Minakshi Samal

Others

3  

Minakshi Samal

Others

ଅତିଥି

ଅତିଥି

3 mins
354



ପାହାଡ ପର୍ବତ ଘେରା ,ବାଦଲ ମେଳରେ ଲୁଚକାଳି ଖେଳୁଥିବା,ଲମ୍ବା ଲମ୍ବା ପାଇନ୍ ବୃକ୍ଷରାଜି ଯେଉଁମାନେ ସଶସ୍ତ୍ର ଦ୍ବାରପାଳ ପରି ପାହାଡଉପରେ ଦଣ୍ଡାୟମାନ,ରଙ୍ଗୀନ ପୁଷ୍କରାଜି ଯେଉଁମାନେ କି ହୀରା ,ନୀଳା,ମଣି,ମୁକ୍ତା ଖଚିତ ସବୁଜ ଗାଲିଚା ସମ ପ୍ରତୀୟମାନ ହୁଅନ୍ତି,ପର୍ଯ୍ୟଟକଙ୍କ ପାଇଁ ଅମ୍ଲଜାନର ମାତ୍ରା ଯେଉଁଠାରେ କମ୍ ଜଣାପଡେ,ଆଖି ପାଉନଥିବା ଦୂରତା ପର୍ଯ୍ୟନ୍ତ ଯେଉଁଠାରେ କେବଳ ଶୀତଳ ମରୁଭୂମି ଦୃଷ୍ଟିଗୋଚର ହୁଏ,ସମୁଦ୍ର ପତ୍ତନ ଠାରୁ ୧୨୦୦୦ ଫୁଟ ବା ତାଠାରୁ ଅଧିକ ଉଚ୍ଚତାରେ ଥିବା ସ୍ଥାନ ଗୁଡିକ ଯେଉଁଠାରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଗୁଡିକ ସବୁ ସମୟରେ ଉପଲବ୍ଧ ହୋଇପାରେନି,ବିଜୁଳି ସରବରାହ ରେ ବ୍ୟାଘାତ ଘଟେ,ଯେଉଁଠି ସ୍ବଳ୍ପ ଆମଦାନୀରେ ମଧ୍ୟ ସନ୍ତୁଷ୍ଟ ରହିବାର ମନୋବୃତ୍ତି ରଖୁଥିବା ନାଗରିକମାନେ ବାସକରନ୍ତି ସେହିଭଳି ପାହାଡିଆ ଜାଗାଟି ହେଲା ଗାଙ୍ଗଟକର ଲାଚୁଙ୍ଗ।


ଲାଚେନ୍ ରୁ ଯାଇ ଲାଚୁଙ୍ଗ୍ ରେ ପହଞ୍ଚିବା ବେଳକୁ ସନ୍ଧ୍ୟା ହୋଇ ସାରିଥାଏ।ଆମର ଗାଡିଟି ଯେତେବେଳେ ହୋଟେଲ 'ଲାଚୁଙ୍ଗ ଡାଇନାଷ୍ଟି'ସମ୍ମୁଖରେ ରହିଲା ........ଦେଖିଲୁ ସେଠାରେ ଅନ୍ଧକାରର ରାଜୁତି।ସେଠାରେ ଓ ଆଖପାଖ ଅଞ୍ଚଳରେ କରେଣ୍ଟ ନଥାଏ।ମୁଣ୍ଡ ଖରାପ।କିଛି କରିବାର ନାହିଁ କାରଣ ଟୁର ଅପରେଟର ଯେଉଁ ଇଟିନେରାରୀ ଦେଇଥିଲେ ସେଥିରେ ସ୍ପଷ୍ଟ ଉଲ୍ଲେଖ ଥିଲା ଯେ ଏଇସବୁ ଆଭ୍ୟନ୍ତରୀଣ ଜାଗା ଗୁଡିକରେ ଏଇମିତି ସମସ୍ୟା ରହିପାରେ ।ତେଣୁ ଆଡଜଷ୍ଟ କରିବାକୁ ପଡିବ।


ଗାଡି ରହିବା କ୍ଷଣି ଦୁଇଟି ପୁଅ(ବୟସ ପ୍ରାୟ ୧୫ ରୁ ୨୦ ବର୍ଷ ଭିତରେ ହେବ)ସଙ୍ଗେ ସଙ୍ଗେ ଆସି ଅତିଥିଙ୍କୁ ସଙ୍ଖୋଳିବା ପରି ଆମକୁ ସ୍ବାଗତ କଲେ।ଲଗେଜ୍ ସବୁ ଗାଡିରୁ ଉତାରି ଲବି ରେ ରଖିବା ପରେ ଖୁବ ବିନୀତ ଭାବରେ କରେଣ୍ଟ ନଥିବା ଯୋଗୁଁ କ୍ଷମା ପ୍ରାର୍ଥନା କଲେ ଦୁଇଜଣ।

ତାପରେ ମହମବତୀ ଆଲୋକରେ ଆମ ମାନଙ୍କୁ ଆମ ରୁମ୍ ପାଖରେ ଛାଡିବା ସମୟରେ ଆବଶ୍ୟକତା ଅନୁସାରେ ଜିନିଷ ସବୁ ଅବିଳମ୍ବେ ଯୋଗାଇ ଦେବାର କଥା ଦେଇ ଦୁଇଜଣ ଚାଲିଗଲେ।ରୁମ ରେ ଦୁଇଟି ମହମବତୀ ଜଳୁଥାଏ।ଥଣ୍ଡା ଜାଗା ଥିବାରୁ ଫ୍ୟାନ୍ ବା ଏ. ସି. ର ଆବଶ୍ୟକତା ଅନୁଭବ ହେଉନଥାଏ।ମୋବାଇଲ ଗୁଡିକରୁ ଚାର୍ଜ ଶେଷ ହେବା ଉପରେ।କିନ୍ତୁ ନିରୁପାୟ ଥିଲୁ।କିଛି ସମୟ ମଧ୍ୟରେ ପିଲା ଦୁଇଜଣ ଟ୍ରେ ରେ ଗରମା ଗରମ କଫି ନେଇ ଆସିଲେ ଓ ରାତ୍ରି ଭୋଜନରେ ଆମେ କ'ଣ ଖାଇବୁ ସେକଥା ପଚାରିଲେ।ମୁଁ ତାଙ୍କର ନାଁ ପଚାରିଲି।ଜଣକର ନାଁ ଥିଲା ବିଶ୍ବାସ ଓ ଅନ୍ୟଜଣେ ଥିଲା ସଞ୍ଜୀବ।କେବଳ ନିରାମିଷ ଭୋଜନ ମିଳିବ ବୋଲି କହିଲେ ସେମାନେ।ରୁଟି ସହିତ ଭାତ,ଡାଲି ଓ ଦୁଇ ପ୍ରକାର ଭଜା ରାତି ଆଠଟାରେ ଆଣି ଟେବୁଲରେ ସଜାଇ ଗରମ ଗରମ ଖାଇଦେବା ପାଇଁ କହିଲେ ସେମାନେ।ସେଇସବୁ ପାହାଡିଆ ଜାଗାରେ ଆଠଟା ରୁ ସାଢେ ଆଠଟା ରେ ରାତ୍ରିଭୋଜନ କରିବାକୁ ପଡିଥିଲା।ସକାଳୁ ସକାଳୁ ରେଡି ହୋଇ ପୁଣି ବୁଲି ବାହାରିବାକୁ ବି ପଡୁଥିଲା। ପିଲା ଦୁଇଟିଙ୍କର କଥାବାର୍ତ୍ତା ଓ ଅତିଥି ସତ୍କାର ଶୈଳୀ ଖୁବ ଭଲଲାଗିଲା।

ସକାଳ ସାତଟା ସୁଦ୍ଧା ସଜ ହେବା ବେଳକୁ ଡ୍ରାଇଭର ଫୋନ୍ କରି ଜଳଖିଆ ଶେଷକରି ବାହାରିବାକୁ କହିଲା।ଡାଇନିଂ ରୁମକୁ ଯାଇ ଜଳଖିଆ କରି ବାହାରି ପଡିଲୁ ୟମଥାଙ୍ଗ ଭ୍ୟାଲି ଦେଖିବା ପାଇଁ।


ରାସ୍ତାର ଦୁଇ ପାର୍ଶ୍ଵରେ ରୋଡୋଡେଣ୍ଡ୍ରନ୍ ର ଫୁଲଭରା ଗଛ ଗୁଡିକ ଖୁବ୍ ସୁନ୍ଦର ଦେଖା ଯାଉଥାନ୍ତି।ପାଇନ ଗଛ ଗୁଡିକ ଜଗୁଆଳୀ ପରି ଠିଆ ହୋଇଥାନ୍ତି।ମଝି ମଝିରେ ଧଳା,ଗୋଲାପୀ,ଲାଲ,ହଳଦିଆ ଓ ବାଇଗଣୀ ରଙ୍ଗର ପାହାଡୀ ଫୁଲଗୁଡିକ ପାହାଡ ଦେହରୁ ଉଙ୍କି ମାରି ଦେଖୁଥାନ୍ତି।ସବୁଠାରୁ ଭଲ ଲାଗୁଥିଲା ପାହାଡିଆ ଅଞ୍ଚଳର ଶୀତଳତା।ନୈସର୍ଗିକ ସୌନ୍ଦର୍ଯ୍ୟ ଓ ଶୀତଳତାରେ କିଛିଦିନ କାଟିବା ପାଇଁ ସାରା ଭାରତ ବର୍ଷରୁ ପର୍ଯ୍ୟଟକ ଆସି ଭିଡ ଲଗେଇ ଥାନ୍ତି।ମଝିରେ ମଝିରେ ଡ୍ରାଇଭରଟି ଗାଡିକୁ ଛୋଟ ଛୋଟ ଗୁମୁଟି ଦୋକାନ ପାଖରେ ରଖି ଦେଉଥାଏ।ସେଠାରେ ଚା ବା କଫି ପିଇ ନଚେତ୍ ଗରମା ଗରମ ମୋମୋ ସହିତ ରାଗ ଲଙ୍କାର ଚଟଣୀ ଉଦରସ୍ଥ କରି ପୁନଶ୍ଚ ଯାତ୍ରା ଆରମ୍ଭ କରିବାକୁ ପଡୁଥିଲା।


ପାଖା ପାଖି ତିନିଘଣ୍ଟା ପରେ ପହଞ୍ଚିଲୁ ୟମଥାଙ୍ଗ ଭ୍ୟାଲି।ପାହାଡ ଘେରା ସମତଳ ଭୁମି କିଛିଟା।ମଝିରେ ପଥର ଉପର ଦେଇ କୁଳୁ କୁଳୁ ହୋଇ ବହିଯାଇଛି ଏକ ନଦୀ।ଥଣ୍ଡା ପାଣିରେ ହାତ ଦେଲେ କୋଲ ମାରି ଯାଉଥାଏ ହାତ।ପ୍ରକୃତିରାଣୀ ଖୁବ୍ ବୁଦ୍ଧିମତି।ପ୍ରତ୍ୟେକ ସ୍ଥାନରେ କିଛିନା କିଛି ସୌନ୍ଦର୍ଯ୍ୟ ଲୁଚାଇକି ରଖିଥାଏ।ସୌନ୍ଦର୍ଯ୍ୟ ପିପାସୁଙ୍କ ଆଖିରୁ ସେସବୁ କିନ୍ତୁ ବାଦ ଯାଏନା।ଅଗମ୍ୟ ପର୍ବତମାଳା ଭିତରେ ଯେ ଧରଣୀର ଏଭଳି ରୂପ ଲୁକ୍କାୟିତ ହୋଇ ରହିଥାଏ ତାକୁ ବି ସେ ଅନୁସନ୍ଧିଛ୍ଛୁ ଆଖି ଗୁଡିକ ଖୋଜି ନିଅନ୍ତି।


ପାହାଡ ଉପରେ ମେଘଖଣ୍ଡ ଗୁଡିକ ଭାସି ବୁଲୁଥାନ୍ତି।ଲାଲ,ନୀଳ,ସବୁଜ,ହଳଦିଆ ରଙ୍ଗର ପତାକା ଗୁଡିକ ଫରଫର ହୋଇ ଉଡୁଥିବା ଅବସ୍ଥାରେ ଅନେକତା ମଧ୍ୟରେ ଏକତାର ସୂଚନା ଦେଉଥାନ୍ତି।

ନିକଟରେ ଗୋଟିଏ ଉଷ୍ଣ ପ୍ରସ୍ରବଣ ଅଛି ବୋଲି ଶୁଣିଲା ପରେ ନଦୀ ଉପରେ ଥିବା ବ୍ରିଜ ଉପର ଦେଇ ଚାଲିଲୁ ପ୍ରକୃତିର ସେଇ ଅନନ୍ୟ ଜିନିଷଟି ଦେଖିବା ପାଇଁ।ରାସ୍ତାରେ ପଥର ଉପରେ ପଥରକୁ ସଜାଇ ରଖିଥିବାର ଦଛଶ୍ୟ ଦେଖି ଆମେ ମଧ୍ୟ ଅନୁକରଣ କରି ପ୍ରଥମେ ବଡ,ତା ଉପରେ ତାଠାରୁ ଟିକେ ଛୋଟ ଏଇ କ୍ରମରେ ପଥର ଗୁଡିକୁ ରଖୁଥିଲୁ ଯେତେ ପର୍ଯ୍ୟନ୍ତ ସେମାନେ ଭାରସାମ୍ୟ ରଖି ପାରୁଥିଲେ।


ପାହାଡିଆ ଅଣ ଓସାରିଆ ରାସ୍ତାରେ ଉପରକୁ ଉଠିବା ବେଳେ ଗୋଟିଏ ବୁଦା ପାଖରେ କିଛି ଗୋଟିଏ ବୃକ୍ଷ ପାଖରେ ମୋ ନଜର ଅଟକି ଗଲା।ଅଦ୍ଭୁତ ଉଦ୍ଭିଦଟିକୁ ନିରିଖେଇ ଦେଖିଲା ପରେ ମନେପଡିଲା ଅଷ୍ଟମ ଶ୍ରେଣୀରେ ଇଂରାଜୀରେ ବିଶିଷ୍ଟ ଭାରତୀୟ ଲେଖକ ରସ୍କିନ ବଣ୍ଡଙ୍କ ଲିଖିତ ଏକ ବିଷୟ'ଏ ଶର୍ଟ ମନସୁନ ଡାଏରୀ'ରେ ବର୍ଣ୍ଣିତ ହୋଇଥିବା କୋବ୍ରା ଲିଲି ଫୁଲ।ମନ ଖୁସିରେ ଭରିଗଲା ବହିରେ ପଢିଥିବା ଫୁଲଟିକୁ ସ୍ବଚକ୍ଷୁରେ ଦେଖି।ପ୍ରକୃତି ରାଣୀ ଯେ ସୌନ୍ଦର୍ଯ୍ୟର ଗନ୍ତାଘର ଏଥିରେ କୌଣସି ସନ୍ଦେହ ନଥିଲା।


ବୁଲାବୁଲି କରି ହୋଟେଲ ଫେରିଲା ବେଳକୁ ସାଢେ ତିନିଟା।ଆମ ଆଗରୁ ଫେରି ଆସିଥିବା ପର୍ଯ୍ୟଟକମାନେ ପ୍ରାୟ ସମସ୍ତ ଖାଦ୍ୟ ଉଦରସ୍ଥ କରି ସାରିଥାନ୍ତି।ବଳିଥିବା ଭାତ,ଡାଲି ,ଆଳୁଭଜା ଟିକେ ଟିକେ ଖାଇ ପ୍ରସ୍ତୁତ ହେଲୁ ଲାଚୁଙ୍ଗ ଯିବାକୁ।ଡ୍ରାଇଭର ମଧ୍ୟ ପ୍ରସ୍ତୁତ ହୋଇ ଥାଏ।

ପିଲା ଦୁଇଟି କିନ୍ତୁ ପାରୁ ପର୍ଯ୍ୟନ୍ତ ନିଜ ତରଫରୁ ଆଚାର,ପାପଡ ଜାଚିକି ଦେଉଥାନ୍ତି ଯେପରିକି ଆମେ ଭଲରେ ଦୁଇମୁଠା ଖାଇପାରୁ।ପାହାଡି ପିଲା ଦୁଇଜଣଙ୍କର ଆତିଥେୟତା ଆଜି ବି ମନେପଡେ।'ଅତିଥି ଦେବୋ ଭବ' ମନ୍ତ୍ରରେ ସତେ ଯେପରି ଅଭିମନ୍ତ୍ରିତ ଥିଲେ ଦୁହେଁ।



Rate this content
Log in