DR SAMIR KUMAR NANDA

Others

4  

DR SAMIR KUMAR NANDA

Others

ଆଧୁନିକତା ଓ ଆଧ୍ୟାତ୍ମିକତା

ଆଧୁନିକତା ଓ ଆଧ୍ୟାତ୍ମିକତା

5 mins
362


                      

                                                             

ମୋତେ ଯେତେବେଳେ ଚବିଶ ବର୍ଷ ହୋଇଥିଲା ସେତେବେଳେ ମୁଁ ମୋର ମାଆ କୁ ନେଇ ଏକମାସ କାଳ ଭାରତବର୍ଷ ର ବିଭିନ୍ନ ତୀର୍ଥ ସ୍ଥାନ ପରିଭ୍ରମଣ ରେ ଯାଇଥିଲି । କାର୍ତ୍ତିକ ମାସରେ ମାଆ ର ହବିଷ୍ୟ ପାଳନ ପାଇଁ ପୁରୀ ଯାଇ ମାସ ମାସ ରହିଛି । ଏକଥା ଉଲ୍ଲେଖ କରିବାର ଉଦ୍ଦେଶ୍ୟ ହେଲା ଯେ, ଉକ୍ତ ତୀର୍ଥ ସମୟରେ ଓ ପରବର୍ତ୍ତୀ ସମୟରେ ମୋର ପରିବାର ସହିତ ତୀର୍ଥାଟନ ରେ ଗଲା ବେଳେ ଆମକୁ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇ ପଚାରନ୍ତି ଯେ ତୁମର କଣ ତୀର୍ଥ କରିବାର ବୟସ ହେଲାଣି ଯେ ତୁମେମାନେ ତୀର୍ଥ କରିବା ପାଇଁ ବାହାରିଛ ? ଆଧୁନିକ ଯୁଗରେ ଏତେ କମ ବୟସରୁ କିଏ ତୀର୍ଥ ବ୍ରତ କରୁଛି ? ତୀର୍ଥ ସର୍ବଦା ବାର୍ଦ୍ଧକ୍ୟ ସମୟରେ କରାଯାଏ ବୋଲି ସମସ୍ତେ ଭାବନ୍ତି । ମୋର ପ୍ରଶ୍ନ ହେଲା ଧର୍ମ କରିବା, ପୂଜାପାଠ କରିବା ଓ ତୀର୍ଥ କରିବା ପାଇଁ କଣ ବୟସ ସୀମା କିଛି ଦରକାର ? ଆଧୁନିକ ଯୁଗରେ ମଣିଷ ପୂଜାପାଠ,ଧର୍ମକର୍ମ , ତୀର୍ଥାଟନ ତଥା ଆଧ୍ୟାତ୍ମିକତା ପାଇଁ ସେତେଟା ଆଗ୍ରହ ପ୍ରକାଶ କରିପାରୁନାହିଁ । ମୋ ମତରେ ବୟସ ଥିଲା ବେଳେ ,ଦେହରେ ବଳ ଥିଲା ବେଳେ ପୂଜାପାଠ, ଧର୍ମକର୍ମ ଓ ତୀର୍ଥବ୍ରତ ଆଦି କରିବା କଥା । ବୟସ ର ଅପରାହ୍ନରେ ହାତ ଗୋଡ ଦରଜ ହେବା ଓ ଚାଲିବା ଶକ୍ତି ଓ ହଜମ ଶକ୍ତି କମିଯିବା ଯୋଗୁଁ ଗୋଟିଏ ସ୍ଥାନରେ ଦୀର୍ଘ ସମୟ ବସି ରହି ଧ୍ୟାନ କରିବା ଇତ୍ୟାଦି ସମ୍ଭବ ହୋଇ ନଥାଏ । ଆଜିକାଲି ଆଧୁନିକତା ଓ ଆଧ୍ୟାତ୍ମିକତା ମଧ୍ୟରେ ଦ୍ୱନ୍ଦ ଦେଖାଯାଉଛି । ବାସ୍ତୁବାଦୀ ମଣିଷ ନିଜର ଇନ୍ଦ୍ରିୟ ସୁଖ ପାଇଁ ଅର୍ଥ ଉପାର୍ଜନ କରିବା ଓ ସେଥିପାଇଁ ସେହି ଅର୍ଥକୁ ବିନିଯୋଗ କରିବା କୁ ଆମେ ଆଧୁନିକତା କହିପାରିବା । କିନ୍ତୁ ଆଧ୍ୟାତ୍ମିକତା ନିଜେ ସ୍ୱଂୟପୂର୍ଣ୍ଣ ଅଟେ । ଉପନିଷଦ ରେ କୁହାଯାଇଛି ଯେ ନା କୈାଣସି ରାଜ୍ୟ ଥିଲା ନା ରାଜା,ନା କୈାଣସି ବିଚାରପତି ଥିଲେ ନା କୈାଣସି ଅପରାଧି । କିନ୍ତୁ ଧର୍ମ ରେ ପ୍ରଜାମାନେ ପରସ୍ପର କୁ ରକ୍ଷା କରୁଥିଲେ । ଏକ ତ୍ରିସ୍ତରୀୟ ଶାସନ ର ପରିଚାଳନା ଥିଲା । ଆତ୍ମାବାନ ଲୋକ ଗୁରୁଙ୍କ ଦ୍ୱାରା ଶାସିତ ହୁଅନ୍ତି । ସେଥିପାଇଁ ତ ଆଜି ମଧ୍ୟ ଆମର ପରମ୍ପରା ଅଛି କି ଯେଉଁ ବ୍ୟକ୍ତି ସନ୍ୟାସୀ ହୋଇ ଗୃହତ୍ୟାଗ କରନ୍ତି ଓ ଆଧ୍ୟାତ୍ମିକତା ରେ ଦୀକ୍ଷିତ ହୋଇଥାଆନ୍ତି ଆମେ ତାଙ୍କୁ ମହାରାଜ ବୋଲି ଡାକୁ । ଏଠାରେ ପ୍ରଶ୍ନ ଉଠୁଛି ଯେ ରାଜାଙ୍କ ପାଖରେ ତ ପ୍ରଶାସନ ଥାଏ କିନ୍ତୁ ସନ୍ୟାସୀ ପାଖରେ କଣ ଏମିତି ଥାଏ ଯେ ଆମେ ତାଙ୍କୁ ରାଜା ନୁହଁ ମହାରାଜ ବୋଲି ସମ୍ବୋଧନ କରୁ ? କାରଣ ସେ ସେହି ସମୟରେ ଶାସକ ହୋଇଯାଆନ୍ତି ଓ ଉପଦେଶ ମାଧ୍ୟମରେ ଶାସନ କରିଥାଆନ୍ତି । ସେ ଯାହା ଉଚିତ ଓ ଅନୁଚିତ ବୋଲି କହିଥାଆନ୍ତି ଆମେ ତାକୁ ଅକ୍ଷରେ ଅକ୍ଷରେ ପାଳନ କରିଥାଉ । ଆଜି ମଧ୍ୟ ଆମେ ଦେଖିବାକୁ ପାଇଥାଉ କି ହଜାର ହଜାର ଲୋକ ଭିଡ ଥିବା ସ୍ଥାନକୁ ମାତ୍ର ଦଶ କି ପନ୍ଦର ପୋଲିସ ସମ୍ଭାଳି ଦିଅନ୍ତି । ଏହା କିପରି ସମ୍ଭବ ହୋଇଥାଏ ? କାରଣ ସମାଜରେ ବହୁତ ଲୋକ ନିଜ ନିଜ ଗୁରୁଙ୍କ ଠାରୁ ପ୍ରାପ୍ତ କରିଥିବା ଅନୁଶାସନ ରେ ଆତ୍ମାନୁଶାସିତ ହୋଇଥାଆନ୍ତି । ଆଇନ କାନୁନ, ଧର୍ମ କର୍ମ ର ନିୟମ କୁ ଯେଉଁମାନେ ମାନନ୍ତି ନାହିଁ କି ସ୍ୱୀକାର କରନ୍ତି ନାହିଁ ସେମାନଙ୍କୁ ରାଜା ଶାସନ କରିଥାଆନ୍ତି । ଆଉ ଯେଉଁ ବ୍ୟକ୍ତି ମାନେ ତାଠାରୁ ଅଧିକ ପାପ କରନ୍ତି ଓ ଚିନ୍ତା କରନ୍ତି କି ସେ ପାପକୁ ପରିପ୍ରକାଶ କରିବେ ନାହିଁ , ଆମକୁ କିଏ ଦଣ୍ଡ ଦେବ ବୋଲି ଭାବନ୍ତି ସେମାନଙ୍କୁ ସେମାନଙ୍କ କର୍ମଫଳ ହିଁ ପରବର୍ତ୍ତୀ କାଳରେ ଦଣ୍ଡ ଦେଇଥାଏ ଓ ସେଥିପାଇଁ ପୁର୍ନଜନ୍ମ ର କଳ୍ପନା କରାଯାଇଥାଏ । ସେଥିପାଇଁ ଆମେ ଏହି ଜୀବନ ସହିତ ଉକ୍ତ ଜୀବନ ର କଳ୍ପନା କରୁ ଓ ଆବଶ୍ୟକୀୟ ସୁଧାର ଆଣିବା ପାଇଁ ପ୍ରଯତ୍ନଶୀଳ ହୋଇଥାଉ । ଧର୍ମ ଯାହା ଧାରଣ କରାଯାଏ । କିନ୍ତୁ ଧର୍ମ ର ଆଗରେ ବିଶେଷଣ ଲଗାଇ ଦିଆଯାଉଛି । ଆମେ ଧର୍ମ ର ଆଚରଣ ପାଇଁ ଯେତିକି ଆଗ୍ରହୀ ନାହୁଁ ତାଠାରୁ ବେଶୀ ସବିଶେଷ ଧର୍ମ ପାଇଁ ଉତ୍ସାହ ଦେଖାଉ । ବିଶେଷତ ଆମ ପାଇଁ ପ୍ରମୁଖ ହୋଇଯାଇଛି ଆଉ ବିଶେଷ୍ୟ କୁ ଆମେ ଗୈାଣ କରି ଦେଇଛୁ । ଧର୍ମ ର ଦଶ ଟି ଲକ୍ଷଣ ହେଲ-ଧୈର୍ଯ୍ୟ,କ୍ଷମା,ସଂଯମ,ଚୋରି ନକରିବା, ସ୍ୱଚ୍ଛତା,ଇନ୍ଦ୍ରିୟ ସଂଯମ,ବୁଦ୍ଧି,ବିଦ୍ୟା,ସତ୍ୟ ଓ କ୍ରୋଧ ନକରିବା । ଯେଉଁ ସ୍ଥାନରେ ଚୋରି ଓ ବ୍ୟଭିଚାର ହେଉନଥିବ,ପରସ୍ପରକୁ ଭୟଭୀତ କରିବାର ପ୍ରଚେଷ୍ଟା ନଥିବ ସେହି ସ୍ଥାନ ଓ ସମାଜ ଧାର୍ମିକ ବୋଲି ବିବେଚନା କରାଯିବ ।

ପୂର୍ବେ ଗୁରୁକୁଳରେ ସମସ୍ତ ପ୍ରକାରର ଛାତ୍ର ଅଧ୍ୟୟନ କରୁଥିଲେ । ରାଜକୁମାର ହୁଅନ୍ତୁ କି ସାଧାରଣ ଘରର ସନ୍ତାନ ସମସ୍ତେ ବ୍ରହ୍ମଚର୍ଯ୍ୟ ଆଶ୍ରମ ପାଳନ ପୂର୍ବକ ଗୋଟିଏ ସ୍ଥାନରେ ରହି ସମାନ ଶିକ୍ଷା, ଆଧ୍ୟାତ୍ମିକତା ଓ ସଂସ୍କାର ଲାଭ କରୁଥିଲେ । ସେହିପରି ଆଗକାଳରେ ରାଜା ମହାରାଜା ମାନେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ବୟସ ଅତିକ୍ରମ କରିଗଲେ ନିଜ ପାଖରେ ଥିବା ସବୁ ପ୍ରକାର ସୁଖ,ଶାନ୍ତି, କ୍ଷମତା ଓ ଧନ ସମ୍ପତ୍ତି କୁ ପରିତ୍ୟାଗ କରି ନିଜ ସନ୍ତାନ କୁ ରାଜ୍ୟଭାର ପ୍ରଦାନ କରି ବଣକୁ ତପସ୍ୟା(ବାନପ୍ରସ୍ଥ ଆଶ୍ରମ) କରିବା ପାଇଁ ଚାଲି ଯାଉଥିଲେ । କାରଣ ସେମାନଙ୍କ ବିଶ୍ୱାସ ଥିଲା ଯେ ଏହାହିଁ ଜୀବନ କାଳ ମଧ୍ୟରେ କରିଥିବା ପାପ ସବୁ କିଛି ମାତ୍ରାରେ ଧୋଇ ନେବାର ଏକ ମାତ୍ର ମାଧ୍ୟମ । ରାଜା ବିଶ୍ୱାମିତ୍ର ମଧ୍ୟ ଏହି କ୍ରମରେ ଏକଦା ନିଜର ସମସ୍ତ ବିଳାସବ୍ୟସନ କୁ ପରିତ୍ୟାଗ କରି ତପସ୍ୟା କରିବା ପାଇଁ ଚାଲିଯାଇଥିଲେ ଓ ପରବର୍ତ୍ତୀ କାଳରେ ସେ ଗାୟତ୍ରୀ ମନ୍ତ୍ର ପରି ପବିତ୍ର ମନ୍ତ୍ର କୁ ରଚନା କରିବା ସହିତ ରାଜର୍ଷି,ବ୍ରହ୍ମର୍ଷି ଓ ସପ୍ତର୍ଷି ହୋଇପାରିଥିଲେ । ସେତେବେଳେ ସେମାନେ ସମସ୍ତ ବିଳାସପୂର୍ଣ୍ଣ ଜୀବନ କୁ ହେୟ ମନେ କରି ଆଧ୍ୟାତ୍ମିକତା କୁ ଆପଣେଇ ପାରୁଥିଲେ । ଆମେ ଆଧୁନିକ ଯୁଗରେ ଆଧ୍ୟାତ୍ମିକତା କଣ ଗ୍ରହଣ କରିପାରିବା ନାହିଁ ?

ଆଜି ଆମର ସମ୍ଭିଧାନ ଏହି ଜୀବନ ସମ୍ପର୍କରେ ଚିନ୍ତା କରିଥାଏ କିନ୍ତୁ ଅତିରିକ୍ତ ଜୀବନ ସମ୍ପର୍କରେ ସମ୍ବିଧାନ ରେ କିଛି ଉଲ୍ଲେଖ ହୋଇନାହିଁ । ସେଥିପାଇଁ ସମ୍ବିଧାନ କୁ ସମ୍ମାନ ଜଣାଇ ଆମର ଧର୍ମ ର ନିୟମ ଓ ପରମ୍ପରା କୁ ମାନିବାକୁ ପଡିଥାଏ କାରଣ ସେଥିରେ ହିଁ ଆମର ଜୀବନ ର ସମସ୍ତ ଚିନ୍ତା କରାଯାଇଛି । ଆଧୁନିକତା ର କବଳରେ ଆଜି କବଳିତ ଆଧ୍ୟାତ୍ମିକତା କୁ ପୁନଃ ଜାଗ୍ରତ କରିବା ସମୟ ଆସିଛି । ଯେଉଁ ଯେଉଁ ସ୍ଥାନରେ ପାଶବିକତା ଥିଲା ସେଠାରେ ମାନବିକତା ଆଣିବା ପାଇଁ ଓ ମାନବିକ ଭାବନା ର ପ୍ରତିଷ୍ଠା କରିବା ପାଇଁ ପରାମାତ୍ମା ବିଭିନ୍ନ ସମୟରେ କାହାକୁ ନା କାହାକୁ ସେଠାକୁ ପଠାଇଛନ୍ତି ଯିଏ କି ସେଠାର ଲୋକ ମାନଙ୍କୁ ପାଶବିକତା ର ଉର୍ଦ୍ଧ କୁ ଆଣି ମାନବିକତା ର କକ୍ଷରେ ସ୍ଥାପନ କରିଛନ୍ତି ।

ଆଧୁନିକ ଯୁଗରେ ଆଧ୍ୟାତ୍ମିକତା କୁ ଜାଗ୍ରତ କରିବା ପାଇଁ ପ୍ରତ୍ୟେକ ପରିବାର ରୁ ପ୍ରୟାସ ଆରମ୍ଭ ହେବା ଜରୁରୀ । ପରିବାରରେ ପିତା ମାତା ସଂସ୍କାରୀ ହୋଇଥିଲେ ସେମାନେ ତାଙ୍କ ସନ୍ତାନ ମାନଙ୍କୁ ଆଧ୍ୟାତ୍ମିକତା ର ଜ୍ଞାନ ଦେଇ ଜାଗ୍ରତ କରି ପାରିବେ ଏଥିରେ କିଛି ସନ୍ଦେହ ନାହିଁ । ଉଦାହରଣ ସ୍ୱରୂପ ମୋ ପରିବାରରେ ଧର୍ମକର୍ମ,ପୂଜାପାଠ ତୀର୍ଥବ୍ରତ ସର୍ବଦା ପାଳନ କରାଯାଏ । ପ୍ରତି ବର୍ଷ ନବରାତ୍ର ପୂଜା, କାର୍ତ୍ତିକ ମାସରେ ଶନିଶ୍ଚର ମେଳା, ସହିତ ସମସ୍ତ ବ୍ରତ ଉପବାସ ଆମେ କରିଥାଉ । ପୂର୍ବେ ଆମେ ସପ୍ତାହର ଅନେକ ବାର,ତିଥି,ଶ୍ରାବଣମାସ, କାର୍ତ୍ତିକ ମାସ, ନବରାତ୍ର ଓ ତୀର୍ଥବ୍ରତଆଦି ଅବସରରେ ନିରାମିଷ ଭୋଜନ କରି ପାଳନ କରୁଥିଲୁ । ଏହା ଦେଖି ଆମର ସନ୍ତାନ ମଧ୍ୟ ନିରାମିଷ ରହି ସାତ୍ତ୍ଵିକ ଭୋଜନ ପାଇଁ ନିଜେ ଆଗ୍ରହୀ ହେଲା । ଏହି ସମୟରେ ସେ ସାଙ୍ଗମାନଙ୍କ ସହିତ କୈାଣସି ଭୋଜୀଭାତ ରେ ଯୋଗଦେବା,ବାହାରେ ଭୋଜନ କରିବା କିମ୍ବା ଘରୁ ବାହାରକୁ ଯିବା ପାଇଁ ମଧ୍ୟ ଆଗ୍ରହ ଦେଖାଇଲା ନାହିଁ । ଆମର ତୀର୍ଥ କରିବା ଦେଖି ସେ ମଧ୍ୟ ବାଲ୍ୟକାଳରୁ ଆମସହିତ ତୀର୍ଥବ୍ରତ କରିବାକୁ ଲାଗିଲା । ଆଧୁନିକତା ର ଏହି ଯୁଗରେ ଏମ.ଟେକ ପାସ କରି ମୋବାଇଲ,କମ୍ପ୍ୟୁଟର ତଥା ଯାନବାହାନ ର ସମସ୍ତ କୈାଶଳ ରେ ପାରଙ୍ଗମ ହୋଇ ସୁଦ୍ଧା ଆମ ସନ୍ତାନ ଆମରି ସଂସ୍କାର ର ପ୍ରଭାବରେ ଆଧ୍ୟାତ୍ମିକତା କୁ ଆପଣାର କରିପାରିଛି । ତାହାଲେ ଅନ୍ୟ ମାନେ କାହିଁକି ଆଧ୍ୟାତ୍ମିକତା କୁ ଆପଣେଇ ପାରିବେ ନାହିଁ ?



Rate this content
Log in