ମୋ ବାପା ମୋ ହିରୋ
ମୋ ବାପା ମୋ ହିରୋ
ହିରୋ ହିରୋଇନ ମାନଙ୍କୁ ଆମେ ସିନେମାରେ ଦେଖି ଖୁବ ଅନୁପ୍ରାଣିତ ହେଉ। ଦୁନିଆଁରେ ଦେଖାଯାଉଥିବା ବିଭିନ୍ନ ଚରିତ୍ର ଗୁଡିକୁ ନିଜ ନିଖୁଣ ଅଭିନୟ ମାଧ୍ୟମରେ ଫୁଟାଇ ପାରିଥାନ୍ତି କୁଶଳୀ ଅଭିନେତା ବା ଅଭିନେତ୍ରୀ ମାନେ।ସେଇଥିପାଇଁ ତ ଚିରକାଳ ଆମ ମାନସପଟରେ ଏକ ଛାପ ଛାଡିଯାଆନ୍ତି ସେମାନେ।
ମୋ ବାପା କିନ୍ତୁ କୌଣସି ଅଭିନୟରେ ପୋଖତ ନଥିଲେ।ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପୋଖତ ଅଭିନେତାଙ୍କୁ ମଧ୍ୟ ମାତ୍ ଦେବାଭଳି କାମ କରିପାରୁଥିଲେ ସେ।ସହନଶୀଳତାର ସେ ଥିଲେ ମୂର୍ତ୍ତିମନ୍ତ ପ୍ରତୀକ।
କଥାରେ କହନ୍ତି ପିଲାର ମନକଥା ମା' ବୁଝିପାରେ।ମୋ କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ଥିଲା।ମନକଥା ମୋର ବାପା ହିଁ ବୁଝିପାରୁଥିଲେ।
ବାପାମାନେ ଶାସନ କରନ୍ତି ବୋଲି ପିଲାମାନେ ବାପାଙ୍କ ଠାରୁ ଦୂରେଇ ରହନ୍ତି। ମୋର କିନ୍ତୁ ପିଲାବେଳୁ ବୋଉକୁ ପ୍ରାଣେଭୟ। ଛୋଟ ଛୋଟ ଭୂଲ ପାଇଁ ବୋଉର ଅଭିଧାନରେ କେବଳ ଦଣ୍ଡ ହିଁ ଦଣ୍ଡ ଥିଲା।କିନ୍ତୁ ବାପା ଥିଲେ ନିର୍ଭୟ ଆଶ୍ରୟସ୍ଥଳୀ।
ସେଦିନ ମତେ ଅଙ୍କ ପଢଉ ପଢଉ ମୋର ଖୁମାଣିଆ ପ୍ରକୃତି ଯୋଗୁଁ ଦି ଗାଲରେ ଦି ଟା ଚାପୁଡା ପକେଇଥିଲେ ବାପା। ଲୁହ ସିଙ୍ଘାଣିରେ ଏକାକାର ହୋଇଯାଉଥିବା ମତେ ସାଇକେଲରେ ନେଇ ଵାଟମଙ୍ଗଳାଙ୍କ ପାଖରେ ଥିବା ଗୋଟିଏ ଦୋକାନରୁ ଛେନାପୋଡ ଓ ମାଲପୁଆ ଖୁଆଇଥିଲେ।
ଜ୍ବର ହେଲେ ରାତିରେ ସୋରିଷ ତେଲରେ ରସୁଣ ଛେଚା ପକାଇ ଗରମ କରି ପାଦତଳେ ମାଲିସ କରିଦେଉଥିଲେ।
ପିଲାବେଳେ ଗପବହି ପଢିବାକୁ ଭଲପାଉଥିଲି ବୋଲି ସେ ସମୟର ସବୁ ପ୍ରକାର ଶିଶୁ ପତ୍ରିକା ଯଥା ଜହ୍ନମାମୁଁ,ବାରମଜା,ମନପବନ,ଶିଶୁଲେଖା,ବିଲୁଆନନା ଇତ୍ୟାଦି ପ୍ରତି ମାସରେ କିଣି ଦେଉଥିଲେ ମୋ ପାଇଁ।
ମୋ ଜେଜେମା ଓ ବୋଉର ଶତ ପ୍ରତିରୋଧ ସତ୍ତ୍ବେ ମତେ ସେ ଏମ୍ ଏ ପର୍ଯ୍ୟନ୍ତ ପଢାଇଥିଲେ। ସେ ସମୟରେ ଝିଅ ମାନଙ୍କର ସ୍ବାଧୀନତାକୁ ଶୃଙ୍ଖଳଯୁକ୍ତ କରାଯାଉଥିଲା କିନ୍ତୁ ମୋ ପାଇଁ ଏହା ସମ୍ପୂର୍ଣ୍ଣ ଭାବେ ଭିନ୍ନ ଥିଲା କେବଳ ମୋ ବାପାଙ୍କ ପାଇଁ।ଦୂରଦୃଷ୍ଟି ସମ୍ପନ୍ନ ତଥା ସ୍ବାଧୀନଚେତା ପିତାଟିଏ ପାଇବା ସୌଭାଗ୍ୟ ନୁହେଁ ତ ଆଉ କ'ଣ ହୋଇପାରେ।
ବୟସର ଅପରାହ୍ନରେ ମୁଁ ପହଞ୍ଚି ସାରିଲିଣି।ଏପର୍ଯ୍ୟନ୍ତ ମୋ ବାପା ମୋ ପସନ୍ଦର ସବୁଜିନିଷ ବୋହିଆଣି ମୋ ଘରେ ଗଦେଇ ଦେଇ ଯାଆନ୍ତି।
ମୋ ହାତ ପରଶା ଖାଇବା ଜିନିଷ କୁଆଡେ ତାଙ୍କୁ ଭାରି ଭଲଲାଗେ। ତୃପ୍ତିରେ ଯେତେବେଳେ ସେ ଖାଉଥାଆନ୍ତି, ମୋ ମନ କୁଣ୍ଢେମୋଟ ହୋଇଯାଏ। ଅନ୍ୟମାନଙ୍କୁ ସେ ଗର୍ବରେ କୁହନ୍ତି ଯେ ମୋ ବଡଝିଅ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକତା କରେ। ତାଙ୍କର ସେତିକି ଖୁସି ମୋ ଖୁସିକୁ ଦ୍ବିଗୁଣିତ କରେ।
ବୟସର ଚାପ ତାଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ।ଏବେବି ଏକସ୍ତରୀ ବର୍ଷ ବୟସରେ ସେ ସାଇକେଲ ଚଲାଇ କାହିଁ କେତେଦୂର ବୁଲି ଆସିପାରନ୍ତି।କୃଷି ବିଭାଗରୁ ଅବସର ଗ୍ରହଣ କରିବା ପରେ ସେଇ ମାଟି ମାଆ ସାଙ୍ଗରେ ତାଙ୍କର ଅତୁଟ ସମ୍ପର୍କ ଅକ୍ଷୁର୍ଣ୍ଣ ରହିଛି।ସାରାଦିନ ଗଛ ଲଗାଇବା,ତାଙ୍କର ଯତ୍ନନେବା ,ପାଣିଦେବା ଇତ୍ୟାଦି କାମରେ ତାଙ୍କର ଦିନଗୁଡିକ ବିତିଯାଉଛି।ଜୀବଜନ୍ତୁଙ୍କ ପ୍ରତି ସ୍ନେହର ସେ ଏକ ଅନନ୍ୟ ଉଦାହରଣ।ତାଙ୍କରି ଝିଅ ହୋଇ ମୁଁ କିନ୍ତୁ ସେମିତି ହୋଇପାରିନି।କୌଣସି ଜୀବଜନ୍ତୁଙ୍କୁ ମୁଁ ଛୁଇଁବାକୁ ଭୟ ପାଏ ଆଜି ବି।
ଦୀନଦୁଃଖୀଙ୍କୁ ସାହାର୍ଯ୍ୟ କରିବାରେ ସର୍ବଦା ଆଗଭର ସେ। ସାହାର୍ଯ୍ୟ କରୁ କରୁ ନିଜର ସର୍ବସ୍ବ ଦାନ କରିଦେବାକୁ ବି ପଛଘୁଞ୍ଚା ନଦେବା ପରି ଅଦ୍ଭୁତ ମଣିଷ ସେ। ଅଧିକ ମାତ୍ରାରେ ସରଳ ହେବାଯୋଗୁଁ ଲୋକମାନେ ସହଜରେ ଧୋକା ଦିଅନ୍ତି ତାଙ୍କୁ। କିନ୍ତୁ ତାଙ୍କ ଉପରେ ସେ ସବୁର କୌଣସି ପ୍ରଭାବ ଆଜିଯାଏଁ ପଡିପାରିନି। ସେମିତି ସରଳ ହୋଇ ରହିଛନ୍ତି ସେ।
ସଦାସର୍ବଦା ଭଗବାନଙ୍କ ପାଖରେ ପ୍ରାର୍ଥନା କରେ ଯେ ସେ ମୋ ବାପାଙ୍କୁ ସର୍ବ କୁଶଳରେ ରଖନ୍ତୁ। ତାଙ୍କର ଆଶୀର୍ବାଦର ହାତ ସଦାବେଳେ ମୋ ମଥା ଉପରେ ଥାଉ। ପ୍ରତି ଜନ୍ମରେ ମୁଁ ତାଙ୍କୁ ମୋ ବାପା ଭାବେ ପାଉଥାଏ।
#MyDadMyHero