Minakshi Samal

Children Stories Children

4  

Minakshi Samal

Children Stories Children

ଧୂମପାନ ନିଷେଧ

ଧୂମପାନ ନିଷେଧ

3 mins
270



କଲେଜ ଷ୍ଟ୍ରୀଟ୍ ରେ ଥିବା ପୁରୁଣା ଓ ନାମକରା କ୍ୟାଫେଟରିଆ ହେଲା କଫିହାଉସ।ସଜାଇ ହୋଇ ରହିଥିବା ଟେବୁଲ ଓ ଚେୟାରକୁ ବେଢି ବସିଯା'ନ୍ତି ବିଭିନ୍ନ ଶ୍ରେଣୀର ଗରାଖ।ସେଇ କଫିହାଉସର ସିଗ୍ନେଚର ଷ୍ଟାଇଲର ପୋଷାକଧାରୀ ପରିଚାରକ ମାନେ ପ୍ରତ୍ୟେକ ଟେବୁଲରୁ ଅର୍ଡର ନେଇ ତାଙ୍କ ପସନ୍ଦ ମୁତାବକ ଖାଦ୍ୟ (ମୋଗଲାଇ ପରଟା,ଚାଉମିନ୍,ଫିସ ଫ୍ରାଏ ଆଦି) ଓ ପସନ୍ଦ ମୁତାବକ ପେୟ ଯଥା ଚା' ବା କଫି ଆଦି ପରିବେଷଣ କରି ଚାଲିଥାନ୍ତି।ଚା' ବା କଫିକୁ ସ୍ବତନ୍ତ୍ର ଧଳା ରଙ୍ଗର କପ ଏବଂ ପ୍ଲେଟରେ ପରଷା ଯାଏ ଏଇଠି।ନିଆରା ଲାଗେ ଏଇଠି ବସି କଫି ପିଇବାର ଅନୁଭୂତି।

ସେଦିନ ମେ ମାସର ଏକ ମେଘୁଆ ଦିନ ଥାଏ। ସକାଳୁ ହଠାତ ଦୁଇ ଅସରା ବର୍ଷା ହୋଇଯିବା ଫଳରେ ଦାରୁଣ ନିଦାଘର ପ୍ରକୋପରୁ ଟିକିଏ ଉପଶମ ମିଳିଥାଏ । ଶୋଇବା ବିଛଣାରେ ପଡିପଡି ସରିତାଙ୍କ ମୁଣ୍ଡରେ ଝୁଙ୍କ ପଶିଲା ଯେ ଆଜି କୌଣସି ମତେ କଫିହାଉସ୍ ଯାଇ ବ୍ରେକଫାଷ୍ଟ କରି କଫି ପିଇବାକୁ ପଡିବ।ବର୍ଷାର ଥଣ୍ଡା ଆବହାଓ୍ବାରେ ସ୍ବାମୀ ବିପିନ ଓ ପୁଅ ସୋମ୍ ଗଭୀର ନିଦରେ ଥା'ନ୍ତି।ଭୋର ସମୟରେ ନିଦଟା ଯେମିତି ଆଉରି ଗହନ ହୋଇଯାଇଥାଏ ଦୁହିଁଙ୍କ ପାଇଁ।ତାଙ୍କ ଦୁଇଜଣଙ୍କୁ ନଉଠାଇ ନିଜେ କିଛି ସମୟ ଗଡିପଡିଲେ ତାଙ୍କ ପାଖରେ।

ସମସ୍ତେ ଉଠିବା ପରେ ବ୍ରଶ କରୁକରୁ ବିପିନଙ୍କୁ ନିଜ ମନକଥା କହିବାରୁ ସଙ୍ଗେସଙ୍ଗେ ରାଜି ହୋଇଗଲେ ସେ।କଫିହାଉସରୁ ଫେରି ସେମାନଙ୍କୁ ଘରେ ଛାଡି ଏଗାରଟା ସୁଦ୍ଧା ଅଫିସରେ ପହଞ୍ଚିଯିବେ ସେ।କିଛି ଅସୁବିଧା ହେବନି।ଘଣ୍ଟାଏ ଭିତରେ ନିଜର ନିତ୍ୟକର୍ମ ସାରି ରେଡି ହୋଇଗଲେ ସମସ୍ତେ।ପାଞ୍ଚ ବର୍ଷର ପୁଅ ସୋମ୍ ଭାରି ଖୁସିରେ ବିପିନଙ୍କ ପାଖ ସିଟରେ ବସିବାକୁ ଜିଦ୍ କରିବାରୁ ତା ସିଟ୍ ବେଲ୍ଟଟା ଭଲରେ ବାନ୍ଧି ଦେଲେ ବିପିନ୍।ପଛ ସିଟରେ ସରିତା ବସି ରାସ୍ତାକଡର ବୃକ୍ଷସବୁରୁ ଝରୁଥିବା ବର୍ଷାବିନ୍ଦୁର ଦୃଶ୍ୟକୁ ମନଭରି ଉପଭୋଗ କରୁଥିଲେ।ସେଦିନ ଟ୍ରାଫିକ ଏତେ ନଥିଲା।ଫାଙ୍କା ରାସ୍ତା ଯୋଗୁଁ ସଲ୍ଟଲେକ୍ ରୁ ପ୍ରାୟ ଅଧଘଣ୍ଟାରେ ପହଞ୍ଚି ଯାଇଥିଲେ ସେମାନେ କଲେଜଷ୍ଟ୍ରିଟରେ।ଗାଡି ପାର୍କିଂର ଘୋର ସମସ୍ୟା ସେଠାରେ।ଭାଗ୍ୟଭଲ ନିଜର ବନ୍ଧୁର ଘର ସେଇ ପାଖରେ।ବନ୍ଧୁକୁ କହିଲେ ତାଙ୍କ ସହିତ କଫିହାଉସ ଯିବାପାଇଁ।ଅନ୍ୟକିଛି କାମରେ ବ୍ୟସ୍ତଥିବା ହେତୁ ସେ ନିଜର ଅନିଛା ପ୍ରକାଶ କରିବାରୁ ତାଙ୍କ କମ୍ପ୍ଲେକ୍ସର ପାର୍କିଂ ସ୍ପେଶ୍ ରେ କିଛି ସମୟ ପାଇଁ ଗାଡି ରଖି ବିପିନ ନିଜ ପରିବାର ସହିତ କଫିହାଉସ ଦିଗରେ ଅଗ୍ରସର ହେଲେ।

ନଅଟା ବାଜିଥାଏ।ଅନେକ ଗୁଡିଏ ଟେବୁଲ ପ୍ରେସିଡେନ୍ସି କଲେଜର ଛାତ୍ରଛାତ୍ରୀ ମାନେ ଅକ୍ତିଆର କରି ବସିଯାଇଥାନ୍ତି।ଲେଖକ,ପ୍ରକାଶକ ଓ ବୁଦ୍ଧିଜୀବୀ ମାନଙ୍କ ଉପସ୍ଥିତି ଏତେଟା ଜଣା ପଡୁନଥାଏ।ପଛ ଭାଗର ଦୁଇଟି ଟେବୁଲରେ ବୟସ୍କ ବ୍ୟକ୍ତି ମାନେ ବସିଥାନ୍ତି।


ବିପିନ, ସୋମ୍ ଓ ସରିତା ବାଲକୋନିରେ ବସିବା ପାଇଁ ସିଢି ଦେଇ ଉପରକୁ ଉଠିଗଲେ।ସେଇଠି ଗୋଟିଏ ଟେବୁଲରେ ବସି ସରିତା ଦୁଇ ଜଣଙ୍କ ପାଇଁ ଚିଜ୍ ସ୍ୟାଣ୍ଡଓ୍ବିଚ ,ଦୁଇକପ କଫି ଏବଂ ସୋମ୍ ପାଇଁ ଫ୍ରେଞ୍ଚ ଫ୍ରାଏ ଓ ଚାଉମିନ୍ ଅର୍ଡର କଲେ।

ପନ୍ଦର ମିନିଟ ଭିତରେ ଗରମା ଗରମ ଖାଇବା ଆଣି ପ୍ଲେଟରେ ପରଶି ଦେଇଗଲା ପରିଚାରକ ଜଣକ।ଖାଇବା ଭିତରେ ସରିତା ଲକ୍ଷ୍ୟକରୁଥିଲେ ସୋମ୍ କୁ ।କିଛି ଗୋଟେ କାରଣ ପାଇଁ ସେ ଯେମିତି ଖାଇବା ଉପରେ ନଜର ନଦେଇ ଏପଟ ସେପଟ ହେଉଥାଏ ଓ କିଛି ଶୁଙ୍ଘିବାର ଚେଷ୍ଟା କରୁଥାଏ।ଏ ଭିତରେ କଫିହାଉସର ତଳ ମହଲାଟି ପୁରାପୁରି ଭରିଯାଇଥାଏ।ନିତ୍ୟ ନୈମିତିକ ପରମ୍ପରା ଭଳି ଜଳଖିଆ ଖାଇସାରି ଅଧିକାଂଶ ଗ୍ରାହକ ଓଠରେ ସିଗାରେଟ ଧରି ଧୂଆଁର କୁଣ୍ଡଳି ବନେଇ ଚାଲିଥା'ନ୍ତି।ଅନ୍ୟମାନଙ୍କ ପ୍ରତି ନିଘା ନଥାଏ ସେମାନଙ୍କର।ସମୁହ ଧୂମ୍ରପାନ କିନ୍ତୁ କଫିହାଉସରେ ଧୂମିଳ ପରିବେଶଟିଏ ସୃଷ୍ଟି କରିଦେଇଥାଏ ଯାହାକି କିଛି ଲୋକଙ୍କ ପାଇଁ ଧୀରେ ଧୀରେ ଅସହ୍ୟ ହୋଇ ଉଠୁଥାଏ।

'ଧୂମ୍ରପାନ ନିଷେଧ' ବୋର୍ଡଟି ଅସହାୟ ଭାବରେ କାନ୍ଥରେ ଝୁଲୁଥାଏ।ସୋମ୍ ର ପ୍ରଶ୍ନର ସଠିକ ଉତ୍ତର ଦେଇପାରୁ ନଥାନ୍ତି ବିପିନ ଓ ସରିତା।ଛୋଟ ପିଲାଟି ମନରେ ଉଙ୍କି ମାରୁଥିବା କୌତୁହଳକୁ ବୁଝିପାରୁଥିଲେ ମଧ୍ୟ ସଠିକ ଭାବେ ସେସବୁକୁ ବୁଝାଇବାକୁ ସମର୍ଥ ହୋଇନଥିଲେ ଦୁହେଁ ସ୍ବାମୀ ସ୍ତ୍ରୀ।ଖାଇବା ପରେ ସମସ୍ତେ କାହିଁକି ସିଗାରେଟ ଫୁଙ୍କି ଧୂଆଁ ଉଡାନ୍ତିର ଉତ୍ତରରେ ବିପିନ କହିଲେ ସେମାନେ ଏମିତି କରି ଆନନ୍ଦ ପା'ନ୍ତି।

ସୋମ୍ କିନ୍ତୁ ନଛୋଡବନ୍ଧା।ଆମ ମିସ୍ ତ କହୁଥିଲେ ସ୍ମୋକିଂ ବହୁତ ଖରାପ। ଆମ ଲଙ୍ଗସ୍ ଖରାପ ହୋଇଯାଏ।ଆମେ ନିଜେ ସ୍ମୋକ୍ ନକଲେ ମଧ୍ୟ ଆମ ପାଖରେ ଯେଉଁମାନେ ସ୍ମୋକ୍ କରନ୍ତି ସେଇ ଧୂଆଁରେ ଆମର କ୍ଷତି ହୁଏ। ଏକଥା କ'ଣ ସତ ମମି?ହଁ ତୋର ମିସ୍ ଯାହା କହିଛନ୍ତି ସେକଥା ପୁରାପୁରି ସତ।ସୋମ୍ କୁ ଆଉ ଅଧିକ ପ୍ରଶ୍ନ ପଚାରିବାର ମଉକା ନଦେଇ ଶୀଘ୍ର ଶୀଘ୍ର ସେଠାରୁ ବାହାରି ଆସିବାକୁ ଶ୍ରେୟ ମନେକଲେ ବିପିନ।

ଘରେ ପହଞ୍ଚି ସରିତା ଓ ସୋମ୍ କୁ ଛାଡି ନିଜ ଅଫିସକୁ ଚାଲିଗଲେ ବିପିନ।

ନିଜ କାମରେ ବ୍ୟସ୍ତ ଥିଲେ ସରିତା।

ସୋମ୍ ତାର ଷ୍ଟଡି ଟେବୁଲରେ ବସି ଡ୍ରଇଂ କରିବାକୁ ଲାଗିଗଲା।କିଚେନ୍ ରେ ପରିବା କାଟୁଥିବା ସମୟରେ ହଠାତ୍ ସୋମ୍ର ରୁମରୁ ଧୂଆଁ ବାହାରୁ ଥିବାର ଦେଖି ଦୌଡିଗଲେ ସେ ଆଡକୁ ସରିତା।ଯାହା ଦେଖିଲେ ସେଥିରେ ନିଜ ଆଖିକୁ ମଧ୍ୟ ବିଶ୍ୱାସ କରିପାରି ନଥିଲେ ସେ।ଝରକା ଆଡକୁ ଅନାଇ ହାତରେ ସିଗାରେଟ ଧରି ଫୁଙ୍କିଲା ବେଳକୁ କାଶିକାଶି ବେଦମ ହୋଇଯାଉଥିଲା ସୋମ୍।ତା ହାତରୁ ସିଗାରେଟଟି ଟାଣି ତଳେ ଫୋପାଡ଼ି ଦେଇଥିଲେ ସେ।ରାଗରେ ହିତାହିତ ଜ୍ଞାନ ଭୂଲି ସୋମ୍ ର ଦୁଇ ଗାଲରେ ଢୋ ଢା କରି ଦୁଇ ଚାପୁଡା ଦେଇଦେଲେ ସେ।

ଧକେଇ ଧକେଇ କାନ୍ଦୁଥିଲା ସୋମ୍।

ମା' ମନ ବୁଝୁନଥିଲା।କୋଳକୁ ଟାଣିଆଣି ତାର ଲୁହ ପୋଛି ଦେଇ ସିଗାରେଟ କୋଉଠୁ ଆଣିଲୁ ବୋଲି ପଚାରିବାରୁ ସେ ପାପାଙ୍କ କପବୋର୍ଡରୁ ଆଣିଛି ବୋଲି ମାନିଲା।

ପାପା କେମିତି ସିଗାରେଟ ଜଳାନ୍ତି ସେଇଟା ମଧ୍ୟ ଲକ୍ଷ୍ୟକରିଥିଲା ସେ।ସେଥିପାଇଁ ଲାଇଟରରେ ଜଳାଇଥିଲା ସେ।ପାପା କଫିହାଉସରେ କହିଥିଲେ ଯେ ସିଗାରେଟ ସ୍ମୋକ କଲେ ଭଲଲାଗେ ବୋଲି।ସେଥିପାଇଁ ମୁଁ ସ୍ମୋକ କରିବାକୁ ଟ୍ରାଏ କରୁଥିଲି ମମି।କିନ୍ତୁ ମତେ ତ କିଛି ଭଲଲାଗିଲାନି।କାଶ ହେଲା ବହୁତ।

ଶାନ୍ତ ସରଳ ନିଷ୍ପାପ ପିଲାଟିକୁ ଅବାକ ହୋଇ ଚାହିଁ ରହିଥିଲେ ସରିତା।ସେଦିନ ଅଫିସରୁ ଫେରିବାକୁ ଟିକେ ଡେରି ହୋଇ ଯାଇଥିଲା ବିପିନଙ୍କର।ସୋମ୍ ଶୋଇଯାଇଥିଲା।ସରିତାଙ୍କ ଠାରୁ ସବୁ ବୃତ୍ତାନ୍ତ ଶୁଣି ସୋମ୍ ର ରୁମକୁ ଯାଇ ତା ମଥାକୁ ସାଉଁଳେଇ ଦେଉଥିଲେ ବିପିନ।ସୋମ୍ ହାତରେ କିଛି ଗୋଟିଏ ଧରିକି ଶୋଇଥିଲା।ଧୀରେ କରି ସେଇଟି ଆଣି ଦେଖିଲେ ସେ।ଡ୍ରଇଂଟିଏ କରିଥିଲା ସେ।ତା ତଳେ ଲେଖିଥିଲା 'ଧୂମପାନ ଶରୀର ପାଇଁ କ୍ଷତିକାରକ'।

ଲେଖାଟି ସତେଯେମିତି ତାଙ୍କୁ ଉପହାସ କରୁଥିଲା।ନିଜକୁ ପରିବର୍ତ୍ତନ କରିବାର ପଣ ନେଇ ନିଜର କପବୋର୍ଡରୁ ସିଗାରେଟ ପ୍ୟାକେଟଟି ନେଇ ଡଷ୍ଟବିନ ଆଡକୁ ଯାଉଥିଲେ ବିପିନ।



Rate this content
Log in