DR SAMIR KUMAR NANDA

Fantasy Inspirational

4.1  

DR SAMIR KUMAR NANDA

Fantasy Inspirational

ଭଗବାନ ତେରା ଭଲା କରେ

ଭଗବାନ ତେରା ଭଲା କରେ

4 mins
380



ଲୋକଟା ଦେଖିବାକୁ ଛଅ ଫୁଟ ଉପରେ ହୋଇଥିବେ । ହୃଷ୍ଟପୃଷ୍ଟ ଚେହେରା । ରଙ୍ଗଟା ପୁରା କୋଇଲା ପରି । ମୁଣ୍ଡରେ ଘନ କେଶ ର ବଣ । ମୁଖରେ କେଉଁ ଯୁଗର ଦାଢି । ଦେହରେ ଯେମିତି ଶତ ସିଂହ ର ବଳ । ଚାଳିଶ ରୁ ଅଧିକ ହେବ ଗଣ୍ଠିଲି ଆଉ ଅଖା ର ପୁଟୁଳି କୁ ନେଇ ସେ ଚାଲିଛନ୍ତି କେଉଁ ଏକ ଅନ୍ତହୀନ ରାସ୍ତାରେ । ବୟସ ମାପିବା ବେଶ କଷ୍ଟକର । ଆନୁମାନିକ ଷାଠିଏ ଉପରେ ହେବ । ରାଜରାସ୍ତାରେ ସେ ବେଫିକର ଭାବେ ଆଗେଇ ଚାଲିଛନ୍ତି କଛପ ଗତିରେ । ଦିନକୁ ବୋଧହୁଏ ଦୁଇଶହ ମିଟର ରାସ୍ତା ଅତିକ୍ରମ କରି ରାସ୍ତା କଡରେ ରେ ତାଙ୍କର ଗଣ୍ଠିଲି ସବୁ ରଖିଦେଇ ସେ ଆରାମ କରନ୍ତି । କଣ ଖାଆନ୍ତି,କଣ ପିଅନ୍ତି କେହି ତାର ହିସାବ ରଖନ୍ତିନି । କିନ୍ତୁ ପାଟିରୁ ତାଙ୍କର କଥା ବାହାରେ ନାହିଁ କି ସେ କାହାକୁ ହାତ ପାତି କିଛି ମାଗନ୍ତି ନାହିଁ ।

        ଛଅ ସାତମାସ ତଳେ ସହର ଠାରୁ ଚାଳିଶ କିଲୋମିଟର ଦୂରରେ ରାଜ ରାସ୍ତାରେ ତାଙ୍କୁ ଦେଖିଥିଲା ଲିଙ୍କନ । ତେଣୁ ସେହି ହିସାବରେ ତାଙ୍କର ଦୈନିକ ଗତି ର ମାପ କରିବା ସହଜ । ସେଦିନ ସହର ଭିତରେ ଲୋକଟି ପ୍ରବେଶ କରି ସାରିଥଲେ । ସଂଧ୍ୟାରେ ବଜାର ଗଲା ବେଳେ ଲୋକଟିକୁ ନିଜ ଘର ପାଖ ଛକ ରେ ଥିବା ବିରାଟ ବଟ ବୃକ୍ଷ ମୂଳରେ ବସିଥିବାର ଦେଖିଲା ଲିଙ୍କନ । ସେତେବେଳେ ତାକୁ କିଛି ଚିନ୍ତା ଘାରି ନଥିଲା । କିନ୍ତୁ ଘରକୁ ରାତିରେ ଫେରିବା ବେଳେ ଲୋକଟିକୁ ଦେଖି ଲିଙ୍କନ ଘରକୁ ଆଉ ଯାଇ ପାରିଲା ନାହିଁ ।

 ପୈାଷ ମାସର ଶୀତ ରାତି । ଲୋକଟିର ଦେହରେ କେବଳ ଗାମୁଛା ଟିଏ ଛାଡି ଦେଲେ କିଛି ଆଉ ନାହିଁ । ଲିଙ୍କନ କିଛି ସମୟ ଅଟକିଗଲା । ଭାବିଲା ଏ ହାଡଭଙ୍ଗା ଶୀତ ରାତିରେ ଲୋକଟା ଶୋଇବ କେମିତି ? କଣ ଖାଇବ ? କଣ ପିଇବ ? ବହୁତ ବ୍ୟସ୍ତ ଲାଗିଲା । ତାର ଛୋଟ ମସ୍ତିଷ୍କ ଭିତରେ ଏତେ ଗୁଡିଏ ପ୍ରଶ୍ନ ଗୋଳମାଳିଆ କରି ପକାଇଲା । ଲିଙ୍କନ ସେହିଠାରୁ ବଜାରକୁ ଫେରିଗଲା ।

      ସେତେବେଳକୁ ରାତି ନଅଟା ବାଜିଗଲାଣି । ଛୋଟ ସହର ଟି ହାଡଭଙ୍ଗା ଶୀତରେ କମ୍ବଳ ଘୋଡି କେତେ ବେଳୁ ଶୋଇ ପଡିଲାଣି । ରାସ୍ତାଘାଟ ଶୁନଶାନ ହୋଇ ଗଲାଣି । ରାତ୍ରି ବସରେ ଯାତ୍ରା କରିବା ପାଇଁ କେବଳ କାଁ ଭାଁ କେତୋଟି ଯାତ୍ରୀ ଅପେକ୍ଷା କରି ରହିଛନ୍ତି । ପୋଲିସ ଭାଇ ମାନେ ରାତିରେ ଡ୍ୟୁଟି କରିବା ପାଇଁ ଚାଲି ଆସିଲେଣି । ଶୀତରୁ ରକ୍ଷା ପାଇବା ପାଇଁ ଲଗା ଯାଇଥିବା ନିଆଁ ଅନ୍ତରା ଚାରି କଡେ କୁକୁର ଓ ଗାଈ ବାଛୁରୀ ପଲେ ଆରାମ ରେ ନିଜ ଆସ୍ଥାନ ଜମାଇ ସାରିଲେଣି ।

ଲିଙ୍କନ ବହୁତ ଖୋଜି ଖୋଜି ସହରତଳି ଏକ ବସ୍ତିରେ ଖୋଲା ଥିବା ଏକ ଭୋଜନାଳୟ ଖୋଲଥିବାର ଦେଖିଲା । ସେଠାକୁ ଯାଇ ପଚାରିଲା ଦାଦା, ଖାଇବାକୁ କିଛି ମିଳିବକି ? ମାଲିକ ଦୋକାନ ବନ୍ଦ କରୁ କରୁ କହିଲେ ହଁ କେବଳ ରୁଟି ଓ ତରକାରୀ ମିଳି ପାରିବ । ଲିଙ୍କନ ଖୁସି ହୋଇଗଲା । କହିଲା ଦାଦା ୫/୬ ଖଣ୍ଡ ରୁଟି, ତରକାରି ଗୋଟିଏ ଫୁଲ ପ୍ଲେଟ ଓ କିଛି ସାଲାଡ ପ୍ୟାକ କରି ଦିଅ । କିଛି ସମୟ ଅପେକ୍ଷା କଲା ପରେ ବରାଦ ଅନୁଯାୟୀ ଖାଦ୍ୟ ପ୍ୟାକ କରି ଦୋକାନୀ ଦେଲେ । ବହୁତ ଖୁସିରେ ଲିଙ୍କନ ଖାଦ୍ୟ ପ୍ୟାକେଟ ଧରି ଘର ମୁହାଁ ହେଲା । କିଛି ବାଟ ଗଲା ପରେ ପୁଣି ତାର ମୁଣ୍ଡରେ ପଶିଲା ଯେ କମ୍ବଳ ଖଣ୍ଡିଏ ହେଲେ ଲୋକଟା ଶୀତରୁ କିଛି ମାତ୍ରା ରେ ରକ୍ଷା ପାଇ ଯାଆନ୍ତା । ସେ ପୁଣି ଫେରିଲା । ସବୁ ଦୋକାନ ତ ବନ୍ଦ ହୋଇ ଗଲାଣି । କଣ କରାଯିବ ? ହଠାତ୍ ଗୋଟିଏ ସାଙ୍ଗ ସହିତ ତାର ଦେଖା ହୋଇଗଲା । ତାହୁ ଲିଙ୍କନ କହିଲା ଭାଇ ମୋର ଗୋଟିଏ କମ୍ବଳ ଜରୁରୀ ଦରକାର । କେମିତି ପାଇବି ? ବନ୍ଧୁ ଜଣକ ହଠାତ୍ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ଆରେ ଲିଙ୍କନ ,ହଠାତ ରାତିରେ ଏମିତି କଣ ଦରକାର ପଡିଲା ? ଲିଙ୍କନ କହିଲା, ଭାଇ ତୁମେ ବୁଝିପାରିବନି । ମୋତେ ଦରକାର ଅଛି । ବନ୍ଧୁ ଜଣକ ତାଙ୍କର ଜୈନକ ପରିଚିତ ଦୋକାନୀ କୁ ଫୋନ କରି ସମସ୍ୟା ଜଣାଇଲା । ସେ ଦୋକାନୀ ତାଙ୍କ ଘର ଗୋଦାମ ରୁ ଖଣ୍ଡିଏ କମ୍ବଳ ପଇସା ନେଇ ପ୍ରଦାନ କଲେ । ଲିଙ୍କନ ଖୁସିରେ ଏକ ମୁହାଁ ହୋଇ ଘର ପଟକୁ ଧାଇଁଲା । କିଛି ସମୟ ପରେ ସେ ଘରପାଖ ର ସେହି ଛକ ରେ ପହଂଚି ଗଲା ଯେଉଁଠାରେ ଆଗନ୍ତୁକ ଜଣ ବଟବୃକ୍ଷ ତଳେ ଅନ୍ଧାରରେ ନିଶ୍ଚଳ ହୋଇ ବସିଛନ୍ତି ।

ଲିଙ୍କନ ସିନା ଆଗନ୍ତୁକଙ୍କ ସେବା ନିମନ୍ତେ ସବୁ କିଣି ଆଣିଲା । ହେଲେ ପାଖକୁ ଯିବାକୁ ଭୟ କଲା । ଅଚିହ୍ନା ଅଜଣା ବ୍ୟକ୍ତି । ଶୁନଶାନ ରାତି । କେମିତି ପାଖକୁ ଯିବ ସେ ? ତଥାପି ଭଗବାନଙ୍କ ନାମ ନେଇ ପାଖକୁ ଗଲା । ପଚାରିଲା ବାବା, ତୁମ ନାମ କଣ ? କେଉଁଠାରୁ ଆସିଛ ? କୁଆଡେ ଯିବ ? ଖାଇଛ କି ନାହିଁ ? ଏମିତି କେତେ କଣ । କିନ୍ତୁ ଆଗନ୍ତୁକ ପାଟି ରୁ ପଦଟିଏ କଥା ବାହାରିଲା ନାହିଁ । ଲିଙ୍କନ ଭାବିନେଲା ଯେ ସେ ନିଶ୍ଚୟ ମୁକ ହୋଇଥିବେ । ହଉ,ଠିକ ଅଛି । ଠାରନାର ରେ କାମ ଚଳାଇ ନେବା । ତାପରେ ସେ ଆଣିଥିବା କମ୍ବଳ ଖଣ୍ଡିକ ଆଗନ୍ତୁକଙ୍କୁ ଘୋଡାଇ ଦେଲା ଓ କହିଲା ବାବା, ରାତି ବହୁତ ହେଲାଣି । ଖାଇବା ଆଣିଛି । ଖାଇ ଦିଅ । ଆଗନ୍ତୁକ କିଛି କହିଲେ ନାହିଁ କି ପ୍ରତିକ୍ରିୟା ଜଣାଇଲେ ନାହିଁ । ଲିଙ୍କନ ବାବା ଙ୍କ ହାତ କୁ ଖାଦ୍ୟ ପୁଡିଆ ଧରାଇ ଦେଲା ଓ ଖାଇବା ପାଇଁ ଠାରିଲା । ତଥାପି କିଛି ଲାଭ ହେଲା ନାହିଁ । ଲିଙ୍କନ ଖାଦ୍ୟ ପୁଡିଆ କୁ ଫେରାଇ ଆଣିଲା । ପାଖରେ ଥିବା ଏକ ନଳକୂଅ ରୁ ଆଂଜୁଳା ରେ ପାଣି ଆଣି ଦେଇ ଆଗନ୍ତୁକଙ୍କ ହାତ ଓ ମୁହଁ ଧୋଇଦେଲା । ତାପରେ ଖାଇବା ଜିନିଷ ଖଲିରେ ବାହାର କରି ରଖିଲା । ରୁଟି ଖଣ୍ଡିଏ ତରକାରୀ ସହିତ ଆଗନ୍ତୁକଙ୍କ ପାଟିରେ ଖୁଆଇ ଦେଲା । ସେ ଖୁବ ଆରାମ ରେ ଖାଇଲେ । ତାଙ୍କର ଖାଇବାରେ ଆନନ୍ଦ ଦେଖି ଲିଙ୍କନ ବହୁତ ଖୁସି ବ୍ୟକ୍ତ କଲା । ତାପରେ ଆଣିଥିବା ଖାଦ୍ୟ ସବୁ ଖୁଆଇ ଦେଇ ପାଣି ପିଇବାକୁ ଦେଲା ଓ ରୁମାଲରେ ତାଙ୍କର ମୁହଁ ପୋଛିଦେଲା । ଏତିକି ବେଳେ ହଠାତ୍ ଆଗନ୍ତୁକ ଜଣକ ନିଜ ହାତକୁ ଲିଙ୍କନ ମୁଣ୍ଡରେ ରଖି କହିଲେ ଭଗବାନ ତେରା ଭଲା କରେ । ଲିଙ୍କନ ର ଲୋମ ଟାଙ୍କୁରି ଉଠିଲା । ସେ ଆଶ୍ଚର୍ଯ୍ୟ ହୋଇଗଲା ଓ ଭାବିଲା ଯେ ତାର ପରିଶ୍ରମ ସାର୍ଥକ ହେଲା । ବହୁତ ଖୁସିରେ ସେ କହିଲା ବାବା ଶୋଇ ପଡ । ମୁଁ ପୁଣି କାଲି ସକାଳେ ଆସିବି ।

ପରଦିନ ସକାଳୁ ଗଲା ବେଳକୁ ଆଗନ୍ତୁକ ସେଠାରେ ନଥିଲେ । ଆଉ ସେହିଦିନ ଠାରୁ ଲିଙ୍କନ ସେ ଆଗନ୍ତୁକ ଙ୍କୁ ଦେଖିବାକୁ ପାଇଲା ନାହିଁ ।


Rate this content
Log in

Similar oriya story from Fantasy