଷୀଟି ତା ସାଥି କୁ ଧରି ଫେରି ଆସୁଛି. ନୂଆ ପକ୍ଷୀ ଟିର ଶଙ୍କା ଓ ଆଶଙ୍କା ଭାଙ୍ଗିବାକୁ ଯାଇ ବାଲକୋନି ଏପଟକୁ ଆଉ ଆସୁନଥିଲେ ସତ ହେଲେ ଛୁଆ ବଡ଼ ହୋଇଯିବା ପରେ ସମସ୍ତେ ଉଡିଯିବା ଚିନ୍ତାରେ ତାଙ୍କୁ ରାତି ସାରା ନିଦ ନଥିଲା.ନିଦ ହୀନ ରାତିରେ ସ୍ବପ୍ନ ସିନା ନଥିଲା କିନ୍ତୁ ଅନେକ ଭାବନା ଥିଲା ପକ୍ଷୀଙ୍କ ପାଇଁ. ଏବେ ତାଙ୍କୁ ହଠାତ ଲାଗିଲା ସେ ଗୋଟେ ପକ୍ଷୀ. ଯାହାକୁ କେହି ଉଠେଇବାକୁ ନାହିଁ, ଯାହାକୁ କେହି କୋଉଠି ଅପେକ୍ଷା କରେନା. ଯିଏ ମୁକ୍ତ ଓ ସ୍ବାଧୀନତା ପାଇ ନୀଳ ଆକାଶ ସାରା ଉଡ଼ୁଥାଏ, କେବେ ଗଢୁ ଥାଏ ବସା. ଏଥର ନିଦ ହୀନ ରାତି ନୁଁହଁ ବରଂ ସ୍ବପ୍ନ ଭରା ରାତି ଆସିଥିଲା ଶ୍ରାବଣୀ ଙ୍କ ପାଇଁ କିନ୍ତୁ ସକାଳୁ ପକ୍ଷୀ ଓ ଶାବକ ଉଡିଯାଇଥିଲେ ତ ଶ୍ରାବଣୀ ଭାବୁଥିଲେ ନିଦ ହୀନ ରାତି ଖୁବ ଭଲ ଥିଲା ହୁଏତ.ତଥାପି ବିଭିର୍ନ୍ନ ଚିନ୍ତା ତାଙ୍କୁ ରାତି ଶୁଆଇ ଦେଉନଥିଲା.
ସେଦିନ ଶ୍ରାବଣୀ ବହି ଗୁଡିକୁ ସଫା ସଫି କରି ରଖୁ ରଖୁ ଗୋଟିଏ ଗଳ୍ପ ବହି ପାଇ ସେଥିରୁ ଗଳ୍ପଟିଏ ପଢୁଥିଲେ. ଗଳ୍ପ ଟି ଥିଲା ଗୋଟେ ରାଜ୍ୟର ରାଜାଙ୍କ ଚିନ୍ତା ବିଷୟରେ. ଜୈନିକ ଦେଶର ଜଣେ ରାଜାଙ୍କୁ ରାତିରେ ନିଦ ହେଉନଥାଏ ତ ରାଣୀ ଓ ରାଜବୈଦ୍ୟ ଙ୍କ ସମସ୍ତ ଚେଷ୍ଟା ବିଫଳ ହେଉଥାଏ. ମନ୍ତ୍ରୀ ଙ୍କୁ କେହି ନଜଣେଇଲେ ମଧ୍ୟ ସେ ରାଜାଙ୍କ କଥା, କାର୍ଯ୍ୟ ଓ ହାବାଭାବ ଦେଖି ଜାଣିପାରିଲେ କି ରାଜା ନିଦ୍ର ହୀନ ରଜନୀ ବିତାଉଛନ୍ତି. ତେଣୁ ସୁଯୋଗ କୁ ଅପେକ୍ଷା କରି ମନ୍ତ୍ରୀ ଦିନେରାଜାଙ୍କୁ ଭେଟି କହିଲେ କି ମୁଁ ଆପଣଙ୍କ ମନ୍ତ୍ରୀ. ମତେ ଆପଣଙ୍କ ନିଦ ହୀନ ରାତି ର କାରଣ କହିଲେ ସିନା ମୁଁ ସମାଧାନ କରିବା ସୂତ୍ର କାଢ଼ିବି ମଣିମା! ନକହିଲେ ଜାଣିବି କେମିତି?କେବଳ ଏତିକି ଅନୁମେୟ ଯେ କୌଣସି ଚିନ୍ତା ଆପଣଙ୍କୁ ନିଦ୍ରାହୀନତା ରୋଗ ଆଣିଦେଇଛି. ରାଜା କହିଲେ ଠିକ ଅନୁମାନ କରିଛନ୍ତି ଆପଣ. ଆମ ରାଜ୍ୟର ବରିଷ୍ଠ କବି ତାଙ୍କ କବିତା ମାଧ୍ୟମରେ ରାଜସଭା, ରାଜପଦ, ରାଜଙ୍କ ଶାସନ ଇତ୍ୟାଦି ବିଷୟରେ ଲୋକମାନଙ୍କୁ ସଂଗଠିତ କରି ରାଜ୍ୟ ଓ ରାଜାଙ୍କ ବିରୁଦ୍ଧରେ କବିତା ଦ୍ୱାରା ସ୍ଲୋଗାନ ଦେଇଚାଲିଛନ୍ତି. କବିତା ଏକରେ ଶ୍ରୁତି ମଧୁର ଏବଂ କବିଙ୍କୁ ଲୋକେ ବା ପ୍ରଜାକୁଳ ଦ୍ୱିତୀୟ ଇଶ୍ୱର ବୋଲି ବିବେଚନା କରନ୍ତି ତ କବିଙ୍କର ଏପରି ଧର୍ତ୍ତବ୍ୟ ଅପରାଧ ପାଇଁ ମୁଁ ବିନିଦ୍ର ରଜନୀ ବିତାଇଚାଲିଛି. ମନ୍ତ୍ରୀ କହିଲେ କି କଥା କହୁଛନ୍ତି ମଣିମା ଲୁଣ ହାଣ୍ଡି ଖାଇବା ପରି ଚିନ୍ତା ଗଣ୍ଡି ଖାଏ. ତ ଆପଣ ଆଦେଶ ଦିଅନ୍ତୁ ସେ କବିକୁ ଆଣି ଆପଣଙ୍କ ସାମ୍ନା ରେ ଠିଆ କରିବି. ଦେଶଦ୍ରୋହୀ ତଥା ରାଜ୍ୟଦ୍ରୋହୀ ଦଣ୍ଡ ଦିଆଇ ତାର ଉଚିତ ବ୍ୟବସ୍ଥା କରାଇବେ ଆପଣ.
ରାଜା କହିଲେ ତା ହାତ କାଟିଦେଲେ ଠିକ ଦଣ୍ଡ ହେବ. ମନ୍ତ୍ରୀ କହିଲେ ନାହିଁ ମଣିମା ହାତ ସିନା ଲେଖୁଛି ହେଲେ କବିତା ପରା ହୃଦୟରୁ ସୃଷ୍ଟି ହୁଏ ତେଣୁ କଟା ହାତ ହୋଇ ସେ ମୁଖରେ କବିତା ବୋଲି ପ୍ରଜାମେଳି କରିପାରେ. ଆଉ ମୃତ୍ୟୁ ଦଣ୍ଡ ଦିଆଇଲେ ମଧ୍ୟ ଲୋକେ ମେଳି ହୋଇ ଆନ୍ଦୋଳନ କରିବା ସମ୍ଭାବନା କୁ ଏଡେଇ ଦିଆ ଯାଇନପାରେ. ରାଜା କହିଲେ ତେବେ ତାକୁ ନିର୍ବାସନ ଦଣ୍ଡ ଦିଆଯାଉ. ମନ୍ତ୍ରୀ ମହୋଦୟ କହିଲେ ଏମିତି କଲେ ନିର୍ଜ୍ଜନତା ରେ ସେ ବେଶି ବେଶି କବିତା ଲେଖିବ. ତାର ମହକ ଚତୁର୍ଦ୍ଦିଗ ପ୍ରଶାରିତ ହେବ. ତେବେ କଣ କରିବାକୁ ହେବ କୁହନ୍ତୁ ମନ୍ତ୍ରୀବର!ମନ୍ତ୍ରୀ କହିଲେ ଆପଣ କେବଳ ରାଜସଭାରେ କବିତା ଆୟୋଜନ କରନ୍ତୁ ଓ ଶ୍ରେଷ୍ଠ କବି ରୂପେ ପଡୋଶୀ ରାଜ୍ୟର କବି ଙ୍କ ମୁଣ୍ଡରେ ପାଟ ଶାଢ଼ୀ ବାନ୍ଧନ୍ତୁ. ତାଙ୍କୁ ଶ୍ରେଷ୍ଠ କବି ଉପାଧୀରେ ଭୂଷିତ କରି ସମ୍ବର୍ଦ୍ଧିତ କରନ୍ତୁ ଦେଖିବେ ସେହି ଅଯୋଗ୍ୟ ପଣିଆ ଚିନ୍ତାରେ ଭାବି ଭାବି ଦିନ କେଇଟାରେ ଆମ ରାଜ୍ୟରେ ବିଶୃଙ୍ଖଳା କରୁଥିବା କବି ମରିବ ହିଁ ମରିବ. ରାଜା ବୁଝିଗଲେ ଘଟଣା ଓ ସେୟା ହେଲା. ସତକୁ ସତ କବି ମଲା. ଆଉ ରାତିରେ ସୁଖ ନିଦ୍ରା ଗଲେ ରାଜା.ସେହି ଗଳ୍ପ ଟି ପଢ଼ିସାରିବା ପରେ ଶ୍ରାବଣୀ ବହି ସବୁର ଯତ୍ନ ନେଉଥିଲେ. କବିତା ଲେଖୁଥିଲେ. ଗଳ୍ପ ପଢ଼ା ଓ ଲେଖା ଚାଲୁ କରିଥିଲେ ତ ଆଉ ନିଦ ହୀନ ରାତି ନଥିଲା. ବହି ପଢ଼ିସାରିବା ପରେ ପରେ ଆଖିପତାକୁ ନିଦ ଆସିଯାଉଥିଲା.
