Minakshi Samal

Tragedy Others

4  

Minakshi Samal

Tragedy Others

ବ୍ରତର ଭିନ୍ନ ରୂପ

ବ୍ରତର ଭିନ୍ନ ରୂପ

5 mins
246



କଇଁ କଇଁ ହୋଇ ପାଦ ପାଖରେ ବସି କାନ୍ଦୁଥିଲେ ଦଶବର୍ଷର ପୁଅ ଡନି ଓ ଆଠବର୍ଷର ଝିଅ ଲୋନୀ ।ଅପେକ୍ଷାକୃତ ଭାବେ କ୍ଷୀଣ ସ୍ବରରେ ଦୁହିଁଙ୍କୁ ବୋଧ କରୁକରୁ ଦୁଇଜଣଙ୍କର ମଥାକୁ ସାଉଁଳେଇ ଦେଉଥିଲେ ରୋହିଣୀ।ଗତ କୋଡିଏ ଦିନର ଧାରା ବିବରଣୀ ଜଣଙ୍କ ପରେ ଜଣେ ଶୁଣାଉଥିଲେ ରୋହିଣୀଙ୍କୁ। ହସପିଟାଲରୁ ଫେରିବାର ପ୍ରାୟ ଦୁଇ ଘଣ୍ଟା ହୋଇ ସାରିଲାଣି।ଦୁଇ ମିନିଟ ପାଇଁ ମଧ୍ୟ ଦୁଇ ଭାଇ ଭଉଣୀ ମା'ଙ୍କ ପାଖରୁ ଟିକିଏ ବି ଘୁଞ୍ଚୁନଥା'ନ୍ତି।


୨୦୨୧ ମେ' ମାସ କୋଡିଏ ତାରିଖ।ଦ୍ବିପ୍ରହରରୁ ରୋହିଣୀଙ୍କ ମୁଣ୍ଡଟା ଅସ୍ବାଭାବିକ ଭାବେ ଭାରି ଲାଗୁଥାଏ।ସ୍ବାମୀ ସନ୍ଦୀପ ଓ୍ବାର୍କ ଫ୍ରମ ହୋମ ରେ ବ୍ୟସ୍ତ।ସକାଳୁ ରାତି ପର୍ଯ୍ୟନ୍ତ ଗୋଟିଏ ରୁମ ଭିତରେ ଲ୍ୟାପଟପ୍ ସାମନାରେ ବସି ରହିଥା'ନ୍ତି।ଖାଇବା ଜିନିଷ ତାଙ୍କ ପାଖରେ ଆଣି ସମୟ ଅନୁସାରେ ପହଞ୍ଚାଇ ଦିଅନ୍ତି ରୋହିଣୀ।ମଝି ମଝିରେ ଚା' ଅଥବା କଫିର ମଜା ନିଅନ୍ତି ସନ୍ଦୀପ।କିଛି ସମୟର ବ୍ରେକ ନେଲାବେଳେ ସେ ଅଣ୍ଟା ସଳଖିବା ପାଇଁ ବେଡରେ ଗଡିପଡନ୍ତି କିଛି ସମୟ।


ସନ୍ଧ୍ୟା ହେଉହେଉ ଦେହଟା କେମିତି ଛେଚିକୁଟି ହୋଇ ଯାଉଥାଏ ରୋହିଣୀଙ୍କର।ତରତର ହୋଇ ରାତି ରୋଷେଇଟା ସାରିଦେଇ ସମସ୍ତଙ୍କୁ ଖାଇବାକୁ ଦେଲାବେଳକୁ ଦେହ ତାତିରେ ଖଈ ଫୁଟିବାକୁ ଆରମ୍ଭ କରିଥାଏ।ଖାଇବାକୁ ତର ସହିଲାନି।ବାସନ ପତ୍ର ମାଜି ଖଟ ଉପରେ ଗଡିପଡିଲେ ସେ।କରୋନାର ଦ୍ୱିତୀୟ ଲହର ଆରମ୍ଭ ହେବାପରେ ଲକଡାଉନ ହେବା ଦିନଠାରୁ କାମ କରିବାକୁ ଆସୁଥିବା ମାନସୀକୁ ସେ ଆସିବାକୁ ବାରଣ କରିଛନ୍ତି।ତେଣୁ କାମର ଭାର ତାଙ୍କ ଉପରେ ଅଧିକ ହୋଇଯାଇଛି।ଡନି ଓ ଲୋନୀ ମା'ଙ୍କୁ କିଛି ଗୋଟିଏ କହିବାକୁ ଆସି ଦେଖିଲା ବେଳକୁ ରୋହିଣୀ ଶୋଇ ଯାଇଥାନ୍ତି।ଡାକିଲା ପରେ ମଧ୍ୟ ଜବାବ ନଦେବାରୁ ଝିଅ ଲୋନୀ ମା'ଙ୍କୁଟିକେ ହଲାଇ ଦେଲା।ତାତି ଦେଖି ପାଖ ରୁମରୁ ପାପାଙ୍କୁ ଡାକି ଆଣିଲା ସେ।

ସନ୍ଦୀପ ଫାଷ୍ଟଏଡ ବକ୍ସ ରୁ ପାରାସିଟାମଲ ବାହାର କରି ଖାଇବାକୁ ଦେବାକୁ ଯାଉଥିବା ବେଳେ ଡନି ମନେ ପକାଇ ଦେଲା ଯେ ମା' କିଛି ଖାଇନାହାଁନ୍ତି।ପିଲାମାନେ ମଧ୍ୟ ଦେଖି ଦେଖି ଅନେକ କଥା ଶିଖି ଯା'ନ୍ତି।ମେଡିସିନ ଖାଇବା ପୂର୍ବରୁ କିଛି ଖାଦ୍ୟ ଖାଇବା ନିହାତି ଜରୁରୀ ବୋଲି ଜାଣିଥିଲା ସେ। ଦୌଡିଯାଇ ରୋଷେଇଘରୁ ବିସ୍କୁଟ ଡବାଟି ଆଣି ସେଥିରୁ ଦୁଇଟା ବିସ୍କୁଟ ବାହାର କରି ମା'ଙ୍କୁ ଖୁଆଇବାକୁ ଲାଗିଲା।ଜେଜେ ମା'ଙ୍କୁ ଥରେ ଜ୍ବର ହୋଇଥିଲା ବେଳେ ସେ କିଛି ଖାଇବାକୁ ମନ କରୁ ନଥିଲେ।ମା'ତାଙ୍କୁ ଏମିତି ବାଧ୍ୟକରି ବିସ୍କୁଟ ଖୁଆଇ ତାପରେ ବଟିକା ଖୁଆଇବାର ସେ ଦେଖିଥିଲା।

ବଟିକା ଖାଇ ପାଣି ପିଇ ରୋହିଣୀ ଶୋଇଗଲେ।ଆଖି ଗୁଡିକ ଲାଲ ଦେଖା ଯାଉଥାଏ।

ସକାଳେ ପ୍ରଥମେ ରୋହିଣୀ ଉଠିଯାଇ ଝାଡୁ ପୋଛା କରି ଫୁଲଗଛ ମାନଙ୍କରେ ପାଣି ଦେଇ,ଗାଧୋଇ ପାଧୋଇ ଠାକୁର ପୂଜା ସାରି ସମସ୍ତଙ୍କୁ ଉଠାଇ ଜଳଖିଆ ବାଢି ଦିଅନ୍ତି।ଆଜି ଦିନ ନ'ଟା ବାଜିଲାଣି।ଘରେ ସୋର ଶବ୍ଦ ନାହିଁ।ସନ୍ଦୀପଙ୍କ ନିଦ ଭାଙ୍ଗି ଯାଇଥିଲା।ମନେ ମନେ ଏ ବ୍ୟତିକ୍ରମର କାରଣ ଜାଣିବାକୁ ଚାହୁଁଥିଲେ।ନିଜ ପାଖରେ ରୋହିଣୀଙ୍କୁ ଶୋଇ ରହିଥିବାର ଦେଖି ତାଙ୍କର ମନେପଡିଗଲା ରୋହିଣୀଙ୍କ ଅସୁସ୍ଥତା କଥା।ମନେ ମନେ ସେ ଭାବି ନେଇଥିଲେ ଯେ ରୋହିଣୀ ସମ୍ପୂର୍ଣ୍ଣରୂପେ ସୁସ୍ଥ ହୋଇଯାଇଥିବେ।କିନ୍ତୁ ଘରର ନୀରବତା ଓ ରୋହିଣୀଙ୍କ ଏତେ ସମୟ ପର୍ଯ୍ୟନ୍ତ ଶୋଇ ରହିବାଟା ତାଙ୍କର ଭାବନାକୁ ଭୂଲଭାବେ ପ୍ରମାଣିତ କରିଦେଲା। ଜ୍ବର କମିନଥିଲା।ମନରେ ଭୟ ବସା ବାନ୍ଧି ସାରିଥାଏ।ଡାକିଲେ ମଧ୍ୟ ରୋହିଣୀ କିଛି ଜବାବ ଦେଉନଥିଲେ।ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପଟି ତାଙ୍କ ମୁଣ୍ଡରେ ଦେଇ ସେଇଠି ବସି ରହିଲେ ସେ।ଏବେ ପିଲାଙ୍କ କଥା ବୁଝିବା ସଙ୍ଗେ ସଙ୍ଗେ ପତ୍ନୀଙ୍କୁ ଦେଖିବାକୁ ପଡିବ ,ତା ସାଙ୍ଗରେ ଅଫିସ କାମ।ହଡବଡେଇ ଯାଉଥିଲେ ସେ।ବାପା ଓ ମା'ପାଖରେ ଥିଲେ କିଛି ସାହାଯ୍ୟ ମିଳିଥାନ୍ତା।କିନ୍ତୁ ଦୁର୍ଭାଗ୍ୟକୁ ସେମାନଙ୍କୁ ସାନଭାଇ ଆସି ଗତମାସରେ କିଛିଦିନ ପାଇଁ ତା' ପାଖକୁ ନେଇଯାଇଛି।

ପିଲା ଦୁହିଁଙ୍କୁ ଉଠାଇ କୌଣସି ପ୍ରକାରେ ଖାଇବାକୁ ଦେଇ ସେ ଫୋନ ଲଗାଇଲେ ହେଲ୍ପ ଲାଇନ ନମ୍ବରରେ।କରୋନା ପରୀକ୍ଷା କରାଇ ଦେବାଟାକୁ ଠିକ ମନେକଲେ ସେ।ଅଧଘଣ୍ଟା ପରେ କୋଭିଡ ସେଣ୍ଟରରୁ ଦୁଇଜଣ କର୍ମଚାରୀ ଆସି ରୋହିଣୀଙ୍କ ସ୍ବାବ୍ ସାମ୍ପଲ୍ ନେଇଗଲେ।ସେମାନେ ଯିବା ପରଠାରୁ ସେ ପିଲା ମାନଙ୍କୁ ସେଇ ରୁମକୁ ଯିବାକୁ ବାରଣ କଲେ।ମୁହଁ ଶୁଖେଇ ଡ୍ରଇଂ ରୁମରେ ବସିଥାନ୍ତି ପିଲା ଦୁହେଁ।

କୌଣସି କାମ ଠିକ ଭାବେ କରିପାରୁ ନଥାନ୍ତି ସନ୍ଦୀପ।

ଅସମ୍ଭବ ଭାବେ ବିଚଳିତ ହୋଇ ପଡିଥା'ନ୍ତି ସେ।ବିବାହର ବାରବର୍ଷ ବିତିଯାଇଥିଲେ ମଧ୍ୟ ଘରର କୌଣସି ଦାୟିତ୍ୱ ସେ ବହନ କରିନଥିଲେ।ଆଜି ପର୍ଯ୍ୟନ୍ତ ଗୋଟିଏ ଦିନ ମଧ୍ୟ ରୋହିଣୀଙ୍କ ଦେହ ଖରାପ ହୋଇନି ଅଥବା ସବୁକିଛି ସହି ମୁହଁବନ୍ଦ କରି ରହିଯାଉଥିବେ ।ସନ୍ଦୀପଙ୍କୁ କେବେ ଏମିତି ପରିସ୍ଥିତିର ସାମନା କରିବାକୁ ଦେଇନାହାଁନ୍ତି ସେ।ହଠାତ୍ ଏଭଳି ପରିସ୍ଥିତିର ମୁକାବିଲା କରିବା ତାଙ୍କ ପକ୍ଷରେ କଠିନ ହୋଇପଡୁଥିଲା।


କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା।ନିଜର ଏବଂ ପିଲାଙ୍କର ମଧ୍ୟ କୋଭିଡ ଟେଷ୍ଟ କରାଇ ଥିଲେ।ଭାଗ୍ୟଭଲ ତିନିଜଣଙ୍କର ରିପୋର୍ଟ ନେଗେଟିଭ ଆସିଲା।ଘରେ ଆଇସୋଲେଟେଡ ରହି ସମସ୍ତ ପ୍ରକାରର ଉପଚାର କରିହେବ ବୋଲି ଡାକ୍ତରଙ୍କ ସହିତ ପରାମର୍ଶ କରି ସମସ୍ତ ମେଡିସିନ ନେଇଆସିଥିଲେ ସେ।କିନ୍ତୁ ସନ୍ଧ୍ୟା ସମୟରେ ରୋହିଣୀଙ୍କର ଅକ୍ସିଜେନ ସ୍ତର ନବେ କୁ ଖସିଆସିବାରୁ ବ୍ୟସ୍ତ ଓ ବିବ୍ରତ ହୋଇପଡିଥିଲେ ସନ୍ଦୀପ।ସମସ୍ତ କୋଭିଡ ହସପିଟାଲକୁ ଫୋନ ଲଗାଇ ସମ୍ପର୍କ କରିଥିଲେ।ଭାଗ୍ୟକୁ ଘର ନିକଟରେ ଥିବା ଗୋଟିଏ କୋଭିଡ ହସପିଟାଲରେ ରୋହିଣୀଙ୍କପାଇଁ ଗୋଟିଏ ବେଡ୍ ର ବନ୍ଦୋବସ୍ତ ହୋଇଗଲା।ପ୍ରାୟ ଅଧଘଣ୍ଟା ଭିତରେ ଆମ୍ବୁଲାନ୍ସଟିଏ ଆସି ରୋହିଣୀଙ୍କୁ ହସପିଟାଲ ନେଇଗଲା।


ପିଲା ଦୁଇଟିଙ୍କ ଛଳଛଳ ଆଖି ଦେଖି ନିଜର ଲୁହକୁ ପିଇଦେଇ ଦୁଇଜଣଙ୍କୁ ଖୁବ ବୁଝେଇଥିଲେ ସନ୍ଦୀପ୍।ଆଜି ପ୍ରଥମ ଥର ପାଇଁ ତାଙ୍କୁ ରୋହିଣୀଙ୍କ ଠାରୁ ଅଲଗା ହେବା ଭାରି ବାଧୁଥିଲା।ନିଜ ଉପରେ ପଡିଥିବା ଏଇ ଗୁରୁଦାୟିତ୍ୱକୁ କେମିତି ସୁଚାରୁରୂପେ ସମ୍ପାଦନ କରିବେ,ସୁସ୍ଥକରି ରୋହିଣୀଙ୍କୁ ଘରକୁ ଫେରାଇଆଣି ତାଙ୍କରି ହାତରେ ତାଙ୍କ ଘରକୁ କେମିତି ସମର୍ପି ଦେବେ ସେଇଟା ଯେମିତି ହୋଇଯାଇଥିଲା ସନ୍ଦୀପଙ୍କ ପାଇଁ ବଡ ଏକ ଆହ୍ବାନ।

କୋଭିଡ ଓ୍ବାର୍ଡ ଭିତରକୁ ତ କାହାକୁ ଯିବାକୁ ଅନୁମତି ନଥାଏ।ଫୋନରେ ଦୁଇ ତିନି ଥର ତାଙ୍କର ଅବସ୍ଥା ବିଷୟରେ ବୁଝିଥାଆନ୍ତି ସେ।ଘର ଭିତରେ ଶୂନ୍ୟତାର ଛାଇ।କାହା ମୁହଁରେ କଥା ନାହିଁ।ଚଳଚଞ୍ଚଳ ଥିବା ପିଲା ଦୁହେଁ ସମ୍ପୂର୍ଣ୍ଣରୂପେ ନିରବୀ ଯାଇଥିଲେ।ନା ଖାଇବାରେ କାହାର ମନ ନା ଟିଭି ଦେଖାରେ ନା ମୋବାଇଲ ନେଇ ଖେଳିବାରେ।ମା' କେବେ ଫିରିବେ ......ତୁହାକୁତୁହା ଏଇ ପ୍ରଶ୍ନର ଉତ୍ତର ଦେବାକୁ ଅସମର୍ଥ ହୋଇ ପଡୁଥାନ୍ତି ଅସହାୟ ପିତାଟି।

ମେ ମାସ ପଚିଶ ବେଳକୁ ରୋହିଣୀ ଟିକିଏ ଠିକ ଅଛନ୍ତି ବୋଲି ଖବର ପାଇ ମନେ ମନେ ଖୁସି ହୋଇଯାଉଥିଲେ ସେ।ପିଲାଙ୍କୁ ବୁଝାଉଥିଲେ ....ମା' ଖୁବ ଶୀଘ୍ର ଭଲ ହୋଇ ଫେରି ଆସିବେ।


ପିଲା ମାନେ ଦିନ ଗଣୁଥା'ନ୍ତି।ଜୁନ ଦୁଇ ତାରିଖରେ ହସପିଟାଲରୁ ଗୋଟିଏ ଉଦବେଗ ଜନକ ଖବର ପାଇଲେ ସନ୍ଦୀପ।ରୋହିଣୀଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଯିବାରୁ ତାଙ୍କୁ ଆଇ ସି ୟୁ ରେ ଭର୍ତ୍ତି କରାଯାଇଥାଏ।ନିଜକୁ ସମ୍ଭାଳି ନପାରି ହସପିଟାଲକୁ ଦୌଡିଲେ ସେ।ମୁହଁର ଦାଢି ସେମିତି ବଢିକି ଥାଏ।ଅଫିସ କାମ ଉପରେ ନିଘା ନଥାଏ।ରୋହିଣୀଙ୍କ ପ୍ରତ୍ୟାବର୍ତ୍ତନ ହିଁ ତାଙ୍କର ଏକମାତ୍ର ଲକ୍ଷ୍ୟ ସାଜିଥାଏ।ହସପିଟାଲ୍ ର ରିସେପସନ୍ ରେ ପଚାରି କୋଭିଡ ଓ୍ବାର୍ଡ ଆଡକୁ ଦୌଡି ଯାଉଥିଲେ ସେ।ରୋକିଦେଲେ ଓ୍ବାର୍ଡବୟ ମାନେ।ଜୀବନରେ ପ୍ରଥମ ଥର ପାଇଁ ନିଜକୁ ଖୁବ ଅସହାୟ ମନେ କରୁଥିଲେ ସେ।ଭଗବାନଙ୍କ ଅସ୍ତିତ୍ବକୁ ବିଶ୍ୱାସ କରୁନଥିବା ତାଙ୍କର ହାତ ଦୁଇଟି ପ୍ରବେଶ ପଥର ଗୋଟିଏ ପାର୍ଶ୍ଵରେ ଥିବା ଜଗନ୍ନାଥଙ୍କ ମୂର୍ତ୍ତି ଆଗରେ ଯୋଡି ହୋଇ ଆସୁଥିଲା।ହୃଦୟର ଗଭୀରତମ କୋଣରୁ ଆକୁଳ ନିବେଦନର ସ୍ବର ଶୁଣାଯାଉଥିଲା...ହେ ମହାପ୍ରଭୁ,ମୋ ଜୀବନସାଥୀକୁ ଠିକ କରିଦିଅ।

ଘରକୁ ଫେରିଆସିଥିଲେ।ର' ଠ' କରି କ'ଣ ଦିଟା ରୋଷେଇ କରିଦେଇଥିଲେ ସେ। ଆଜି ପର୍ଯ୍ୟନ୍ତ ରୋଷେଇଘରର ଧାର ଧାରିନଥିବା ଲୋକଟି ପିଲାଙ୍କ ପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟାକରି ଭାତ ଡାଲମା ପ୍ରସ୍ତୁତ କରି କାମ ଚଳାଉଥିଲେ।କରୋନା ସମୟ।କେହି ସାହାଯ୍ୟ କରିବାକୁ ଚାହିଁଲେ ମଧ୍ୟ ନିରୁପାୟ।ବନ୍ଧୁ ମାନେ ଖାଇବା ଜିନିଷ ଅବଶ୍ୟ ମଝିରେ ମଝିରେ ଆଣି ଦେଇଯାଉଥା'ନ୍ତି।ତାଙ୍କ ମନୋବଳ ବଢାଉଥା'ନ୍ତି।ସବୁ ହେଲା ପରେ ମଧ୍ୟ ରୋହିଣୀଙ୍କ ଶୂନ୍ୟସ୍ଥାନ ତାଙ୍କ ମନକୁ ଖୁବ ବିଚଳିତ କରିଦେଉଥାଏ।କରୋନାର ଦ୍ବିତୀୟ ଲହର କେତେ ଘରକୁ ଉଜାଡି ଦେଇଥାଏ।ରହିରହିକି ତାଙ୍କ ମନରେ ଖରାପ ଭାବନା ସବୁ ବସା ବାନ୍ଧୁଥା'ନ୍ତି।ପୁଣିଥରେ ସେଇସବୁ ନକାରାତ୍ମକ ଭାବନାକୁ ମନରୁ ପୋଛିଦେଇ ମନକୁ ଦୃଢ କରୁଥା'ନ୍ତି ସେ।


ଜୁନ ବାର ତାରିଖରେ ହସପିଟାଲରୁ ଫୋନ ଆସିଲା।ରୋହିଣୀଙ୍କ ଡିସଚାର୍ଜ ହେବାର ଖବର ଶୁଣି କିଛି ସମୟ କାନକୁ ବିଶ୍ୱାସ କରି ପାରିନଥିଲେ ସେ,ସ୍ତବ୍ଧ ହୋଇଯାଇଥିଲେ କିଛିକ୍ଷଣ,ହାତ ଦୁଇଟି ଯୋଡି ହୋଇ ସର୍ବଶକ୍ତିମାନ କରୁଣାମୟଙ୍କ ଉଦ୍ଦେଶ୍ୟରେ ଉଠିଯାଇଥିଲା।ତାପରେ ଖୁସିର ଲୁହସବୁ ଅମାନିଆ ଧାର ହୋଇ ବହିଚାଲିଥିଲା ଦୁଇ ଆଖିରୁ।ୟା ପୂର୍ବରୁ ପାପାଙ୍କୁ ଏମିତି କେବେ କାନ୍ଦିବାର ଦେଖି ନଥିଲେ ପିଲାମାନେ।ପଚାରିବାର ସାହସ କରି ନପାରି ଦୁଇଜଣ ମଧ୍ୟ କାନ୍ଦିବା ଆରମ୍ଭ କରିଦେଇଥିଲେ।

ପିଲା ଦୁହିଁଙ୍କୁ କୋଳେଇ ନେଇ ଖୁସିରେ ଚୁମା ଦେଇ ରୋହିଣୀଙ୍କ ସୁସ୍ଥହୋଇ ଘରକୁ ଫେରିବାର ଖବର ଦେଲେ।

ଗେଟ ପାଖରେ ଉଦଗ୍ରୀବ ହୋଇ ମା'ଙ୍କ ଫେରିବା ପଥକୁ ଚାହିଁ ରହିଥିଲେ ପିଲାମାନେ।କେଉଁଠୁ କୋଉ ଗାଡିର ହର୍ଣ୍ଣ ଶୁଣିଲେ ରାସ୍ତାର ଏପଟ ସେପଟକୁ ନିଜର ନଜର ପହଁରେଇ ଆଣୁଥିଲେ।ଦଶଟା ବେଳକୁ ହସପିଟାଲର ଆମ୍ବୁଲାନ୍ସରେ ରୋହିଣୀ ଫେରିଲେ।ଅପେକ୍ଷାକୃତ ଦୁର୍ବଳ ହୋଇଯାଇଥିଲେ ସେ।ମା'ଙ୍କୁ ଫେରି ପାଇ ପିଲା ଦୁଇଟି ଖୁସିରେ ଅଧୀର ହୋଇଯାଉଥିଲେ।ରୋହିଣୀଙ୍କୁ ସ୍ବାଗତ କରିବା ପାଇଁ ହାତରେ ବନ୍ଦାଣ ଥାଳୀ ଧରି ଘରର ଦରଜା ପାଖରେ ଠିଆ ହୋଇଥାନ୍ତି ସନ୍ଦୀପ।ବାଡିରୁ ତୋଳି ଆଣିଥିବା ଫୁଲର ପାଖୁଡା ସବୁ ବର୍ଷା କରୁଥାନ୍ତି ତାଙ୍କ ଉପରେ।ସାନିଟାଇଜରରେ ହାତ ସଫାକରି ହାତଧରି ସୋଫା ଉପରେ ରୋ୍ହିଣୀଙ୍କୁ ବସାଇ ନିଜ ହାତରେ ପ୍ରସ୍ତୁତ କରିଥିବା ଦଲିଆକୁ ଚାମଚରେ ଖୁଆଇବାକୁ ଉଦ୍ୟତ ହେଉଥିଲେ ସେ।ଅନିଛା ସତ୍ତ୍ବେ ତାଙ୍କର ଏତାଦୃଶ ଆଗ୍ରହ ଦେଖି ମନା ନ କରିପାରି ତାଙ୍କର ଏ ପରିବର୍ତ୍ତିତ ରୂପକୁ ଅପଲକନେତ୍ରରେ ଖାଲି ଦେଖୁଥିଲେ ରୋହିଣୀ।

ଜାଣିଛ ମା' ତୁମେ ନଥିବା ବେଳେ ନା ପାପା ଆମର ବହୁତ ଯତ୍ନ ରଖୁଥିଲେ।ତୁମର ସବୁ ଗଛରେ ସକାଳେ ସନ୍ଧ୍ୟାରେ ପାଣି ଦେଉଥିଲେ।କହୁଥିଲା ଲୋନୀ।

ମା' ପଅରି ଦିନ ସାବିତ୍ରୀ ବ୍ରତ ଥିଲା।ପୂଜାର ଭୋଗ ଆଣି ଆସିଥିଲେ ପଡିଶାଘର ମମତା ଆଣ୍ଟି।ପାପା ସେତେବେଳେ ପୂଜାଘରେ ଥିଲେ।ତୁମପରି ଥାଳି ସଜାଡି ଠାକୁରଙ୍କ ପାଖରେ ଭୋଗ ଲଗେଇ ମୁଣ୍ଡିଆ ମାରି ପାପା ବହୁତ ସମୟ ପୂଜା କରୁଥିଲେ।

ଲୋନୀ ଭାଇ ସାଙ୍ଗରେ କଥା ଯୋଡିକି କହୁଥିଲା...ଜାଣିଛ ମା' ପାପା ନା ସେଦିନ ବିଲକୁଲ କିଛି ଖାଇନଥିଲେ।ଆମେ ଯେତେ କହିଲେ ମଧ୍ୟ ଆମ କଥା ଶୁଣିନଥିଲେ।

ଆଖିରେ ଦେଖିଥିବା ଅବିଶ୍ବସନୀୟ ସତ୍ୟ ସହିତ କାନରେ ଶୁଣୁଥିବା କଥାସବୁ ତାଙ୍କର କୋମଳ ମନକୁ ଚହଲାଇ ଦେଉଥିଲା।କରୋନାର ଆକ୍ରମଣ ଯେ ତାଙ୍କୁ ଏଭଳି ବିସ୍ମିତ କଲାଭଳି ଘଟଣା ସହିତ ମୁହାଁମୁହିଁ କରାଇବ ସେକଥା ସେ ସ୍ବପ୍ନରେ ଭାବି ନଥିଲେ।ତଥାପି ଏ ମହାର୍ଘ ମୁହୁର୍ତ୍ତ ସବୁକୁ ମନଭରି ଉପଭୋଗ କରୁଥିଲେ ସେ।


Rate this content
Log in

Similar oriya story from Tragedy