ରଜ ସଜବାଜ
ରଜ ସଜବାଜ
ବର୍ଷା ଆସିବାରୁ ଛାତ ଉପରୁ ଲୁଗାପଟା ଆଣିବାକୁ ଯାଇଥିଲେ ସିପ୍ରା । କଳାବାଦଲ ଗୁଡାକ ଆକାଶକୁ ଅଚାନକ ଘୋଡେଇ ଦେବାରୁ ନଳିନୀକୁ ଅପେକ୍ଷା ନକରି ନିଜେ ଉଠିଗଲେ ଛାତ ଉପରକୁ । ଛାତ ଉପରେ ଲଗାଇ ଥିବା ଫୁଲ ଗଛମାନଙ୍କରେ ଫୁଲ ସବୁ ଭର୍ତ୍ତି ହୋଇଯାଇଥାଏ । ଏଇ ବର୍ଷାଦିନିଆ ଫୁଲଗଛ କେତେଟା କିଣି ଆଣିଥିଲେ ନର୍ସରୀରୁ । ଯତ୍ନରେ ବଡବଡ କୁଣ୍ଡରେ ଲଗେଇ ଖତସାର ଦେଇଥିଲେ । ସେଥିପାଇଁ ସକାଳ ସଞ୍ଜରେ ପାଣି ଦେବାବେଳେ ନିରେଖି ନିରେଖି ଦେଖନ୍ତି ଗଛଗୁଡିକୁ । ଏଇ ଅବେଳରେ ଛାତ ଉପରକୁ ଉଠିଯାଇଥିବାରୁ ଆଉଥରେ ମନପୁରାଇ ଦେଖିନେଲେ ଗଛଗୁଡିକୁ ।
ଗଛ ଲତାରେ ଯେମିତି ତାଙ୍କର ଶ୍ରଦ୍ଧା,ଘର ସଜାଇବାରେ ମଧ୍ୟ ଠିକ ସେମିତି ରୁଚିଶୀଳା ସେ । ଯେଉଁ ଜାଗାକୁ ବୁଲିବାକୁ ଯା'ନ୍ତି ସେଠାରୁ କିଛି ନା କିଛି ଘର ସଜାଇବା ଜିନିଷ କିଣି ଆଣନ୍ତି । ତାଙ୍କ ପସନ୍ଦର ପ୍ରତ୍ୟେକ ଛବି ଜୀବନ୍ତ ଲାଗେ ,ମନେହୁଏ ଛବି ଭିତରର ପ୍ରତିଟି ଉପାଦାନ ଭିତରେ କିଛିଟା ଅବ୍ୟକ୍ତ ଭାବ ରହିଛି ଯାହାକୁ ସେ ପ୍ରକାଶ କରିବାକୁ ସତତ ପ୍ରୟାସ କରୁଛି । ସ୍ୱାଦିଷ୍ଟ ବ୍ୟଞ୍ଜନ ବନାଇ ଖାଇବା ଏବଂ ଖୁଆଇବାରେ ଖୁବ ଆନନ୍ଦ ପାଆନ୍ତି ସିପ୍ରା । ନିଜକୁ ସଜାଇ ରଖିବାର ଅଭ୍ୟାସ ତାଙ୍କର ପିଲାଟି ଦିନରୁ । ପିଲାଦିନେ ମା' ତାଙ୍କର ଯତ୍ନକରି ନିଜ ବାରିର ନଡ଼ିଆରୁ ପ୍ରସ୍ତୁତ କରିଥିବା ନଡିଆ ତେଲ ଲଗେଇ ମୁଣ୍ଡ କୁଣ୍ଡେଇ ଦେଉଥିଲେ । ଆଖିରେ କଜ୍ୱ୍ସଳ ଓ କପାଳରେ କୁଙ୍କୁମ ଟିପାଟିଏ ଲଗେଇ ଦେଉଥିଲେ ।
ବୟସ ବଢିବାରୁ ନିଜେ ନିଜେ ସଜ ହେଉଥିଲେ ସେ ।
ଓଡ଼ିଶାର ଗଣପର୍ବ ରଜକୁ ସେ ବର୍ଷ ସାରା ଚାତକ ପରି ଅନେଇ ବସିଥା'ନ୍ତି । ରଜର ପୂର୍ବଦିନରୁ ଆରମ୍ଭ ହୋଇଯାଏ ରଜ ପାଇଁ ବଟା ଘଷା, ପିଠାପଣା ପାଇଁ ପ୍ରସ୍ତୁତି, ଦୋଳିଲଗା ଇତ୍ୟାଦି । ମାସକ ଆଗରୁ ବାପାଙ୍କ ସାଙ୍ଗରେ ନିଜେ ଯାଇ ଖୋଜି ଖୋଜି ମନପସନ୍ଦର ଫ୍ରକ ନହେଲେ ସାଲୱର କାମିଜ ନହେଲେ ଶାଢୀ କିଣି ଆଣନ୍ତି ସେ । ଗୋଟିଏ ମାତ୍ର କୋଡପୋଛା ଝିଅ ହୋଇଥିବାରୁ ବାପା ମା' ଖୁସିରେ ସବୁକିଛି ଯୋଗାଇ ଦିଅନ୍ତି ।
ଗାଆଁ ପାଖ କଲେଜରୁ ପାଠପଢା ସରୁସରୁ ସରକାରୀ ଚାକିରୀ କରୁଥିବା ଯୋଗ୍ୟ ବର ଦେଖି ବାପା ମା' ହାତକୁ ଦି ହାତ କରି ଦେଇଥିଲେ । ଯୋଗକୁ ଶାଶୁଘରେ ସେ ହିଁ ବଡ ସେ ହିଁ ଛୋଟଥିଲେ । ସ୍ୱାମୀ ନିହାର ବାପା ମା'ଙ୍କର ଏକୋଇରବଳା ବିଶିକେଶନ ଥିଲେ । ଶାଶୁଘରର ଜ୍ୟୋତି ସାଜିଲେ ସିପ୍ରା । ଶାଶୁ ସଦାବେଳେ କହନ୍ତି ....ମାଆରେ ତୁ ଯିବା ଆସିବା କଲାବେଳେ ତୋ ପାଉଁଜିର ରୁଣୁଝୁଣୁ ଶବ୍ଦରେ ମୋ ଘର ପୁରିଉଠୁଛି । ଏମିତି ସଦାବେଳେ ଚଳଚଞ୍ଚଳ ଥାଇ ମୋ ଘରକୁ ଖୁସିରେ ଭରିଦେବୁ ମା' । ତୁ ମୋର ବୋହୁ ତୁ ହିଁ ମୋ ଝିଅ ।
ଏକଥା ଶୁଣି ଶାଶୁଙ୍କୁ ଜଡାଇ ଧରନ୍ତି ସିପ୍ରା । ମନେ ମନେ ନିଜକୁ ଖୁବ ଭାଗ୍ୟବତୀ ମନେ କରନ୍ତି ।
କିଛି ବର୍ଷ ଗାଆଁରେ ଶାଶୁ ଶ୍ୱଶୁରଙ୍କ ପାଖରେ ରହିବାକୁ ପଡିଲା ସିପ୍ରାଙ୍କୁ । ପ୍ରତି ଶନିବାର ନିହାର କଟକରୁ ଗାଆଁକୁ ଆସନ୍ତି ପୁଣି ସୋମବାର ବଡି ଭୋରୁ ବାହାରି ଯାଆନ୍ତି ।
ଗାଆଁରେ ଥିବା ସମୟରେ ତାଙ୍କର କୋଳ ମଣ୍ଡନ କରି ଆସିଥିଲା ତାଙ୍କର ନୟନର ମଣି ଯାହାର ନାଁ ସେ ସ୍ନେହରେ ରଖିଥିଲେ କୋମଲ । ସମସ୍ତଙ୍କର ଆଦରର ଧନ ଥିଲା ସେ । ନିଜ ମା'ଙ୍କ ପରି କୋମଲକୁ ସଜାଉଥିଲେ ସିପ୍ରା ଅବଶ୍ୟ ସଜାଇବାର ଢଙ୍ଗ ଟିକିଏ ଅଲଗା ହୋଇଯାଇଥିଲା ସମୟର ଗତି ସାଙ୍ଗରେ ତାଳ ଦେଇ । ଶାଶୁ ଶ୍ୱଶୁରଙ୍କ ନିଧନ ପରେ ସ୍ୱାମୀଙ୍କ ପାଖକୁ ଭୁବନେଶ୍ୱର ଚାଲିଆସିଥିଲେ ସେ ।
ଝିଅ ବଡ ହୋଇ କଲେଜରେ ପଢିବାକୁ ଲାଗିଲା । କୌଣସି ପୂଜା ପର୍ବରେ କୌଣସି ରକମର ସାଜସଜାରେ କୋମଲର ମନ ନଥିଲା । ନା ନୂଆ ରକମର ପୋଷାକରେ ଶ୍ରଦ୍ଧାଥିଲା ନା ଥିଲା ନିଜର ମୁହଁ ଓ ଦେହର ପରିପାଟୀ । କେବଳ ପାଠପଢାରେ ନିଜକୁ ଡୁବେଇ ରଖୁଥିଲା ଯାହା ।
ସମୟର ପରିବର୍ତ୍ତନ ସହିତ ତାଳ ଦେଇ ମଣିଷକୁ ଚାଲିବାକୁ ପଡିଥାଏ । ବିପରୀତମୁଖି ହେଲେ ନାନା ପ୍ରକାର ସମସ୍ୟା ଦେଖାଦିଏ । ସବୁ ବୁଝନ୍ତି ସିପ୍ରା । ହେଲେ ଏଇ ରଜ ଆଉ କୁମାରପୂର୍ଣ୍ଣିମା ପରି ପର୍ବମାନଙ୍କରେ ସେ ଚାହାନ୍ତି ଝିଅ ତାଙ୍କର ଟିକେ ପାରମ୍ପରିକ ବେଶପୋଷାକରେ ନିଜକୁ ସଜାଉ । ଡ୍ରଇଂରୁମରେ ବସିଥିବା ସମୟରେ ଓଟିଡିସି ଦ୍ୱାରା ଆୟୋଜିତ ହୋଇଥିବା ରଜପାଳନର ସିଧା ପ୍ରସାରଣ କୋମଲକୁ ଦେଖାଇବା ପାଇଁ ଦୂରଦର୍ଶନ ଖୋଲି ଦିଅନ୍ତି । ସେସମୟର ରଜ ପାନଖିଆର ନୂତନ ସଂସ୍କରଣ ରୂପେ ନିଆଁ ବାହାରୁଥିବା ପାନର ଏଇ ଦୁଇତିନି ବର୍ଷ ହେଲା ପ୍ରଚଳନ ହୋଇଛି । 'ପିଠା ଅନ୍ ହ୍ୱିଲ' ମାଧ୍ୟମରେ ଓଡ଼ିଶାର ଲୁପ୍ତ ହୋଇଯାଉଥିବା ପିଠାଗୁଡିକୁ ମଧ୍ୟ ଗାଡି ଦ୍ୱାରା ବିଭିନ୍ନ ଜାଗାରେ ପହଞ୍ଚାଇ ଲୋକଙ୍କୁ ଉପଲବ୍ଧ କରାଯାଇ ପାରୁଛି । ଏସବୁ ଦୂରଦର୍ଶନରେ ଦେଖି କୋମଲ ବହୁତ ଖୁସିହୁଏ । ନିଜେ କିନ୍ତୁ ସଜବାଜର ଧାର ଧାରେନା ସେ ।
ଏଥର ରଜରେ କୋମଲ ଲକଡାଉନ ଯୋଗୁଁ ବାଙ୍ଗାଲୋରରୁ ଆସି ଘରେ ଥାଏ । ସଜବାଜ ଦିନ ଓର ଉଣ୍ଡି ଝିଅକୁ ଗାଧେଇ ପାଧେଇ ଟିକିଏ ସଜେଇହୋଇ ବିନ୍ଦି ଗୋଟିଏ କପାଳରେ ଲଗେଇ ହାତରେ ନୂଆକରି ଗଢି ରଖିଥିବା ନୂଆ ଡିଜାଇନର ବଳା ଦୁଇଟା ପିନ୍ଧି ଓ କାନରେ ଛୋଟ ଦୁଇଟା ଡାଇମଣ୍ଡ ବସା କାନଫୁଲ ପିନ୍ଧିବାକୁ ସମସ୍ତ ପ୍ରକାର ନିର୍ଦ୍ଦେଶ ଦେଲେ ସିପ୍ରା । କିନ୍ତୁ ମନେ ହେଲା କୋମଲ କାନରେ ଗୋଟିଏ ମଧ୍ୟ ଶବ୍ଦ ପଶିନଥିଲା । ସେମିତି ନିଦା ବିଷ୍ଣୁ ହୋଇ ପଡିରହିଥିଲା ଶେଜ ଉପରେ ସେ ।
ମନ ଦୁଃଖରେ ସେଠାରୁ ଫେରିଆସି ନିଜ ରୁମ ଆଡକୁ ମୁହାଁଇଥିଲେ ସିପ୍ରା । ହଠାତ୍ ଦରଜା ପାଖରେ ରହିଗଲେ କିଛିକ୍ଷଣ । କାମବାଲୀ ନଳିନୀର ପାଞ୍ଚ ବର୍ଷର ଝିଅ ସୁଲି ଠିଆ ହୋଇଥିଲା ଡ୍ରେସିଂ ଟେବୁଲରେ ଲାଗିଥିବା ମିରର୍ ସାମନାରେ । ଓଠରେ ଲଗଉଥିଲା ଲାଲ ରଙ୍ଗର ଲିପଷ୍ଟିକ୍ । ନଖ ମାନଙ୍କରେ ସୁନ୍ଦର କରି ଲଗାଇଥିଲା ଲାଲ ରଙ୍ଗର ନେଲ ପଲିସ୍ । ତାଙ୍କର ପ୍ରିୟ ପରଫ୍ୟୁମର ସୁଗନ୍ଧରେ ଘରଟା ସୁଗନ୍ଧିତ ହୋଇଉଠୁଥିଲା । ତଟସ୍ଥ ହୋଇ ଏସବୁ ଦେଖୁଥିବା ସମୟରେ ନଳିନୀ ରୋଷେଇଘରୁ ଆସି ଚିଲ ପରି ଝାମ୍ପି ପଡିଲା ଝିଅ ସୁଲି ଉପରେ । ଉତ୍ତମ ମଧ୍ୟମ ଦିଟା ଦେଇଦେଲା ସୁଲିର ଗାଲ ଓ ପିଠିରେ । ଟାଣି ଆଣିଲା ଡ୍ରେସିଂ ଟେବୁଲ ପାଖରୁ । କାନ୍ଦୁଣୁ ମାନ୍ଦୁଣୁ ହୋଇ ସିପ୍ରାଙ୍କ ଗୋଡତଳେ ପଡିଯାଇ କ୍ଷମା କରିଦେବାକୁ ଅନୁରୋଧ କରୁଥିଲା ସେ ।
ତାକୁ ତଳୁ ଉଠାଇ ଝିଅକୁ ମାରିବାଟା ଅନ୍ୟାୟ ବୋଲି କହିଲେ ସେ । ଡ୍ରେସିଂ ଟେବୁଲରେ ଥିବା ନେଲପଲିସ୍ ଓ ଲିପଷ୍ଟିକରୁ କିଛି ସୁଲିକୁ ନେଇ ଦେଲେ । ଆଉରି ଦରକାର ଯଦି ନେଇଯା' ବୋଲି କହିଲେ ତାକୁ । ଅତିଶୟ ଖୁସିରେ ଆଖିରୁ ଝରୁଥିବା ଲୁହ ସବୁ ବାଷ୍ପ ହୋଇ ଯାଉଥିଲା କୁନି ଝିଅଟିର । ତା'ରି ଖୁସିରେ ନିଜର ଖୁସିକୁ ସାଉଁଟିବାକୁ ଚେଷ୍ଟା କରୁଥିଲେ ସିପ୍ରା । କୋମଲ ନହେଲେ ନାହିଁ ସୁଲିକୁ ସଜବାଜ କରି ତା ମୁହଁରେ ହସ ଉକୁଟାଇବାକୁ ଚାହୁଁଥିଲେ ।