ସେ କିଏ
ସେ କିଏ
ସେଦିନ ଆଜି ବି ମନେ ପଡେ, ଭାରି ଦୁଃଖ ଲାଗେ । ଏବେ ବି ମୁଁ ବୁଝିପାରୁନି, କିଏ ଥିଲା ସେ? ଯୋଉମାନଙ୍କୁ ନିଜର ଭାବିଥିଲି ସେମାନେ ତ କଷ୍ଟ ଦେଲେ ଆଉ ଇଏ କି ସାହାଯ୍ୟ କରିପାରିବ ଯେ...।
ବଡପୁଅକୁ ପାଞ୍ଚମାସ, ଶାଶୂଘର କହିଲେ କୋଠମାରୁଣ କରି ଆସିବାକୁ ।ଅର୍ଥାତ ଘର ଇଷ୍ଟଠାରେ ଛୋଟ ଛୁଆଙ୍କୁ ମୁଣ୍ଡିଆ ମାରି ପୁଣିଥରେ ବାପଘରକୁ ଚାଲିଯିବାକୁ ପଡିଥାଏ ।କିନ୍ତୁ ଶାଶୁଙ୍କ ଦେହ ଭଲ ନ ଥିବାରୁ କିଛିଦିନ ରହିବାକୁ ପଡିଥିଲା ଝରଣାକୁ ତାର ଛୋଟ ପୁଅ ସହ ।ଛୋଟ ପରିବାର ସିନା, ସକାଳ ଛଅରୁ ରାତି ଏଗାର ଯାଏଁ କାମବନ୍ଦ ନ ଥାଏ ଝରଣାର ।ଏତିକି ଭିତରେ ପିଲାଟାର ବି ଦାୟିତ୍ୱ ନେଇହୁଏ ନାହିଁ ।ଶାଶୁଙ୍କ ଦେହ ସେତେବେଳକୁ ଭଲ ହୋଇଯାଇଥିଲା କିନ୍ତୁ ସେ ନିଜ ରୁଟିନ ଅନୁସାରେ ହିଁ ଚଳୁଥିଲେ ।ଝରଣାର ସ୍ୱାମୀ ବାହାରେ ଚାକିରୀ କରନ୍ତି ଶଶୁର ମାର୍କେଟିଙ୍ଗ କରିପାରନ୍ତି ଆଉ କଣ ବା କରନ୍ତେ ବୃଦ୍ଧ ବୟସରେ ସହରରେ ରହୁଥିବାରୁ ପ୍ରତିଦିନ କିଛି ନା କିଛି ସମ୍ପର୍କୀୟଙ୍କ ଆଗମନ ବି ହେଉଥାଏ ।ଏତିକି ଭିତରେ ପିଲାଟିକୁ ଗେଲ କରିବାପାଇଁ ଝରଣାର ସମୟ ଟିକେ ବଳୁ ନ ଥାଏ। ହେଲେ ସେ ଘରର ଆଉଗୋଟିଏ ସଦସ୍ୟ, ନାଁ ତାର ଟଫି। ଏପଟେ ସକାଳୁ ସମସ୍ତଙ୍କ ପାଇଁ, ଜଳଖିଆ ଶଶୁରଙ୍କ ପାଇଁ ରୋଷେଇ ଆଉ ଟଫି ପାଇଁ ମାଣ୍ଡିଆ କ୍ଷୀରି ସହ ଅଲଣା ପଲାଉ... ଏସବୁ ଭିତରେ ଛୁଆଟି ପାଇଁ ସ୍ୱତନ୍ତ୍ର ରୋଷେଇର ସମୟ ହିଁ ନ ଥାଏ। ସ୍ୱାମୀଙ୍କ କମ ଦରମା ଯୋଗୁ କିଛି କରିପାରୁନଥାଏ ଝରଣା ।କାରଣ ଘରର ସବୁ ଖର୍ଚ୍ଚ ଶଶୁରଙ୍କ ପେନସନ ଦରମାରୁ ହେଉଥାଏ ।ଆସ୍ତେ ଆସ୍ତେ ପିଲାଟାକୁ ବି ସମସ୍ତେ ବିଜାର ହୋଇଗଲେ କାରଣ ସବୁବେଳେ କନ୍ଦାକାନ୍ଦି କରୁଥାଏ ।ଶଶୁର ବୁଝାନ୍ତି ଶାଶୁଙ୍କୁ ଟିକେ ଧରିବାପାଇଁ କିନ୍ତୁ ସେ କୁହନ୍ତି କାନ୍ଦିଲେ ହାଡ଼ ମଜବୁତ ହେବ କାନ୍ଦୁ, ଆମବେଳକୁ ତିନି ତିନିଟା ପିଲା କେମିତି ଧରି ଆମେ ସବୁ କାମ କରୁଥିଲୁ ।ଏହାଶୁଣି ଝରଣାର ଆଖି ଲୁହ ଝରିପଡୁଥାଏ ସିନା କିଛି କରିପାରୁନଥାଏ ଏପଟେ ରୋଷେଇ କରିବାକୁ ବାଧ୍ୟ, ରୋଷେଇ ବସାଇ ଲୁଗାପଟା ସଫା କରୁଥାଏ । ପିଲାଟି ତଳେ ଶୋଇ ପାଟି କରୁଥାଏ ତ କେତେବେଳେ କାନ୍ଦୁଥାଏ ।ସେପଟେ ଶାଶୁ ଟିଭି ଦେଖୁଥାନ୍ତି, ଠିକ ଏତିକି ବେଳେ କାନ୍ଦ ବନ୍ଦ ହୋଇଗଲା, କଣ ହେଲା ଆସି ଦେଖିଲାବେଳକୁ ଝରଣା ନ କାନ୍ଦି ରହିପାରିଲାନି ।ସେ ଯାହା ଦେଖିଲା ଆଶ୍ଚର୍ଯ୍ୟ ଥିଲା, ପୁଅର କାନ୍ଦ ଶୁଣି ଟଫି ଧୀରେ ଧୀରେ ଆସି ତା ହାତରେ ହାତ ମିଶାଇ ଗେଲ କରୁଥିଲା, ଝରଣାକୁ ଦେଖି ଚମକି ଆସ୍ତେ ଆସ୍ତେ ପଛକୁ ଘୁଞ୍ଚିଗଲା ।ଏ ସବୁ ବୁଝିବାପାଇଁ ଝରଣା କବାଟ କଣରେ ଲୁଚିଗଲା ପୁଣିଥରେ ପୁଅ କାନ୍ଦିଲା ଏତିକି ବେଳେ ଟଫି ପୁଣି ଧୀରେ ଆସି ତା ସହ ଖେଳିଲା, ପୁଅ ମଧ୍ୟ ହସିକି ଖେଳିବାରେ ଲାଗିଲା ।ହଁ ଟଫି ହେଉଛି ସେ ଘରର କୁକୁର ଛୁଆ, ଯାହାକୁ ଚାରିହଜାର ଟଙ୍କା ଦେଇ କିଣି ଆଣିଥିଲେ ଘର ଜଗିବାକୁ ।ସେଥିପାଇଁ ତାର ଖାଇବା ପିଇବା ନିର୍ଦେଶାନୁସାରେ ହେଉଥିଲା ।କିନ୍ତୁ ପଶୁହୋଇ ମଧ୍ୟ ଶିଶୁର କାନ୍ଦ ସହି ନପାରି ଲୁଚିଆସି ଖେଳାଉ ଥିଲା ଆଉ ଯୋଉମାନେ ଏ ଘରର ଅସଲି ସଦସ୍ୟ ସେମାନଙ୍କ ହୃଦୟ କେତେ କଠୋର ଏଇ ପଶୁଠାରୁ ବି ଛୋଟ? ଏମିତି ବହୁଦିନପରେ ଛୁଆଟି ବଡ ହୋଇଯାଇଛି, ପ୍ରାୟ ଚାରିବର୍ଷ । ତାସହ ଟଫି ମଧ୍ୟ ବଡହୋଇ ଯାଇଛି। ଇତି ମଧ୍ୟରେ ଝରଣାର ଦୂର ଏକ ଗ୍ରାମରେ ଚାକିରୀ ହୋଇଯାଇଛି କିନ୍ତୁ ତାକୁ ଏକୁଟିଆ ଯିବାକୁପଡ଼ିଛି ଛୁଆ ସହ ।କିନ୍ତୁ ଛୁଟିରେ ସେ ଯେତେବେଳେ ଆସେ ସବୁଠୁ ଅଧିକ ଖୁସି ଦେଖେ ଟଫିକୁ ।ଗାଡ଼ିରୁ ଓଲ୍ହାଇ ଅଛିକି ନାହିଁ ଦଉଡି ଯାଇ କୁଣ୍ଢାଇ ପକାଏ ପୁଅକୁ, ସାଥିରେ ଧରିକି ଆସେ, ପୁଣି ଗଲାଦିନ ଆଖିରୁ ଲୁହ ଝରାଏ ମଣିଷ ପରି, ଆଉ ଛାଡିଆସେ ଗାଡି ପାଖକୁ ।ସତେ ଯେମିତି ସେ ମିସ କରୁଥିଲା ତାର କେହି ଜଣେ ସାଙ୍ଗ ଅବା ଭାଇକୁ!କିଛିଦିନ ପରେ ତାର ଦେହ ଅସୁସ୍ଥ ହେଇଗଲା ଲାଗୁଥିଲା ସେ ବହୁ ଚିନ୍ତାରେ ରହୁଛି, ପ୍ରାୟ ସମୟ ଆଖିରୁ ଲୁହ ଗଡ଼ାଇ ମନକୁ ମାରି ବସିରହୁଛି ।ଏମିତି ଦିନେ ଖାଇବାକୁ ଦେଲାବେଳେ ପାଟିକରି ଦେଲେ ବୋଲି ସେ ଆହୁରି ମନଦୁଃଖ କଲା ।ଦିନେ ସକାଳୁ ଫୋନ ଆସିଲା ଝରଣା ପାଖକୁ ।ପଡିଶାଘର ଫୋନ କରିଥିଲେ, ମନ ସନ୍ଦେହ ଥିଲା କାଳେ କିଛି ହେଇନି ତ, ଠିକ ଏତିକି ବେଳେ ସେ କହିଲେ ଆଜି ଟଫି ଚାଲିଗଲା ।ପୁଅ ଭାବିଲା ଆଉ କୋଉ ଛୋଟ ପିଲା ସାଥିରେ କୁଆଡେ ପଳେଇଛି ବୋଲି କିନ୍ତୁ ଝରଣାର ଲୁହ ଦି ଟୋପା ଠିକ ବୁଝି ପାରୁଥିଲା, ସେ କୁଆଡେ ଯାଇଛି ।ସେ ନିଜକୁ ପଚାରୁଥିଲା କାହିଁକି ଆଜି ଗୋଟେ ପଶୁର ଚାଲିଯିବାରେ ତାର ଏତେ ଦୁଃଖ? କିଏ ସେ? କଣ ସମ୍ପର୍କ ଥିଲା ତା ସହ ଆମର? ଆଜିବି ଖୋଜି ପାଉନି ଝରଣା, ବାରମ୍ବାର ତା ମନରେ ଗୋଟିଏ ପ୍ରଶ୍ନ ସେ କିଏ? ଟଫି ନା ଟଫି ରୂପରେ କେଉଁ ପରମାତ୍ମା ।ଯିଏ ବି ହେଉ, ତାକୁ ଭଗବାନ ସଦୟ ହୋଇ ତାର ଆତ୍ମାର ସଦଗତି କରନ୍ତୁ ।