DR SAMIR KUMAR NANDA

Inspirational

3  

DR SAMIR KUMAR NANDA

Inspirational

ଆତ୍ମାରଗତି ଓ ପିଣ୍ଡଦାନ

ଆତ୍ମାରଗତି ଓ ପିଣ୍ଡଦାନ

6 mins
144



                           

                               ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି ନୈନଂ ଦହତି ପାବକଃ

                        ନ ଚୈନଂ କ୍ଳେଦୟନ୍ତ୍ୟାପୋ ନ ଶୋଷୟତି ମାରୁତଃ ।ା


ଆତ୍ମା କୁ କୈାଣସି ଶସ୍ତ୍ର କାଟିପାରେ ନାହିଁ,

ଅଗ୍ନି ଜଳାଇପାରେ ନାହିଁ,

ଜଳ ଭିଜାଇ ପାରେ ନାହିଁ କି

ବାୟୂ ଶୁଖାଇ ପାରେ ନାହିଁ ।

ତେବେ ଆତ୍ମା ଯାଏ କୁଆଡେ ?

 ପୁରାଣ ରେ ବର୍ଣ୍ଣନା କରାଯାଇଛି – “ମର୍ତ୍ତ୍ୟ ମଣ୍ଡଳେ ଦେହ ବହି , ଦେବତା ହେଲେ ବି ମରଇ” । ତେଣୁ ମଣିଷ ଜୀବନ ନଶ୍ୱର ଅଟେ ଏହା ନିରାଟ ସତ୍ୟ କଥା । ମହାରାଜ ଯୁଧିଷ୍ଠିର କହିଥିଲେ-ନିଧନମ ପଶ୍ୟତ୍ ଆପିନୋ ପଶ୍ୟତି । ଅର୍ଥାତ ଆମେ ଅନ୍ୟର ମୃତ୍ୟୁରେ ତୁରନ୍ତ ପହଂଚି ଯାଇ ଶୋକ ବ୍ୟକ୍ତ କରିଥାଉ କିନ୍ତୁ ନିଜର ମୃତ୍ୟୁ କଥା କେବେ ହେଲେ ଚିନ୍ତା କରୁନାହିଁ । ମୃତ୍ୟୁ ଆସିବାକ୍ଷଣି ଦେହ ଶୀର୍ଣ୍ଣ ହୋଇଯାଏ,ଆକ୍ଷିରେ ପାଣି ଆସିଯାଏ,କଣ୍ଠ ଅବରୋଧ ହୋଇଯାଏ । ଗୋଟିଏ ବିଛା କାମୁଡିଲେ ଯେତିକି କଷ୍ଟ ହୋଇଥାଏ ଗୋଟିଏ ସ୍ଥାନରେ ଏକା ସାଥିରେ ଚାଳିଶ ହଜାର ବିଛା କାମୁଡିବାର କଷ୍ଟ ମିଳେ ଯେତେବେଳେ ଏ ଶରୀରରୁ ଆତ୍ମା ଛାଡି ଚାଲିଯାଏ ।

ଲୋକେ କୁହନ୍ତି ଆତ୍ମା ବୋଲି କିଛି ନାହିଁ ।

 ତାହେଲେ ଆମେ କାହିଁକି କହୁ ଅମୁକ ଚାଲିଗଲେ ବୋଲି ।

ତାଙ୍କ ଶରୀର ତ ଆମ ପାଖରେ ଶୋଇ ରହିଥାଏ ।

ତେବେ କିଏ ଚାଲିଯାଏ ?

କାହିଁକି ମୃତ୍ୟୁପରେ ଶରୀର ନଷ୍ଟ ହୋଇଯାଏ ?

 ଏଠାରେ ଆମକୁ ବୁଝିବାକୁ ପଡିବ ଆତ୍ମା ହିଁ ଶରୀର ଛାଡି ଚାଲିଯାଏ ।

ମୃତ୍ୟୁ ପରେ ଆତ୍ମା ଯାଏ କୁଆଡେ ?

ଏକଥା ଆମକୁ ଜାଣିବାକୁ ପଡିବ କାରଣ ହୁଏତ କାଲି ଆମର ପାଳି ପଡିପାରେ । ବେଦବ୍ୟାସଙ୍କ ରଚିତ ଗରୁଡ ପୁରାଣରେ ଭଗବାନ କେଶବ କହିଛନ୍ତି ମୃତ୍ୟୁପୂର୍ବରୁ ମଣିଷ ପାଖକୁ ପ୍ରଥମେ ନିର୍ଦ୍ଦେଶ ଆସେ । ଆକ୍ଷିରୁ ଜ୍ୟୋତି ଚାଲି ଯାଏ,କାନ ବଧିର ହୋଇଯାଏ ,ଚୁଟି ଧଳା ହୋଇଯାଏ । ଯଦି ଏହି ନିର୍ଦ୍ଦେଶ ପାଇଲା ପରେ ମଧ୍ୟ ଭଗବାନଙ୍କ ଶରଣାପନ୍ନ ହୋଇ ପାରିଲେ ନାହିଁ ତେବେ ମୃତ୍ୟୁ ହେବା ମାତ୍ରକେ ଯମଦୂତ ଆସି ଶରୀର ରୁ ଆତ୍ମାକୁ କାଢି ନେଇଯାଆନ୍ତି ।

ଶରୀର ରୁ ଆତ୍ମା ବାହାରିଗଲା ବେଳେ ନଅଟା ଦ୍ୱାର ମଧ୍ୟରୁ କୈାଣସି ଏକ ଦ୍ୱାର ଦେଇ ଯାଏ । ସେଇ ନଅଟା ଦ୍ୱାର ହେଲା - ଦୁଇଟି ଆକ୍ଷି,ଦୁଇଟି କାନ,ଦୁଇଟି ନାସାନ୍ଧ୍ର,ଗୋଟିଏ ପାଟି ଏବଂ ଦୁଇଟି ଜନେନ୍ଦ୍ରିୟ ।

ଶରୀରରେ ତିନୋଟି ସ୍ତର ରହିଥାଏ । ପ୍ରଥମେ ସ୍ଥୁଳ ଶରୀର-ଭୁମି,ବାୟୂ,ଗଗନ,ଜଳ ଓ ଅଗ୍ନି । ଦ୍ୱିତୀୟରେ ସୁକ୍ଷ୍ମ ଶରୀର- ମନ,ବୁଦ୍ଧି ଓ ଅହଙ୍କାର । ତୃତୀୟରେ ସତଚିତଆନନ୍ଦ-ଆତ୍ମା । ଯମଦୂତ ମାନେ ସ୍ଥୁଳ ଶରୀର କୁ ଛାଡିଦେଇ ଆତ୍ମା ସହିତ ସୁକ୍ଷ୍ମ ଶରୀର କୁ ନେଇ ଚାଲି ଯାଆନ୍ତି । ପରେ ଆମେ ସ୍ଥୁଳ ଶରୀର କୁ ଦାହ କରି ଦେଇଥାଉ । ଯେତେବେଳେ ଆତ୍ମା ଶରୀର ତ୍ୟାଗ କରି ଚାଲିଯାଏ ସେତେବେଳେ ନିଜ ପରିବାର ସହିତ ରହିବାକୁ ଇଛାକରେ । ମଣିଷର ଜୀବଦଶା ରେ କରିଥିବା କର୍ମକୁ ନେଇ ଆତ୍ମା ଯାତ୍ରା କରିଥାଏ । ଯଦି ସକର୍ମ କରିଥାଏ ଓ ଭଗବାନଙ୍କ ନିକଟରେ ସାରା ଜୀବନ ଶରଣାପନ୍ନ ହୋଇଥାଏ ତେବେ ସ୍ୱତନ୍ତ୍ର ବିମାନରେ ବିଷ୍ନୁଦୂତ ମାନେ ଆସି ବୈକୁଣ୍ଠ କୁ ନେଇ ଯାଆନ୍ତି । କୁକର୍ମ କରିଥିଲେ ଯମଦୂତ ମାନେ ଯାତନା ଶରୀର ରୂପକ ବାହନରେ ନାନା ପ୍ରକାରର ଯାତନା ଦେଇ ଆତ୍ମାକୁ ପୁର୍ନବିଚାର ପାଇଁ ଯମପୁର କୁ ନେଇ ଯାଆନ୍ତି ।

ମୃତ୍ୟୁ ପରେ ଆତ୍ମା ପ୍ରାୟ ଏଗାର ଦିନ ପର୍ଯ୍ୟନ୍ତ ଘରେ ରହିଥାଏ ଏବଂ ଭୋଜନ କୁ ଅପେକ୍ଷା କରିଥାଏ । ସମସ୍ତଙ୍କ ଘରେ ପ୍ରାୟ ପୁଅ ଥାଆନ୍ତି । କିନ୍ତୁ ସୁପୁତ୍ର ଯାହାଘରେ ଥାଏ ସେ ଦଶ ଦିନ ପର୍ଯ୍ୟନ୍ତ ପିଣ୍ଡ ଦାନ କରିଥାଏ । ଦଶ ଦିନ ର ପିଣ୍ଡରେ ଯାତନା ଶରୀର ପ୍ରସ୍ତୁତ ହୋଇଥାଏ । ପ୍ରଥମ ଦିନ ର ପିଣ୍ଡରେ ମୁଣ୍ଡ,ଦ୍ୱିତୀୟ ଦିନ କାନ୍ଧ ଓ ବେକ,ତୃତୀୟ ଦିନ ହୃଦୟ,ଚତୁର୍ଥ ଦିନ ପିଠି ପଂଚମ ଦିନ ଉଦର,ଷଷ୍ଠ ଦିନ ନିତମ୍ବ,ସପ୍ତମ ଦିନଜଙ୍ଘ,ଅଷ୍ଟମ ଦିନ ଆଣ୍ଠୁ ନବମ ଦିନଗୋଡ ତିଆରି ହୁଏ । ଦଶମ ଦିନ ଶୁଦ୍ଧ ହେଲା ପରେ ଏକାଦଶ ଦିନ ଆତ୍ମା ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥାଏ । 

ଗରୁଡ ପୁରାଣ ଅନୁସାରେ ପୃଥିବୀ ରୁ ଯମଲୋକ ପ୍ରାୟ ଛୟାଅଶୀ ଯୋଜନ ଦୂର ଅର୍ଥାତ ଦଶ ଲକ୍ଷ ବତିଶ ହଜାର କିଲୋମିଟର ଅଟେ । କୁକର୍ମ କରିଥିବା ମଣିଷ ମାନଙ୍କ ଆତ୍ମାକୁ ଦୈନିକ ତିନିହଜାର କିଲୋମିଟର ଚଲାଇ ଚଲାଇ ଏକ ବର୍ଷରେ ଯମଦୂତ ମାନେ ଯମପୁର ପହଂଚାଇ ଥାଆନ୍ତି । ସୁପୁତ୍ର ମାନଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ପିଣ୍ଡଦ୍ୱାରା ଆତ୍ମାକୁ ଚାଲିବାପାଇଁ ଶକ୍ତିପ୍ରାପ୍ତ ହୁଏ । ଆତ୍ମାକୁ ସମଗ୍ର ପଥ ଯାତନା ସହି ସହି ଚାଲି ଚାଲି ଯିବାକୁ ପଡିଥାଏ ।

 ପୁରାଣ କଥା ଅନୁସାରେ ପୃଥିବୀ ଉପରେ ସାତୋଟି ଲୋକ ଓ ତଳେ ସାତୋଟି ଲୋକ ରହିଛି । ପୃଥିବୀ ଉପରେ ଥିବା ଲୋକ ଗୁଡିକ ହେଲା ସଂୟମଣିଲୋକ,ଭୁଲୋକ,ସ୍ୱର୍ଗଲୋକ,ଯମଲୋକ,ତପଲୋକ,ମହାଲୋକ ଓ ବ୍ରହ୍ମଲୋକ । ସେହପରି ପୃଥିବୀ ତଳେ ଥିବା ଲୋକ ଗୁଡିକ ହେଲା-ତଳ,ବିତଳ,ଅତଳ,ସୁତଳ,ତଳାତଳ,ପାତାଳ ଓ ରସାତଳ । ସଂୟମଣିଲୋକ କୁ ଯମଲୋକ ମଧ୍ୟ କୁହାଯାଏ । 

ଆତ୍ମା ଯମଲୋକ କୁ ଗଲା ବେଳେ ଷୋହଳ ଟି ସ୍ଥାନ ରେ ଅବସ୍ଥାନ କରି ଥାଏ । ସେ ଗୁଡିକ ହେଲା ୟମପୁର,ସମୟପୁର,ସୈାରୀପୁର,ଗନ୍ଧର୍ବପୁର,ଶାଳଗ୍ରାମପୁର,କ୍ରୁରପୁର,ବିଚିତ୍ରପୁର,ବ୍ରହ୍ମପୁର,ଦୁଃଖପୁର,ସୁପ୍ତପୁର,ରୁଦ୍ରପୁର,ଶୀତଧାୟପୁର,ନାନକଚନ୍ଦ୍ରପୁର,କରଂଚପୁର,ପର୍ଯ୍ୟାବର୍ଷଣପୁର ଓ ବହୁଭିତୀପୁର ।

ୟମପୁର ରେ ପୁଷ୍ପଭଦ୍ରା ନଦୀ କୁଳରେ ବଟବୃକ୍ଷ ରହିଛି । କୁକର୍ମ କରିଥିବା ମଣିଷ ମାନଙ୍କ ଆତ୍ମା ତାତିଲା ବାଲି ଉପରେ ଯମଦୂତଙ୍କ ସଙ୍ଗରେ ଚାଲିବାକୁ ପଡିଥାଏ । ଯଦି ସୁପୁତ୍ର ଚପଲ ଦାନ କରିଥାଏ ହେଲେ ଆତ୍ମା ର ପାଦକୁ ଶାନ୍ତି ମିଳିଥାଏ । ପୁଣ୍ୟ କରିଥିବା ଆତ୍ମାକୁ ବଟବୃକ୍ଷତଳେ ଆଶ୍ରାମିଳିଥାଏ । ସୁପୁତ୍ର ଶ୍ରାଦ୍ଧ ସମୟରେ ଦେଇଥିବା ପିଣ୍ଡ ରୁ ଦୁଇଭାଗ ଯାତନା ଶରୀରକୁ ମିଳିଥାଏ ଏକ ଭାଗ ଆତ୍ମାକୁ ମିଳିଥାଏ ଓ ଏକ ଭାଗ ଯମଦୂତ ମାନଙ୍କୁ ମିଳିଥାଏ । ଶ୍ରାଦ୍ଧ ଓ ପିଣ୍ଡଦାନ ନକଲେ ଯାତନା ଶରୀର କୁ ଶକ୍ତି ମିଳେ ନାହିଁ ଏବଂ ଯମଦୂତ ମାନଙ୍କୁ ମଧ୍ୟ ଭୋକିଲା ରହିବାକୁ ପଡିଥାଏ । ଫଳରେ ଯମଦୂତ ମାନେ କ୍ରୋଧାନ୍ୱିତ ହୋଇ ଆତ୍ମା ଉପରେ ନିର୍ଯ୍ୟାତନା ଦିଅନ୍ତି । ଶ୍ରାଦ୍ଧ ନକଲେ ଆତ୍ମା ପିତୃଲୋକ ରେ ରହିଯାଆନ୍ତି । ଆତ୍ମା ଯାତ୍ରା କରୁଥିବା ସ୍ଥାନ ଗୁଡିକ ନାମ ଅନୁସାରେ ଭୟଙ୍କର ହୋଇଥାଏ । ଶାଳଗ୍ରାମ ପୁର ରେ ପଥର ବର୍ଷା ହେଉଥିଲାବେଳେ ଶୀତଧ୍ୟାୟପୁରରେ ପ୍ରବଳ ଶୀତ ଅନୁଭୁତ ହୁଏ । ସୁପୁତ୍ର ଗରମପୋଷାକ ଦାନ କରିଥିଲେ ଆତ୍ମାକୁ ଥଣ୍ଡାରୁ ମୁକ୍ତି ମିଳେ । ନଚେତ ପ୍ରବଳ ଥଣ୍ଡାରେ ଆତ୍ମା କୁ ପ୍ରବଳ କଷ୍ଟ ମିଳେ । ଏଗାର ମାସ ଯାତ୍ରା ପରେ ଦ୍ୱାଦଶ ମାସରେ ଆତ୍ମା ସିଧା ଯମଲୋକ ରେ ପହଂଚିଯାଏ । ସେଠାରେ କର୍ମ ଅନୁସାରେ ସ୍ୱର୍ଗ,ନର୍କ ଓ ବୈକୁଣ୍ଠ ପ୍ରାପ୍ତି ହୁଏ । ଯେଉଁ ମଣିଷ ଜୀବଦଶା ରେ ସୁକର୍ମ କରିଥାଏ ତାର ଆତ୍ମା ର କୈାଣସି ବିଚାର ନହୋଇ ଯମରାଜା ସସମ୍ମାନେ ବୈକୁଣ୍ଠକୁ ପ୍ରେରଣ କରିଥାନ୍ତି । ଯେଉଁ ଆତ୍ମାର ବିଚାର ସରେନାହିଁ ସେମାନେ ପିତୃଲୋକ ରେ ହିଁ ରହିଯାଆନ୍ତି । ସୁପୁତ୍ର ଦେଉଥିବା ଶ୍ରାଦ୍ଧ ଓ ପିଣ୍ଡ ଜଳ,ଅଗ୍ନି ଓ ବାୟୁ ମାଧ୍ୟମରେ ଆତ୍ମାକୁ ପ୍ରାପ୍ତି ହୋଇଥାଏ । ବୈକୁଣ୍ଠରେ ଅବସ୍ଥାନ କରୁଥିବା ଆତ୍ମାଙ୍କୁ ଅମୃତ ରୂପରେ, ପଶୁ ରୂପରେ ଥିବା ଆତ୍ମାଙ୍କୁ ଘାସରୂପରେ ,ପକ୍ଷୀରୂପି ଆତ୍ମାଙ୍କୁ ଫଳ ରୂପରେ ଓ ନରରୂପୀ ଆତ୍ମାଙ୍କୁ ଅନ୍ନ ରୂପରେ ପିଣ୍ଡ ପ୍ରାପ୍ତି ହୋଇଥାଏ ।


ପିତୃପକ୍ଷରେ ପ୍ରଦାନ କରାଯାଉଥିବା ପିଣ୍ଡ ସବୁ ପିତୃଲୋକ ର ରାଜାଙ୍କ ବାହନ କାକ ପକ୍ଷୀଙ୍କ ମାଧ୍ୟମରେ ଆତ୍ମାଙ୍କୁ ପ୍ରାପ୍ତି ହୋଇଥାଏ ।

ରାଜା ହିରଣ୍ୟକଶ୍ୟପଙ୍କ ମୃତ୍ୟୁ ପରେ ଯେତେବେଳେ ଭକ୍ତ ପ୍ରହ୍ଲାଦ ଭଗବାନଙ୍କୁ ପ୍ରଶ୍ନକଲେ- ପ୍ରଭୁ ମୋ ପିତା ତ ଅତ୍ୟନ୍ତ ପାପୀ ଥିଲେ , ତାଙ୍କର ଆତ୍ମା କେମିତି ଶାନ୍ତି ପାଇବ? ଭଗବାନ କହିଲେ ‘ତ୍ରି ସପ୍ତଭି ପିତା ପୁତଃ’ । ଅର୍ଥାତ ସୁପୁତ୍ର ମାନେ ଭଗବାନଙ୍କ ଶରଣାପନ୍ନ ହେଲେ ଓ ସୁପୁତ୍ର ମାନଙ୍କ ଦ୍ୱାରା ଅର୍ପଣ କରାଯାଉଥିବା ପିଣ୍ଡ ଉଭୟ ପିତୃ କୁଳର ଓ ପୁତ୍ର କୁଳର ଏକୋଇଶ ପିଢି ପର୍ଯ୍ୟନ୍ତ ପାଇଥାନ୍ତି । ଆଉ ତୁମର ଭକ୍ତିରେ ତୁମ ପିତାଙ୍କ ସ୍ୱର୍ଗପ୍ରାପ୍ତି ହୋଇସାରିଛି । ପିତୃ ପୁରୁଷ ମାନଙ୍କୁ ଶ୍ରାଦ୍ଧ ଓ ପିଣ୍ଡ ଦାନ ରାମାୟଣରେ ମଧ୍ୟ ଦର୍ଶାଯାଇଛି । ଯେତେବେଳେ ଭଗବାନ ରାମଚନ୍ଦ୍ର ବନବାସ ରେ ଥିଲେ ଓ ପିତାଙ୍କ ମୃତ୍ୟୁ ପରେ ଆତ୍ମାର ସଦଗତି ନିମନ୍ତେ ବିଭିନ୍ନ ତୀର୍ଥ ସ୍ଥାନରେ ଶ୍ରାଦ୍ଧ କଲେ ସେତେବେଳେ ଋଷି ଓ ମୁନୀ ମାନଙ୍କୁ ନିମନ୍ତ୍ରଣ କରି ଭୋଜନ ଦେଲେ । ସେତେବେଳେ ଜୈନକ ଋଷିଙ୍କୁ ଦେଖି ମାତା ସୀତା ହଠାତ ଚମକି ପଡିଲେ ଓ ଲୁଚି ଗଲେ । ଏହା ଦେଖି ଭଗବାନ ରାମ କହିଲେ ତୁମେ କାହିଁକି ଚାଲି ଆସିଲ ? ମାତା ସୀତା କହିଲେ ଋଷିଙ୍କ ଦେହରେ ମହାରାଜ ଦଶରଥ ଙ୍କୁ ଦର୍ଶନ କଲି । ତାଙ୍କର ବୋହୁକୁ ବନବାସୀ ବେଶରେ ଦେଖି କାଳେ ତାଙ୍କୁ କଷ୍ଟ ହେବ ତେଣୁ ମୁଁ ଚାଲି ଆସିଲି । ତେଣୁ ପିତୃ ପୁରୁଷ ଓ ଆତ୍ମା ଭକ୍ତ ଓ ବ୍ରାହ୍ମଣ ଙ୍କ ଦେହରେ ସବାର ହୋଇ ଆସିଥାନ୍ତି ଶ୍ରାଦ୍ଧ ପାଇବା ପାଇଁ । ଯଦି ସୁପୁତ୍ର ନଥାନ୍ତି ତେବେ ଆତ୍ମାଙ୍କୁ ପିତୃଲୋକ ରେ ବହୁଜନ୍ମ ଅପେକ୍ଷା କରିବାକୁ ପଡିଥାଏ । ତେଣୁ ଜୀବଦଶାରେ ସନ୍ତାନ ମାନଙ୍କୁ ସଂସ୍କାର ଦେବା ଜରୁରୀ ।

ମୃତ୍ୟୁ ପରେ ପୁତ୍ର ମାନେ କଣ କରିବେ ସେକଥା ଜାଣିବା ଆବଶ୍ୟକ । ଦାନଧର୍ମ ଆଦି କର୍ମ କରି ପିତୃପୁରୁଷ ଓ ଆତ୍ମାଙ୍କର ମୁକ୍ତି କରିହେବ । ଦାନ ଧର୍ମ କେମିତି କରାଯିବ ? ଗୀତା ର ଅଷ୍ଟାଦଶ ଅଧ୍ୟାୟରେ ଉଲ୍ଲେଖ ଅଛି- ୟଜ୍ଞଦାନତପଃକର୍ମ ନ ତ୍ୟାଜ୍ୟଂ କାର୍ୟମେଵ ତତ |ୟଜ୍ଞୋ ଦାନଂ ତପଶ୍ଚୈଵ ପାଵନାନି ମନୀଷିଣାମ || ଅର୍ଥାତ ଯଜ୍ଞ,ଦାନ ଓ ତପରୂପକ କର୍ମ ତ୍ୟାଗ କରିବା ଉଚିତ ନୁହେଁ,ବରଂ ତାହା ଅବଶ୍ୟ କରଣୀୟ ; କାରଣ ଯଜ୍ଞ ଦାନ ଓ ତପ ଏହି ତିନୋଟି କର୍ମ ବୁଦ୍ଧିମାନ ପୁରୁଷଙ୍କୁ ପବିତ୍ର କରେ । ତେଣୁ ସମସ୍ତ ବ୍ୟକ୍ତି ଯଥା ତପସ୍ୱୀ,ଗୃହସ୍ଥୀ,ସାଧାରଣ ମଣିଷ ସମସ୍ତେ ଦାନ ଧର୍ମ କରିବା ଉଚିତ । କିନ୍ତୁ ଦାନଧର୍ମ କେମିତି କରିବ ଓ କାହାକୁ କରିବ ? ଗୀତା ର ନବମ ଅଧ୍ୟାୟ ରେ ଭଗବାନ କହିଛନ୍ତି - ୟତ୍କରୋଷି ୟଦଶ୍ନାସି ୟଜ୍ଜୁହୋଷି ଦଦାସି ୟତ |

ୟତ୍ତପସ୍ୟସି କୌନ୍ତେୟ ତତ୍କୁରୁଷ୍ଵ ମଦର୍ପଣମ || ଅର୍ଥାତ, ହେ ଅର୍ଜୁନ, ତୁମେ ଯାହା କିଛି କର୍ମ କରୁଛ.ଯାହାକିଛି ଭୋଜନ କରୁଛ,ଯାହାକିଛି ହବନ କରୁଛ,ଯାହାକିଛି ଦାନ କରୁଛ ଏବଂ ଯାହାକିଛି ତପ କରୁଛ,ସେସବୁ ମୋତେ ଅର୍ପଣ କର ।ା କିନ୍ତୁ ଆଜିକାଲି ଲୋକ ମାନେ ନିଜସ୍ୱାର୍ଥ ପାଇଁ ଅନେକ ଦାନ କରୁଛନ୍ତି । କେହି କେହି କାର୍ଯ୍ୟହାସଲ ପାଇଁ ମଦ ଦାନ କରନ୍ତି ଯାହାକି ତମଗୁଣୀ ଦାନ । କେହି କେହି ଦାନଜିନିଷ ଉପରେ ନାମଲେଖି ଦାନ କରନ୍ତି । ଏହାକୁ ରଜଗୁଣି ଦାନ କୁହାଯାଏ । କିନ୍ତୁ ଯେଉଁଦାନ ଭଗବାନଙ୍କ ପ୍ରସନ୍ନତା ପାଇଁ ଓ ଭଗବାନଙ୍କ ପ୍ରଚାର ପାଇଁ କରାଯାଏ ସେଇଟା ସତଗୁଣୀ ଦାନ ।


Rate this content
Log in

Similar oriya story from Inspirational