Sudeshna Pradhan

Fantasy Inspirational Children

4.6  

Sudeshna Pradhan

Fantasy Inspirational Children

ସାଧନା

ସାଧନା

4 mins
733


ପାହାଡ଼ ତଳେ କୁଳୁକୁଳୁ ନାଦ କରି ବହିଯାଉଥାଏ ନଈଟିଏ, ଆଉ ସେଇ ନଈକୁ ଲାଗି ଛୋଟ ଗାଁ ଟିଏ ନାଁ ତାର 'ବଙ୍କା' |ସେଇଗାଁର ଝିଅ ସାଧନା |ଛୋଟ ବେଳୁ ତାର ଦାଉ ସାଧିବାକୁ ବୋଧେ ଆଗରୁ ଭଗବାନ ନିର୍ଣ୍ଣୟ କରିଥିଲେ |ସାଧନାର ବାପା ନିଜ ମାଆଙ୍କ ମନ ଦୁଃଖ ଯୋଗୁଁ ମିଲିଟାରୀ ଚାକିରୀ ଛାଡି ଆସିଲେ |ସେ ସମୟର ଶିକ୍ଷିତ ପରିବାରଟିଏ, ତା ସାଙ୍ଗକୁ ସେହି ଗାଁର ଧନୀକ ଶ୍ରେଣୀର ତାଙ୍କ ପରିବାର |ସାଧନାର ଜେଜେ ତାଳପତ୍ର ପୋଥିରେ କଣ ସବୁ ଲେଖା ଲେଖି କରି ରଖନ୍ତି |ଦିନେ ଜେଜେମା ବିରକ୍ତ ହୋଇ ସବୁବେଳେ କାହିଁକି ଏସବୁ ପୋଥିପତ୍ର ଧରି ବସୁଛନ୍ତି କହି ସବୁ ପୋଥିରେ ନିଆଁ ଲଗାଇଦେଲା |ଦେଖ ତାର ପରିଣାମ |ରାତିରେ ଘର ଜଳି ପାଉଁଶ ହେଇଗଲା, ଆଉ ତା ଉପରେ ନାଗ ସାପ ମାଳ ମାଳ |ଏହାର କିଛି ଦିନ ପରେ ଜେଜେଙ୍କ ଦେହାନ୍ତ ହୋଇଗଲା |ସତେ ଯେମିତି ଗ୍ରହଦଶା ପଡିଗଲା ସେ ପରିବାର ଉପରେ! ସେତେବେଳକୁ ସାଧନା ସାତ ବର୍ଷର ହୋଇଥାଏ |ତାର କୋମଳ ମନରେ ଏସବୁ କାହାଣୀ ପରି ଲାଗୁଥାଏ |ଜେଜେମାଙ୍କ ମନ କଷ୍ଟ ନ ହେଉ ବୋଲି ବାପା ସିନା ଚାକିରୀ ଛାଡିଦେଲେ, ହେଲେ ଦାଦା ଗୋପାଳପୁର ପାଖ ପାଲୁର ରେ ଫୋରେଷ୍ଟର ଚାକିରୀରେ ନିଯୁକ୍ତ ହେଲେ |ଏପଟେ ବାପା ଜେଜେଙ୍କ ପରେ ଘର ଜମିବାଡ଼ି କଥା ବୁଝା ସୁଝା କରନ୍ତି |କିନ୍ତୁ ଜେଜେଙ୍କ ପୋଥିପତ୍ର ପୋଡ଼ିଗଲା ପରେ ସବୁକିଛି ଯେମିତି ଗୋଳମାଳ ହେଇଗଲା |ସାଧନାର ବାପା ମଧ୍ୟ ଲେଖାଲେଖି କଲେ ତାଳପତ୍ରରେ |ଯୋଉଦିନ ଯାହା ଘଟଣା ହୁଏ ସେ ଆଗରୁ କହିଦିଅନ୍ତି |ଏହା ଦେଖି ଲୋକେ ତାଙ୍କୁ ପାଗଳ ହୋଇଗଲେ ବୋଲି ଭାବୁଥିଲେ |ବାପା କିଛିଦିନ ହେଲା ବ୍ୟସ୍ତରେ ରହୁଛନ୍ତି, ପଚାରିଲେ କିଛି କହୁନାହାନ୍ତି, ସତେ ଯେମିତି ଆଗକୁ କିଛି ବଡ଼ ଦୁର୍ଘଟଣା ଘଟିବାକୁ ଯାଉଛି |ସତକୁ ସତ ସେୟା ହେଲା, ସାଧନାର ମାଆଙ୍କ ଦେହ ହଠାତ ଖରାପ ହୋଇ ସେ ମୃତ୍ୟୁ ବରଣ କଲେ |ପୁରା ପରିବାର ଉପରେ ଅକାଳ ଚଡକ ପଡ଼ିଗଲା |ଦାଦାଖୁଡି ବାହାରେ ରୁହନ୍ତି |ଜେଜେମାଆ, ବାପା ଆଉ ତିନିବର୍ଷର ସାନଭାଇକୁ ନେଇ ସାଧନାର ଜୀବନ ଆରମ୍ଭ |ଏତିକିରେ ବି ପ୍ରଭୁଙ୍କ ଇଚ୍ଛା ପୂରଣ ହେଲାନି, ବୋଉଙ୍କ ବର୍ଷିକା ଦିନ ତିନି ବର୍ଷର ସାନଭାଇ ବି ହଠାତ କଦଳୀଗଛ ପଡ଼ି, ଦୀପ ଲିଭିଗଲା ଆଉ ସେ ଦିନ ତାର ଜୀବନ ଦୀପ ବି ଲିଭିଯାଇଥିଲା |ଦୁଃଖ ଉପରେ କଷ୍ଟର ପାହାଡ଼ ଲଦିହୋଇଗଲା ପୁରା ପରିବାର ଉପରେ |ସାତ ବରଷର ସାଧନାର ଜୀବନ ସାଧିତ ନ ହେଉ ବୋଲି ବାପା ଦ୍ଵିତୀୟ ବିବାହ କଲେ ନାହିଁ |ଜେଜେମାଆ ଯେନଟାଏଁ ରୋଷେଇ କରି ଚଳାଇ ନିଅନ୍ତି |ସାଧନାର ମାମୁଁ ଆସି ସାଧନାକୁ ନେଇଗଲେ, ଏପଟେ ବାପା ସଂକ୍ରାନ୍ତି ଆସିଲେ ପାଗଳ ପରି ବଖାଣି ଯାଆନ୍ତି ଗାଁର ଆଗନ୍ତୁକ ଘଟଣା ଗୁଡିକ |କେହି କେହି ମାନନ୍ତି ଆଉ କେହି ମାନନ୍ତିନି |ଥରେ ସେ ସୁରୁଗୁଣୀ ପାହାଡ଼ ଉପରେ ସତ୍ୟନାରାୟଣ ଅଛନ୍ତି ବୋଲି ସ୍ବପ୍ନରେ ଆସି କହୁଛନ୍ତି, ବାରମ୍ବାର କହିଲେ |କେହି ବି ବିଶ୍ୱାସ କଲେ ନାହିଁ |ସେ ହଳିଅl ପିଲାଙ୍କୁ କହି ଗାଁ ଲୋକ ନେଇ ସେ ଜାଗାକୁ ଯାଇ ଦେଖିଲେ ଦୁଇଟି ପଥର କୋରଡ଼ାରେ ନାଗେଶ୍ୱର ବିରାଜମାନ ଆଉ ପଥର ଆଡେଇ ଦେଖିଲେ ରକ୍ତ ବର୍ଣ୍ଣ ତ୍ରିଶୂଳ ଯାହା ଆଜି ଯାଏଁ ଅଛି |ଏଥର ଲୋକେ ତାଙ୍କୁ ବହୁତ ମାନିଲେ |ସାଧନା ଗଲାପରେ ସେ ମନ୍ଦିରରେ ସମୟ ଅତିବାହିତ କରି ବାବାଜୀ ସାଜିଗଲେ |ଏପଟେ ସାଧନା ମାମୁଁଘରେ ପିଲା ଗହଳିରେ ରହି ଆସ୍ତେ ଆସ୍ତେ ବଡ଼ ହେଲା, ମାମୁଁ ମଧ୍ୟ ତାର ବାହାଘର ଜଣେ ଭଲ ପିଲାଦେଖି କରାଇଦେଲେ, ଯାହାର ପରିବାର ଠିକ ସାଧନା ପରିବାର ପରି ସାଧିତ ହୋଇ ସାରିଛି |ଦୁଃଖର ପାହାଡ଼ରେ ଚଳିଥିବା ସାଧନା ଛୋଟ ମୋଟ ଦୁଃଖକୁ ସହିଯାଏ, ଶାଶୁଶ୍ୱଶୁରଙ୍କୁ ନିଜ ମାଆ ବାପା ପରି ଦେଖେ |ଦୁଇ ଦେଢ଼ଶାଶୁ ଓ ସାତ ଭଣଜା ଭାଣିଜୀରେ ସୁଖ ଦୁଃଖରେ ଦିନ କାଟିନିଏ ଘର ସାରା କାମରେ ବ୍ୟସ୍ତ ରହି |ସମସ୍ତଙ୍କ ଖାଇବା ପିଇବା, ଲୁଗାପଟା ସଫା ଘରର ଯାବତୀୟ କାମ କରୁ କରୁ ନିଜ ଖାଇବା ସମୟ ମଧ୍ୟ ଭୁଲିଯାଇଥାଏ |ପିଲାଦିନୁ ମାଆର ସ୍ନେହ ଜାଣି ନ ଥିବା ସାଧନା ନିଜେ ସମସ୍ତଙ୍କ ମାଆ ସାଜି ଯାଇଥିଲା |ସାନ ବଡ଼ ସମସ୍ତଙ୍କ କଥା ମାନି ଚଳୁଥିଲା, ସାଇ ପଡିଶାଙ୍କୁ ମଧ୍ୟ ନିଜର କରିପାରିଥିଲା |ଆସ୍ତେ ଆସ୍ତେ ସାଧନା ତିନୋଟି ଛୁଆର ମାଆ ମଧ୍ୟ ସାଜିଗଲା |ସାନବଡ଼କୁ ମିଶାଇ ପନ୍ଦର ଜଣଙ୍କ ଦାୟିତ୍ୱ ସେ ଏକାକୀ କରିପାରୁଥିଲା, ତଥାପି କେବେ ମନ ଦୁଃଖ କରି ନ ଥିଲା |ବେଳେବେଳେ ପିଲାମାନଙ୍କୁ ଦେଖି ତା ପିଲାଦିନ କଥା ମନେ ପକାଇ ଦୁଃଖ କରେ, କିନ୍ତୁ ନିଜ ପିଲାଙ୍କ ଅଳି ଅର୍ଦଳୀରେ ଆଉ ଭାବିବାକୁ ବି ସମୟ ପାଏନି ସେ |କାହାର ଦେହ ଟିକେ ଖରାପ ହେଲେ ରାତିସାରା ତା ପାଖରେ ବସିରହିଥିବ, କେତେ ଓଷାବ୍ରତ ମାନସିକ କରି କରୁଥିବ, ଏତେ ସାଧନା ଯେ ସେ କରିପାରୁଛି କେମିତି ¡ଶେଷରେ ଭଗବାନ ସାଧନାର କର୍ମସାଧନାରେ ସନ୍ତୁଷ୍ଟ ହୋଇଗଲେ |ଫଳ ସ୍ୱରୂପ ତା ପିଲାମାନଙ୍କୁ ଭଲ ବୁଦ୍ଧି ଦେଇ ସବୁ କ୍ଷେତ୍ରରେ ଆଗୁଆ କଲେ, ପିଲାମାନଙ୍କ ପାଇଁ ନାନା ଓଷାବ୍ରତ କରି, ସେମାନଙ୍କ ପାଠପଢ଼ା ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କାମନା କରେ |ବାହାରେ ଗରୀବ ଭିକାରୀ ହେଉ ଅବା ଭୋକିଲା ଲୋକଟିଏ ଦେଖିଲେ ଖାଇବାକୁ ଦେଇ ମନ ତୋଷ କରେ |କାହାର ବି ଦୁଃଖ ଦେଖିପାରେନି |ଏମିତି କେତେଦିନ ଗଲାପରେ ବାପା ବିଛଣା ଧରିଲେ, ବାପାଙ୍କ ସେବାଶୁଶ୍ରୁଷା ଦେଖି ଶାଶୁ ଶ୍ୱଶୁର ଧନ୍ୟ ଧନ୍ୟ କରୁଥାନ୍ତି, ଶେଷରେ ବାପା ବି ଚଳିଗଲେ, ଏହାପରେ ଶ୍ୱଶୁର ଓ ଶାଶୁ ବି ଚଳିଗଲେ |ଏବେ ପିଲାମାନେ ବି ବଡ ହୋଇଗଲେଣି, ପିଲାମାନଙ୍କୁ ପାଠ ପଢ଼ାଇ ନିଜ ଗୋଡ଼ରେ ଠିଆ କରାଇବାକୁ ସେ ବହୁ ସାଧନା କରିଛି, ଆଉ ତାର ଫଳ ସ୍ୱରୂପ ଆଜି ତାର ଗୋଟେ ପୁଅ ଓ ଝିଅ ଚାକିରୀ କରିଛନ୍ତି, ଆଉ ସ୍ୱାମୀ ସାନପୁଅ ବ୍ୟବସାୟ କରି ବେଶ ଦି ପଇସା ରୋଜଗାର କରୁଛନ୍ତି |ପିଲାମାନଙ୍କ ବାହାଘର ବି ହୋଇଯାଇଛି, ହେଲେ ସାଧନା ସମସ୍ତଙ୍କ ପାଇଁ ଖଟି ଖଟି ଆଜି ନିସ୍ତେଜ ହୋଇ ପଡିଛି, ଦେଖାଯାଉ ଭଗବାନ ଆହୁରି କେତେ ପରୀକ୍ଷା ନେବେ, ନା ତାର ଏହି ଅବସ୍ଥାରେ ପୁଅ ବୋହୂ ରୂପରେ ତାକୁ ସହାୟ ହେବେ ନା ସାଧିତ କରିବେ |ପିଲାଦିନୁ ଝିଅ ରୂପରେ, ବୋହୂ, ସ୍ତ୍ରୀ ଓ ମାଆ, ଜେଜେମାଆ ର ଦାୟିତ୍ୱ ସବୁ କିଛି ତୁଲାଉଥିବା ଏହି ସାଧନା ଆମର ଚୀର ନମସ୍ୟ |ତେଣୁ ସମସ୍ତେ ସେମାନଙ୍କୁ ବୁଝିବା ଦରକାର ଓ ସେମାନଙ୍କ ସୁରକ୍ଷା କରିବା ଦରକାର |


Rate this content
Log in

Similar oriya story from Fantasy