କଥାଟିଏ କହ୍ନୁ
କଥାଟିଏ କହ୍ନୁ
ସବୁଠାରୁ ଦୂରରେ କିଏ ଅଛି କହିଲ ପିଲେ ବୋଲି ଜେଜେ ପଚାରୁଥିଲେ ନାତି ବାବା ଓ ନାତୁଣୀ ସୁରୁ କୁ ତ ସେ ଦୁହେଁ କହିଲେ ଆକାଶ. ଆକାଶ ଭିତରେ କିଏ ରହେ ପଚାରିଲେ ଜେଜେ ତ ପିଲାଦୁହେଁ କହିଲେ ସୂର୍ଯ୍ୟ, ଚନ୍ଦ୍ର, ତାରା, ଗ୍ରହ ଓ ଉପଗ୍ରହ ତଥା ନକ୍ଷତ୍ର ଓ ଉଲକା. ତେବେ ଏଥର କୁହ ସେମାନେ ଦୂରରେ ନା ପାଖରେ ତ ପିଲାଦୁହେଁ କହିଲେ ଦୂରରେ ତ ଜେଜେ କହିଲେ ଜଣେ ଥିଲେ ପଠାଣି ସାମନ୍ତ. ସେ ସେମାନଙ୍କୁ ନିକଟରୁ ଦେଖୁଥିଲେ. କେମିତି ଜେଜେ. ଦୁଇ ଖଣ୍ଡ କାଠି ଓ ଗୋଟେ ବାଉଁଶ ନଳୀ ସାହାଯ୍ୟରେ. କେମିତି ଜେଜେ. ଜେଜେ ଏଥର କହିଲେ ତାଙ୍କ କର୍ମ ବିଷୟରେ ଯାହା ଜାଣିଛି କହିବି ତୁମକୁ. ନିତ୍ୟ କର୍ମ ସାରି ଆସ. ପିଲାଦୁହେଁ ନିତ୍ୟକର୍ମ ସାରି, ଜଳଖିଆ ଖାଇ ସାରି ଓ ସ୍କୁଲରେ ଦିଆଯାଇଥିବା ବିଷୟ ଭିତ୍ତିକ ପାଠ ଶେଷ କରି ବସିଗଲେ ଜେଜେଙ୍କ ପାଖରେ ତ ଜେଜେ କହିଲେ କହୁଛି ଶୁଣ.
ତୁଳସୀ ଦୁଇପତ୍ର ରୁ ବାସିଲା ପରି ପିଲାଦିନୁ ଖରା ଛାଇର ଖେଳ ଦେଖୁଥିବା ପିଲାଟି ସୂର୍ଯ୍ୟ ଓ ଚନ୍ଦ୍ରଙ୍କୁ ଚାହିଁ ରହୁ ରହୁ ଅନୁସନ୍ଧାନ ଆଖିରେ ପିଲାଦିନୁ ଛାୟାମାପ ଓ ନକ୍ଷତ୍ର ଦର୍ଶନ କରିବା ଇଛା ସହ ଭାବୁଥିଲେ କେମିତି ହୁଏ ପୂର୍ଣ୍ଣମୀ, କେମିତି ହୁଏ ଅମାବାସ୍ୟା, କେମିତି ହୁଏ ଦିନ ରାତି ଓ ଋତୁ!ତା ସହ ଭାବୁଥିଲେ ସୂର୍ଯ୍ୟଠାରୁ ପୃଥିବୀ କେତେ ଦୂର? ସମୟ କେମିତି ଗଣନା କରିବା ଇଛା ତାଙ୍କୁ ଦିନେ ଜ୍ୟୋତିର୍ବିଜ୍ଞାନୀ ହେବାକୁ ବାଟ ଦେଖାଇଥିଲା.ପ୍ରକୃତିର ଅପରୂପ ଶୋଭା ମଣ୍ଡନ କରିଥିବା ଖଣ୍ଡପଡା ମାଟିର ଯୋଗଜନ୍ମା ମହାପୁରୁଷ ତଥା ପ୍ରଚଣ୍ଡ ପ୍ରତିଭଧାରୀ ବ୍ୟକ୍ତିତ୍ୱ ଦିନେ ସାରା ଓଡ଼ିଶା ରେ ପଠାଣି ସାମନ୍ତ ରୂପେ ପରିଚିତ ହୋଇଥିଲେ. ସେହି ମହାପୁରୁଷଙ୍କ ଅନନ୍ୟ କୃତୀ ତଥା ସାଧନା ହିଁ ଆଜି ତାଙ୍କୁ ବିଶ୍ୱଦରବାର ରେ ଜ୍ୟୋତିର୍ବିଜ୍ଞାନୀ ରୂପେ ପରିଚିତ କରାଇ ପାରିଛି.
ପିତା ଶ୍ୟାମ ବନ୍ଧୁ ସିଂହ ଗଣିତ ଓ ଜ୍ୟୋତିଷ ଶାସ୍ତ୍ର ରେ ନିପୁଣ ଥିବାରୁ ପୁଅ ପଠାଣି ଙ୍କ ମଧ୍ୟରେ ଜ୍ୟୋତିଷ ଶାସ୍ତ୍ର ପାଇଁ ପ୍ରବଳ ଆଗ୍ରହ ଥିଲା. ମାତ୍ର ଏଗାର ବର୍ଷ ବୟସରୁ ଅନେକ ଉତ୍କଳ ଭାଷା ଶିଖି ଓ ଗଣିତରେ ପାରଦର୍ଶିତା ହାସଲ କରି ବାଳୁତ ପଠାଣି ଶେଷ ଜୀବନ ପର୍ଯ୍ୟନ୍ତ ମହାମାନବ ରୂପେ ଆନ୍ତହୀନ ଆକାଶର ତଥ୍ୟ ଖୋଜି ଖୋଜି ଚମତ୍କୃତ କରିଥିଲେ ସମଗ୍ର ଦେଶବାସୀଙ୍କୁ.ଗଣିତ ଶାସ୍ତ୍ର ଓ ଜ୍ୟୋତିଷ ଶାସ୍ତ୍ର ପଢ଼ି ଅସାଧାରଣ ଜ୍ଞାନ ଆହରଣ କରି ଆକାଶରେ ଥିବା ତାରା ମାନଙ୍କ ଗତିବିଧି ମାତ୍ର ଦୁଇଖଣ୍ଡ କାଠି ଓ ବାଉଁଶ ନଳୀ ସାହାଯ୍ୟରେ ଅନୁଶୀଳନ କରି ପୂର୍ବରୁ ଥିବା ଜ୍ୟୋତିଷ ଶାସ୍ତ୍ର ର ତ୍ରୁଟି ସୁଧାରି ପାରିଥିଲେ.ଆକାଶରେ ଥିବା ଗ୍ରହ ନକ୍ଷତ୍ର ର ଗଣନା କରି ଲେଖିଥିଲେ ସିଦ୍ଧାନ୍ତ ଦର୍ପଣ ଓ ସମୟ ଗଣନା କରୁଥିଲେ ଉଲମ୍ବୀ ଚକ୍ର ର ସାହାଯ୍ୟ ନେଇ. ଯାହା ଆଜି ବି ପାଞ୍ଜି ପ୍ରସ୍ତୁତ ରେ ସାହାୟକ ହୋଇ ଆସୁଅଛି.ମହାମାନବ ଙ୍କ କୀର୍ତ୍ତୀ ଓ କୃତି ତାଙ୍କୁ ମହାମହୋପଧ୍ୟାୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ରୂପେ ପରିଚୟ ଦେଇପାରିଛି.
ଆସାଧାରଣ ଜ୍ୟୋତିର୍ବିଜ୍ଞାନୀ ଥିଲେ ପଠାଣି ସାମନ୍ତ. ତାଙ୍କର ପୁରା ନାମ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପ୍ରାତ୍ର ଥିଲା. ସେ 1835ମସିହା ର ଡିସେମ୍ବର ତେର ତାରିଖ ଦିନ ନୟାଗଡ଼ ଜିଲ୍ଲାର ଖଣ୍ଡପଡା ରାଜବଂଶ ରେ ଜନ୍ମଗ୍ରହଣ କରିଥିଲେ. ତାଙ୍କ ପିତାଙ୍କ ନାମ ଶ୍ୟାବନ୍ଧୁ ସିଂହ ଓ ମାତାଙ୍କ ନାମ ବିଷ୍ଣମାଳୀ ଦେବୀ. ପିଲାଦିନୁ ସେ ଉଦାସୀ, ମନଯୋଗୀ, ଏକାଗ୍ରଚିତ୍ତ, ଅଧ୍ୟବସାୟୀ ଓ ଉଦାରମନା ଥିଲେ. ସେ ଗୁରୁ କୃତ୍ତିବାସ ରଥ ଙ୍କ ଠାରୁ ବାଲ୍ୟଶିକ୍ଷା ଓ ଗୁରୁ ପଣ୍ଡିତ ଆନନ୍ଦ ଖାଡ଼ଙ୍ଗା ଙ୍କ ଠାରୁ ସଂସ୍କୃତ ଶିକ୍ଷା ଲାଭ କରିଥିଲେ. ଗୋଟିଏ ବାଉଁଶ ନଳୀ ଓ ଦୁଇଟି କାଠି ସାହାଯ୍ୟରେ ଗ୍ରହ ଓ ନକ୍ଷତ୍ର ତଥା ତାରା ମାନଙ୍କ ଉପରେ ପର୍ଯ୍ୟବେକ୍ଷଣ କରି ସେମାନଙ୍କ ମଧ୍ୟରେ ଦୂରତା ମାପି ପାରୁଥିଲେ ଓଡିଶାର ବରପୁତ୍ର ଯାହାଙ୍କୁ ତାଙ୍କ ଶ୍ରଦ୍ଧା ନାମ ଅନୁଯାୟୀ ଆମେ ପଠାଣି ସାମନ୍ତ କହୁ. ଦୀର୍ଘ କୋଡିଏ ବର୍ଷ ର ସାଧନା ପରେ ଗ୍ରହ ନକ୍ଷତ୍ର ଉପରେ ଅନୁଶୀଳନ କରି ସେ ଲେଖିଥିଲେ ସିଦ୍ଧାନ୍ତ ଦର୍ପଣ ଗ୍ରନ୍ଥ. କାଠି ଓ ବାଉଁଶ ନଳୀ ସାହାଯ୍ୟ ରେ ସୂର୍ଯ୍ୟଘଡି, ଶଙ୍କୁଦଣ୍ଡ, ଉଲମ୍ବୀ ଚକ୍ର, ଖଗୋଳ ଯନ୍ତ୍ର, ଗୋଲ ଯନ୍ତ୍ର ଆଦି ଉଦ୍ଭାବନ କରିଥିଲେ. ଖାଲି ଆଖିରେ ଓ ଖୋଲା ଅଗଣାରେ ମାତ୍ର ଦୁଇ ଖଣ୍ଡ କାଠି ଓ ଗୋଟିଏ ବାଉଁଶ ନଳୀ ସାହାଯ୍ୟରେ ଆକାଶକୁ ଦେଖି ଓ ତାରାଙ୍କ ଗତିବିଧି ଅନୁଶୀଳନ କରି ହାରାହାରି ଚଉଦ ବର୍ଷ ବୟସରୁ ଚଉତିରିଶ ବର୍ଷ ଯାଏଁ ମହାକାଶ ଗବେଷଣା ସହ ସିଦ୍ଧନ୍ତ ଦର୍ପଣ ଗ୍ରନ୍ଥ ତାଙ୍କୁ ଅମର କରି ରଖିପାରିଛି. ପୁରୀ ଠାରେ 1904ମସିହା ଜୁନ ମାସ ଏଗାର ତାରିଖରେ ମୃତ୍ୟୁ ବରଣ କରିଥିବା ପଠାଣି ସାମନ୍ତ ଆଜି ମରି ମଧ୍ୟ ତାଙ୍କ ବିଜ୍ଞାନୀ ଆଖିର ଗବେଷଣା ପାଇ ଅମର ରହିଛନ୍ତି ଶ୍ରେଷ୍ଠ ଜ୍ୟୋତିର୍ବିଜ୍ଞାନୀ ହିସାବରେ. ନାମ ଲେଖିଦେଇଛନ୍ତି ସ୍ବର୍ଣ୍ଣ ଅକ୍ଷମାଳାରେ ବିଶ୍ୱରେ.1893ମସିହାରେ ଇଂରେଜମାନେ ତାଙ୍କୁ ମହାମହୋପାଧ୍ୟାୟ ଉପାଧିରେ ଭୂଷିତ କରିଥିଲେ.
ଏଥର ବାବା ଓ ସୁର କହୁଥିଲେ ଆମ ସ୍କୁଲରେ ପଠାଣି ସାମନ୍ତ ଙ୍କ ଜୟନ୍ତୀ ପାଳନ ବେଳେ ବକ୍ତୃତା କହିବାକୁ କୁହାଯାଇଥିଲା. ଆମେ ଦୁହେଁ ଆଜି ଯାହା ଶୁଣିଲୁ ତାକୁ କହି ବକୃତା ଦେବା ସହ ରଚନା ମଧ୍ୟ ଲେଖିପାରିବୁ. ଧନ୍ୟବାଦ ଜେଜେ. ସତରେ ସବୁଠାରୁ ଦୂର ଆକାଶରେ ଥିବା ସୂର୍ଯ୍ୟ, ଚନ୍ଦ୍ର, ତାରା, ନକ୍ଷତ୍ର ଙ୍କୁ ମାପି ପାରୁଥିବା ପଠାଣି ସାମନ୍ତ ଜଣେ ମହାମାନବ ଥିଲେ. ଜେଜେ ମୁଣ୍ଡ ଟୁଙ୍ଗାରି ମୁରୁକି ହସୁଥିଲେ.
