DR SAMIR KUMAR NANDA

Inspirational

3  

DR SAMIR KUMAR NANDA

Inspirational

ଗୁରୁ ଦକ୍ଷିଣା

ଗୁରୁ ଦକ୍ଷିଣା

4 mins
207



                             

ଇହଜଗତରେ ମଣିଷ ଜନ୍ମ ହେଉଛି ସବୁଠାରୁ ଉତ୍କୃଷ୍ଟ ଜନ୍ମ । ବହୁ ଜନ୍ମର ପୁଣ୍ୟବଳରେ ମଣିଷ ଜନ୍ମ ମିଳିଥାଏ । ଏହି ଜନ୍ମକୁ ପରିପୂର୍ଣ୍ଣ ଓ ସଫଳ କରିବା ନିମନ୍ତେ ପ୍ରତ୍ୟେକଙ୍କ ପାଇଁ ଗୁରୁଙ୍କର ଆଶୀର୍ବାଦ ଦରକାର । ଶାସ୍ତ୍ର ଅନୁସାରେ ଯେଉଁ ସାତ ପ୍ରକାରର ଗୁରୁଙ୍କ ଉଲ୍ଲେଖ ରହିଛି ମଣିଷ ପାଇଁ ସମସ୍ତ ଗୁରୁଙ୍କ କରୁଣା ନିହାତି ଆବଶ୍ୟକ । ଭାରତୀୟ ଧର୍ମଶାସ୍ତ୍ର ଗୁଡିକରେ ଗୁରୁଙ୍କ ଗୈାରବଗାଥା ବହୁତ ସମ୍ମାନର ସହିତ ବର୍ଣ୍ଣନା କରାଯାଇଛି । ବେଦଶାସ୍ତ୍ରରେ ଗୁରୁ-ଶିଷ୍ୟ ସମ୍ପର୍କକୁ ବହୁତ ମହତ୍ତ୍ୱ ଦିଆଯାଇଛି । ଜଣେ ନିଜର ଭାଗ୍ୟ ବଳରେ ଆଦର୍ଶ ଗୁରୁଟିଏ ପ୍ରାପ୍ତ କରିବାର ସୁଯୋଗ ପାଇଥାଏ । ଗୁରୁ ସର୍ବଦା ଶିଷ୍ୟର ମଙ୍ଗଳ କାମନା ପାଇଁ ଚେଷ୍ଟିତ ଥାଆନ୍ତି । ତାଙ୍କର ଅଯାଚିତ ଭଲପାଇବା ଓ ଅସୀମ ଅନୁଗ୍ରହ ଅତୁଳନୀୟ ଓ ସର୍ତ୍ତବିହୀନ ହୋଇଥାଏ । ଏହିପ୍ରକାରରେ ଜଣେ ଶିଷ୍ୟ ସର୍ବଦା ନିଜ ଗୁରୁଙ୍କ ନିକଟରେ ଋଣୀ ହୋଇଥାଏ ଓ ନିଜର କୃତଜ୍ଞତା କେବଳ ଗୁରୁଦକ୍ଷିଣା ମାଧ୍ୟମରେ ପ୍ରଦାନ କରିପାରେ ।

   ମଣିଷର ଉନ୍ନତିରେ ପିତା ମାତାଙ୍କ ସହିତ ଗୁରୁଙ୍କର ଅବଦାନ କେବେ କେହିହେଲେ ଅସ୍ୱୀକାର କରିପାରିବେ ନାହିଁ । କିନ୍ତୁ ଏହି ଅବଦାନକୁ ଭୁଲିଯାଇ ଅଣଦେଖା କରିବା ଅତ୍ୟନ୍ତ ପରିତାପର ବିଷୟ । ଶିକ୍ଷା ଓ ସଂସ୍କୃତିର କେନ୍ଦ୍ରସ୍ଥଳୀ ତତ୍କାଳୀନ ବାମଣ୍ଡା ରାଜ୍ୟର ରାଜଧାନୀରେ ଜନ୍ମ ହୋଇ ମୁଁ ମୋର ଜୀବନକାଳ ମଧ୍ୟରେ ଶ୍ରୀଯୁକ୍ତ ଉଦୟନାଥ ନନ୍ଦ ଓ ଶ୍ରୀମତୀ ଇନ୍ଦିରା ନନ୍ଦଙ୍କୁ ଆଦର୍ଶ ପିତାମାତା ଭାବରେ ପାଇବା ସହିତ ଶିକ୍ଷାୟତନରେ ବହୁ ଆଦର୍ଶ ଶିକ୍ଷକଙ୍କ ସାନ୍ନିଧ୍ୟ ଲାଭ କରି ପାରିଛି । ପ୍ରାଥମିକ ଶିକ୍ଷା ସମୟରେ ଶ୍ରୀଯୁକ୍ତ ଜନକ ବେହେରା, ଶ୍ରୀଯୁକ୍ତ ରମାକାନ୍ତ ସାମଲ,ଶ୍ରୀମତୀ ନିୟତି ନନ୍ଦ,ଶ୍ରୀମତୀ ମିନତୀ ନନ୍ଦ,ଶ୍ରୀମତୀ ଅମିନା ଖାତୁନ, ଶ୍ରୀଯୁକ୍ତ ତୀର୍ଥବାସି ଆଚାର୍ଯ୍ୟ,ଶ୍ରୀଯୁକ୍ତ ଜଗଦାନନ୍ଦ ନନ୍ଦ ତଥା ଶ୍ରୀଯୁକ୍ତ ନଳିନୀ କାନ୍ତ ସାମଲ ଓ ରାଜା ବାସୁଦେବ ହାଇସ୍କୁଲ ରେ ପଢିଲା ବେଳେ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଦାଶ, ଶ୍ରୀଯୁକ୍ତ ରବିନାରାୟଣ ସାହୁ, ପଣ୍ଡିତ ମଧୁସୂଦନ ଗୁରୁ, ଶ୍ରୀଯୁକ୍ତ ହରପ୍ରସାଦ ନନ୍ଦ, ଶ୍ରୀଯୁକ୍ତ ପ୍ରଫୁଲ୍ଲ ପାଣି ପରି ଆଦର୍ଶ ବ୍ୟକ୍ତିତ୍ୱଙ୍କୁ ମୋର ଶିକ୍ଷାଗୁରୁ ଭାବରେ ଓ ପରବର୍ତ୍ତୀ ସମୟରେ ସ୍ୱାମୀ ହରିଶରଣାନନ୍ଦ ଙ୍କୁ ଦୀକ୍ଷାଗୁରୁ ଭାବରେ ପାଇଥିଲି । ପିତାମାତାଙ୍କ ସହିତ ଅଧିକାଂଶ ଗୁରୁ ଇହଧାମ ତ୍ୟାଗ କରିସାରିଲେଣି । ଆଜି ପବିତ୍ର ଗୁରୁଦିବସ ଅବସରରେ ଗୋଟିଏ ଘଟଣା ମୁଁ ଏଠାରେ ପାଠକଙ୍କ ନିମନ୍ତେ ଉଲ୍ଲେଖ କରିବାକୁ ଚାହୁଁଛି ଯାହାକି ସେମାନଙ୍କ ପାଇଁ ଉପଯୁକ୍ତ ଗୁରୁଦକ୍ଷିଣା ହେବ ବୋଲି ମୋର ଆଶା । 


ଅଶୀ ଦଶକରେ ମୁଁ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଥାଏ । ମୋର ପିତାଙ୍କ ସମେତ ପରିବାରର ପ୍ରାୟ ସମସ୍ତେ ଶିକ୍ଷାବିଭାଗରେ କାର୍ଯ୍ୟରତ । ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନଳିନୀକାନ୍ତ ସାମଲ ଜଣେ ଆଦର୍ଶ ଶିକ୍ଷକ କିନ୍ତୁ ଅତ୍ୟନ୍ତ କଠୋର । ଏମିତି ଏକ ସମୟରେ ତତ୍କାଳୀନ ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ପଟ୍ଟନାୟକଙ୍କ ସହିତ ଖଣ୍ଡାଧାରଠାରେ ବଣଭୋଜୀ କରିବାର ସୁଯୋଗ ମିଳିଲା । ଭୋଜୀ ସାରି ରାତିରେ ଫେରିବା ବାଟରେ ଗୋଟିଏ ସ୍ଥାନରେ ବିଶ୍ରାମ କଲା ବେଳେ ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକ ମୋତେ ଅନେକ ମାନସାଙ୍କ ପଚାରିଲେ । ସେ ସବୁ ପ୍ରଶ୍ନର ସଠିକ୍ ଉତ୍ତର ମୁଁ ଦେଇଦେଲି । ଅଧିକାରୀ ଖୁସି ହୋଇ ମୋତେ ସାବାସି ଦେବା ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କ ବିଷୟରେ ପଚାରିଲେ । ବିଦ୍ୟାଳୟର ଭଲ ଶିକ୍ଷକଙ୍କ ନାମ ପଚାରିଲେ । ମୁଁ କେତେକ ଶିକ୍ଷକଙ୍କ ନାମ କାରଣ ସହିତ କହିଥିଲି । ପରେ ପରେ ସେ ପଚାରିଲେ କେଉଁ ସାର ପିଲାଙ୍କୁ ବାଡାବାଡି କରନ୍ତି ? ମୁଁ ତୁରନ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନଳିନୀକାନ୍ତ ସାମଲଙ୍କ କଥା ବାଳକସୁଲଭ କଣ୍ଠରେ କହିଲି ଯେ ସେ ଭଲ ପଢାନ୍ତି କିନ୍ତୁ ଅତ୍ୟନ୍ତ କଠୋର ଓ ବାଡାନ୍ତି । 

ଗୋଟିଏ ଦିନ ପରେ ହଠାତ୍ ତ୍ପ୍ରଧାନ ଶିକ୍ଷକ ଶ୍ରେଣୀ ଗୃହ କବାଟ କୋଣକୁ ମୋତେ ଡାକି ନେଇ ଗୋଟିଏ ଚାପୁଡା ମାରି କହିଲେ ବଦମାସ୍, ମୋ ନାମରେ ଅଭିଯୋଗ କରୁଛୁ ? ମୁଁ କିଛି ବୁଝି ପାରିଲିନି । ସ୍କୁଲ ଛୁଟି ପରେ ତୁରନ୍ତ ଶିକ୍ଷା ଅଧିକାରୀଙ୍କୁ ଏକଥା ଯାଇ ରିପୋର୍ଟ କଲି । ଅବଶ୍ୟ ତା ପରଦିନଠାରୁ ପ୍ରଧାନଶିକ୍ଷକ ମୋତେ ଆଉ କିଛି କହିଲେ ନାହିଁ । ପରେପରେ ବୃତ୍ତି ପରୀକ୍ଷାରେ ପାସ୍ କରି ବିଦ୍ୟାଳୟରୁ ବିଦାୟନେଇ ରାଜାବାସୁଦେବ ହାଇସ୍କୁଲରେ ନାମ ଲେଖାଇଲି । ଆଦର୍ଶ ଛାତ୍ର ବୋଲି ପ୍ରଥମରୁ ଦଶମ ପର୍ଯ୍ୟନ୍ତ ସବୁ ଶ୍ରେଣୀରେ ମନିଟର ଭାବରେ କାର୍ଯ୍ୟ ନିର୍ବାହ କରିପାରିଛି । ଛାତ୍ର ଜୀବନରେ ଶିକ୍ଷକ ମାନଙ୍କର ସର୍ବଦା ପ୍ରିୟ ଥିଲି ଓ କେବଳ ଦୁଇଥର ଦୁଇଟା ଚାପୁଡ଼ା ବ୍ୟତୀତ କେବେହେଲେ ଦଣ୍ଡିତ ହୋଇନାହିଁ । ପାଠ ପଢା ସାରିଲା ପରେ ମୁଁ ସଦାବେଳେ ଶିକ୍ଷକ ମାନଙ୍କୁ ଖୋଜିବୁଲେ । ନିଜର କର୍ମବ୍ୟସ୍ତତା ଭିତରେ ମଧ୍ୟ ରାସ୍ତାଘାଟରେ ଯେଉଁଠି ଶିକ୍ଷକ ମାନଙ୍କୁ ଦେଖିବି ତୁରନ୍ତ ନତମସ୍ତକ ହୋଇ ପ୍ରଣିପାତ କରେ । ମୁଁ ସରକାରୀ ଚାକିରୀରେ ଯୋଗଦାନ କଲା ପରେ ଦିନେ କୈାଣସି କାମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥାଏ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଂଲଗ୍ନରେ ଥିବା ସରକାରୀ କୋଷାଗାର ବାରଣ୍ଡାରେ ବହୁତ ଜଣ ପେନସନଭୋଗୀଙ୍କ ମେଳରେ ସେ ପ୍ରଧାନ ଶିକ୍ଷକ ପେନସନ ବହିଧରି ତଳେ ବସି ଥିବାର ଦେଖିଲି । ସେହି ଧୋତି ଓ ଫୁଲ ସାର୍ଟ । ମୁଁ ପାଖକୁ ଯାଇ ସାର୍ଙ୍କ ପାଦ ଧରି ପ୍ରଣିପାତ ହେଲି ଓ ପଚାରିଲି ସାର କେମିତି ଅଛନ୍ତି ? ସେ ଗାଉଁଲି ଭାଷାରେ କହିଲେ ହଡା ବଳଦ ଜୀବନଯାପନ କରୁଛି । ବଞ୍ଚିଛି । ମୋତେ ପଚାରିଲେ କିଏ ତୁମେ ବାବୁ ? ମୁଁ ଜାଣି ପାରିଲି ନାହିଁ । ମୁଁ ମୋର ପରିଚୟ ଦେଲି । ମୋର ନାମ ଶୁଣି ସେ ଚିହ୍ନି ପାରିଲେ ନାହିଁ । ବାବାଙ୍କ ନାମ କହିଲା ପରେ ସେ ଜାଣିଲେ । ଛାତ୍ର ଜୀବନରେ ଅଧିକାରୀଙ୍କୁ ତାଙ୍କ ବିଷୟରେ ଅଭିଯୋଗ କରିବା କଥା ସ୍ମରଣ କରାଇ ଦେଲି । ଗଦ ଗଦ ହୋଇ କହିଲେ, ଅବସର ନେଲା ପରେ କୈାଣସି ଛାତ୍ର ଛାତ୍ରୀ ଆଜି ପର୍ଯ୍ୟନ୍ତ ମୋତେ ପ୍ରଣାମ କରି ନଥିଲେ । ମୋତେ ରାସ୍ତାଘାଟରେ ଦେଖିଲେ ନମସ୍କାରଟିଏ କରିବାକୁ ପଡିବ ବୋଲି ବାଟ ଭାଙ୍ଗି ଚାଲି ଯାଉଥିଲେ । ତୁମେ ମୋର କେଉଁ କାଳର ଛାତ୍ର ହୋଇ ସରକାରୀ ଅଫିସର ହୋଇ ମଧ୍ୟ ଏତେ ଲୋକଙ୍କ ଭିତରେ ବୁଢାଟିକୁ ଚିହ୍ନିପାରି ସମ୍ମାନର ସହିତ ପ୍ରଣାମ କଲ । ମୁଁ ମୋର ଗୁରୁଦକ୍ଷିଣା ପାଇଗଲି । ମୋର ଆକ୍ଷିରୁ ଦୁଇଟୋପା ଲୁହ ଝରି ପଡିଲା । ବିଦ୍ୟାଳୟ ଛାଡିଲା ପରେ ସାରଙ୍କ ସହିତ ସେଦିନ ଥିଲା ମୋର ପ୍ରଥମ ଓ ଶେଷ ଦେଖା । କିଛିଦିନ ପରେ ଶୁଣିବାକୁ ମିଳିଲା ସେ ସାର୍ ଆଉ ଇହଧାମରେ ନାହାନ୍ତି ।



Rate this content
Log in

Similar oriya story from Inspirational