ଓଠ ତଳର ହସ
ଓଠ ତଳର ହସ
ଯେତେବେଳେ ଦେଖାହୁଏ କଇଁଫୁଲିଆ ହସଟିଏ ହସିଦିଅନ୍ତି ସେ । ସଂତୃପ୍ତିର ଭାବ ସ୍ଟଷ୍ଟଭାବେ ଦେଖିବାକୁ ମିଳେ ତାଙ୍କ ମୁଖଭଙ୍ଗିରେ । ତାଙ୍କ ଘରର ଗେଟ ସାମନା ଦେଇ ଯିବାବେଳେ କେତେବେଳେ ଯଦି ଦେଖିନିଅନ୍ତି, ଖୁବ ସ୍ନେହରେ ହାତ ଧରି ଭିଡି ନିଅନ୍ତି ଘର ଭିତରକୁ । ଯେତେ କାମ ଥିଲେ ମଧ୍ୟ ଏ ସ୍ନେହରଙ୍କୁଣା ମନଟି ତାଙ୍କ କଥା ମାନିଯାଏ । ପାଞ୍ଚଦଶ ମିନିଟର କଥାବାର୍ତ୍ତା ଭିତରେ ବି ସେ ଚା କପଟି ନିଶ୍ଚୟ ପରଶି ଦିଅନ୍ତି ଓ ତା ସହିତ ଆନୁଷଙ୍ଗିକ କିଛି ।
ମନେହୁଏ ସୁଧା ମାଉସୀ ସତରେ କେତେ ଖୁସିବାସିଆ ମଣିଷଟେ । ମଉସାଙ୍କ ସହିତ କେବେ ଅବଶ୍ୟ କଥାବାର୍ତ୍ତା ହେଇନି ମୋର । ଏତେ ବଡ ଘରଟିରେ ମାଉସୀଙ୍କୁ ବେଶିଭାଗ ଆତଯାତ ହେବାର ଦେଖାଯାଏ । ଆମ ଘର ଛାତରୁ ବି ମାଉସୀଙ୍କୁ ଦେଖିହୁଏ ସକାଳେ ଓ ବେଳବୁଡିଲେ ଫୁଲଗଛମାନଙ୍କୁ ପାଣି ଦେବାର ।
ସେଦିନ ମୁଁ ଗଛରେ ପାଣି ଦେବାକୁ ଯାଇଥାଏ । ମାଉସୀଙ୍କୁ ଦେଖି ପାରିଲିନି । ଭାବିଲି କାର୍ଯ୍ୟବ୍ୟସ୍ତ ଥିବେ ଅଥବା ମୋ ଆସିବା ଆଗରୁ ଗଛରେ ପାଣି ଦେଇ ତଳକୁ ଚାଲିଯାଇଥିବେ ।
ଏ ଭିତରେ ଅନେକ ଦିନ ବିତି ଯାଇଥାଏ । ମୁଁ ସେଦିନ ମାଉସୀଙ୍କ ଘରକୁ ଯାଇ ତାଙ୍କୁ ଟିକେ ଦେଖା କରି ଆସିବାକୁ ମନସ୍ଥ କଲି । ବୋଉ ବି ଦୁଇଦିନ ଧରି କହୁଥିଲା ମାଉସୀଙ୍କ ହାଲଚାଲ ପଚାରି ଆସିବାକୁ । ବୋଉ ତିଆରି କରିଥିବା ଆରିଷା ପିଠା ନେଇ ପହଞ୍ଚିଲି ମାଉସୀଙ୍କ ଘରେ । ମେନଗେଟ୍ ଖୋଲି ଧୀରେଧୀରେ ପହଞ୍ଚିଲି ତାଙ୍କ ମୁଖ୍ୟ ଦରଜା ପାଖରେ । ଅନ୍ୟ ଦିନମାନଙ୍କରେ ଏତେବେଳକୁ ପାଛୋଟି ନେବାକୁ ମାଉସୀ ଆସିଯାଇଥା'ନ୍ତି । ବଡ ଶଙ୍କାୟିତ ହେଇଯାଉଥାଏ ମନ ମୋର । ପଡୋଶୀ ହେଲେ ମଧ୍ୟ ମାଉସୀଙ୍କୁ ମୁଁ ଖୁବ ନିଜର ଭାବେ । କେବଳ ମୁଁ ନୁହେଁ ଆମ ଘରର ସମସ୍ତେ ତାଙ୍କୁ ଖୁବ ଭଲପାଆନ୍ତି ।
ଦରଜା ବନ୍ଦ ଥାଏ । ବେଲ୍ ବଜାଇବାକୁ ଯିବା ସମୟରେ ହଠାତ୍ ରହିଗଲି ମୁଁ । ଘରେ ପଶୁପଶୁ ଡାହାଣ ପଟେ ମାଉସୀଙ୍କ ଠାକୁର ଘର ପଡେ । ସେଇଠି ବୋଧହୁଏ ପୂଜା କରୁଥିଲେ ନା କ'ଣ ଧୂପ ଓ ଘିଅଦୀପର ସୁଗନ୍ଧ ବାହାର ପର୍ଯ୍ୟନ୍ତ ପହଞ୍ଚି ଯାଉଥିଲା । ତା ସହିତ ଭଗବାନଙ୍କ ନିକଟରେ ଅଭିଯୋଗଭରା ସ୍ୱରରେ ଚାପା କାନ୍ଦଣା ମଧ୍ୟ ଶୁଣାଯାଉଥିଲା । ସ୍ନେହର ପ୍ରବହମାନ ଧାରା ଭଳି ମାଉସୀଙ୍କୁ ନିଃସନ୍ତାନ କରି ଭଗବାନ ଯେ ତାଙ୍କୁ ଏତେ ଗଞ୍ଜଣା ଦେଇଛନ୍ତି, ପରିବାରର ସମସ୍ତଙ୍କଠାରୁ ନାନା ପ୍ରକାର ଉଲୁଗୁଣା ସହି ସହି ନିଜକୁ ପଥର କରି, ସ୍ୱାମୀଙ୍କର ପିତା ହେବାର ଅଯୋଗ୍ୟପଣକୁ ଦୁନିଆଁ ସାମନାରେ ଲୁଚାଇରଖି ବାଞ୍ଝ ହେବାର କଳଙ୍କ ନିଜ ମୁଣ୍ଡରେ ବୋଳି ଏତେ ପର୍ଯ୍ୟନ୍ତ ଆଗେଇଛନ୍ତି ସେ । ପିଲାଟିଏ ଅନାଥାଶ୍ରମରୁ ଆଣି ପାଳିବାର ତାଙ୍କର ଇଚ୍ଛାଟିର ମଧ୍ୟ ଗଳାରୁଦ୍ଧ କରି ମାରି ଦିଆଯାଇଛି ।
ସହନଶକ୍ତିର ବନ୍ଧ ବୋଧହୁଏ ସେଦିନ ଭାଙ୍ଗିଯାଇଥିଲା ଆଉ ନିଜର ମନତଳର ବ୍ୟଥାକୁ ସେଇ ସର୍ବ ଶକ୍ତିମାନଙ୍କ ଆଗରେ ଅଭିଯୋଗ ଆକାରରେ ବାଢି ଦେଉଥିଲେ ସେ ।
ସ୍ତବ୍ଧ ହୋଇ ସେଇଠି ରହିଯାଇଥିଲି ମୁଁ । ସ୍ନେହ ମମତାର ନିର୍ଝରିଣୀ ମୋ ଅତି ପ୍ରିୟ ମାଉସୀଙ୍କ ବେଦନାର ଅଶ୍ରୁ ମତେ ମଧ୍ୟ ଅଶ୍ରୁସିକ୍ତ କରିଦେଉଥିଲା । ତାଙ୍କ ସ୍ନିଗ୍ଧ ମୁଖମଣ୍ଡଳର ହସ ହସ ମୁହଁ ପଛରେ ଥିବା ଅବ୍ୟକ୍ତ ଯନ୍ତ୍ରଣା ମୁଁ ମର୍ମେମର୍ମେ ଅନୁଭବ କରିପାରୁଥିଲି । ମନେମନେ ପ୍ରତିଜ୍ଞା କରୁଥିଲି ମାଉସୀଙ୍କ ପଣତ କାନିରେ ଖୁସିର ଫୁଲ ସବୁ ଭରିଦେବାକୁ ।