ନିଦ ହଜା ରାତିର ସ୍ବପ୍ନ
ନିଦ ହଜା ରାତିର ସ୍ବପ୍ନ
ନିଦ ନଥିଲା ଆଖିରେ ଶ୍ରାବଣୀଙ୍କ ର. ଲୁହ ମଧ୍ୟ ଶୁଖିଯାଇଥିଲା. ଯୋଉ ଡ଼ାଳ ରେ ହାତ ଦେଲେ ସେ ଡ଼ାଳ ଭାଙ୍ଗି ଯାଉଥିଲା ବେଳେ ତାଙ୍କ ଅନ୍ତରରୁ ଶୁଭୁଥିଲା ସେଇ ଗୋଟିଏ ସ୍ୱର. ଯିଏ ତୋ ନିଜର ବୋଲି ତଥାପି ବାକି ରହିଛି ତୋ ଛାଇ ପରି ତାକୁ ଧରିରଖ ଶ୍ରାବଣୀ. ଶାନ୍ତି ପାଇବୁ. ତୃପ୍ତି ମିଳିବ. ମନ ବୁଝିଯିବ. ହୃଦୟ ସ୍ଥିର ଓ ଅବିଚଳିତ ହୋଇଯିବ. ହେଲେ କିଏ ତା ପାଖରେ ଆଉ ବଳି ପଡ଼ିଛି ଯେ! ଯାହା କୋଳରେ ସେ ଜନ୍ମ ହୋଇଥିଲା ସେ ଦୁହେଁ ଗଲେ. ଭାଇ ମଧ୍ୟ ତାଙ୍କ ସହିତ ରୋଡ଼ ଆକ୍ସିଡେଣ୍ଟ ରେ ଗଲା. ହାତ ଧରି ଯାହାକୁ ବାହା ହେଲା ସେ ତିନି ତିନିଟା ଝିଅଙ୍କୁ ତା ହାତରୁ ଛଡେଇ କଂସ ମାମୁଁ ପରି ଶୀଳରେ କଚାଡିବା ପରି କୁଆଡେ ଆସିଲା ଛାଡ଼ି ଭଗବାନଙ୍କୁ ଜଣା. ତୃତୀୟ ଝିଅକୁ ଛାଡିବାକୁ ଯାଇ ମଧ୍ୟ ପାପ ର ପ୍ରାୟଶ୍ଚିତ ରେ ବସ ବାଡେଇ ଦେଲା ସ୍ୱାମୀଙ୍କ ବାଇକ କୁ ଯେ ସେଇଠି ଜୀବନ ହାରିଲେ ସ୍ୱାମୀ. ଗାଁରେ ଶାଶୁ ଶଶୁର ଥିଲେ ଯେ ସେ ଦୁହେଁ ମଧ୍ୟ ଅଜଣା ରୋଗରେ ପଡି ଯାଇଥିଲେ ସ୍ୱର୍ଗପୁର ଆଗୁଆ. ତେବେ ଆଉ ରହିଲା କିଏ? ତା ହୃଦୟ ଭିତରୁ ତଥାପି ଆବାଜ ଆସୁଥିଲା ଅଛି. ତୋ ପାଖେ ପାଖେ ଅଛି. ତ ଆଖିରୁ ନିଦ ହଜି ଯାଇଥିଲା. ମନ ଚିନ୍ତାଗ୍ରସ୍ତ ହେଉଥିଲା. ହୃଦୟରୁ କେବଳ ଗୋଟିଏ କଥା ଶୁଭୁଛି ଅଛି ଅଛି ଅଛି.ଦୌଡିଲେ ଶ୍ରାବଣୀ. ଅନାଥା ଆଶ୍ରମରୁ ଆଶ୍ରମ କୁ ଘୁରି ବୁଲିଲେ ଝିଅ ମାନଙ୍କର ବା ଗୋଟିକର ସନ୍ଧାନ ରେ ହେଲେ ସବୁ ବୃଥା. ସମସ୍ତ ଶିଶୁ କନ୍ୟା ଙ୍କର ପରିଚୟ ଥିଲା.ସେମାନେ ହୁଏତ ଗରୀବ ଥିବାରୁ ତାଙ୍କ ପିତା ମାତା ଏଠାରେ ତାଙ୍କୁ ଛାଡିଯାଇଛନ୍ତି. ପୁଣି ପିତା ମାତାଙ୍କ ନାମ ମଧ୍ୟ ରେଜିଷ୍ଟର ଖାତା ପ୍ରମାଣ ଦେଉଥିଲା. ଅସ୍ତବ୍ୟସ୍ତ ହୋଇ ଭଙ୍ଗା ହୃଦୟ ନେଇ ଘରକୁ ଫେରି ନିଦ ହେଉନଥିଲା ବେଳେ ଗୋଟେ ଅନାଥ ଆଶ୍ରମର ଦୃଶ୍ୟ ତାଙ୍କୁ ବ୍ୟଥିତ କରିବା ସହ ନିଦ ହଜେଇ ଦେଇଥିଲା ଆଖିରୁ. ଛୋଟ ଶିଶୁ କନ୍ୟାଟିକୁ ଆୟା ପ୍ୟାଣ୍ଟି ରେ କାହିଁକି ପରିସ୍ରା କଲୁ କହି ବାଡେଇବା ଦୃଶ୍ୟ ତାଙ୍କୁ ବିଚଳିତ କରିଥିଲା ତ ଆଖିକୁ ନିଦ ନଥିଲା ସେଦିନ ରାତି ସାରା.
ତା ପରଦିନ ସେହି ଅନାଆଶ୍ରମ ଯାଇ ଶିଶୁକନ୍ୟା ସହ ସେହି ଆୟାଙ୍କୁ ଠାଵ କରିବା ପରେ ତା ପିତା ମାତାଙ୍କୁ ଡକେଇ ଆଶ୍ରମ ର ପରିଚାଳକ ଓ ପିତାମାତା ଙ୍କ ସହମତିରେ ବାଳିକାଟିକୁ ପୋଷ୍ୟ କରିବା ଇଛା ମଧ୍ୟ ମରିଯାଇଥିଲା ଶ୍ରାବଣୀଙ୍କର କାରଣ ମାଆ ତାର କହୁଥିଲା ପ୍ରଥମରୁ ଶାସନ ର ଅଭାବ ଓ ଅତ୍ୟଧିକ ସ୍ନେହ ଶ୍ରଦ୍ଧା ଯୋଗୁଁ ବଡ଼ ହେଲାପରେ ପିଲାମାନେ ବାଟରେ ରହୁନଥିବାରୁ ପିଲାଦିନୁ ମୃଦୁ ଶାସନର ଆବଶ୍ୟକତା ଅଛି. ଦ୍ୱିତୀୟରେ ସେ ମାଆ ନିଜେ କହିଥିଲା ଆଶ୍ରମ ରେ ସବୁପିଲାଙ୍କ ଭିତରେ ରହି ଅନୁଶାସନ ଓ ସାମାଜିକତା ଉଭୟ ଶିକ୍ଷା ପାଇବ ଆମ ଝିଅ. ଆପଣଙ୍କ ଘରକୁ ଗଲେ, ଭଲ ଖାଇ ପିନ୍ଧି ଗେଲବସର ହୋଇ କୁପଥଗାମୀ ହୋଇଯିବାର ଆଶଙ୍କା କୁ ଏଡେଇ ଦେଇହେବନି. କାନ ମୁଣ୍ଡା ଭାଁ ଭାଁ ହୋଇଗଲା ମାଆଟିର ଅକାଟ୍ୟ ଯୁକ୍ତିରେ ତ ଘରକୁ ଫେରିଆସିଥିଲେ ମଧ୍ୟ ଶ୍ରାବଣୀ ଙ୍କୁ ନିଦ ନଥିଲା. ଭାବୁଥିଲେ ଏତେବଡ ଦୁନିଆଁରେ କିଏ ଆଉ ରହିଲା ତାଙ୍କ ନିଜର!ରାତିରେ ନିଦ ହଜି ମନ ଅଶାନ୍ତ ରହୁଥିବାରୁ ଡେରିରେ ନିଦ ଭାଙ୍ଗିଲା ସେଦିନ ଶ୍ରାବଣୀଙ୍କର. ସକାଳୁ ଦେଖିଲେ କରିଡର ରେ ପକ୍ଷୀ ଟିଏ ଛଟପଟ ହେଉଛି. ତାକୁ ପାଣି ଦେଇ ସାଷ୍ଟାଙ୍ଗ କଲାପରେ ସେ ଟିକେ ସୁସ୍ଥ ଅନୁଭବ କରିବା ପରେ ଉଡିନଯାଇ ପଡିରହିବାରୁ ତାକୁ କ୍ଷୀର ଓ ପରେ ପରେ ଛତୁଆ ଗୋଳେଇ ଖୁଆଇ ଦେଇ ଅଫିସ ଗଲେ ଶ୍ରାବଣୀ. ଉଡି ଯାଇନଥିଲା ପକ୍ଷୀ ଟି ବରଂ ମଲାତ୍ୟାଗ କରିବାକୁ ଜାଫ୍ରି ଫାଙ୍କ ଦେଇ ଉଡିଯିବା ପରେ ପୁଣି କାଠି କୁଟା ନେଇ ଫେରିଆସୁଥିଲା ତ ବୁଝିଗଲେ ଶ୍ରାବଣୀ ଯେ ପକ୍ଷୀଟି ଆସନ୍ନ ପ୍ରସବା ଓ ନୀଡ଼ ଗଢବାକୁ ଚହୁଁଛି ତ ଲାଗିପଡିଲେ ଶ୍ରାବଣୀ ପକ୍ଷୀ ପାଇଁ. ପକ୍ଷୀ ମଧ୍ୟ ବିଶ୍ୱାସ ରେ ଉଡି ଯାଉ ନଥିଲା. ସୁନ୍ଦର ଅଖା ଜରି, କମଳ ଓ କୁଟା କାଠି ଭିତରେ ଯୋଉଦିନ ଅଣ୍ଡାରୁ ଛୁଆ ଫୁଟେଇ ମାଆ ପକ୍ଷୀ ଉଡିଯାଉଥିଲା ଖାଦ୍ୟ ଅନ୍ୱେଷଣ ରେ, ଶ୍ରାବଣୀଙ୍କ ମନ କହୁଥିଲା ପାଇଗଲି ପାଇଗଲି. ତ ଦେଖିଲା ବେଳକୁ ପକ୍ଷୀଟି ତା ସାଥି କୁ ଧରି ଫେରି ଆସୁଛି. ନୂଆ ପକ୍ଷୀ ଟିର ଶଙ୍କା ଓ ଆଶଙ୍କା ଭାଙ୍ଗିବାକୁ ଯାଇ ବାଲକୋନି ଏପଟକୁ ଆଉ ଆସୁନଥିଲେ ସତ ହେଲେ ଛୁଆ ବଡ଼ ହୋଇଯିବା ପରେ ସମସ୍ତେ ଉଡିଯିବା ଚିନ୍ତାରେ ତାଙ୍କୁ ରାତି ସାରା ନିଦ ନଥିଲା.ନିଦ ହୀନ ରାତିରେ ସ୍ବପ୍ନ ସିନା ନଥିଲା କିନ୍ତୁ ଅନେକ ଭାବନା ଥିଲା ପକ୍ଷୀଙ୍କ ପାଇଁ. ଏବେ ତାଙ୍କୁ ହଠାତ ଲାଗିଲା ସେ ଗୋଟେ ପକ୍ଷୀ. ଯାହାକୁ କେହି ଉଠେଇବାକୁ ନାହିଁ, ଯାହାକୁ କେହି କୋଉଠି ଅପେକ୍ଷା କରେନା. ଯିଏ ମୁକ୍ତ ଓ ସ୍ବାଧୀନତା ପାଇ ନୀଳ ଆକାଶ ସାରା ଉଡ଼ୁଥାଏ, କେବେ ଗଢୁ ଥାଏ ବସା. ଏଥର ନିଦ ହୀନ ରାତି ନୁଁହଁ ବରଂ ସ୍ବପ୍ନ ଭରା ରାତି ଆସିଥିଲା ଶ୍ରାବଣୀ ଙ୍କ ପାଇଁ କିନ୍ତୁ ସକାଳୁ ପକ୍ଷୀ ଓ ଶାବକ ଉଡିଯାଇଥିଲେ ତ ଶ୍ରାବଣୀ ଭାବୁଥିଲେ ନିଦ ହୀନ ରାତି ଖୁବ ଭଲ ଥିଲା ହୁଏତ.
