ପୋକ
ପୋକ
ମୃତ୍ୟୁ ନିକଟ ହେବା ଆଗରୁ ମିଳୁଥିବା ଅନେକ ସଂକେତ ଭିତରୁ ଦିନ ତମାମ ଶ୍ଵେତା ଭାବୁଥିଲେ ମାନସିକ ଅସୁସ୍ଥତା ହିଁ ମୃତ୍ୟୁ ଆସିବାର ଏକମାତ୍ର କାରଣ ହେବ ତାଙ୍କ ପାଇଁ.ମନରେ ସେଇ ଗୋଟିଏ ପ୍ରଶ୍ନ ମୃତ୍ୟୁ ପରେ ଯଦି ପୁନ୍ନଜନ୍ମ ଥାଏ ତେବେ ସେ କଣ ହେବେ? ମାଙ୍କଡ଼ କଥା ଆଗ ମନକୁ ଆସିବାରୁ ତାଙ୍କ ଆଖିରେ ନାଚୁଥିଲା କରେଣ୍ଟ ଖାଇ ସ୍କୁଲରେ ମରିପଡ଼ିଥିବା ମାଙ୍କଡ଼ଟିକୁ ଉଦ୍ଧାର କରିବା ଦୂରେ ଥାଉ ବଡସାର କହିଥିଲେ ମାଙ୍କଡ଼ମାନେ ଆସି ବୋହି ନେଇଯିବେ ତାଙ୍କ ସହସାଥିକୁ. ଯଦିଓ ସେମିତି କିଛି ହୋଇନଥିଲା ତେବେ ବି ଶ୍ୱେତା ଭାବୁଥିଲେ ତାଙ୍କ ନିଜ ଘରେ ଦଳଛଡା ଅସହାୟ ଛୁଆମାଙ୍କଡ଼ ର ଯେତେ ଉପଚାର କଲେ ମଧ୍ୟ ସେ ସକାଳୁ ଶବ ରୂପେ ପଡି ରହିଥିଲା ତାଙ୍କ ଗେଷ୍ଟ ରୁମ ଖଟ ଉପରେ. ଦିନ ତମାମ ର ଭାବନା ଭିତରେ ପୁଣି ମନକୁ ଆସୁଥିଲା ତେବେ ବିଶ୍ୱସ୍ତ କୁକୁରଟିଏ ହେବାକୁ ଆରଜନ୍ମ ରେ ତ ନିଜ ଘରେ ଥିବା ପୋଷା କୁକୁର ହୁଣ୍ଡା ଅନ୍ୟମାନଙ୍କୁ କାମୁଡିବାରୁ ପ୍ରତିବଦଳରେ ଅବୁଝା ଲୋକେ ଇଞ୍ଜେକ୍ସନ ପାଇଁ ଜୁଲମ କରି ପଇସା ମାଗିବାରୁ ହୁଣ୍ଡାକୁ ଟ୍ରେନ ରେ ନେଇ ଜିଲ୍ଲା ପାର କରିଦେଇ ଆସିବା ଘଟଣା ମଧ୍ୟ ମନରୁ ଯାଇନଥିଲା ଶ୍ୱେତାଙ୍କର . ବିଲେଇଟିଏ ହେବାକୁ ଇଛା କଲା ବେଳେ ପୋଷା ବିଲେଇ କକି କଥା ମନେପଡେ. ତା ଛୋଟ ଛୁଆ ଦିନେ ବାରିପଟୁ ତା ଦେହ ସାରା ପିମ୍ପୁଡି ଝାଡ଼ି ତାକୁ ରକ୍ଷା କରୁ କରୁ ସେ ଘରର ପୋଷା ହୋଇଥିଲେ ବି ତା ପାଇଁ ରଖା ଯାଇଥିବା ବାଲି କଡେଇ ପରିବର୍ତ୍ତେ ଶ୍ୱେତାଙ୍କ ସବୁଦିନିଆ ଅର୍ଥାତ ନିତି ପିନ୍ଧା ଶାଢୀରେ ଝାଡା କରିବାରୁ କାଳବୈଶାଖି କାଳରେ ତାକୁ ଛାଡିଦିଆଯାଇଥିଲା ମନ୍ଦିର ଦ୍ୱାର ପାଖେ. ସେ ବିଜୁଳି ଓ ଘଡଘଡି ଭିତରେ ଛୋଟ ବିଲେଇ ଛୁଆଟା କେତେ ହଇରାଣ ହେଇନଥିବ ସତରେ!ଏତେ ଏତେ ପାପ ମୁଣ୍ଡେଇ ଥିବା ଓ ନିଜକୁ ଦୋଷୀ ଓ ପାପୀ ମନେକରୁଥିବା ଶ୍ୱେତା ଭାବୁଥିଲେ ପାପ ସବୁର ଫଳ ଏଇ ଧରାରେ ଭୋଗିବାକୁ ହୁଏ.ତେବେ ସେସବୁ ହେବା ଅପେକ୍ଷା ବରଂ ମୃତ୍ୟୁ ଶ୍ରେୟସ୍କର.
ଦିନ ତମାମ ପୁଣି ସେଇ ପ୍ରଶ୍ନର ଡର ଭିତରେ ମଲା ପରେ ପୁନ୍ନଜନ୍ମ ଥିଲେ ସେ କୋଉ ଜନ୍ମ ନେବେ ଭାବୁ ଭାବୁ ନୀଳକଣ୍ଠି ଓ ହଳଦୀବସନ୍ତ ତଥା ଶୁଆ ପରି ପକ୍ଷୀ ମାନେ ନଜରକୁ ଆସୁଥିଲେ ତ ଏ କାଉ, କଜ୍ଜଳପାତି ପରି ପକ୍ଷୀମାନଙ୍କ ର ଅନ୍ୟ ଚଢ଼େଇଙ୍କ ପ୍ରତି ବୈମାତୃକ ତଥା ଲଢୁଆ ମନୋବୃତ୍ତି ନଜରକୁ ଆସି ଯାଉଥିଲା. ପୁଣି ଛାତ ଉପରେ ଖରାଦିନେ ପକ୍ଷୀଙ୍କ ପାଇଁ ଖୁଦ ଓ ପାଣି ଥୋଇଥିବା ଶ୍ୱେତା ଅନୁଭବ କରିଥିଲେ ସେଇ ଦୁଃଖଦ ଘଟଣା. ସବୁଦିନ ପାଣି ପିଇ ଉଡିଯାଉଥିବା ସେହି କଳା ମଚମଚ କାଉଟି ଇଲେକ୍ଟ୍ରି କରେଣ୍ଟ ରେ ମୃତ୍ୟୁ ବରଣ କରିବା ପରେ ତାଙ୍କର ଆଉ ପକ୍ଷୀ ହେବାକୁ ଇଛା ହେଉନଥିଲା. ସବୁ ପକ୍ଷୀ କିଏ କେତେବେଳେ ଉଡି ଆସି ଶ୍ୱେତା ଙ୍କ ଘର ଆଗରେ ଥିବା ବିରାଟ ବରଗଛ ଡାଳ ରେ ବସି ପୋକ ଖାଇଥାନ୍ତି. ସେକଥା ଭାବିଲା ବେଳକୁ ବାନ୍ତି ଆସିଯାଉଛି. ଉଠିଲେ ଶ୍ୱେତା. ଆସୁ ମରଣ. କେତେବେଳେ ଆସିବ ଜଣା ନଥିବା ଆଗନ୍ତୁକ ଯେବେ ଆସୁଛି ଆସୁ. ଏବେ ତାଙ୍କୁ କୋବି କାଟିବାକୁ ପଡିବ. ଶୀତ ସରି ସରି ବସନ୍ତ ଆସିବା ସହ ଏ କୋବିରେ ଯେତେ ପୋକ!ନାତିଟା ଦୌଡ଼ି ଆସି ଦେଖାଉଥିଲା କୋବିରୁ ବାହାରିଥିବା ପୋକଟିକୁ ପିଣ୍ଟୁ ପୋକ ନାମ ଦେଇ ଦିଆସିଲି ପେଡ଼ିରେ ପୁରେଇ ରଖିଛି ସେ କାଲିଠୁ. ଏଇ ପୋକ ହେଲେ କେମିତି ହୁଅନ୍ତା ଭାବୁ ଭାବୁ ଚଢ଼େଇ ପାଟିରେ ଯିବାକୁ ହେବ ଡ଼ରରେ କୋବି କାଟୁ କାଟୁ ଖାଲି ପୋକ ଦେଖି ବିରକ୍ତ ହେଲେ ଶ୍ୱେତା . ଉଠି ଦୌଡ଼ି ପଳାଇଲା ବେଳେ ନାତି ଆଗ୍ରହ ରେ ପୋକ ଗୁଡିକୁ ଦିଆସିଲି ପେଡ଼ିରେ ଭରୁଥିଲା ତ ଶ୍ୱେତା କହୁଥିଲେ ଦିନ ତମାମ ଭାବି ଭାବି ଶେଷକୁ ପୋକ ହେବି. ନା କେବେ ନୁଁହଁ. ଜେଜେମାଆ ଶ୍ୱେତାଙ୍କ ଶେଷ କେଇପଦ କଥା ଶୁଣି ନାତି ବିଚରା ହାତରୁ ଦିଆସିଲି ରେ ଥିବା ପୋକ ସବୁକୁ ତଳେ ପକେଇ ପୁଣି ଗୋଟେଇ ଚାଲିଥିଲା ତ ବୋହୁ ଆସି କହୁଥିଲା ଦିନ ତମାମ ତୋର ଏ କି ପୋକ ଗବେଷଣା ଚାଲିଛି କହିଲୁ. ନାତି କହୁଥିଲା ତୁମେ ଜାଣିନ କି ମାଆ, ଏମାନେ ସବୁ ଆରଜନ୍ମ ରେ ମୋ ଭଳି ଶିଶୁ ଓ କିଶୋରମାନଙ୍କର ଜେଜେମାଆ ଥିଲେ. ଶାଶୁ ବୋହୁ ପରସ୍ପର ମୁଁହଁ କୁ ଚାହିଁ ରହିଥିବା ବେଳେ ନାତି ଚମ୍ପଟ ମାରିଥିଲା.
