Minakshi Samal

Children Stories Others

3  

Minakshi Samal

Children Stories Others

ମୁଆଁ ପିଠା

ମୁଆଁ ପିଠା

3 mins
183



ରଜ ସଜବାଜଠୁଁ ଆରମ୍ଭ ହୋଇଥିଲା ପିଠାପଣାର ସୁଅ।ଶେଷ ହୋଇଥିଲା ବସୁମତୀ ଗାଧୁଆରେ। ପାଞ୍ଚ ଦିନ ଯାକ ଭିନ୍ନ ଭିନ୍ନ ପିଠାର ସୂଚୀ ପ୍ରସ୍ତୁତ ହୋଇଥିଲା। ଏଥର ରଜରେ ପିଲାମାନେ ପାଖରେ ଥିଲେ। ସେମାନେ କିନ୍ତୁ ଏ ପିଠା ସବୁର ଧାର ଧାରନ୍ତିନି। କୌଣସି ପିଠାର ଆକାର ବା ସ୍ବାଦ ସେମାନଙ୍କୁ ଆକର୍ଷିତ କରିପାରେନି । ବାଧ୍ୟବାଧକତାରେ ଟିକିଏ ଚାଖିଦିଅନ୍ତି।

ଆମ ସମୟର କଥା ଅଲଗା।ରଜ ପର୍ବର ପ୍ରତୀକ୍ଷା ବର୍ଷଯାକ ରହିଥାଏ।ଜାମାପଟା କିଣାହେବାଠାରୁ ଉତ୍ସାହ ଉଦ୍ଦୀପନା ଲାଗି ରହିଥାଏ ପିନ୍ଧିବା ପର୍ଯ୍ୟନ୍ତ।ଦିନରେ ଦଶଥର ଦେଖାହୁଏ ପୋଷାକ ସବୁ।ସଜଵାଜ ଦିନ ମା' ମାନେ ବଟା,କୁଟା ରେ ବ୍ୟସ୍ତ ଥିବାବେଳେ ଝିଅମାନେ ଅଳତା,କୁଙ୍କୁମ,ନେଲପଲିସ,କ୍ରୀମ ଓ ପାଉଡର ନେଇ ସଜ ହେବାରେ ଲାଗିପଡିଥା'ନ୍ତି।ତିନିଦିନ ଧରି ରଜସ୍ବାଳା ହୋଇଥିବା ମା' ବସୁମତୀଙ୍କ ଉପରେ ଖାଲି ପାଦରେ ଚଲାହେବନି ବୋଲି ଗୁଆ ପଟୁକାରେ ଚପଲ ତିଆରି କରି ତାକୁଇ ପିନ୍ଧି ବୁଲାହୁଏ।

ଆଖପାଖ ଗାଁ ଗୁଡିକରେ ସମସ୍ତଙ୍କର କେହି ନା କେହି ଆତ୍ମୀୟ ଥା'ନ୍ତି।ରଜ ଦିନ ମେଳି ହୋଇ ଝିଅମାନେ ଗାଁ ବୁଲି ଯାନ୍ତି।ସମସ୍ତେ ଖୁସିରେ ପରଷି ଦିଅନ୍ତି ବିଭିନ୍ନ ପିଠା।ପିଠା ଖିଆ ପରେ ପାନ ବଟୁଆ କାଢି ପାନଭାଙ୍ଗି ଝିଅମାନଙ୍କୁ ଗୋଟିଏ ଗୋଟିଏ ବିଡିଆମିଠା ଖିଲିପାନ ଖୁଆଇ ଦେଉଥିଲେ ଘରର କର୍ତ୍ତୀମାନେ।

ଯେଉଁ ଘରେ ନୂଆବୋହୁ ମାନେ ଥିଲେ ସେ ଘର ମାନଙ୍କରେ ବେଶୀ ଭିଡ ହେଉଥିଲା। ଓଢଣା ତଳୁ ନୂଆ ବୋହୂମାନଙ୍କ ମୁହଁକୁ ଦେଖିବାକୁ ଭାରି ଭଲ ଲାଗୁଥିଲା।ଆମ ଗୋଡମାନଙ୍କରେ ଜୋର ଜବରଦସ୍ତି ଅଳତା ଲଗାଇ ଦେଉଥିଲେ ସେମାନେ, ଥିଲାବାଲା ଘର ବୋହୂମାନେ ସାଙ୍ଗରେ ଆଣିଥିବା ଅତର ଆମମାନଙ୍କ ପୋଷାକର ଗୋଟିଏ କଣରେ ଲଗାଇ ଦେଉଥିଲେ,ବାସ୍ ସେ ବାସ୍ନାରେ ଆମେ ବିଭୋର ହୋଇ ଯାଉଥିଲୁ।

ବାଡି ମାନଙ୍କରେ ବାପା ଭାଇ ମାନେ ପଟା ଦୋଳି ନହେଲେ ବାଉଁଶଦୋଳି ଲଗେଇ ଦେଉଥିଲେ।ପାହିମାରି ଦୋଳିକୁ କିଏ କେତେ ଉପରକୁ ଉଠାଇ ନେବ ସେଥିପାଇଁ ଚାଲୁଥିଲା ପ୍ରତିଯୋଗିତା।ପଞ୍ଝେଝିଅ ପୁଚି ଖେଳରେ ମାତୁଥିଲେ ତ ପୁଅମାନେ ତାସ୍ ଓ ବାଗୁଡି ଖେଳରେ ତିନିଦିନ ଭାରି ମଜା କରୁଥିଲେ।

ପ୍ରକୃତିସ୍ଥ ହୋଇଗଲି ପିଠାରବାସ୍ନାରେ। ଆଜି ପ୍ରଥମ ଥର ପାଇଁ ମୁଆଁପିଠା କରୁଥିଲି ପହିଲି ରଜରେ।ପାରମ୍ପରିକ ପିଠାପଣାରେ ଘରେ କାହାର ଆଗ୍ରହ ନଥିବାରୁ ପିଠା ପ୍ରାୟ ହୁଏନି ଘରେ।କିନ୍ତୁ ବିଧି ରଖିବା ପାଇଁ କିଛି ନା କିଛି କରିବାକୁ ବାଧ୍ୟ ହୁଏ ମୁଁ । ମୁଆଁପିଠା ଖୁବ ଭଲଲାଗେ ଖାଇବାକୁ। ପିଲାଦିନେ ଆମେ ଯେଉଁ ଜାଗାରେ ରହୁଥିଲୁ ସେଠି ପର୍ବପର୍ବାଣୀରେ ସକାଳୁ ସକାଳୁ ବୋଝରେ ଲଦି ମୁଆଁପିଠା,ଡାଲିଆ ପିଠା ଇତ୍ୟାଦି ମୁଣ୍ଡେଇ ଆସୁଥିଲେ ଝୁମୁଝୁମା ଦାଦା। ଆମେ ତାଙ୍କୁ ଝୁମୁଝୁମା ଦାଦା ଏଇଥି ପାଇଁ କହୁଥିଲୁ କାରଣ ସେ ଡାହାଣ ହାତରେ ଗୋଟିଏ ଝୁମୁଝୁମା ବଜେଇ ବଜେଇ ସନ୍ଧ୍ୟା ସମୟରେ ପ୍ରତିଦିନ ମସଲା ମୁଢି ବିକିବାକୁ ଆମ ଘର ବାଟ ଦେଇ ଯାଉଥିଲେ।କି ସ୍ବାଦିଷ୍ଟ ସେଇ ମସଲା ମୁଢି! ମୁଢିରେ ସିଝା ବୁଟ, ପିଆଜ କଟା, କଞ୍ଚାଲଙ୍କା କଟା, ସୋରିଷ ତେଲ ପକେଇ ସେ ଯେଉଁ ମସଲା ମୁଢି ପ୍ରସ୍ତୁତ କରୁଥିଲେ ତାର ସ୍ବାଦ ଏକଦମ ନିଆରା ଥିଲା। ସକାଳ ସମୟରେ ମୁଆଁ ସଂକ୍ରାନ୍ତି ବେଳେ ମୁଆଁ,ପର୍ବପର୍ବାଣୀ ମାନଙ୍କରେ ବିଭିନ୍ନ ପ୍ରକାରର ପିଠା ଆଣି ବିକ୍ରୀ କରୁଥିଲେ ସେ।ଆମେ ପିଲାମାନେ ତାଙ୍କ ଝୁମୁଝୁମା ଶବ୍ଦ ଶୁଣି ଦୌଡି ଆସୁଥିଲୁ ଦାଣ୍ଡକୁ।କେବେ କେବେ ଆମକୁ ମାଗଣାରେ ଗୋଟିଏ ଲେଖାଏଁ ପିଠା ମିଳି ଯାଉଥିଲା। ସେଦିନର ଖୁସି ଶବ୍ଦରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ।

ଝୁମୁଝୁମା ଦାଦାଙ୍କ ପରିବାର ପାଖ ଗାଁରେ ରହୁଥିଲେ।ସେଇଠୁ ସବୁଦିନ ସେ ଚାଲିଚାଲି ଆସୁଥିଲେ । ଗାଁ ମାନଙ୍କରେ ବର୍ଷକୁ ଦୁଇ ତିନିଥର ଜନ୍ତାଳ ହୁଏ। ଜନ୍ତାଳରେ ପୁରା ଗାଁର ଲୋକମାନେ ଏକାଠି ବସି ଦାଣ୍ଡରେ ଖାଇଥାନ୍ତି। ଜନ୍ତାଳର ଖର୍ଚ୍ଚ ପୁରା ଗାଁ ବାସୀ ତୁଲାଇଥାନ୍ତି।ଆମ ଭାଇ ଭଉଣୀଙ୍କୁ ଥରେ ଝୁମୁଝୁମା ଦାଦା ତାଙ୍କ ଗାଁ ଜନ୍ତାଳକୁ ନେଇ ଯାଇଥିଲେ। ସେତେବେଳର ସମୟରେ ସମ୍ପର୍କର ଘନତା ଖୁବ ବେଶୀ ଥିଲା। ଖୁବ ଆପଣାର ଥିଲେ ଲୋକମାନେ। ବିଶ୍ୱାସ କରାଯାଇ ପାରୁଥିଲା ସେମାନଙ୍କୁ।

ଖୁବ ଖୁସି ଲାଗିଥିଲା ତାଙ୍କ ଗାଁର ଜନ୍ତାଳ ଖାଇ। ଗରମ ଗରମ ଉଷୁନା ବଗଡା ଚାଉଳ ଭାତ, ଚିଙ୍ଗୁଡ଼ିଘାଣ୍ଟ, ଖଟା ଓ କ୍ଷିରୀର ସ୍ବାଦ ଏବେବି ମୋ ମାନସ ପଟରେ ସତେଜ ହୋଇ ରହିଛି। ତା' ପରଦିନ ସକାଳୁ ସକାଳୁ ନିତ୍ୟକର୍ମ ସାରିବା ପରେ କାଠ ଚୁଲିରୁ ଓଲ୍ହା ହୋଇଥିବା ହାଣ୍ଡିରୁ ବାହାରକରି ମୁଆଁପିଠା ଆମ ଭାଇଭଉଣୀଙ୍କୁ ଖାଇବାକୁ ଦେଇଥିଲେ ଝୁମୁଝୁମା ଦାଦାଙ୍କ ବୋଉ। ଖାଇବାକୁ ଭାରି ମଜା ଲାଗୁଥିଲା ତାଙ୍କ ପରଷି ଦେଇଥିବା ମୁଆଁପିଠାସବୁ।

ଆଜି ଏତେବର୍ଷ ପରେ ପୁରୁଣା ଦିନକୁ ଫେରିଯାଇ ମୁଆଁପିଠା ତିଆରି କରି ତାରି ସ୍ବାଦରେ ହଜିଯାଇ ପୁରୁଣା ସ୍ମୃତିସବୁକୁ ସାଉଁଟିବାକୁ ପୁଣିଥରେ ଚେଷ୍ଟା କରୁଥିଲି।



Rate this content
Log in