ପେମେଣ୍ଟ
,,,,,,,,,,,,,,,,
ଅନେକ ଲୋକ ଅଛନ୍ତି ତାଙ୍କ ଉପର ଚେହେରା ସଙ୍ଗେ ଭିତର ମନୋଭାବ ମିଶେନା. ଉପରକୁ ବନ୍ଧୁ ବୋଲି ଦର୍ଶାଇଲେ ମଧ୍ୟ ଭିତରେ ରାଗ, ରୋଷ, ହିଂସା, ଦ୍ୱେଷ, ଇର୍ଷା ରଖି ଶତ୍ରୁତା ଆଚରଣ କରନ୍ତି. କିଛି ଲୋକ ଧାର ନେଲାବେଳେ କେତେ ସୁନ୍ଦର କଥା କହନ୍ତି କିନ୍ତୁ ପରିଶୋଧ କରନ୍ତି ନାହିଁ.ମାଗିଲେ ଯୁକ୍ତିତର୍କ ଓ କଥାକଟାକଟି ଯାଏଁ କଥା ଯାଏ. ଆହୁରି ଅନେକ ଉଦାହରଣ ଦିଆଯାଇପାରେ ଯୋଉଥିରେ କି ଆଜିର ଅଧିକାଂଶ ମଣିଷ ସତେଯେମିତି ମୁଖା ଟିଏ ପିନ୍ଧିଛନ୍ତି. ବାହାଘରର ଅଳ୍ପ ଦିନ ପରେ ସ୍ୱାମୀ ସ୍ତ୍ରୀ ରେ ଫାଟ ଲାଗି ନାଟ, ପୁଅ ବଡ଼ ହୋଇଗଲେ ବାପାଙ୍କ ସ୍ନେହ ଶ୍ରଦ୍ଧା ଭୁଲି ଖରାପ ବ୍ୟବହାର କରେ. ସହଜେ କଥାରେ ଅଛି ଦୋ ମୁଣ୍ଡିଆ ମଣିଷକୁ ବିଶ୍ୱାସ ନାହିଁ. ସେମିତି ଜଣେ ଭଡାଟିଆ ମିଳିଯାଇଥିଲେ ଅଙ୍କୁଶବାବୁଙ୍କୁ. କିଛି ଦିନ ଠିକ ଠିକ ଜବାବ ଅନୁଯାୟୀ ପେମେଣ୍ଟ କରୁଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ଆଉ ଦେଲେ ନାହିଁ ବରଂ ଆଜି ଦେବି କାଲି ଦେବି କହି ଦିନ ଗଡେଇ ଗଡେଇ ମାସକ ଜାଗାରେ ଦୁଇମାସ, ବରଷେ ବିତିଲା. ବର୍ଷ ପରେ ବର୍ଷ ବିତି ପାଞ୍ଚ ବର୍ଷ ହେବା ପରେ କିଏ କହିଲା ଆପଣ ପାଞ୍ଚବର୍ଷ ସମ୍ଭାଳିଲେ ଆମେ ବର୍ଷେ ତ ବର୍ଷେ ମାସେ ସମ୍ଭାଳି ନଥାନ୍ତୁ. ଏପଟେ ଏମିତି କହୁଥିବା ଲୋକ ଭଡା ରହୁଥିବା ରବିବାବୁଙ୍କୁ କହନ୍ତି ଆରେ ଅଙ୍କୁଶବାବୁ ହେଲେ ମାମୁଁ ମାଇଁ ଦୁଇ ପ୍ରାଣୀ. ପୁଅ ବୋହୁ ରୋଜଗାରିଆ, ଝିଅ ଜୋଇଁ ରୋଜଗାରିଆ ପୁଣି ଦୂର ବିଦେଶରେ ରହନ୍ତି. ଏତେଗୁଡ଼େ ଘର କରିଛନ୍ତି. ଆପଣ ଅଛନ୍ତି ବୋଲି ଗହଳ ଚହଳ ଲାଗି ରହିଛି. ଘର ଖାଲିପଡ଼ିଥିଲେ ପୁଣି ପଡିଥାଆନ୍ତା ନା ନାହିଁ. ଏକଥା ସବୁ ଅଙ୍କୁଶ ବାବୁଙ୍କ କାନକୁ ଆସେ. ସ୍ତ୍ରୀ ପ୍ରତିମା ବିରୋଧ କରନ୍ତି ଓ ନିଜ ଭାଇ ବନ୍ଧୁମାନଙ୍କ ସହାୟତା ନେଇ ଶେଷକୁ ଭଡା ନଦେଲେ ନାହିଁ ଘର ଖାଲି କରନ୍ତୁ କହି ରବିବାବୁଙ୍କୁ କାଢିବାରେ ସମର୍ଥ ହେଲେ ସତ କିନ୍ତୁ ଏତେବଡ ଘରଟା ଶୁନ୍ୟ ଲାଗୁଥିଲା.ଆଉ ଭଡାଟିଆ ରଖିବାରେ କିନ୍ତୁ ମନ ନଥିଲା.
ସେଦିନ ଘର ଆଗରେ ଯାଉଥିବା ରାସ୍ତାରେ ଅଚିହ୍ନା ଷଣ୍ଢଟିକୁ କେହି ଗାଡି ବାଡେଇ ଦେବା ଫଳରେ ସେ ଛୋଟା ହୋଇଯାଇଥିଲା ତ ଘରେ ରଖି ଅଙ୍କୁଶ ତାକୁ ସେବା ଯୋଗେଇ ଦେଉଥିଲେ. ତା ଖଣ୍ଡିଆ ସ୍ଥାନରେ ମରାନଡିଆ ତେଲ ମାରୁ ମାରୁ ନିଓସ୍ପିରିନ ଓ ବେଟାଡାଇନ ମାରୁ ମାରୁ ପଶୁଡକ୍ଟର ଵନିଯାଇଥିଲେ ତ ଗୋଟେ କୁକୁର, ଗୋଟେ ବିଲେଇ, ଗୋଟେ ଶୁଆ ପକ୍ଷୀ ମିଳିଯାଇଥିଲେ. ଯୋଉମାନେ ପ୍ରଥମେ କ୍ଷତାକ୍ତ ଅବସ୍ଥାରେ ଥିଲେ ମଧ୍ୟ ଉପଯୁକ୍ତ ସେବା,ଶୁଶ୍ରୁଷା ପାଇ କ୍ରମେ ସୁସ୍ଥ ଅନୁଭବ କରି ବାହାରକୁ ଯାଉଥିଲେ ମଧ୍ୟ ଖରା, ବର୍ଷା କାକର, ଶୀତ, ଝଡିରୁ ରକ୍ଷା ପାଇବାକୁ ଅଙ୍କୁଶଙ୍କ ଘରେ ରହୁଥିଲେ. ପ୍ରତିମାଙ୍କର ଅବସର ପରେ ସମୟ କଟୁଥିଲା ସେମାନଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିବାରେ ତ ଅବସରପ୍ରାପ୍ତ ସ୍ୱାମୀଙ୍କର ସମୟ କଟୁଥିଲା ସେମାନଙ୍କ ଯତ୍ନ ନେବାରେ. ପ୍ରତିମା ରଖିଥିବା ଖାଦ୍ୟ ଖୁଆଇ, କାହାକୁ ଅଖା ପାରି, କାହା ପାଇଁ କ୍ଷୀର ଆଣି କାହା ପାଇଁ ଅର୍ଥାତ ଶୁଆ ପାଇଁ ନିଶ୍ଚିନ୍ତ ପିଜୁଳି, କଦଳୀ ଇତ୍ୟାଦି ଖଞ୍ଜା କରିଥିଲେ ଅଙ୍କୁଶବାବୁ. ପୁଅ ବୋହୁ ମୁଁହଁ ମୋଡ଼ୁଥିଲେ ଗୁହାଳ କରିଛନ୍ତି କହି. ଝିଅ ଜୋଇଁ ଆଉ ଆସୁନଥିଲେ ଘରେ ଭାଇରସ ଭୁତାଣୁ ଆକ୍ରାନ୍ତ ହୋଇପାରେ କହି, ଦୋମୁଣ୍ଡିଆ ଲୋକେ କହୁଥିଲେ ଏମାନେ କଣ ଠିକ ଠିକ ଭଡା ପୈଠ ବା ପେମେଣ୍ଟ କରୁଛନ୍ତି!ଅସୁସ୍ଥ ହୋଇ ପଡିଲେ ହଠାତ ଅଙ୍କୁଶ ତ ପ୍ରତିମା ସ୍ୱାମୀଙ୍କୁ ହସ୍ପିଟାଲ ଆଡମିଟ କରି ରାତିରେ କିଏ ସ୍ୱାମୀଙ୍କ ପାଖେ ରହିବ ଭାବିଲା ବେଳକୁ ସାଙ୍ଗରେ ଗାଡି ପଛେ ପଛେ ଆସିଥିବା ଷଣ୍ଢ ହସ୍ପିଟାଲ ବାହାରେ ଥିଲା ତ ବେଡ଼ ତଳେ ଟମି କୁକୁର କୁଁ କୁଁ ହେଉଥିଲା. ଘରେ ବିଲେଇ ଜଗିଥିଲା କାଳେ ମୂଷା କି ସାପ କେହି ପଶି ଯିବେ ଘରେ. ପୁଅ ଝିଅ ବୋହୁ ଜୋଇଁ ପହଞ୍ଚିଗଲା ପରେ ଶୁଆ କହୁଥିଲା କୁଣିଆ ଆସିଲେ... କୁଣିଆ ଆସିଲେ.ମାଆଙ୍କ ଆଖିରୁ ଲୁହ ପୋଛି ଝିଅ କହୁଥିଲା ବାପା ନିଶ୍ଚୟ ଭଲ ହୋଇଯିବେ. ବୋହୁ କହୁଥିଲା ପଶୁଙ୍କ ଗୁହାରି ଭଗବାନ ନିଶ୍ଚୟ ଶୁଣିବେ ମାଆ କାରଣ ସେମାନେ ସରଳ ଓ ନିଷ୍ପାପ.ସତକୁ ସତ ଅଙ୍କୁଶ ଭଲ ହୋଇ ଘରକୁ ଫେରିଥିଲେ ସତ ହେଲେ ଶୁଆ ଛଡା କେହି ଘର ଭିତରକୁ ନଯାଇ ବାହାରେ ପଡିରହିଥିଲେ. ଏବେ ପୁଅ, ଝିଅ,ବୋହୁ, ଜୋଇଁ, ଯିଏ ଯେତେ ଡାକିଲେ ମଧ୍ୟ ଘର ଭିତରକୁ ଯାଉନଥିବା ଷଣ୍ଢ, କୁକୁର, ବିଲେଇ ଇତ୍ୟାଦିଙ୍କୁ ଯେବେ ପୁଅର ପୁଅ ବାବା ଓ ଝିଅର ଝିଅ ଡୁଗୁ ସ୍ନେହ ଶ୍ରଦ୍ଧା ରେ ଆଉଁସି ଖାଇବାକୁ ଡାକୁଥିଲେ ତ ସେମାନେ ସବୁ ରାଗ ରୁଷା ଭୁଲି ଘର ଭିତରକୁ ଯାଇଥିଲେ କିନ୍ତୁ ଉଚ୍ଚ ସ୍ୱରରେ ବୋବାଳି ଛାଡ଼ୁନଥିଲେ. ଗୁଣୀ ଚିହ୍ନେ ଗୁଣିଆ ପରି ସେମାନେ ପଶୁ ହେଲେବି ବୁଝିଥିଲେ ଶିଶୁମାନେ କେଵେ ମୁଖା ଲଗା ମାନବ ପରି ନୁଁହଁନ୍ତି.
,,,,,,,,,,,,,,,,,,,,,