ବର୍ଷାଭିଜା ଏକ ସ୍ମୃତି
ବର୍ଷାଭିଜା ଏକ ସ୍ମୃତି


ଅଦିନିଆ ମେଘ ଖଣ୍ଡେ ସେଦିନ କୋଉଠୁ ଭାସିଆସିଲା କେଜାଣି । ମନେ ମନେ ବୋଧହୁଏ ଭାବିକି ଆସିଥିଲା ଯେ ଆଜି ମନ ଭରି କୁଢେଇ ହବ ସହରତଳି ସେଇ ବସ୍ତି ଉପରେ ଯେଉଁଠି ହାତ ଗଣତିରେ ପଚାଶ କି ପଞ୍ଚାବନଟି ପରିବାର ନିଜର ଭାଗ୍ୟର ରେଖାକୁ ନିଜ ନିଜର ଛୋଟିଆ ଝୁମ୍ପୁଡି ଘରେ ମୁଦି ଦେଇ ରଖିଥାଆନ୍ତି । ଦୁଇ ହେଉ କି ପାଞ୍ଚ ହେଉ ମାଡିଯାକି ହୋଇ ସେଇ ଆଠ ଫୁଟ ଲମ୍ବା ଓ ସାତ ଆଠ ଫୁଟ ଚଉଡା ତାଙ୍କ ଘର ରୂପୀ ସ୍ବର୍ଗରେ ନିଶ୍ଚିନ୍ତ ଭାବେ ଜୀବନ ବିତାଇ ଦିଅନ୍ତି । ଘରର ଛାତ ନାମକୁ ମାତ୍ର । ଘଙ୍ଗା ଦଦରା ଟିଣ ଖଣ୍ଡ ନହେଲେ କୋଉଠି ଗୁଡେଇ ତୁଡେଇ ହୋଇ ପଡିଥିବା ଛିଣ୍ଡା ପୁରୁଣା ପଲିଥିନ୍ ଖଣ୍ଡକୁ ଯୋଡିଯାଡି, ଯତ୍ନରେ ସିଇଁ ବାଉଁଶ ପାତିଆରେ ବାନ୍ଧି ଘରର ମଥାନ ବନେଇ ଥାଆନ୍ତି ବସ୍ତି ବାସିନ୍ଦା ।
ସାବରୀ ଆଜି ଏଇ ବର୍ଷାର ଆଗମନୀ ବାର୍ତ୍ତାରେ ଭାରି ମତୁଆଲା ହୋଇଉଠିଛି । ଆକାଶର ବିଜୁଳି ଦେଖି ସେ ଭୟ କ'ଣ କରିବ ବେଶି ବେଶି ପୁଲକିତ ହୋଇ ଉଠୁଛି । ଘଡଘଡି ଶବ୍ଦ ଶୁଣି ଯେ ଭୟରେ କାନ ବନ୍ଦ କରି ଦେଉଥିଲା ଆଜି କିଛି ଗୋଟିଏ ଉନ୍ମାଦନାରେ ଛାତି ତା'ର ଧଡପଡ ହେଉଛି । ଫୋନି ବାତ୍ୟାକୁ ସାମନା କରିବା ପରେ ସେ ନିଜ ଭିତରେ କେମିତି ଏକ ଶକ୍ତିର ଉତ୍ସକୁ ଖୋଜିପାଇଛି ଏବଂ ଦୁନିଆଁର ସବୁ ବାଧାବିଘ୍ନକୁ ଯେମିତି ଏକାକୀ ମୁକାବିଲା କରିବା ପାଇଁ ବଦ୍ଧପରିକର ହୋଇଯାଇଛି । ରହି ରହିକି ତା କାନ ପାଖରେ ସତେ ଯେମିତି କିଏ କିଛି କହିଯାଉଛି ।
ସାବରୀର ପରିବାର କହିଲେ ବୁଢ଼ୀ ମା'ଟିଏ । ଅଭିଆଡୀ ଥିବା ସମୟରେ ପଛପଟ ଅନୁରୂପା ପଲ୍ଲୀର ଗୋଟିଏ ସୁସ୍ଥ ସବଳ ଜୁଆନର ପ୍ରେମ ଜାଲରେ ପଡିଯାଇଥିଲା । ଷୋହଳ ବୟସୀ ତରୁଣୀର ସୁଗଠିତ ତନୁକାନ୍ତି ଘିଅଭଳି ତରଳି ସେହି ସବଳ ଜୁଆନର ପ୍ରେମ ଅଗ୍ନିରେ ଆହୁତି ଦେବାପାଇଁ ଆଗକୁ ବଢୁଥିଲା । ମା'କୁ ଏକଥା ଜଣାଥିଲା । ପଡିଶା ଘରର ନେତ ମା' ଥରେ ସାବରୀ ସାଙ୍ଗରେ ସେ ଜୁଆନ ଟୋକା ଫଗୁଆକୁ ଭୂଆଷୁଣୀ ମନ୍ଦିର ପାଖରେ ଦେଖିଥିଲା । ଘରକୁ ଆସି ଓର ଉଣ୍ଡି କଥାଟିକୁ ନେତ ମା' ଯାଇ ସାବରୀ ମା'କାନରେ ପକାଇଦେଲା । ସବୁଶୁଣି ସାବରୀର ମା' ନା ନେତ ମା'କୁ କିଛି ଜବାବ ଦେଲା ନା ସାବରୀକୁ କିଛି କହିଲା ।
ସାବରୀ ଭିତରେ ଆସୁଥିବା ପରିବର୍ତ୍ତନକୁ ମା' ଠିକ ଠଉରେଇ ପାରୁଥିଲା । ଚୁପଚାପ ରହିବା,କେତେବେଳେ କେମିତି ଦିପହରେ ମା' ପର ଘରେ ପାଇଟି କରି ଆସି ଟିକିଏ ସଉପ ଉପରେ ଗଡି ପଡିଥିବା ସମୟରେ ହଠାତ୍ ସାବରୀ ଉଭେଇଯାଏ । ସେଦିନ ସାବରୀ ମା' ସ୍ଥିର କଲା ଝିଅକୁ କିଛି କହିବା ପାଇଁ ।
ବେଳ ରତରତ । ସାବରୀ ଘରକୁ ଫେରିଲା । ସବୁଦିନ ଠାରୁ ଆଜିର ମୁହଁର ଭାବ ଟିକେ ଅଲଗା ଲାଗୁଥିଲା ମା' କୁସୁମୀକୁ । ଅନୁଭବୀର ଆଖି ତା'ର । ସେ ପୁଣି ଗୋଟିଏ ମା' । ଠଉରେଇ ନେଲା ଘଟଣାକୁ ।
ସାବରୀକୁ ପାଖକୁ ଡାକିକି ସାକୁଲେଇ ହୋଇ ସବୁକଥା ପଚାରିଲା । ସାବରୀ ତାର ମିଛ ଭୁରୁଡିରେ ମା'ର କଥାକୁ କାଟିଦେଲା, ମା'ର କଥାକୁ ଫାଲତୁ କଥା ବୋଲି ଯେମିତି କହିଛି ମା' କୁସୁମୀ ଥିଲା ଥିଲା ବ୍ରହ୍ମ ଚାପୁଡାଟେ ମାରିଲା ସାବରୀର ଗାଲରେ । କାନମୁଣ୍ଡା ଭାଁ ଭାଁ କରିଉଠିଲା ସାବରୀର । କଥାରେ କହନ୍ତି ମାଡକୁ ମହାଦେବ ଡରନ୍ତି । ଜୀବନରେ ପ୍ରଥମ ଥର ପାଇଁ ମା'ର ଭୟଙ୍କର ରୂପ ଦେଖିଲା ସାବରୀ । ଗଡଗଡ ହୋଇ ଆମୂଳଚୂଳ ସବୁ ବଖାଣି ଦେଇଗଲା ।
ଉପରକୁ ରୁକ୍ଷ ଭଳି ଦେଖାଯାଉଥିବା ମା'ର ମନତଳେ ଲୁଚିଥିବା ଅସଲି ମମତାମୟୀ ମା'ର କଲିଜା ଦୁଲୁକି ଉଠିଲା ଭୟରେ । କଥାଟା ଯେ ଏତେ ଶୀଘ୍ର ଏତେ ଆଗକୁ ବଢିଯିବ ଏକଥା ତା'ର କଳ୍ପନାର ବାହାରେ ଥିଲା । ଆପଣା ସୁନା ଭେଣ୍ଡି । ଷୋହଳ ବରଷର ଝିଅଟି ପାଦ ତ ଖସାଇ ସାରିଛି । ଏବେ ମା' ହିସାବରେ କିଛି ଗୋଟେ ବ୍ୟବସ୍ଥା ତାକୁ କରିବାକୁ ପଡିବ ।
ଝିଅକୁ ନେଇ ସିଧା ଚାଲିଲା ଅନୁରୂପା ପଲ୍ଲୀରେ ଥିବା ଫଗୁଆ ଘରକୁ । ଦରଜା ଠିଆ ମେଲାଥାଏ । ଦଉଡିଆ ଖଟରେ ଚାରିକାତ ମେଲି ପଡିଥାଏ ଫଗୁଆ । ସତେ ଯେମିତି ଆଜି ଗୋଟିଏ ଗଡ ଜିଣିଲା ଭଳି କାମ କରି ଶାନ୍ତିରେ ନିଦ୍ରା ଦେବୀଙ୍କ କୋଳରେ ବିଶ୍ରାମ ନେଇଛି ।
ପାଖକୁ ଯାଇ ହଲେଇ ଦେଲା ତାକୁ କୁସୁମୀ । ହଠାତ୍ ଆଖି ମଳି ଉଠି ପଡିଲା ଫଗୁଆ । ଡବଡବ ଆଖିରେ କୁସୁମୀକୁ ଦେଖି ଏତେ ଶୀଘ୍ର ସତର ପର୍ଦ୍ଦାଫାଶ୍ ହୋଇଯାଇଥିବ ବୋଲି ଅବିଶ୍ବାସ ଭରା ଆଖିରେ ଖାଲି ବଲବଲ ହୋଇ ଦେଖୁଥିଲା ସାବରୀକୁ ଓ କୁସୁମୀକୁ ।
ହଇରେ ପୁଅ ଯାହାତ ହେବାର ହେଲାଣି । ମୁଁ କ'ଣ କହୁଥିଲି କି ଭଲରେ ଭଲରେ ଦୁଇଜଣ ଯାକ ମା'ଭୂଆଷୁଣୀଙ୍କ ମନ୍ଦିରରେ ବାହାହୋଇ ଗଲେ ମୁଁ ନିଶ୍ଚିନ୍ତ ହୋଇ ରହନ୍ତି । ଏତିକି ବେଳେ ପଡିଶା ଘରୁ ସୁଲି ମାଉସୀ ବି ପହଞ୍ଚି ଯାଇଥିଲା । ଏକଥା ଶୁଣୁଶୁଣୁ କହିଲା, ଯଦି ଏତେବାଟ ଏ ଦୁଇଜଣ ଆଗେଇ ଗଲେଣି ତେବେ ଭଲ ହେବ ଭଲ ଏକ ତିଥି ଦେଖି ଏଦୁହିଁଙ୍କୁ ବିବାହ ବନ୍ଧନରେ ବାନ୍ଧିଦେବା ।
ସବୁ ଠିକ ହେଲା । ଆସନ୍ତା ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଭଲ ଯୋଗ ଅଛି ବୋଲି ପୁରୋହିତ ମହାଶୟ କହିଲେ । କୁସୁମୀ ତାର ସାଧ୍ୟମତେ ଝିଅର ବାହାଘର ପାଇଁ ଯୋଗାଡ ଯନ୍ତ୍ର କରିବାକୁ ଲାଗିଲା ।
ଫଗୁଆଟା ଏକୁଟିଆ ବାଆଁରା । ନିଜର ବୋଲି କେହି ନାହିଁ ତା'ର । ଏଇ ଛୋଟ କାଟିଆ କୁଡିଆ ଘରଟି ତା'ର ପୃଥିବୀ । ଦିନସାରା ସାହୁକାରଙ୍କର ଗୋଦାମ ଘରେ ଟ୍ରକରେ ଆସୁଥିବା ମାଲ ପତ୍ର ଉତାରି ରଖେ । ସାହୁକାରଙ୍କ ବୋଲହାକ କରେ । ଘରକୁ କେତେବେଳେ କେମିତି ଫଗୁଆ ହାତରେ ସଉଦା ପତ୍ର ପଠାନ୍ତି ସାହୁକାର । ମୁହଁ ସଞ୍ଜ ହେଲେ ଘରକୁ ଫେରିଆସେ ଫଗୁଆ । ପଡିଶା ଘର ସୁଲି ମାଉସୀ ଘରେ ଖିଆପିଆ କରେ ସେ । ଭାରି ହିସାବୀ ସେ । ମାଗଣାରେ ଖାଏନି ଜମା । କେତେବେଳେ ଚାଉଳ ତ କେତେବେଳେ ପରିବା ପତ୍ର ଆଉ କେତେବେଳେ ପିଆଜି ପକୁଡି ବରା ମିଶାଇ କିଣି ଆଣିଥାଏ । ମାଉସୀର ପୁଅ ବୋହୂ ଅଲଗା ରହନ୍ତି । ଘରେ ସୁଲି ମାଉସୀ ଓ ତା'ର ମଦୁଆ ପତି ରହନ୍ତି । ମାଉସୀର ପୁଅ ହୋଇ ରହିଥାଏ ଫଗୁଆ ।
ସାହୁକାର ଏକ ସ୍ଥୂଳକାୟ ବୟସ୍କ ପୁରୁଷ । ଘରେ କିନ୍ତୁ ତାଙ୍କର ସୁନ୍ଦରୀ ଗୋଟିଏ ଚାଉଳରେ ଗଢା ବନହରିଣୀ ପରି ପତ୍ନୀ । ଲକ୍ଷପତି ସ୍ବାମୀଙ୍କର ଉଆସରେ ଏକ ଗରୀବ ପିତା ଦ୍ବାରା ପ୍ରଦତ୍ତ ଉପଢୌକନ ଏବଂ ପ୍ରଦର୍ଶିତ ହେଉଥିବା ଧ୍ୟାନ ଆକର୍ଷଣକାରୀ ଜିନିଷ ଥିଲେ ସାହୁକାରିଆଣୀ ସୁକନ୍ୟା । ଅର୍ଥର ପ୍ରାଚୁର୍ଯ୍ୟ ମହିଳାଟିର ମନର ଅବଶୋଷ ଓ କ୍ଷୁଧା ମେଣ୍ଟାଇ ବାକୁ ସକ୍ଷମ ନଥିଲା ହୁଏତ । ଫଗୁଆକୁ ଦେଖିଲେ ଲାଳାୟିତ ହୋଇଯାଉଥିଲେ ସେ । ଏକ କ୍ଷୁଧିତ ବାଘୁଣୀର ଲୋଲୁପ ଦୃଷ୍ଟି ଶିକାର ଉପରେ ସ୍ଥିର ହେବାକୁ ଲାଗୁଥିଲା । ସମୟ ଓ ସୁଯୋଗର ଅପେକ୍ଷା ଥିଲା ଏକ ପିପାସିତ ଆତ୍ମା । ସେ ଆତ୍ମାଟି ଭଲ ଭାବେ ଅବଗତ ଥିଲା ଯେ ପେଟର ଭୋକଠାରୁ ମନର ଭୋକର ଜ୍ବାଳା ଅସହ୍ୟ । କାମନାର ଅଗ୍ନିରେ ସନ୍ତାପିତ ଆତ୍ମାଟି ଅହରହ ଚେଷ୍ଟା ଚଳାଇଥିଲା ନିଜର ପିପାସା ମେଣ୍ଟାଇବାକୁ । ବିଲେଇ କପାଳକୁ ଶିକା ଛିଣ୍ଡିବା ନ୍ୟାୟରେ ସେଦିନ ସମୟଟି ସୁକନ୍ୟାଙ୍କ ପାଇଁ ଖୁବ ଉପଯୁକ୍ତ ସମୟ ଥିଲା ।
ବର୍ଷାଟା ଉଠାଇଥାଏ । ସାହୁକାରଙ୍କର ହଠାତ୍ ମନେ ପଡିଲା ସେ ଜରୁରୀ କାଗଜପତ୍ରର ବ୍ୟାଗଟି ଆସିବା ବେଳେ ଘରର ସୋଫା ଉପରେ ଛାଡି ଆସିଛନ୍ତି । ଫଗୁଆକୁ ସାଇକେଲ ଦେଇ ଘରକୁ ପଠେଇଲେ ସାହୁକାର ବ୍ୟାଗଟିକୁ ଆଣିବା ପାଇଁ । ଅଧାରାସ୍ତାରେ ଫଗୁଆ ପହଞ୍ଚିଛିକି ନାହିଁ ବର୍ଷା ଢାଳିବାକୁ ଲାଗିଲା । ସେଇ ବର୍ଷାରେ ଭିଜି ଭିଜି ମାଲିକର ହୁକୁମ ମାନି ଚାଲିଥିଲା ସେ । ସାଇକେଲଟିକୁ କାନ୍ଥ ବାହାରେ ଆଉଜେଇ ଦେଇ ଦରଜାରେ କରାଘାତ କଲା ସେ । କିଛି ସମୟ ପରେ ନିଦ ମଳମଳ ଆଖିରେ ଦରଜା ଖୋଲିଲେ ସୁକନ୍ୟା । ଫଗୁଆକୁ ଭିତରକୁ ଆସିବାକୁ ନିର୍ଦ୍ଦେଶ ଦେଲେ ସେ । ଅନୁଗତ ଭୃତ୍ୟ ପରି ତାଙ୍କର ନିର୍ଦ୍ଦେଶ ମାନିଥିଲା ଫଗୁଆ ।
ସେଦିନ ଏତେବଡ ଘରଟି ଭାରି ଖାଁ ଖାଁ ଲାଗୁଥିଲା । ମନେ ହେଉଥିଲା କାମ ଦାମ ସାରି ଚାକର ପୂଜାରୀ ସବୁ ସେମାନଙ୍କର ଘରକୁ ଚାଲିଯାଇଛନ୍ତି । ସାମନାରେ ସୁକନ୍ୟାଙ୍କୁ ଦେଖିଲା ସେ । ନାଇଟ୍ ଗାଉନ୍ ପରିହିତା ସୁକନ୍ୟାଙ୍କ ରୂପ ଲାବଣ୍ୟ ତା'ର ଆଖି ଝଲସାଇ ଦେଉଥିଲା । ହାତରେ ତାଙ୍କର ଥିଲା ସରବତର ଗ୍ଲାସ । ଫଗୁଆ ହାତକୁ ବଢାଇ ଦେଲେ ସେ ଆଉ ବିନା ଦ୍ବିଧାରେ ଫଗୁଆ ଢକଢକ ହୋଇ ପିଇଦେଲା ସରବତକୁ । ତା ପରେ ତା ସହିତ କ'ଣ ହେଲା ଜାଣିବା ବେଳକୁ ସେ ସାହୁକାରିଆଣୀଙ୍କର ଶିକାର ହୋଇସାରିଥିଲା । ଫଗୁଆକୁ ନିଜର ବାହୁବନ୍ଧନରେ ଜଡ
ାଇ ରଖିଥିଲେ ସୁକନ୍ୟା । ତାଙ୍କର କାମପିପାସା ମେଣ୍ଟାଇବାକୁ ଫଗୁଆରୂପୀ ମଦିରା ଉପଯୁକ୍ତ ଥିଲା । ନିଜକୁ ପ୍ରକୁତିସ୍ଥ କରି ଝଟପଟ ହୋଇ ନିଜର କପଡା ପିନ୍ଧି ଫଗୁଆ ବାହାରିବାକୁ ଉଦ୍ୟତ ହେବାରୁ ସୁକନ୍ୟା ଦୁଇଜଣଙ୍କର ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଗୁଡିକ ଦେଖାଇ ଫଗୁଆକୁ ଏମିତି ଭୟାତୁର କରିଦେଇଥିଲେ ଯେ ସେ ଯେମିତି ବାକ୍ ଶକ୍ତି ହରାଇ ବସିଥିଲା । ସାହୁକାରଙ୍କ ପ୍ରତି କର୍ତ୍ତବ୍ୟରେ ଅଣହେଳା ଓ ଏଭଳି ଅପ୍ରତ୍ୟାଶିତ ମହାପାପ କରିବାର ଗ୍ଲାନି ତାକୁ ଭିତରୁ ହତ୍ୟା କରି ଚାଲୁଥିଲା । ସାବରୀ ପ୍ରତି କରିଥିବା ଅନ୍ୟାୟ ତାର ବିବେକର ଶ୍ବାସରୁଦ୍ଧ କରିଦେଉଥିଲା । ତା'ର ଅଜାଣତରେ ସେ ସାହୁକାରିଆଣୀଙ୍କ ନଜରବନ୍ଦୀ ହୋଇସାରିଥିଲା । ଘରର ପଛପଟେ ଥିବା ଏକ ନିଭୃତ କୋଠରୀରେ ଫଗୁଆ ସବୁଦିନ ପାଇଁ ସୁକନ୍ୟାଙ୍କର ବାସନା ଚରିତାର୍ଥ କରିବାର କ୍ରୀଡନକ ହୋଇସାରିଥିଲା । ଦ୍ବିପ୍ରହର ଅବା ରାତ୍ରୀର ଗଭୀର ପ୍ରହର ମାନଙ୍କରେ ସୁକନ୍ୟା ନିଜର କାମକ୍ରୀଡା ଅନ୍ତେ କୋଠରୀ ଟିରେ ତାଲା ପକାଇ ଚାଲି ଆସୁଥିଲେ । ଅବଶ୍ୟ ଅବ୍ୟବହୃତ ଘରଟିରେ ଫଗୁଆର ରହିବା, ଖାଇବା ଓ ଚଳିବାର ବ୍ୟବସ୍ଥା କରିଥିଲେ ସେ ଖୁବ ଚମତ୍କାର ଭାବେ ଏବଂ ସମସ୍ତଙ୍କ ଦୃଷ୍ଟିର ଆଢୁଆଳରେ ।
ସାହୁକାର ଫଗୁଆକୁ ଅପେକ୍ଷା କରି କରି ରାଗ ତମ ତମ ହୋଇ ଘରକୁ ଲୋକ ପଠାଇ ବୁଝିବା ବେଳକୁ ଫଗୁଆର କୌଣସି ଖବର ନଥିଲା । କିଛି ଦିନ ଅପେକ୍ଷା କଲାପରେ ସେ ଫଗୁଆ କଥା ଭୂଲିବାକୁ ଲାଗିଲେ ।
ବାହାଘର ଆଉ ଦୁଇଦିନ ମାତ୍ର ବାକି ଥାଏ । ହଠାତ୍ ଦେଖିବା ବେଳକୁ ଫଗୁଆର ଘରେ ତାଲା ଲାଗିଛି । କୁସୁମୀ ପାଖରେ ଖବର ପହଞ୍ଚିଲା । ଦୌଡି ଆସିଲା କାମଛାଡି । ସଞ୍ଜ ଯାଏ ଜଗିବସିଲା ଫଗୁଆର ଦୁଆର ମୁହଁରେ । ରାତି ପାହି ସକାଳ ହେଇଗଲା ପଛେ ଫଗୁଆର ଦେଖା ନଥିଲା । ସାବରୀ ଆସି ମା'କୁ ନେଇ ଘରକୁ ଫେରିଲା । ରାତି ପାହିଲେ ବିବାହ ବେଦୀରେ ବସିବାର ଥିଲା ଦୁଇଜଣଙ୍କୁ । ଆଶା ଛାଡି ନଥିଲେ ସାବରୀ ଓ କୁସୁମୀ ।
ନା' ଆଉ ଫେରିଲାନି ଫଗୁଆଟା ବି ଅନ୍ୟ ମାନଙ୍କ ଭଳି ଧୋକା ଦେଇ ଚାଲିଗଲା । କିନ୍ତୁ ଗଲା କୁଆଡେ ସେ । ହଠାତ୍ ଶୂନ୍ୟ ଗଗନରେ ମିଳାଇ ଗଲା କିପରି?
ସାବରୀ ମନରେ ଅସୁମାରୀ ଆଶା । ଫଗୁଆକୁ ଦେହ ମନ ପ୍ରାଣ ସବୁକିଛି ଅର୍ପଣ କରି ଦେଇଛି । ତାଙ୍କ ବସ୍ତିରେ କେହି କାହାକୁ ଏପର୍ଯ୍ୟନ୍ତ ଧୋକା ଦେବାର ସେ ଜାଣିନି । ଫଗୁଆ ପାଖରେ ଏଭଳି ଗୁଣ ବି ସେ କେବେ ଲକ୍ଷ୍ୟ କରିନି । ସେଇ ମେଘଳା ଦିପହରେ କେମିତି କେଜାଣି ଏକ ଦୁର୍ବଳ ମୁହୁର୍ତ୍ତରେ ତାକୁ ନିକଟରୁ ଆଉରି ନିକଟକୁ ନେଇ ଏକାଠି କରି ଦେଇଥିଲା ନିଜ ସହିତ । ଏଥିରେ ଯଦି ଦୋଷ ଥାଏ ତେବେ ଭାଗୀଦାର ଦୁଇଜଣ । ୟା’ ଆଗରୁ ସାବରୀକୁ ଟିପ ଦେଇ ଛୁଇଁ ନଥିଲା ସେ । ଫଗୁଆ ପ୍ରତି କୌଣସି ମତେ ମନରେ ରୋଷ କରି ପାରୁ ନଥିଲା ସାବରୀ ।
ମାସକ ପରେ ବଡି ସକାଳୁ ସାବରୀ ଭିତରେ ନୂତନ ଜୀବନ ସଞ୍ଚାରର ସୂଚନା ଦେବାକୁ ଯାଇ ତା'ର ପେଟ ଆଉଣ୍ଡି ହୋଇ ଉଠିଲା । ଓକାର ଆସି ଅସ୍ତବ୍ୟସ୍ତ କରିପକେଇଲା ସାବରୀକୁ ।
କୁସୁମୀର ଦେହରୁ ବହେ ଯମଝାଳ ବୋହିଗଲା । ବେଡି ଉପରେ କୋରଡା । ଏ ଶଙ୍କଟରୁ କେମିତି ଉଦ୍ଧାର କରିବ ଝିଅକୁ ଭାବି ଗୋଟାପଣେ ଥରୁଥାଏ ସେ । ନୂଆ ଜୀବନକୁ ରୂପ ଦେବାର ଭାଗୀଦାର ଯିଏ ତା'ର ତ କିଛି ଖୋଜଖବର ନାହିଁ । କ'ଣ କହିକି ଲୋକଙ୍କ ମୁହଁରେ ବାଡ ବତା ଦବ ସିଏ? ଅପବାଦ ନସହିପାରି ଝିଅ ଯଦି କିଛି ଅଘଟଣ ଘଟେଇବ? ଚିନ୍ତାର ବୁଢିଆଣୀ ଜାଲରେ ଗୁଡେଇ ତୁଡେଇ ହୋଇଯାଉଥିଲା ମା' କୁସୁମୀର ମନ ।
ମନକୁ ଦମ୍ଭ କରିଲା ସେ । ସାବରୀର ହାତଧରି ଉଠାଇଲା । ରିକ୍ସାଟିଏ ଡାକି ଡାକ୍ତରଖାନା ନେଇକିଗଲା ଝିଅକୁ । ରାସ୍ତାସାରା ବୁଝେଇ ସୁଝେଇ ଦେଉଥାଏ । ମା ଲୋ ଆମର ସାହାଭରସା ତ କେହି ନାହିଁ, ଯାହାକୁ ଭରସା କରିବାକୁ ଯାଉଥିଲେ ସେ କୁଆଡେ ଶୂନ୍ୟ ହରଣ ହୋଇଗଲା । ନା ପୋଲିସ ପାଖରୁ କିଛି ଖବର ମିଳିଲା ନା ସେ ନିଜେ ଫେରିଲା । କଳଙ୍କର ଟିକା ଲଗାଇବା ଠାରୁ ଶହେଗୁଣ ଭଲହେବ ସେ ଟିକାକୁ ନିଶ୍ଚିନ୍ହ କରିଦେବା । ଡାକ୍ତରାଣୀଙ୍କୁ କହି ସବୁ ଠିକଠାକ କରିଦବା । ଆଗକୁ ଆଉ ଚିନ୍ତା ନଥିବ ।
ସାବରୀ କିଛି ନକହି ଗୁମ ମାରି ବସିଥାଏ । ସତେ ଯେମିତି ସେ ମୂକ ପାଲଟି ଯାଇଛି । ଆଖି ଦୁଇଟିରେ କିନ୍ତୁ ଗଙ୍ଗା ଯମୁନାର ଧାର । ପହଞ୍ଚି ଗଲେ ମା' ଝିଅ ଡାକ୍ତରାଣୀଙ୍କ କ୍ୟାବିନ ସାମନାରେ । ସନ୍ତର୍ପଣରେ ପାଦ ଭିତରକୁ ଥାପିଲେ ଦୁଇଜଣ । ଡାକ୍ତରାଣୀଙ୍କୁ ନେହୁରା ହୋଇ ସମସ୍ତ କଥା ଆମୂଳଚୁଳ କହିଗଲା କୁସୁମୀ ।
ଡାକ୍ତରାଣୀ ସାବରୀକୁ ବୁଝାଇ ବେଡ ଉପରେ ଶୋଇବାକୁ କହିଲେ । ନର୍ସକୁ ଡାକି ଓ .ଟି. ରେଡି କରିବାକୁ କହିବା ସମୟରେ ହଠାତ୍ ସାବରୀ ସେଠାରୁ ଡିଆଁ ମାରି ବାହାରକୁ ପଳାଇଲା । ରହ ରହ କହିଲା ବେଳକୁ ଡାକ୍ତରଖାନା ମୁଖ୍ୟ ଫାଟକ ପାର ହୋଇ ଗଲାଣି ସେ । ଆଗେ ଆଗେ ସାବରୀ ପଛେ ପଛେ କୁସୁମୀ ।
ଦୌଡି ଦୌଡି ଦୁହେଁ ଯାକ ଘରେ ପହଞ୍ଚିଗଲେ । ସାବରୀ ଆଗରେ ପହଞ୍ଚିଯାଇଥିବାରୁ କବାଟ କିଳି ଭିତରୁ ଛିଟିକିଣି ଲଗାଇ ଦେଲା । ବାହାରେ ଥାଇ କୁସୁମୀ ଶୁଣି ପାରୁଥିଲା ଝିଅର କାନ୍ଦଣାର ସ୍ବର । ନେହୁରା ହୋଇ ରାଣ ନିୟମ ପକେଇ ସାବରୀକୁ କବାଟ ଖୋଲିବାକୁ କହିଲା । ଘଣ୍ଟାଏ ଦିଘଣ୍ଟା ବିତିଗଲା ପରେ, ମନଶାନ୍ତି କରି କାନ୍ଦି ସାରିବା ପରେ ଭିତର ପଟରୁ ଶିକୁଳି ଖୋଲିବାର ଶବ୍ଦ ହେଲା । କୁସୁମୀ ଝିଅ ସାବରୀକୁ ଭିଡିଧରି ବହେ ବୋକ ଦେଇଦେଲା, ମୁଣ୍ଡ ଦେହ ଆଉଁସି ଦେଲା ।
କାନ୍ଦି କାନ୍ଦି ଆଖି ଫୁଲିଯାଇଥାଏ ସାବରୀର । ମା' ଲୋ ଫଗୁଆଟା ଖରାପ ନଥିଲା ମା’ । ଅନାଥ ହେଲେ କ'ଣ ହେବ ଅନ୍ୟର ଦୁଃଖ ସେ ବୁଝିପାରିଲା ଭଳି ମଣିଷଟିଏ । ତୁ ଦେଖିବୁ ସେ ଯୁଆଡେ ଯାଇଥାଉ ନିଶ୍ଚୟ ଫେରି ଆସିବ । ମା’ ଭୁଆଷୁଣୀ ତାକୁ ଆମ ପାଖକୁ ଫେରାଇ ଆଣିବ ମା’ । ତାର ସନ୍ତକ ଟିକୁ ବଞ୍ଚେଇ ରଖିବାକୁ ଦେ ମା' । ତୋ ଗୋଡହାତ ଧରୁଛି ।
ମା'ର ମନ । ପୁଣି ଥରେ ତରଳି ଗଲା ସନ୍ତାନର ମମତା ଆଗରେ । କୁଣ୍ଢେଇ ପକାଇଲା ସାବରୀକୁ ।
ଦେଖୁ ଦେଖୁ ଚାରି ମାସ ହେଇଗଲାଣି । ଆଖି ପାଣି ଆଖିରେ ମାରି କୁସୁମୀ ଓ ସାବରୀ ଭାଗ୍ୟକୁ ଆଦରି ପଡିଥିଲେ । ସାବରୀ ଆଖିରେ ଆଖିଏ ସ୍ବପ୍ନ ନେଇ ଚାହିଁ ରହିଥିଲା ଫଗୁଆର ଫେରିବା ବାଟକୁ । ତାର ମନର ଗଭୀର କୋଣରେ ଲୁଚି ରହିଥିବା ବିଶ୍ୱାସ ତାକୁ କହିଚାଲିଥିଲା "ତୋ ଫଗୁଆ ତୋରି ପାଖକୁ ଫେରି ଆସିବ । "
ରଥଯାତ୍ରା ପାଇଁ ପୁରୀ ସହର ଉଠୁଛି ପଡୁଛି । ଲକ୍ଷ ଲକ୍ଷ ଭକ୍ତ ପୁରୀ ସହରର କୋଣ ଅନୁକୋଣରେ ଖୁନ୍ଦି ହେଇ ସାରିଲେଣି । ପୁରୀ ସମୁଦ୍ର ବେଳାଭୂମିରେ ମଧ୍ୟ ପର୍ଯ୍ୟଟକଙ୍କ ପ୍ରବଳ ଭିଡ । ସକାଳ ସଞ୍ଜ ସଦାବେଳେ ସାବରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ହାତ ଉଠାଇ ପ୍ରଣାମ କରେ ଆଉ କହେ, ହେ ମହାପ୍ରୁ! ତମେତ ସମସ୍ତଙ୍କ ଠାକୁର । ଆମେ ଗରୀବ ବୋଲି କ'ଣ ତମେ ଆମ ଦୁଃଖ ଶୁଣିବନି? ଫଗୁଆକୁ ଫେରାଇ ଆଣ ଠାକୁରେ । ମଦୁଆ ନୁହଁ, ଗଞ୍ଜୋଡ ନୁହଁ, ପର ଦୁଃଖରେ ଦୁଃଖୀ ହେଉଥିବା ଜୁଆନ ଲୋକଟି କୁଆଡ଼େ ଅନ୍ତର୍ଧ୍ୟ୍ୟାନ ହୋଇଗଲା କେହି ଜାଣି ପାରିପାରିଲେ ନାହିଁ ଠାକୁର । ଏକଥା କ'ଣ ସମ୍ଭବ? ତମେ ତ ସବୁଆଡେ ଅଛ ଠାକୁର, ତମେ ଭଲକରି ଜାଣିଛ ମୋ ଫଗୁଆ କୋଉଠି ଅଛି, ଚାରିମାସ ହେଲା କେତେ କଷ୍ଟ ତ ଦେଲଣି ଠାକୁର । ଏଥର ତ ଡାକ ଶୁଣ । ମୋ ଭିତରେ ବଢୁଥିବା ଭ୍ରୁଣଟିକୁ କୃପା କର ଭଗବାନ ।
ପୁରୀ ସହରରେ ଖୁବ ଜମଜମାଟ ଭିଡ । ବଜାରକୁ ବାହାରିବା ବି ବଡ ମୁସ୍କିଲ । ସବୁଆଡେ ଅଗଣିତ ଲୋକ । ପୂଜା କରିବାକୁ ଫୁଲ କିଣୁଥିବା ବେଳେ ହଠାତ୍ ଫଗୁଆର ଡାକ ଶୁଣି ଚମକି ପଡିଲା ସାବରୀ । ଫଗୁଆ କିଛି ନକହି ଟାଣିଟାଣି ତାକୁ ଘରକୁ ନେଇଗଲା, ଆମୁଳଚୁଳ ସବୁକିଛି ବଖାଣି ଦେଲା ତା' ଆଗରେ । ଆଜି ସୌଭାଗ୍ୟ ବଶତଃ ଦରଜା ଖୋଲାଥିବା ଅବସ୍ଥାରେ ନିଜକୁ ସାହୁକାରିଆଣୀ ସୁକନ୍ୟାଙ୍କର ପାପର ପଙ୍କିଳ ପୁଷ୍କରିଣୀରୁ ଉଦ୍ଧାର କରିବାର ଲକ୍ଷ୍ୟ ନେଇ ସେଠାରୁ ଖସିଆସିଥିଲା ସେ । ବର୍ଷଣ ମୁଖର ବେଳାରେ ଘର ପଛପଟ ପାଚେରୀ ଟପି ତାର ପଳାୟନକୁ କେହି ଲକ୍ଷ୍ୟ କରିପାରିନଥିଲେ ।
ଏସବୁ ଶୁଣି ବିଶ୍ବାସ କରିପାରୁନଥିଲା ସାବରୀ । ଷୋହଳ ବୟସୀ ତରୁଣୀଟିର ଆତ୍ମା କେବଳ ପରମେଶ୍ବରଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦର ଶବ୍ଦସବୁ ଅର୍ପଣ କରୁଥିଲା । ଭୋର ସମୟରେ ଦେଖିଥିବା ସ୍ବପ୍ନ ତାର ସତରେ ପରିଣତ ହୋଇଥିଲା । ଫଗୁଆର ଘରବାହୁଡା ତା ଭଗବତ ବିଶ୍ବାସକୁ ଆଉରି ସୁଦୃଢ କରି ତୋଳୁଥିଲା ।