DR SAMIR KUMAR NANDA

Inspirational

4  

DR SAMIR KUMAR NANDA

Inspirational

ଶ୍ରୀବର୍ଫାନୀ ବାବା - ଏକ ଦିବ୍ୟ ଦର୍ଶନ

ଶ୍ରୀବର୍ଫାନୀ ବାବା - ଏକ ଦିବ୍ୟ ଦର୍ଶନ

6 mins
381


ଭଗବାନଙ୍କ ଇଛାରେ ହିଁ ସମଗ୍ର ସୃଷ୍ଟି ପରିଚାଳିତ । ତାଙ୍କ ଇଛାବିନା ଜଗତରେ ପତ୍ରଟିଏ ମଧ୍ୟ ହଲି ପାରେନାହିଁ, ଏହାହିଁ ନିରାଟ ସତ୍ୟ କଥା । ହିନ୍ଦୁ ଧର୍ମର ଯେତେ ଗୁଡିଏ ତୀର୍ଥକ୍ଷେତ୍ର ଆମ ଦେଶରେ ଦେଖିବାକୁ ମିଳିଥାଏ ସେମାନଙ୍କ ମଧ୍ୟରେ ହିମାଳୟ ପର୍ବତଦେଶର ବରଫାବୃତ ଅଂଚଳରେ ଅବସ୍ଥିତ ଶ୍ରୀଅମରନାଥ ବାବାଙ୍କ ପୀଠ ସର୍ବଶ୍ରେଷ୍ଠ ବୋଲି ଜନବିଦିତ । ଶ୍ରଦ୍ଧାଳୁମାନେ ସାରାଜୀବନ ଅପେକ୍ଷା କରିଥାନ୍ତି ଥରେ ମାତ୍ର ବାବାଙ୍କ ବର୍ଫାନୀ ଲିଙ୍ଗ କୁ ଦର୍ଶନ କରିବା ପାଇଁ । ଯଦିଓ ପ୍ରାୟ ସମସ୍ତ ଭକ୍ତ ଆଶା କରିଥାନ୍ତି ବାବାଙ୍କ ଦର୍ଶନ ପାଇଁ ହେଲେ ମଧ୍ୟ ସେମାନଙ୍କ ମଧ୍ୟରୁ କିଛି ଭକ୍ତଙ୍କ ସୈାଭାଗ୍ୟପ୍ରାପ୍ତି ହୋଇଥାଏ । ଦୀର୍ଘ ଏକଦଶନ୍ଧି ଅପେକ୍ଷା କଲା ପରେ ଏମିତି ଏକ ସୁଯୋଗ ମୋତେ ମିଳିଥିଲା ବାବାଙ୍କ ଦର୍ଶନ କରିବା ପାଇଁ ୨୦୧୬ ମସିହା ଜୁଲାଇ ୫ ତାରିଖରେ ।

ଦୈନନ୍ଦିନ ଜୀବନରେ ମୁଁ ଓ ମୋର ପରିବାର ସର୍ବଦା ଭଗବାନଙ୍କୁ ବିଶ୍ୱାସ କରି ଅଗ୍ରସର ହୋଇଥାଉ । ଘରେ ପ୍ରତିବର୍ଷ ନବରାତ୍ର ପୂଜା ଓ କୁଆଁରୀ ପୂଜନ କରିବା ସହିତ ଶନିଶ୍ଚର ମେଳା ମଧ୍ୟ ଖୁବ ଶ୍ରଦ୍ଧାରେ ସଂପନ୍ନ କରୁ । ବର୍ଷକୁ ଥରଟିଏ ହେଲେ ମଧ୍ୟ ବଡଠାକୁର ଶ୍ରୀଜଗନ୍ନାଥ, ଘଟଗାଁ ସ୍ଥିତ ଜଗତଜନନୀ ମାଁ ତାରିଣୀ ଓ ଜମ୍ମୁ ର କଟରା ସ୍ଥିତ ମାତା ବୈଷ୍ଣଦେବୀଙ୍କ ଦର୍ଶନ ନିମନ୍ତେ ସମସ୍ତେ ଯାତ୍ରା କରିଥାଉ । ଶ୍ରୀଅମରନାଥ ବାବାଙ୍କ ବିଷୟରେ ସବୁଦିନ ସମ୍ବାଦପତ୍ର ରେ ପଢିବାକୁ ପାଇଥାଉ । କିନ୍ତୁ ଯାତ୍ରା ବହୁତ କଷ୍ଟକର ହୋଇଥିବାରୁ କେବେ ହେଲେ ଦର୍ଶନ କରି ପାରିବୁ ବୋଲି ଚିନ୍ତା କରିନଥିଲୁ । ଅବଶ୍ୟ ଜୀବନକାଳ ମଧ୍ୟରେ ଯେବେ ଯେଉଁ ତୀର୍ଥ ଯିବାକୁ ଇଛା କରିଛୁ ଭଗବାନ ତାହା ପୂରଣ କରି ଦିଅନ୍ତି । ଘରୁ ସଦାବେଳେ ବାହାରକୁ ଗଲା ବେଳେ ଭଗବାନଙ୍କ ଅନୁମତି ନେଇ ଆମେ ଯାଇଥାଉ । ଆଉ ସବୁଥର ଗନ୍ତବ୍ୟସ୍ଥଳରେ କେହି ନା କେହି ଆଗନ୍ତୁକ ଆମକୁ ତୀର୍ଥ କରାଇଦେବା ପାଇଁ ଅପେକ୍ଷା କରି ଥାଆନ୍ତି । ଠାକୁରଙ୍କ ଇଛାରେ ଆମେ ସମସ୍ତେ ସର୍ବଦା ଘରେ ସୁରକ୍ଷିତ ଭାବେ ପହଂଚିଯାଉ ।

ସବୁବର୍ଷ ପରି ୨୦୧୬ ମସିହାରେ ମାତା ବୈଷ୍ଣଦେବୀଙ୍କ ଦର୍ଶନ କରିବା ପାଇଁ ଘରେ ଯୋଜନା ଚାଲିଥାଏ । ଇନଟରନେଟରେ ମାତା ବୈଷ୍ଣଦେବୀ ଙ୍କ ସଂପର୍କରେ ଅଧିକ ତଥ୍ୟ ପାଇବା ସକାଶେ ଅନୁସନ୍ଧାନ କଲାବେଳେ ବାବା ଶ୍ରୀଅମରନାଥଙ୍କ ଏକ ଚଳଚ୍ଚିତ୍ର ଛବି ଦେଖି ହଠାତ୍ ଆଗ୍ରହ ହେଲା ଦର୍ଶନ କରିବା ନିମନ୍ତେ । ତୁରନ୍ତ ପରିବାର ର ସମସ୍ତ ସଦସ୍ୟଙ୍କ ସହିତ ଆଲୋଚନା କରି ସେବର୍ଷ ମାତା ବୈଷ୍ଣଦେବୀଙ୍କ ଦର୍ଶନ ସମୟରେ ଶ୍ରୀଅମରନାଥ ବାବାଙ୍କ ଦର୍ଶନ କରିବା ପାଇଁ ଚୁଡାନ୍ତ ନିଷ୍ପତ୍ତି ନିଆଗଲା । ଆମେ କୈାଣସି ଯୋଜନା କଲେ ଆଗେ ଭଗବାନଙ୍କ ଠାରେ ଆମର ଯୋଜନା ର ବିସ୍ତୃତ ବିବରଣୀ ଭଗବାନଙ୍କୁ ଜଣାଇଥାଉ । ଭଗବାନଙ୍କୁ ଗୁହାରି କରି ଯାତ୍ରା ନିମନ୍ତେ ସମସ୍ତ ଆବଶ୍ୟକୀୟ ପ୍ରମାଣପତ୍ର ଯୋଗାଡ କରିବା ଓ ଯିବା ଓ ଆସିବା ର ଟିକଟ ସଂରକ୍ଷଣ ସହିତ ହେଲିକେପ୍ଟର ଓ ସେଠାରେ ରହଣି ପାଇଁ ଅନଲାଇନ ରେ ସଂରକ୍ଷଣ କରାଗଲା । ଶ୍ରୀଅମରନାଥଙ୍କ ପବିତ୍ର ଗୁମ୍ଫା କୁ ଯିବା ପାଇଁ ଦୁଇଟି ପଥ ରହିଛି । ପ୍ରଥମ ପଥ ଜମ୍ମୁ ଠାରୁ ପହଲଗାଁଓ ୩୧୫ କି.ମି ଓ ପହଲଗାଁଓ ରୁ ୧୬ କି.ମି ଚନ୍ଦନବାଡି ପର୍ଯ୍ୟନ୍ତ ସଡକ ପଥରେ ଯାଇ ସେଠାରୁ ୩୦ କି.ମି ଗିରିପଥ ରେ ଗଲେ ପହଂଚି ହେବ । ଦ୍ୱିତୀୟ ରାସ୍ତା ହେଲା ଜମ୍ମୁଠାରୁ ଶ୍ରୀନଗର ଦେଇ ସଡକ ପଥରେ ୩୮୦ କିମି ବାଲତାଲ ପର୍ଯ୍ୟନ୍ତ ଯାଇ ସେଠାରୁ ୧୪ କିମି ପର୍ବତାରୋହଣ କରି ପହଂଚିହେବ । ଉଭୟ ପଥରେ ହେଲିକେପ୍ଟର ବ୍ୟବସ୍ଥା ମଧ୍ୟ ପଂଜତରଣୀ ପର୍ଯ୍ୟନ୍ତ ଅଛି । ପଂଜତରଣୀ ରୁ ପବିତ୍ର ଗୁମ୍ଫା ପର୍ଯ୍ୟନ୍ତ ୬ କିମି କିନ୍ତୁ ପର୍ବତ ଚଢି ଯିବାକୁ ପଡିବ । ଆମେ ସମସ୍ତେ ୨୦୧୬ ଜୁଲାଇ ୩ ତାରିଖରେ ଜମ୍ମୁ ଷ୍ଟେସନ ରେ ଦିନ ୧୧ ଟା ସମୟରେ ଓହ୍ଲାଇ ଟାକ୍ସି ଯୋଗେ ଯାତ୍ରୀପିଛା ଟ୧୦୦୦/- ଭଡା ଦେଇ ସଡକପଥରେ ଶ୍ରୀନଗର ଅଭିମୁଖେ ବାହାରିଲୁ । ଯେହେତୁ ବାଲତାଲ ଯିବା ପାଇଁ ଜମ୍ମୁଠାରୁ ସିଧାସଳଖ କୈାଣସି ଗମନାଗମନର ବ୍ୟବସ୍ଥା ନଥିଲା ତେଣୁ ୨୯୦ କିମି ର ସଡକପଥକୁ ୧୦ଘ ରେ ଅତିକ୍ରମ କରି ରାତି ୧୦ ଟାରେ ଶ୍ରୀନଗରରେ ପହଂଚି ହୋଟେଲ ରେ ଅବସ୍ଥାନ କଲୁ । ପରଦିନ ସକାଳେ ଶ୍ରୀନଗର ଠାରୁ ବାଲତାଲ ୯୦ କିମି ଟାକ୍ସିଭଡା କରି ତିନିଘଂଟା ର ଯାତ୍ରାପଥ ଅତିକ୍ରମ କରି ବାଲତାଲ ଠାରେ ପହଂଚିଗଲୁ । ବାଲତାଲଠାରେ ପୂର୍ବରୁ ସଂରକ୍ଷିତ କରିଥିବା ଶ୍ରୀ ଅମରନାଥ ମନ୍ଦିର ସଂସ୍ଥା ର କୁଟୀର ରେ ଅବସ୍ଥାନ କରିବାର ସୁଯୋଗ ମିଳିଥିଲା । ଦିନବେଳେ ଯଦିଓ ବିଶେଷ ଥଣ୍ଡା ଅନୁଭୁତ ହୋଇନଥିଲା ହେଲେ ମଧ୍ୟ ସଂଧ୍ୟାର ଆଗମନ ସହିତ ପ୍ରବଳ ଥଣ୍ଡାର ଆଗମନ ହେଇଥିଲା । ଆମର ଜୁଲାଇ ୫ ତାରିଖସକାଳ ୯.୪୫ ରେ ପବନହଂସ ହେଲିକେପ୍ଟର ଯୋଗେ ନୀଲଗ୍ରଥ(ହେଲିପେଡ) ଠାରୁ ପଂଜତରନୀ ଯାତ୍ରା କରିବାର ଟିକଟ ସଂରକ୍ଷଣ ହୋଇଥିଲା । କିନ୍ତୁ ସୂଚନା ଅଭାବରୁ ମୁଁ ହେଲିକେପ୍ଟର ରେ ଯାତ୍ରା କରିବା ଆଗରୁ ଦୁଇଟି ସମସ୍ୟା ର ସମ୍ମୁଖିନ ହୋଇଥିଲି ଯାହାକି ମୁଁ ସମସ୍ତ ପାଠକ ମାନଙ୍କ ଅବଗତି ନିମନ୍ତେ ପ୍ରକାଶ କରିବାକୁ ଚାହୁଁଛି । ପ୍ରଥମ ଅସୁବିଧା ହେଲା ହେଲିକେପ୍ଟର ଯାତ୍ରୀ ମାନେ ନୀଲଗ୍ରଥ(ହେଲିପ୍ୟାଡ) ଠାରେ କିମ୍ବା ସୋନମାର୍ଗଠାରେ ରାତ୍ରୀଯାପନ କରିବାକଥା । ସେମାନଙ୍କ ପାଇଁ ବାଲତାଲ କ୍ୟାମ୍ପ (ଯାହାକି ହେଲିପ୍ୟାଡଠାରୁ ୧୨ କିମି ଆଗରେ ଅବସ୍ଥିତ) ଯିବାର ଆବଶ୍ୟକତା ନାହିଁ । ପୁନଶ୍ଚ ହେଲିପ୍ୟାଡଠାରୁ ବାଲତାଲ ୧୨ କିମି ଅତିକ୍ରମ କରିବା ପାଇଁ ଗମନାଗମନର କୈାଣସି ବ୍ୟବସ୍ଥା ନାହିଁ । ତେଣୁ ମୋତେ ବାଲତାଲ ଠାରୁ ନୀଲଗ୍ରଥ ଓ ନୀଲଗ୍ରଥ ଠାରୁ ବାଲତାଲ ଅଯଥାରେ ହଇରାଣ ହୋଇ ଯିବା ଆସିବା କରିବା ପାଇଁ ପଡିଥିଲା ।


ଦ୍ୱିତୀୟ ଅସୁବିଧା ହେଲା ପବନହଂସ ହେଲିକେପ୍ଟର କମ୍ପାନୀ । ବାଲତାଲ ପଥରେ ପବନହଂସ ଓ ଗ୍ଲୋବାଲହେଲି ନାମରେ ଦୁଇଟି ହେଲିକେପ୍ଟର କମ୍ପାନୀ ସେବା ଯୋଗାଉଥିଲେ । କିନ୍ତୁ ଦୁଃଖ ର କଥା ହେଲା ପବନହଂସ କମ୍ପାନୀ ର ସେବା ଅତ୍ୟନ୍ତ ନିମ୍ନମାନର ଏବଂ ନୈରାଶଜନକ । ଏହାର ଉଦାହରଣ ହେଲା ଆମର ଉଡାଣର ସମୟ ୫ ତାରିଖ ସକାଳ ୯ଟା୪୫ ମି ଥିଲା ବେଳେ ଦୀର୍ଘ ସମୟ ଲାଇନରେ ଛିଡା ହେଲା ସମୟରେ ଆମକୁ ସୁଯୋଗ ମିଳିଥିଲା ଅପରାହ୍ନ ୨ଟା ୪୫ ମି ରେ । ସର୍ବଦା ୮/୯ ଘଂଟା ବିଳମ୍ବ ରେ ଉଡାଣ ଭରୁଥିବାରୁ ପୂର୍ବଦିନର ଯାତ୍ରୀ ମାନେ ମଧ୍ୟ ଯାଇପାରୁ ନଥିଲେ । ତାସହିତ କମ୍ପାନୀର କର୍ମଚାରୀ ମାନଙ୍କ ବ୍ୟବହାର ଅତ୍ୟନ୍ତ ଅଭଦ୍ରୋଚିତ ଥିଲା । ସେମାନଙ୍କୁ ଅଭିଯୋଗକଲେ ସେମାନେ ସେତେବେଳେ ନିହାତି ବେପରଓା ଭାବେ ଉତର ଦେଉଥିଲେ ଟିକଟ ବାତିଲ କରିବାକୁ । ଆମେ ହେଲିକେପ୍ଟର ଯାଇ ପଂଜତରନୀ ରେ ପହଞ୍ଚିଲା ବେଳକୁ ତିନିଟା ଉପରେ ହୋଇଯାଇଥାଏ । ଆସନ୍ନ ସନ୍ଧ୍ୟା ର ଭୟରେ ଆମେ ପଂଜତରଣୀ ଠାରୁ ଘୋଡା ରେ ଯାଇ ଗୁମ୍ଫା ପାଖରେ ପହଁଚିଲା ବେଳକୁ ସନ୍ଧ୍ୟା ହୋଇଗଲାଣି । ପଂଜତରଣୀ ଠାରୁ ଦୁଇ ପ୍ରକାରର ଘୋଡା ମିଳନ୍ତି । ପ୍ରଥମ ପ୍ରକାର ଘୋଡାରେ ଗଲେ ଗୁମ୍ଫା ଠାରୁ ଦୁଇ କିମି ଦୂରରେ ଓହ୍ଲାଇ ଦେବେ । ଅନ୍ୟ ପ୍ରକାରର ଘୋଡାରେ ଗଲେ ସେମାନେ ଗୁମ୍ଫା ପର୍ଯ୍ୟନ୍ତ ନେଇଯିବେ । ତେଣୁ ଘୋଡା ସଵାରୀ କଲା ବେଳକୁ ପୋଲ ପାଖକୁ ନେଇ ଯିବା ପାଇଁ କହିଲେ ଯାଇ ଗୁମ୍ଫା ପାଖରେ ପହଁଚି ହେବ ନଚେତ ଅଧା ବାଟରେ ପୁଣି ଆଉ ଥରେ ଘୋଡା କରିବାକୁ ହେବ । ଆମେ ଅଜ୍ଞାନତା ହେତୁ ବାଧ୍ୟ ହୋଇ ଦୁଇଥର ଘୋଡା କରିବାକୁ ପଡିଲା ଯାହାଦ୍ୱାରା ଆମକୁ ସେଦିନ ବାବାଙ୍କ ଦର୍ଶନ ସାରି ଫେରିବା ସମ୍ଭବ ହୋଇନଥିଲା । ଦୀର୍ଘ ସମୟ ଧରି ଆମେ ସମସ୍ତେ ନୀଲଗ୍ରଥ ହେଲିପେଡ ଠାରେ ଆପେକ୍ଷା କରିବାଦ୍ୱାରା ପରିବାର ର ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା । ଆମେ ଦର୍ଶନ ସାରି ଆଉ ଫେରିପାରିଲୁ ନାହିଁ । ଫଳତଃ ଆମକୁ ବାଧ୍ୟ ହୋଇ ଗୁମ୍ଫା ନିକଟରେ ବରଫ ଉପରେ ତମ୍ବୁ ରେ ରାତ୍ରି ଯାପନ କରିବାକୁ ପଡିଲା । ଅବଶ୍ୟ ବାବାଙ୍କ କୃପାରୁ ସଂଧ୍ୟା ଆଳତି ସହିତ ଅମର ଲାଭ କରିଥିବା କପୋତ କପୋତୀ ଦ୍ୱୟଙ୍କ ଦର୍ଶନ ଲରିବାର ସୁଯୋଗ ମୋତେ ମିଳିଥିଲା । ରାତି ବଢିବା ସଂଗେସଂଗେ ସମସ୍ତ ଙ୍କ ସ୍ୱାସ୍ଥ୍ୟ ସାଂଘାତିକ ଭାବେ ଖରାପ ହୋଇଗଲା । ପାଖରେ ଥିବା ଡାକ୍ତର ମାନଙ୍କୁ ଦେଖାଇ ମେଡିସିନ ଖାଇଲା ପରେ ମଧ୍ୟ କିଛି ସୁଧାର ଆସିଲା ନାହିଁ । ଏମିତି ଅବସ୍ଥା ହେଲା ଯେ ସତେ ଯେମିତି ସେଠାରୁ କେହି ଜୀବିତ ଫେରିବେ ନାହିଁ । ବାବା ଅମରନାଥ ଓ ମା ବୈଷ୍ଣଦେବୀ ଙ୍କୁ ସାରା ରାତି ପ୍ରର୍ଥନା କଲୁ । କେମିତି ଏ କାଳରାତ୍ରି ର ଅବସାନ ଘଟିବ ସେଇଆ ଭଗବାନଙ୍କୁ ଡାକିଲୁ । ଭଗବାନ ଆମର ଗୁହାରି ଶୁଣିଲେ । କାଲରାତ୍ରି ଟଳି ଗଲା ଓ ସକାଳ ହେଲା । ଆମେ ସମସ୍ତେ ନିତ୍ୟକର୍ମ ସାରି ଘୋଡା ଚଢି ଛଅ କିମି ରାସ୍ତା ଅତିକ୍ରମ କରି ହେଲିପେଡ କୁ ଆସିଲୁ । ପରଦିନ ସେମିତି ହେଲିକେପ୍ଟର ରେ ଯାତ୍ରାର ଅବ୍ୟବସ୍ଥା । ସକାଳ ୯ ଟାରୁ ଲାଇନ ଲାଗିଲା ପରେ ଦିନ ୨.୩୦ ରେ ଆମକୁ ଫେରିବାର ସୁଯୋଗ ମିଳିଲା ।

ପଂଜତରନୀ ଠାରୁ ପବିତ୍ରଗୁମ୍ଫା ନିକଟକୁୁ ୬ କିମିର ଯାତ୍ରା ଅତ୍ୟନ୍ତ ବିପଦପୂର୍ଣ୍ଣ ଓ ଉଚ୍ଚ । ଟିକିଏ ଅସାବଧାନତା ଜୀବନହାନୀ ହୋଇପାରେ । ଘୋଡାସବାର କିମ୍ବା ପାଲିଙ୍କିରେ ଯାତ୍ରା କରିବା ନିରାପଦ ଅଟେ । ପଂଜତରନୀଠାରୁ ପବିତ୍ରଗୁମ୍ଫା ମଧ୍ୟରେ ବିଏସଏଫ ଓ ସେନା ବାହିନୀର ସେବା ଅତ୍ୟନ୍ତ ଉଚ୍ଚକୋଟୀର ଓ ପ୍ରଶଂସନୀୟ । ମୋ ସାମ୍ନାରେ ଯାତ୍ରାକରୁଥିବା ଏକ ଯୁବତୀ ଯିଏକି ଟିକିଏ ବିଳମ୍ବ ହୋଇଥିଲେ ପ୍ରାଣ ହରାଇଥାନ୍ତେ କିନ୍ତୁ ବିଏସଏଫ କର୍ମଚାରୀଙ୍କ ସେବା ଯୋଗୁ ପୁର୍ନଜୀବନ ଲାଭ କଲେ ।

ଦର୍ଶନ ସାରି ଆମେ ଆସି ଶ୍ରୀନଗରଠାରେ ହୋଟେଲଠାରେ ଅବସ୍ଥାନ କରିଥାଉ । ହଠାତ୍ ୯ତାରିଖ ରାତିରେ ତିନିଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟଣାରେ ସମଗ୍ର ଶ୍ରୀନଗର ଅଶାନ୍ତ ହୋଇପଡିଲା । ସାରା ରାତି ହୋଟେଲ ସାମ୍ନାରେ ପାଟିତୁଣ୍ଡ.ଗାଡିଭଙ୍ଗା ଓ ନିଆଁ ଜଳା ରେ ପରିସ୍ଥିତି କୁ ଭୟାନକ କରିଦେଲା । ଅତ୍ୟନ୍ତ ଭୟାତୁର ଅବସ୍ଥାରେ ରାତି କଟିଲା । ସକାଳ ହେଲେ କେମିତି ଜମ୍ମୁ ଫେରିବୁ ସେହିଚିନ୍ତାରେ । ପୂର୍ବରୁ ସଂରକ୍ଷିତ କରିଥିବା ଟାକ୍ସି ଭୋରରୁ ଆସି ପହଂଚିଲା । ଟାକ୍ସି ରେ ବସି ଜମ୍ମୁ ଆସିଲା ବେଳେ ଶ୍ରୀନଗରଠାରୁ ୫୦ କିମି ପର୍ଯ୍ୟନ୍ତ ଯାତ୍ରାପଥରେ ୧୦/୧୨ ଟି ଜନବସତି ଅତିକ୍ରମ କଲାବେଳେ ପଥର ମାଡ ଖାଇବାକୁ ପଡିଥିଲା । ପଥର ମାଡରେ ଆମ ଗାଡିର କାଚ ସବୁ ଭାଙ୍ଗି ଚୁରମାର ହୋଇଯାଇଥିଲା । ପ୍ରତ୍ୟେକ ଜନବସତିରେ ଟ୍ରକ ଓ ବସରେ ଶହଶହ ବିଦ୍ରୋହକାରୀ ମୃତ ଆତଙ୍କବାଦୀଙ୍କୁ ସମର୍ଥନକରି ରାସ୍ତାରେ ବିଦ୍ରୋହ କରିବା ସଂଗେସଂଗେ ଆମରନାଥ ଯାତ୍ରୀମାନଙ୍କୁ ମାଡମାରିବା ଓ ଗାଡିଗୁଡିକ ଭାଙ୍ଗିବା ଇତ୍ୟାଦି କରୁଥାନ୍ତି । ଏକ ବିଦ୍ରୋହକାରୀଦଳ ଅନନ୍ତନାଗ ଜିଲ୍ଲାରେ ପୋଲିସ ଓ ସେନାବାହିନୀ ସାମ୍ନାରେ ଆମଗାଡିକୁ ଅଟକାଇ ଆମକୁ ହତ୍ୟାଧମକ ଦେଇଥିଲେ । କିନ୍ତୁ ଆମ ଗାଡିରେଥିବା ଜନୈକ ସ୍ଥାନୀୟ ୍‌ଯୁବକ ଯୋଗୁ ଆମେ ଜୀବନ ବଂଚାଇ ପ୍ରାଣ ବିକଳରେ ଆସିଲୁ । ବାବା ଅମରନାଥ ଓ ମାତା ବୈଷ୍ଣଦେବୀଙ୍କ କୃପାରୁ ଆମେ ଜୀବନ ଲାଭ କରି ଫେରିଆସିବାରେ ସଫଳ ହେଲୁ ନଚେତ ଉଗ୍ରବାଦୀଙ୍କ ଆକ୍ରମଣରେ ଆମ ପ୍ରାଣ ଚାଲିଯାଇଥାନ୍ତା ।

ଜୟ ବର୍ଫାନି ବାବାକି ଜୟ । ଜୟ ମାତା ଦି ।


Rate this content
Log in

Similar oriya story from Inspirational