Minakshi Samal

Others

3  

Minakshi Samal

Others

କଞ୍ଚାଲଙ୍କା

କଞ୍ଚାଲଙ୍କା

3 mins
199


ଛାତ ବଗିଚାରେ ଲଗାଇ ଥିବା ଅନେକ ଗୁଡିଏ ଗଛ ଭିତରୁ କଅଁଳ ଛନଛନ ହୋଇ ବଢି ଚାଲିଥିଲେ କଖାରୁ, ପୋଦିନା, ଖଡା ଶାଗ, ବାଇଗଣ ଓ ଲଙ୍କା।ବାଲକୋନୀରେ ଲଗାଇଥିଲେ କିଛି ଗୋଲାପ ଗଛ।ମାଙ୍କଡ଼ଙ୍କ ବଡ ଉପଦ୍ରବ ସେ ଅଞ୍ଚଳରେ।ଗଛଗୁଡିକୁ ଭାଙ୍ଗି କଷି ବାଇଗଣ ଓ କଖାରୁକୁ ଛିଣ୍ଡାଇ ଫୋପଡା ଫିଙ୍ଗା କରିଥାଆନ୍ତି ପାତି ମାଙ୍କଡ଼ ଓ ହନୁମାଙ୍କଡ ଦଳ।ଗଛ ଲଗାଇବାର ସଉକ ଥିବାରୁ ସେସବୁ ଦେଖିଦେଖି ମନସ୍ତାପ କଲେ ମଧ୍ୟ ପୁଣିଥରେ କିଛି ମଞ୍ଜି ପୋତି ଦିଏ ଦିପାଳୀ।ସ୍ୱାମୀ ନୟନ ମଧ୍ୟ ଖୁବ ଗଛପ୍ରିୟ।ଥରେ ନର୍ସରୀରୁ ଲେମ୍ବୁଗଛଟିଏ ଆଣି ଯତ୍ନରେ ଲଗେଇଥିଲେ ନୟନ।ତା ପଛରେ ଯେତିକି ଖତ,ସାର ଓ ପରିଶ୍ରମ କରିବାକୁ ପଡ଼ିଥିଲା, ଲାଗୁଥିଲା (ଜୋର ଦେଇ ନୟନ ସମସ୍ତଙ୍କୁ କହୁଥିଲେ) ପ୍ରତ୍ୟେକ ଲେମ୍ବୁର ଦାସ କମସେ କମ ପଚିଶ ଟଙ୍କା ହେବ।ଅଫିସରୁ ଫେରିବା ପରେ ସଞ୍ଜସମୟରେ ଗଛରେ ପାଣି ଦେବାକୁ ଯାଏ ଦିପାଳୀ।ଗଛଗୁଡିକ ପ୍ରତି ମାୟା ଆସିଯାଏ।ପାଣି ଦେଉଦେଉ ସ୍ନେହରେ ସେମାନଙ୍କ ଉପରେ ହାତ ବୁଲେଇଆଣେ।ସୂର୍ଯ୍ୟମୁଖୀ ଲଙ୍କା ଗଛରେ ଲଙ୍କାସବୁ ଭରିଯାଇଥାଆନ୍ତି। ସୂର୍ଯ୍ୟଦେବତାଙ୍କ ଆଡକୁ ଏକଲୟରେ ଚାହିଁ କ'ଣ କହନ୍ତି ସେମାନେ କେଜାଣି।


ସେଦିନ ଥାଏ ରବିବାର।ପରଦିନ ଥାଏ ରାକ୍ଷୀପୂର୍ଣ୍ଣିମା।ଦିପାଳୀର ଅଫିସରେ ଛୁଟିଥିଲେ ମଧ୍ୟ ନୟନଙ୍କ ଅଫିସରେ ଛୁଟିନଥାଏ।ଗାଡିନେଇ ଗାଁକୁ ଯାଇ ଭାଇଙ୍କୁ ଓ ଫେରିବା ବାଟରେ ଭିଣୋଇଙ୍କୁ ରାକ୍ଷୀ ଦେଇ ଫେରିଆସିବାର ଇଚ୍ଛାଟି ସ୍ୱାମୀ ନୟନଙ୍କୁ ଜଣାଇଲା ଦିପାଳୀ।ବିଶେଷ କିଛି କାମ ନଥିବାରୁ ସମ୍ମତି ଦେଲେ ନୟନ।ଜଳଖିଆ ଖାଇ ଦୁହେଁ ବାହାରି ପଡିଲେ।ରାସ୍ତାରେ ବଡଭଉଣୀ ଓ ଭାଉଜଙ୍କୁ ଫୋନକରି ତାଙ୍କର ଆସିବାକଥା ଜଣାଇଦେଲା ଦିପାଳୀ।


ଦିଦି(ବଡଭଉଣୀ)ଜିଦ ଧରିଲେ ଆଗ ତାଙ୍କ ଘରକୁ ଯିବାକୁ।କାରଣ ଭୂବନେଶ୍ୱର କଟକ ରୋଡଦେଇ ଜଗତସିଂହପୁର ଯିବାସମୟରେ ଆଗ ତାଙ୍କ ଘରଟି ପଡେ।ସେଇଠି ଖରାବେଳ ଖାଇବା ଖାଇ ଗାଁ ଜଗତସିଂହପୁରକୁ ଯିବାପାଇଁ କହିଲେ ସେ।ବଡଭଉଣୀଙ୍କ କଥା ଟାଳି ନପାରି ମାନିଗଲେ ଦୁହେଁ।


 ଭିଣୋଇ ରୂପରେ (ବୁଟୁ ଭାଇଙ୍କୁ )ଦିପାଳୀ ବଡଭାଇଟିଏ ପାଇଥିଲା।କେବେ ତାର ନାଆଁ ଧରି ଡାକୁ ନଥିଲେ ସେ।ଦିପାଳୀ ନଡାକି ଦୀପା ମାଆ ବୋଲି ସମ୍ବୋଧନ କରନ୍ତି ସେ । ପିତା ଓ ବଡଭାଇଙ୍କ ପରି ଅଭିଭାବକ ସାଜନ୍ତି ସେ।ସମ୍ମାନରେ ଦିପାଳୀର ମୁଣ୍ଡ ନଇଁଯାଏ ତାଙ୍କ ପାଖରେ।


ଘରୁ ଆସିବା ବେଳେ ଯତ୍ନ କରି ଲଙ୍କା ଗଛରୁ ଲଙ୍କା କିଛି ତୋଳିଆଣି ରଖିଥିଲା ମଧୁରା।ସେ ଯାଣିଛି ଖାଇବା ସମୟରେ ବୁଟୁଭାଇ କଞ୍ଚାଲଙ୍କାକୁ ଖୋଜନ୍ତି।ବଜାରରୁ ଖୋଜି ଖୋଜି ତାଜା ଆଉ ରାଗୁଆ ଲଙ୍କା ଖୋଜି ଆଣନ୍ତି ସେ।ମୋଟ ଉପରେ କହିବାକୁ ଗଲେ ସେ ଭାରି ଲଙ୍କା ପ୍ରିୟ। ଅନ୍ୟ ମାନେ କହିବାର ଶୁଣିଛି ଦିପାଳୀ ଯେ କାହା ହାତକୁ/ଘରକୁ କେବେ ଲଙ୍କା ଦିଆଯାଏ ନାହିଁ। ଏଥିରେ ସମ୍ପର୍କ ଖରାପ ହୋଇଥାଏ।ଏସବୁ ପୁରୁଣାକାଳିଆ କଥାକୁ ଜମାରୁ ବିଶ୍ୱାସ କରେନା ଦିପାଳୀ ।


ଖାଇବା ସମୟରେ ଦିଦି ସୁସ୍ୱାଦୁ ବ୍ୟଞ୍ଜନ ସବୁ ବାଢିଦେଇଥା'ନ୍ତି। ତାଙ୍କ ହାତରନ୍ଧା ଚିଙ୍ଗୁଡ଼ି ଆଉ କଙ୍କଡା ତରକାରୀର ସ୍ୱାଦ ଖୁବ୍ ନିଆରା। ତରକାରୀର ଲାଲ ରଙ୍ଗ ସହିତ ଏକ ଲୋଭନୀୟ ବାସ୍ନା ଡାଇନିଂ ଟେବୁଲର ଚାରିପଟେ ଘୁରି ବୁଲୁଥାଏ ।ସମସ୍ତେ ଖାଇ ବସୁ ବସୁ ଦିପାଳୀ ବ୍ୟାଗ ଭିତରୁ ବାହାର କରି ଆଣିଲା କଞ୍ଚା ଲଙ୍କା ପୁଡିଆଟି।ସେଥିରୁ ଦୁଇଚାରୋଟି ଧୋଇ ବୁଟୁଭାଇଙ୍କ ପ୍ଲେଟରେ ରଖିଦେଲା। ଛନଛନିଆଁ ଲଙ୍କା ସବୁକୁ ଦେଖି ବୁଟୁଭାଇଙ୍କ ଆଖି ରେ ଖୁସିର ଏକ ଚମକ ଖେଳିଗଲା ତଡିତ୍ ବେଗରେ।


ସେସବୁକୁ ଛୁଇଁବା ଆଗରୁ ତତକ୍ଷଣାତ୍ ପ୍ଲେଟରୁ ଉଠାଇ ନେଲେ ଦିଦି, ଡାକ୍ତରଙ୍କ ଶକ୍ତ ବାରଣ କଥା ମନେ ପକାଇ।ଖାଇବା ଟେବୁଲରେ ଖେଳିଗଲା ନୀରବତା କିଛି ସମୟ ପାଇଁ।ତାପରେ ପୁଣି ସ୍ୱାଭାବିକ ହୋଇଗଲେ ସମସ୍ତେ।


ଖାଇବା ପର୍ବ ଶେଷ ହେଲା।ବୁଟୁଭାଇଙ୍କ ପାଇଁ ଆଣିଥିବା ରାକ୍ଷୀଟି ସହିତ ତାଙ୍କ ପାଇଁ ଆଣିଥିବା ସାର୍ଟଟି ତାଙ୍କ ହାତକୁ ବଢାଇ ଦେଇ ଏଥର ମେଲାଣି ମାଗିଲେ ଦିପାଳୀ ଓ ନୟନ। ଜଗତସିଂହପୁର ଯାଇ ରାତି ଭିତରେ ପୁରୀ ଫେରିବାକୁ ପଡିଥାନ୍ତା ସେମାନଙ୍କୁ।


ଏଭିତରେ ବିତିଯାଇଛି କିଛି ମାସ।ଆଜି ପବିତ୍ର ଶିବରାତ୍ରୀ।ଦିପାଳୀ ନିଜ ଘର ପାଖରେ ଥିବା ଶିବମନ୍ଦିରକୁ ସକାଳୁ ସକାଳୁ ଦର୍ଶନ କରିବାକୁ ବାହାରି ଗଲା।ନୟନଙ୍କ ସହିତ ନିର୍ଜଳା ଉପବାସ ରଖିଛି ସେ।ଏମିତିରେ ନୟନ ଭୋକ ସମ୍ଭାଳି ପାରନ୍ତିନି କିନ୍ତୁ ଏଥର ନିଜଆଡୁ ଉପବାସ ରଖିବା ପାଇଁ ଜିଦ୍ ଧରିଥିଲେ ସେ। ସନ୍ଧ୍ୟା ସମୟରେ ଅଖଣ୍ଡ ଦୀପ ଜାଳି ମହାଦୀପ ଉଠିବାର ପ୍ରତିକ୍ଷାରେ ଭକ୍ତମାନେ।ଘରକୁ ଫେରି ଫଳାହାର ପାଇଁ ପ୍ରସ୍ତୁତି ଚାଲିଥାଏ।ରାତି ପ୍ରାୟ ଦଶଟା ହେବ,ଫୋନ ବାଜିଉଠିଲା।ଦିଦିଙ୍କ ଫୋନ ଆସିଥିଲା।ବୁଟୁଭାଇ ସମ୍ପୂର୍ଣ୍ଣ

ଭାବେ ସୁସ୍ଥ ହୋଇଯିବାର ଖବର ଦେଇଥିଲେ ସେ। ମହାଦେବଙ୍କ ଉଦ୍ଦେଶ୍ୟରେ ହାତଯୋଡୁଥିଲା ଦିପାଳୀ।

ପରଦିନ ସକାଳୁ ସକାଳୁ ଲଙ୍କାଗଛଗୁଡ଼ିକୁ ତଦାରଖ କରୁଥିଲା ସେ ଆଉ ଦେଖୁଥିଲା ଲଙ୍କାସବୁ ପାକଳ ହେଲେଣି କି ନାଇଁ। ଆଗକୁ ଆସୁଥିବା ହୋଲି ମହୋତ୍ସବଟା ଦିଦି ଓ ବୁଟୁଭାଇଙ୍କ ସହିତ ପାଳନ କରିବାକୁ ମନେମନେ ସ୍ଥିର କରିସାରିଥିଲା ସେ।



Rate this content
Log in