DR SAMIR KUMAR NANDA

Inspirational

4  

DR SAMIR KUMAR NANDA

Inspirational

ଭକ୍ତର ଭଗବାନ ଶ୍ରୀଜଗନ୍ନାଥ

ଭକ୍ତର ଭଗବାନ ଶ୍ରୀଜଗନ୍ନାଥ

5 mins
309


  ଛାତ୍ରାବସ୍ଥାରୁ ମୁଁ ଭଗବାନଙ୍କୁ ବହୁତ ବିଶ୍ୱାସ କରି ଆସିଛି । ଯଦିଓ ପୂଜାପାଠର ପଦ୍ଧତି ମୋତେ ଜଣା ନଥିଲା ହେଲେ ମଧ୍ୟ ଭଗବାନ ହିଁ ଏହି ସୃଷ୍ଟିର ସ୍ରଷ୍ଟା ଓ ତାଙ୍କରି ଇଛାରେ ସାରା ଜଗତ ପରିଚାଳିତ ହେଉଛି ବୋଲି ମୋର ଛୋଟବେଳୁ ବିଶ୍ୱାସ ଥିଲା । ଜଗତରେ ଜନ୍ମ ଲାଭ କରିଥିବା ସମସ୍ତ ଜୀବଜଗତ ନିଜ ନିଜ କର୍ମ ଅନୁସାରେ ଫଳ ଭୋଗିବା ଅନିବାର୍ଯ୍ୟ ଅଟେ । ସେଥିରେ ଭଗବାନଙ୍କୁ ଆମେ ଦୋଷ ଦେଇ ପାରିବା ନାହିଁ । ମୁଁ ମୋର ଜୀବନ କାଳ ମଧ୍ୟରେ ବହୁତ ତୀର୍ଥ ସ୍ଥାନ ଭ୍ରମଣ କରିଛି । ପ୍ରତି ବର୍ଷ ମୋର ପରିବାରର ସଦସ୍ୟ ମାନଙ୍କ ସହିତ ଥରେ ହେଲେ ମୁଁ ଯାଇ ନୀଳଗିରି ନିବାସୀ ଶ୍ରୀ ଜଗନ୍ନାଥ,ଘଟଗାଁ ନିବାସୀ ମାଁ ତାରିଣୀ ଓ ଜମ୍ମୁ ର କଟରାସ୍ଥିତ ତ୍ରିକୁଟ ବାସିନୀ ମାଁ ବୈଷ୍ନଦେବୀ ଙ୍କୁ ଦର୍ଶନ କରି ଆସେ । ତାସହିତ ସମ୍ବାଦ ପତ୍ର ଓ ଇଟଂରନେଟ ରୁ ଜ୍ଞାନ ଆରୋହଣ କରି ନୂତନ ତୀର୍ଥ ସ୍ଥାନ ଦର୍ଶନ କରିବା ମୋର ଅନ୍ୟ ଏକ ସଉକ । ମୋର ସ୍ୱର୍ଗତ ମାତା ଜୀବିତାବସ୍ଥାରେ କାର୍ତ୍ତିକ ମ।ସରେ ପୁରୀ ରେ ପ୍ରାୟ ବର୍ଷ ଏକ ମାସ ରହଣି କରି କାର୍ତ୍ତିକ ବ୍ରତ ପାଳନ କରୁଥିଲା । ତା ସହିତ ମୁଁ ମଧ୍ୟ ପୁରୀରେ କାର୍ତ୍ତିକ ମାସ ସାରା ରହି ଠାକୁରଙ୍କ ଦୁର୍ଲଭ ଦର୍ଶନ କରି ପାରିଛି । ସବୁଠାରୁ ବଡ କଥା ହେଲା ଏତେ ବର୍ଷ ହେଲା ତୀର୍ଥ ଭ୍ରମଣ କଲାବେଳେ ମୁଁ କିମ୍ବା ମୋର ପରିବାରର ସଦସ୍ୟ କେବେହେଲେ କୈାଣସି ଅସୁବିଧାର ସମ୍ମୁଖୀନ ହୋଇନାହୁଁ । ବଂର ଘରୁ ବାହାରି କିଛି ଦିନ ତୀର୍ଥ ଭ୍ରମଣ କରି ପୁଣି ଘରକୁ ପହଂଚିବା ପର୍ଯ୍ୟନ୍ତ ଏମିତି ସୁରୁଖୁରୁ ରେ ସମସ୍ତ କାର୍ଯ୍ୟ ସଂପାଦନା ହୁଏ ତାହା ବର୍ଣ୍ଣନା କରିବା ଅସମ୍ଭବ ।ସମସ୍ତ ତୀର୍ଥ ସ୍ଥାନରେ ପାଦ ଦେଲା ମାତ୍ରେ କେହି ଜଣେ ଅପରିଚିତ ବ୍ୟକ୍ତି ଆମକୁ ଅପେକ୍ଷା କରି ରହିଥାନ୍ତି ସାହାର୍ଯ୍ୟ କରିବା ପାଇଁ । ସତେ ଯେମିତି ଭଗବାନ ତାଙ୍କୁ ଆମପାଇଁ ପ୍ରେରଣ କରିଥାନ୍ତି ।

 ପୂଣ୍ୟଭୁମି ଭାରତବର୍ଷରେ ଅବସ୍ଥିତ ଚାରିଧାମ ମଧ୍ୟରୁ ଗୋଟିଏ ଧାମ ଆମ ରାଜ୍ୟରେ ଅବସ୍ଥିତ ହୋଇଥିବାରୁ ମୁଁ ନିଜକୁ ଭାଗ୍ୟବାନ ଅନୁଭବ କରେ । ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ମଧ୍ୟ ଏପରି ଅନେକ ଦିବ୍ୟ ଅନୁଭୁତି ରହିଛି ଯାହାକି ସ୍ମରଣ କରିବା ମାତ୍ରେ ଆକ୍ଷି ଛଳଛଳ ହୋଇଯାଏ । ସେଥିରୁ କେତୋଟି ଅନିଭୁତି ମୁଁ ପାଠକଙ୍କ ଅବଗତି ନିମନ୍ତେ ଆଜି ପ୍ରକାଶ କରୁଛି ।

୧୯୮୫ ମସିହା ର କଥା । ସେତେବେଳେ ମୁଁ ଛାତ୍ର । ଜୀବନରେ କେବେ ହେଲେ ପୁରୀରେ ରଥଯାତ୍ରା ଦେଖିବା ସୁଯୋଗ ମିଳି ନଥିଲା । ତିନିଠାକୁରଙ୍କ ରଥ ଯାତ୍ରା ସେତେବେଳେ ଦୂରଦର୍ଶନରେ ମଧ୍ୟ ଦେଖିବାର ସୁଯୋଗ ନଥିଲା କାରଣ ସବୁ ଆଡେ ସେତେବେଳେ ଦୂରଦର୍ଶନ ତରଙ୍ଗ ପହଂଚି ପାରୁନଥିଲା । ତେଣୁ ରଥଯାତ୍ରା କଣ କେବଳ ସମ୍ବାଦ ପତ୍ରରେ ଫୋଟ ମାଧ୍ୟମରେ ଦେଖିଥିଲି । କିନ୍ତୁ ସେ ବର୍ଷ ମାମୁଁ ମାଇଁ ଙ୍କ ସହିତ ପୁରୀ ରଥଯାତ୍ରା ଦେଖିବା ପାଇଁ ସ୍ଥିର ହେଲା । ମନରେ ଅନେକ ଆନନ୍ଦ ଓ ଉନ୍ମାଦନା । ତେଣୁ ସ୍ୱଚକ୍ଷୁରେ ରଥଯାତ୍ରା ଦେଖିବା ନିହାତି ଆଶ୍ଚର୍ଯ୍ୟର କଥା ।

ବଡଦାଣ୍ଡ ଲୋକାରଣ୍ୟ । ବହୁ ଦୂରରୁ କେବଳ ତିନୋଟି ରଥ ଏବଂ ଅସଂଖ୍ୟ କଳା ମୁଣ୍ଡର ଲହଡି ଭାଙ୍ଗୁଛି ବଡ ଦାଣ୍ଡରେ । ବଡ ଦାଣ୍ଡର ଅସ୍ଥିତ୍ୱ ହଜିଯାଇଛି ଲକ୍ଷ୍ୟ ଲକ୍ଷ୍ୟ ଭକ୍ତଙ୍କ ଗହଳିରେ । ବଡ ଦାଣ୍ଡର ଏ ପ୍ରକାର ଅବସ୍ଥା ଦେଖି ଆମେ ଛାନିଆ ହୋଇଗଲୁ । ଭାବିଥିଲି ରଥପାଖକୁ ସହଜରେ ଯାଇ ହେବ ଏବଂ ଠାକୁରଙ୍କ ଦର୍ଶନ କରି ହେବ । କିନ୍ତୁ ଜନ ସମୁଦ୍ରକୁ ପାରିହୋଇ ରଥପାଖକୁ ଯିବା ନିହାତି ଅସମ୍ଭବ । ମୋର ସମସ୍ତ ଆଶା ମଉଳି ଗଲା । ପ୍ରାୟ ଏକ କିଲୋମିଟର ଦୂରରୁ କେବଳ ରଥ ତିନୋଟିକୁ ଚାହିଁ ଆଖି ମୋର ଲୁହରେ ଭର୍ତ୍ତି ହୋଇଗଲା । ମନେ ମନେ ଡାକିଲି ପ୍ରଭୁ ମୁଁ କଣ ତୁମ ପାଖକୁ ଯାଇ ଦର୍ଶନ କରି ପାରିବିନି । ଥରେ ହେଲେ ଦର୍ଶନ କରିବାର ସୁଯୋଗ ଦିଅ ପ୍ରଭୂ । କିଛି ସମୟପରେ ମୁଁ ଅନୁଭବ କଲି କେହି ଜଣେ ସତେ ଯେମିତି ମୋତେ ଭୀଡ ଭିତରେ ଆଗକୁ ବାଟ କାଟି କାଟି ଠେଲିଠେଲି ନେଉଛି । ସେତେବେଳକୁ ମୁଁ ମୋର ମାମୁଁ ମାଇଁଙ୍କ ଠାରୁ ଅଲଗା ହୋଇଗଲିଣି । ମୋର ପାଦରୁ ଚପଲ ଖୋଲି କୁଆଡେ ବାହାରି ଗଲାଣି । ଏବଂ ଏହିପରିଭାବେ ମୁଁ ରଥପାଖରେ ପହଂଚିଗଲି କେଉଁ ଏକ ଅଜଣା ଶକ୍ତିର ସହାୟତାରେ । ରଥଟଣା ସରିଯାଇଥାଏ । ରଥ ଉପରକୁ ଚଢି ଠାକୁରଙ୍କୁ ଦର୍ଶନ କରିବାପାଇଁ ପ୍ରବଳ ଗହଳି । ଚାପ ଖୋଲି ଦିଆଯାଇଥାଏ । ଏତେ ବଡ ରଥକୁ ଚଢିବି କେମିତି ? ପୁଣି ଠାକୁରଙ୍କୁ ସ୍ମରଣ କଲି । ପ୍ରଭୁ ରଥକୁ ଚଢିବା ପାଇଁ ମୋତେ ସୁଯୋଗ ଦିଅ । ଏତେ ବାଟ ତ ଆଣିଛ । ଅନୁଭବ କଲି ପୁଣି ସେହି ଅଜଣା ଶକ୍ତି ମୋତେ ରଥଉପରକୁ ଉଠାଇ ଦେଲା । ମୁଁ ଠାକୁରଙ୍କ ଦର୍ଶନ କରି ଫେରି ଆସିଲି । କୃତ୍ୟକୃତ୍ୟ ହୋଇଗଲା ମୋର ଜୀବନ । ତାପରେ ଅବଶ୍ୟ ରଥ ଯାତ୍ରା ଦେଖିବାର କେବେ ସୁଯୋଗ ମିଳି ନାହିଁ । ଅଥଚ ସେ ପ୍ରକାର ଦର୍ଶନ ଦୁର୍ଲଭ ହୋଇଯାଇଛି ।

        ସାତ ଆଠ ବର୍ଷତଳେ ଏମିତି ଏକ ପ୍ରୋଗ୍ରାମରେ ମୁଁ ପରିବାରର ସଦସ୍ୟ ମାନଙ୍କ ସହିତ ପୁରୀ ଯାଇଥାଏ ଠାକୁରଙ୍କ ଦର୍ଶନ ପାଇଁ । ଆମେ ପ୍ରତ୍ୟେକ ଥର ପୁରୀ ଦର୍ଶନ ସମୟରେ ଆନନ୍ଦ ବଜାରରେ ସମସ୍ତେ ବସି ଏକାସାଥିରେ ବସି ଅବଢା ଖାଉ । ବାହାରେ  ହୋଟେଲ ରେ ଖାଇବା ଅପେକ୍ଷା ଅବଢା ଖାଇବା ଭାଗ୍ୟର କଥା ବୋଲି ଆମେ ସୁଯୋଗ ହାତଛଡା କରୁ ନାହିଁ । ଶ୍ରୀମନ୍ଦିର ରେ ସମସ୍ତେ ପ୍ରବେଶ କଲୁ । ସିଂହଦ୍ୱାର ଅତିକ୍ରମ କରିବା ଭିତରେ ଅନେକ ସେବାୟତ ଭାଇ ଆସି ଅନୁରୋଧ କରୁଥାନ୍ତି ଦର୍ଶନ କରାଇଦେବା ପାଇଁ । କିନ୍ତୁ କାଶୀ ବିଶ୍ୱନାଥଙ୍କ ମନ୍ଦିର ସମ୍ମୁଖରେ ଦେଖିବାକୁ ପାଇଲୁ ଜଣେ ଶ୍ୟାମଳ ବର୍ଣ୍ଣର ବ୍ୟକ୍ତି ଯାହାଙ୍କ ଦେହରେ ଇଷତ ହଳଦିଆ ରଂଗର ଯୋଡ ଓ ମୁଣ୍ଡରେ ମଠା କପଡାର ପଗଡି । ଅତ୍ୟନ୍ତ ନମ୍ର ସ୍ୱଭାବ ।ଆକର୍ଷଣୀୟ ବ୍ୟକ୍ତିତ୍ୱ ।ସେ ହଠାତ ଆସି ପଚାରିଲେ ପୁଅ,ଦର୍ଶନ କରିବ ? ତାଙ୍କର କଥାରେ ଆମେ ସମସ୍ତେ କେଜାଣି କାହିଁକି ଏକାଥରକେ ହଁ ଭରିଲୁ । ସେ ଶ୍ରୀ ମନ୍ଦିରର ସମସ୍ତ ଠାକୁର ଠାକୁରାଣୀଙ୍କୁ ଆଗ୍ରହର ସହିତ ଦର୍ଶନ କରାଇ ଦେଲେ । ସେଦିନ ଶ୍ରୀମନ୍ଦିର ଭିତରେ ଯେତିକି ଦିଅଁ ଦେବତାଙ୍କୁ ଦର୍ଶନକଲୁ ଜୀବନ କାଳରେ ଆଗରୁ ସେତିକି ଠାକୁରଙ୍କୁ କେବେହେଲେ ଦେଖିନଥିଲୁ । ବଡଦେଉଳ ଭିତରେ ପ୍ରବଳ ଭିଡ ମଧ୍ୟରେ ସେ ଅତ୍ୟନ୍ତ ନମ୍ରତାର ସହିତ ଆମକୁ କଢାଇ ନେଲେ ତିନି ଠାକୁରଙ୍କ ପାଖକୁ ଏବଂ ମୋହାତରୁ ନଡିଆ ନେଇ ଭୋଗଲାଗି କରାଇଲେ । ଦର୍ଶନ ବହୁତ ଭଲ ଭାବରେ ସରିଗଲା । ଦକ୍ଷିଣା ଦେବା ପାଇଁ ଯେତେବେଳେ ଆମେ ତାଙ୍କ ହାତକୁ ଏକଶହ ଟଙ୍କା ବଢାଇଦେଲୁ ସେ ମନାକଲେ ଆଉ କହିଲେ ପୁଅ ଯେତେବେଳେ ମନ୍ଦିର ଆସିବ ମୋତେ ଖୋଜିବ ମୁଁ ଆସିବି । ଏମିତି କହି ସେ ମନ୍ଦିର ଭିତରେ କୁଆଡେ ଅନ୍ତର୍ଦ୍ଧାନ ହୋଇଗଲେ ଆମେ ପାଇଲୁ ନାହିଁ । ତାଙ୍କୁ ଆମେ ବହୁତ ଖୋଜିଲୁ । ସେତେବେଳକୁ ଭୋକରେ ସମସ୍ତେ ଆଉଟୁ ପାଉଟୁ ହୋଇଗଲୁଣି । ତୁରନ୍ତ ଆନନ୍ଦ ବଜାର କୁ ଗଲୁ ଅବଢା ପାଇବା ପାଇଁ । କିନ୍ତୁ ଆନନ୍ଦ ବଜାର ଭିତରେ ପ୍ରବଳ ଗହଳି । ପାଦ ଥାପିବାକୁ ଯାଗା ନାହିଁ । କଣ କରିବୁ । ଦିନ ତିନିଟା ହେଲାଣି । ବହୁତ କଷ୍ଟରେ ନୀଳଚକ୍ର କୁ ଅନାଇ କହିଲୁ ପ୍ରଭୁ ଆଜି କଣ ଆମେ ଭୋକରେ ଚାଲିଯିବୁ ? ଏମିତି ପାଟିରୁ ବାହାରିଛି କିନାହିଁ ସେ ମହାତ୍ମା ହାତରେ ଦୁଇଟି କୁଡୁଆ ଧରି ଆମ ଆଗରେ ଛିଡା ହୋଇ କହିଲେ ପୁଅ, ନିଅ ପ୍ରସାଦ । ଏତିକି ପାଇଯାଅ । ତାପରେ ସେ ଭିଡ ଭିତରେ ପୁଣି ହଜିଗଲେ । ଆମ ସମସ୍ତଙ୍କ ଆଖିରୁ ଲୁହ ଝରି ପଡିଲା । ସତେ ଯେମିତି ଠାକୁର ସ୍ୱଂୟ ରତ୍ନବେଦୀରୁ ଚାଲି ଆସି ଆମକୁ ଦର୍ଶନ ଦେଲେ । ତାପରେ ଆମେ ମନ୍ଦିର ଯେତେଥର ଯାଇଛୁ ତାଙ୍କୁ ଖୋଜିଛୁ । ତାଙ୍କୁ ଆମେ ମନ୍ଦିର ଭିତରେ ବହୁବାର ଖୋଜିଛୁ , କିନ୍ତୁ ପାଇନାହୁଁ । ସମସ୍ତ ସେବାୟତ ଭାଇ ମାନଙ୍କୁ ତାଙ୍କ ବିଷୟରେ ପଚାରିଛୁ କିନ୍ତୁ ସେମାନେ କହିଲେ ସେମିତି ଲୋକ ମନ୍ଦିର ଭିତରେ କେହି ନାହାଁନ୍ତି ବୋଲି । କିନ୍ତୁ ସେମାନେ ହେଲେ ତାଙ୍କୁ ପାଇବେ କେମିତି ? ସେ ତ ରତ୍ନ ବେଦୀରେ ବିରାଜମାନ ହୋଇଛନ୍ତି ।

                                                        


Rate this content
Log in

Similar oriya story from Inspirational