DR SAMIR KUMAR NANDA

Inspirational

4.0  

DR SAMIR KUMAR NANDA

Inspirational

ଏତେ ଅପରାଧ କାହିଁକି

ଏତେ ଅପରାଧ କାହିଁକି

4 mins
151



                                                                  

ନିକଟରେ ଜାମ୍ମୁ କାଶ୍ମୀର ଓ ଛତିଶଗଡରେ ଆତଙ୍କବାଦୀଙ୍କ ଆକ୍ରମଣରେ ଆମର ଅନେକ ସୈନିକ ଭାଇ ଶହୀଦ ହୋଇଗଲେ । ଦୁନିଆରେ ମଣିଷ,ମଣିଷ କୁ ମାରୁଛି କାହିଁକି ? କାହିଁ ପଶୁ ମାନେ କି ପକ୍ଷୀମାନେ ଏମିତି ପ୍ରତିଦିନ ସେମାନଙ୍କ ନିଜ ନିଜ ର ଗୋଷ୍ଠୀ କୁ ହତ୍ୟା କରୁନାହାନ୍ତି ।

ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ ୨୦୨୧ ମସିହାରେ ପ୍ରକାଶିତ ତଥ୍ୟ କୁ ଅବଲୋକନ କଲେ ଜଣାପଡେ ଯେ ଆମ ଦେଶରେ ମୋଟ ୬୦୯୬୩୧୦ ଟି ଅପରାଧିକ ମାମଲା ଦାୟର ହୋଇଛି । ୧୯୮୧ ମସିହାର ଅପରାଧିକ ହାର ଦେଶରେ ୨୦୦.୮% ଥିଲା ବେଳେ ୨୦୨୧ ମସିହାରେ ତାହା ବୃଦ୍ଧି ପାଇ ୨୬୮% ହୋଇଯାଇଛି । ପୁନଶ୍ଚ, ୨୦୧୪ ରୁ ୨୦୨୧ ମଧ୍ୟରେ ଓଡିଶାରେ ୮ଟି ଦେଶଦ୍ରୋହ ମାମଲା ସମେତ ସମଗ୍ର ଦେଶରେ ୪୭୫ ଟି ମାମଲା ପଂଜୀକୃତ ହୋଇଛି ।

ମାଓବାଦୀ ହିଂସା, କ୍ରିକେଟ ଖେଳରେ ଅମ୍ପାୟାରଙ୍କୁ ହତ୍ୟା,ସମଲିଙ୍ଗୀ ଯୈାନ ନିର୍ଯ୍ୟାତନା,ମନ୍ତ୍ରୀଙ୍କ ହତ୍ୟା,ବାଳକ ଅପହରଣ ଓ ହତ୍ୟା,ମାନବ ଚାଲାଣ,ବୟସ୍କଙ୍କୁ ନିର୍ଯ୍ୟାତନା,ଅପହରଣ,ପାର୍ସଲବୋମା ଦ୍ୱାରା ହତ୍ୟା,ବଣପୋଡି,ବନ୍ୟଜନ୍ତୁ ଶିକାର,ବନ୍ୟଜନ୍ତୁ ସହିତ ଛାଲ ଓ ଦାନ୍ତ ଚାଲାଣ, ଗଂଜେଇ ଓ ମାଦକ ଦ୍ରବ୍ୟ ର ଚୋରା ଚାଲାଣ,ଜାଲ ନୋଟ କାରବାର,ବାଲ୍ୟବିବାହ,ଖାଦ୍ୟ ଅପମିଶ୍ରଣ,ନକଲି ମେଡିସିନ,ଦାଦନ ଶ୍ରମିକ ଚାଲାଣ,ଜମି ବିବାଦରେ ଭାଇଭାଇ,ବାପପୁଅ ଓ ପାରିବାରିକ ହତ୍ୟା,ଜାଲ ସାର୍ଟିଫିକେଟ ଓ ମାର୍କସିଟ ବ୍ୟବସାୟ, ପ୍ରଶ୍ନପତ୍ର ଲିକ୍‌,ଜମିଜମା କାରବାରରେ ଠକେଇ,ଚିଟ୍‌ଫଣ୍ଡ ଠକେଇ,ପ୍ରେମ ବ୍ୟାପାରରେ ହତ୍ୟା,ଏସିଡ ଦ୍ୱାରା ଆକ୍ରମଣ, ବ୍ୟାଙ୍କ ଠକେଇ,ସାମରିକ ତଥ୍ୟ ଲିକ୍‌,ହାଜତ ମୃତ୍ୟୁ,ଦୁଷ୍କର୍ମ,ହତ୍ୟା,ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ନିର୍ଯ୍ୟାତନା,ପଶୁ ମାନଙ୍କୁ ନିର୍ମମ ହତ୍ୟା ଓ ଲାଂଚ କାରବାର ଇତ୍ୟାଦି ଅନେକ ଅପରାଧ ଆମ ସମାଜରେ ନିତିଦିନ ଘଟୁଛି । ସକାଳୁ ସକାଳୁ ଖବରକାଗଜର ପୃଷ୍ଠା ଓଲଟାଇଲେ ଏପରି ଅନେକ ସମ୍ବାଦ ଆମେ ଦେଖିବାକୁ ପାଇବା । ଦେଶରେ ସବୁ ଅପରାଧ ପାଇଁ ଆଇନ ର ବ୍ୟବସ୍ଥା ରହିଛି ବୋଲି ସମସ୍ତେ ଜାଣନ୍ତି । ଅପରାଧ କଲା ମାତ୍ରକେ ଆଇନ ଅନୁଯାୟୀ ଦଣ୍ଡ ମିଳିବ ବୋଲି ମଧ୍ୟ ଆମେ ଜାଣିଛୁ । ସରକାର,ବନବିଭାଗ, ଅବକାରୀ ବିଭାଗ, ପୋଲିସ ଓ ବିଚାର ବିଭାଗ ସମସ୍ତେ ସଜାଗ ହୋଇ ନିଜନିଜ ର କର୍ତ୍ତବ୍ୟ ସଂପାଦନା⁷ ବହୁତ ସରକାରୀ ବାବୁ ଭିଜିଲାନ୍ସ ହାତରେ ଧରାପଡୁଛନ୍ତି କିନ୍ତୁ ଲାଂଚ କାରବାର ବନ୍ଦ ହେଉନି , ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ନିର୍ଯ୍ୟାତନା ଦେଇ କର୍ମଚାରୀ ଦଣ୍ଡିତ ହେଉଛନ୍ତି କିନ୍ତୁ କାହାକୁ ଫରକ ପଡୁନି, ଦୁଷ୍କର୍ମ ଓ ହତ୍ୟା କାରବାର ରେ ମଧ୍ୟ ଧରାପଡି ଅପରାଧି ଦଣ୍ଡ ପାଉଛି ଅଥଚ ପ୍ରତିଦିନ ଏପ୍ରକାର ଅପରାଧ ଘଟି ଚାଲିଛି । କେବଳ ସେତିକି ନୁହେଁ ଡିଜିଟାଲ ବ୍ୟବସ୍ଥା ମାଧ୍ୟମରେ ସମସ୍ତଙ୍କୁ ସର୍ବଦା ସଚେତନ କରାଯାଉଛି,ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ରେ ମଧ୍ୟ ଜନସାଧାରଣଙ୍କୁ ଅବଗତ କରାଯାଉଛି, ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମାଧ୍ୟମରେ ପାପପୁଣ୍ୟ ର ପରିଭାଷା କୁ ପ୍ରାଞ୍ଜଳଭାବେ ବର୍ଣ୍ଣନା କରାଯାଇ ପ୍ରଚାର ପ୍ରସାର ଚାଲିଛି ତଥାପି ମଣିଷ ଭୟ କରୁନାହିଁ ।

ଆଧ୍ୟାତ୍ମିକତା ଦୃଷ୍ଟିକୋଣରୁ ଦେଖିଲେ ଏହାର ଅନେକ କାରଣ ଅଛିବୋଲି ବିଭିନ୍ନ ଶାସ୍ତ୍ର ରୁ ଜଣାପଡେ । ମଣିଷ ଏଠାରେ ତ୍ରିଗୁଣମୟୀ ମାୟାରେ ବଶୀଭୁତ ଏବଂ ଅଜ୍ଞାନତା କାରଣରୁ ଅପରାଧ କରନ୍ତି । ଆମର ଜନ୍ମ ହେବା ସହିତ ସମୟାନୁସାରେ ଆମ ଉପରେ କାମ,କ୍ରୋଧ,ମୋହ,ଲୋଭ ଓ ଅହଙ୍କାର ର ପ୍ରଭାବ ପଡିଥାଏ । ଏହି ଗୁଣ ମାନେ ଆମକୁ ଏଠାରେ ବାନ୍ଧି ରଖନ୍ତି ଓ ଏହାର ପ୍ରଭାବରେ କେବଳ ମନୁଷ୍ୟ ନୁହେଁ ପଶୁପକ୍ଷୀ ମାନେ ମଧ୍ୟ ଅପରାଧ କରିବାରୁ ବଂଚି ପାରନ୍ତି ନାହିଁ ।

ଏହି ଦୁନିଆରେ ଜୀବ ଏକ କିନ୍ତୁ ଶତ୍ରୁ ପାଂଚ ପ୍ରକାରର । ସେମାନେ ହେଲେ କାମ,କ୍ରୋଧ ,ଲୋଭ,ମୋହ ଓ ଅହଙ୍କାର ।ଏହି ପାଂଚ ଶତ୍ରୁ ନିଜ ସ୍ୱାଦ ଅନୁସାରେ ଆମକୁ ବହୁତ ନାଚ ନଚାଇ ଥାଆନ୍ତି । ଜଗତରେ “କାଳ” ନିଜର ପ୍ରତିନିଧି “ମନ”କୁ ସମସ୍ତଙ୍କ ଶରୀର ରେ ଛାଡି ଦେଇଥାଆନ୍ତି । ମଣିଷ ଯେତିକି ଅପରାଧ କରିଥାଏ ସେହି “ମନ”ର ବଶୀଭୁତ ହୋଇ କରିଥାଏ ।

କୈାଣସି ଅପରାଧ କରିବା ଆଗରୁ ବ୍ୟକ୍ତିକୁ ତାର ଆତ୍ମା ଅବଶ୍ୟ ପ୍ରତିରୋଧ କରିଥାଏ । ଅପରାଧ କଲା ପରେ ଆତ୍ମା ତାକୁ ମଧ୍ୟ ଧିକ୍କାର କରିଥାଏ । ଆତ୍ମା ପରମାତ୍ମା ଙ୍କ ସନ୍ତାନ ଓ ମନ ହିଁ ଆତ୍ମାର ନିର୍ଦ୍ଦେଶ କୁ ଦଳି ଦେଇ ଅପରାଧ କରିବା ପାଇଁ ବାଧ୍ୟ କରି ପକାଏ । ବର୍ତ୍ତମାନ ସମୟରେ ସତଭକ୍ତୋ ନହେବା କାରଣରୁ ଅଧିକାଂଶ ମନୁଷ୍ୟର ଆତ୍ମା ସେମାନଙ୍କ ମନରୁ କମଜୋର ପଡିଯାଉଛି । ଭଗବାନଙ୍କ ଭୟ ଓ କର୍ମ ର ଡର ମଧ୍ୟ ଶେଷ ହୋଇଯାଉଛି ଯାହାଫଳରେ ଅପରାଧ ବଢିଚାଲିଥିବାର ମନେ ହୁଏ ।

ବର୍ତ୍ତମାନ ମନୁଷ୍ୟ ମାଂସାହାର ଓ ମଦ୍ୟପାନ ର ଏତେ ଅଭ୍ୟସ୍ତ ହୋଇଗଲାଣି କି ରାକ୍ଷସ ର ଉପାଧି ମଧ୍ୟ କମ ପଡିଯିବ । ଯାହାର ଭୋଜନରେ ହିଁ ହିଂସା ଅଛି ସେହି ମନୁଷ୍ୟରେ ପ୍ରବୃତ୍ତି ମଧ୍ୟ ହିଂସୁକ ହେବ ଏବଂ ହିଂସାରୁ ଅପରାଧ ର ଜନ୍ମ ହେବ ।

ଆମେ ଅପରାଧର ବିଷ ପିଇଚାଲିଛୁ କାରଣ ସତସଙ୍ଗ ଅଭାବରୁ ଏହି ବିଷ ଆମକୁ ବିଷଭଳି ଜଣା ପଡୁ ନାହିଁ । ପରିବାରରେ ପିତାମାତା ଓ ଅଭିଭାବକ ମାନେ ସନ୍ତାନ ମାନଙ୍କ ପାଇଁ ନିଜ ନିଜର ଦାୟିତ୍ୱ ସୁଚାରୁରୂପେ ତୁଲାଉ ନାହାନ୍ତି । ସେମାନେ ଆଜି ନିଜେ ପଥଭ୍ରଷ୍ଟ ଓ ମୋବାଇଲ ଫୋନ ରେ ଏତେ ମାତ୍ରାରେ ବ୍ୟସ୍ତ ଯେ ସନ୍ତାନ ମାନଙ୍କ ପାଇଁ ଧୈର୍ଯ୍ୟ ଓ ସମୟ ନାହିଁ । ନିଜ ସନ୍ତାନ ମାନଙ୍କୁ ସଂସ୍କାର ଦେବା ବଦଳରେ ଟିଭି,ପାର୍ଟି,ପିକନିକ ଇତ୍ୟାଦିରେ ବ୍ୟସ୍ତ । ଆଗେ ପରିବାର ମଧ୍ୟରେ ସକାଳୁ ସକାଳୁ ଭଜନ ଓ ପ୍ରାର୍ଥନାରେ ସମସ୍ତଙ୍କ ନିଦ ଭାଙ୍ଗୁଥିଲା କିନ୍ତୁ ଏବେ ସେସବୁ ସ୍ୱପ୍ନ ହୋଇଗଲାଣି । ଆଗେ ଯୈାଥ ପରିବାର ବ୍ୟବସ୍ଥା ଥିଲା । ଘରେ ଦାଦା,ଆଈ,କକା,ଖୁଡୀ ଓ ଅନେକ ଗୁରୁଜନଙ୍କ ମେଳରେ ସନ୍ତାନ ମାନେ ବଡ ହେଉଥିଲେ । ସମସ୍ତଙ୍କ ସଂସ୍କାର ଓ ନଜର ପରିବାରର ସଦସ୍ୟମାନଙ୍କୁ ପଥଭ୍ରଷ୍ଟ ହେବାରୁ ରକ୍ଷା କରୁଥିଲା । ଆଜି ସେ ବ୍ୟବସ୍ଥା ନାହିଁ । ଆମେ ଦୁନିଆର ଜାକଜମକ ରେ ଏତେ ବ୍ୟସ୍ତ ଯେ ଛୁଆମାନଙ୍କ ମୁହଁ ବନ୍ଦ କରିବା ପାଇଁ ସେମାନଙ୍କ ସମସ୍ତ ଆଯୈାକ୍ତିକ ଦାବୀ ମଧ୍ୟ ପୂରଣ କରି ଚାଲିଛେ । ଆମ ସନ୍ତାନ ଯଦି ଆଜି ଚୋରି କରି କିଛି ଘରକୁ ନେଇ ଆସିଲା ଆମେ ତାକୁ ସତରାସ୍ତା ଦେଖାଇବା ବଦଳରେ ଚୋରି ଜିନିଷ କୁ ଦେଖି ଖୁସି ହେଉଛେ ଓ ତାକୁ ଉତ୍ସାହିତ କରୁଛେ ଯାହାକି ଆମଛୁଆକୁ ଅପରାଧିକ କାରବାର କରିବାପାଇଁ ପ୍ରୋତ୍ସାହିତ କରୁଛି ।

ଶିଶୁ ଓ କିଶୋର ମାନଙ୍କୁ ଏପ୍ରକାରର ଅପରାଧିକ କ୍ଷେତ୍ର କୁ ନଯିବା ପାଇଁ ପରିବାର ମଧ୍ୟରେ ଉପଯୁକ୍ତ ସଂସ୍କାରର ଆବଶ୍ୟକତା ରହିଛି । ପିତା ମାତା,ଅଭିଭାବକ,ବଡଭାଇଭଉଣୀ ଅନେକାଂଶ ରେ ଏଥିପାଇଁ ଦାୟିତ୍ୱ ବହନ କରିବା ଜରୁରୀ ଅଟେ । ପରିବାର ମଧ୍ୟରେ ମାତାପିତା ଶିଶୁ କୁ ପ୍ରାଥମିକତା ଦେବା ସହିତ ଶାସନ ବଦଳରେ ବନ୍ଧୁତାସ୍ଥାପନ କରି , ନିଜ ସନ୍ତାନ ପାଇଁ ନିଜେ ଉଦାହରଣ ହୋଇ, ସ୍ୱାର୍ଥତ୍ୟାଗ କରି ନିଜେ ସଚ୍ଚୋଟ ହୋଇ ଉତ୍ସର୍ଗୀକୃତ ମନୋଭାବ ରଖି ମାଡଗାଳି ବଦଳରେ ସର୍ବଦା ଭୁଲକୁ ଆଲୋଚନା ମାଧ୍ୟମରେ ସମଧାନ କରିବାକୁ ପଡିବ । ପରିବାରର ଭାଷାଜ୍ଞାନ,ବ୍ୟବହାର ଓ ଚାଲିଚଳଣ ଯେମିତି ସନ୍ତାନ ମାନଙ୍କ ଉପରେ ପ୍ରଭାବ ପକାଇଥାଏ ସେମିତି ସଂସ୍କାର ମଧ୍ୟ ଗୋଟିଏ ଶିଶୁକୁ ସୁନାଗରିକ କରି ତୋଳିବାରେ ଯଥେଷ୍ଟ ଭୂମିକା ଗ୍ରହଣ କରିଥାଏ । 


Rate this content
Log in

Similar oriya story from Inspirational