DR SAMIR KUMAR NANDA

Inspirational

4.5  

DR SAMIR KUMAR NANDA

Inspirational

ମାତୃଋଣ

ମାତୃଋଣ

16 mins
245



ଲାଜକୁଳୀ ଲତା ପରି ଥିଲା ସେ । ସହଜରେ ତା ମୁଖରୁ ବଚନ ବାହାରୁନଥିଲା । ପିତା ମାତାଙ୍କର ଜ୍ୟେଷ୍ଠ ସନ୍ତାନ ଥିଲା । ଅପେକ୍ଷାକୃତ କମ ଲୋକ ସଂଖ୍ୟା ଥିବା ଏକ ଗଡଜାତ ଅଞ୍ଚଳରେ ଜନ୍ମ ହୋଇଥିଲା ଏକ ସଂସ୍କାରୀ ପରିବାରରେ । ଇଂରେଜ ଶାସନ ବିରୋଧରେ ଯେତେବେଳେ ସାରା ଦେଶ ଲଢୁଥିଲା ସେତେବେଳେ ସଂସାରରେ ସେ ପାଦ ଥାପିଥିଲା । ମା’ ବାପା ଅତି ଶରଧାରେ ତାର ନାମ ଦେଇଥିଲେ ଇନ୍ଦୁ । ପିତା ଜଣେ ସରକାରୀ କର୍ମଚାରୀ ଥିଲେ ହେଲେ ଅତ୍ୟନ୍ତ କଡା ମିଜାଜର । କଠୋର ଏବଂ ଏକଛତ୍ର ବାଦ ଶାସନ ଚାଲିଥିଲା ଘର ଭିତରେ । ବାହାରେ ଇଂରେଜମାନଙ୍କ ସ୍ୱେଛାଚାରୀ ଶାସନ ଚାଲୁଥିଲା ବେଳେ ଘରେ ପିତାଙ୍କର ହିଟଲରୀ ଶାସନ ଅତ୍ୟନ୍ତ କଷ୍ଟକର ଥିଲା । ମା’ ଥିଲେ ଅତ୍ୟନ୍ତ ସ୍ନେହୀ ଓ ମମତାମୟୀ । କହିବାକୁ ଗଲେ ପିତାଙ୍କର ସମ୍ପୂର୍ଣ୍ଣ ବିପରୀତ ଥିଲେ ସେ । ଆଶ୍ଚର୍ଯ୍ୟ ଲାଗେ ସେମାନଙ୍କର ଯୋଡି ଦେଖିଲେ । ସତେ ଯେମିତି ରେଳ ଧାରଣାର ଦୁଇଟି ପାର୍ଶ୍ଵ ପରି । ଘରେ ସମସ୍ତ କାର୍ଯ୍ୟ ଅତ୍ୟନ୍ତ ଶୃଙ୍ଖଳିତ ସହକାରେ ହେବା ଦରକାର ।

ଦିନକୁ ଦିନ ସମୟ ଗଡି ଚାଲେ । ଇନ୍ଦୁ ଧିରେ ଧିରେ ବଡ ହୁଏ । ବ୍ରିଟିଶ ଶାସନ ସମୟରେ ଶିକ୍ଷାର ସେତେଟା ପ୍ରସାର ନଥିଲା ବେଳେ ରାଜା ଥିଲେ କିନ୍ତୁ ଅତ୍ୟନ୍ତ ବିଚାରବନ୍ତ, ଶିକ୍ଷା ଓ ସାହିତ୍ୟ ପ୍ରେମୀ । ସେ ନିଜ ରାଜଧାନୀରେ ଶିକ୍ଷାର ପ୍ରସାର ନିମନ୍ତେ ଖୋଲି ଦେଇଥିଲେ ଅନେକ ଶିକ୍ଷାନୁଷ୍ଠାନ । ଏପରିକି ବାଳିକା ଶିକ୍ଷା ପାଇଁ ମଧ୍ୟ ସେଥିଲେ ଅତ୍ୟନ୍ତ ଯତ୍ନବାନ । ତେଣୁ ବାଳିକାମାନଙ୍କ ପାଇଁ ସ୍ୱତନ୍ତ୍ର ବିଦ୍ୟାଳୟର ସେ ବ୍ୟବସ୍ଥା କରିଥିଲେ । ଇନ୍ଦୁକୁ ସେହି ବିଦ୍ୟାଳୟରେ ନାମ ଲେଖାଗଲା । ସେତେବେଲେ ସ୍କୁଲ ପୋଷାକ ବୋଲି କିଛି ନଥିଲା । ତେଣୁ ଶିକ୍ଷାର୍ଥୀମାନେ ନିଜ ମନ ପସନ୍ଦରେ ପୋଷାକ ପିନ୍ଧି ସ୍କୁଲକୁ ଯିବା ଆସିବା କରୁଥିଲେ । କିନ୍ତୁ ଇନ୍ଦୁର କଥା ଥିଲା ନିଆରା । ତା ପାଇଁ ବାପା ସର୍ବଦା କଲିକତାରୁ ପୋଷାକ ଓ ଯୋତା ଆଣି ଦେଉଥିଲେ ।

ପାଠ ପଢା ସଙ୍ଗେ ସଙ୍ଗେ ସଙ୍ଗୀତ ପାଇଁ ଇନ୍ଦୁର ଅନେକ ଆଗ୍ରହ ଥିଲା । ଘରେ ପିତାଙ୍କର ଶାସନ ଏମିତି ଥିଲା ଯେ ଗୀତ ଗାଇବା ତ ଦୂରର କଥା ଉଚ୍ଚ ପାଟିରେ କଥା ହେବା ଅସମ୍ଭବ । ପିତା ନିଜ ଛୁଆମାନଙ୍କୁ କାହା ଘରକୁ ଛାଡି ଦେଉ ନଥିଲେ । ସ୍କୁଲରୁ ଆସି ଘର ଭିତରେ ଖେଳା ବୁଲା ସବୁ ଚାଲେ । କିନ୍ତୁ ସାହିରେ ଥିବା ଜଣେ ଖୁଡୀଙ୍କ ଘରକୁ ଇନ୍ଦୁକୁ ଯିବା ପାଇଁ ଅନୁମତି ମିଳିଥିଲା । ସେ ଖୁଡୀ ନୂଆବୋହୁ ହୋଇ ଆସି ଥାଆନ୍ତି । ତାଙ୍କର ସଙ୍ଗୀତରେ ଗଭୀର ଜ୍ଞାନ ଥିଲା । ଦିନେ ଇନ୍ଦୁ ଗୁଣୁ ଗୁଣୁ ହୋଇ ଗୀତ ଗାଇଲା ବେଳେ ଖୁଡୀ ଶୁଣି ପାରି ପଚାରିଲେ- ଇନ୍ଦୁ, ତୁମେ ଗୀତ ଗାଅ ?

ହଁ ଖୁଡୀ,  ଏମିତି ପଦେ ଅଧେ ଗାଇ ଦିଏ ।

ସଙ୍ଗୀତ କାହିଁକି ଶିଖୁନ ?

କିଏ ଶିଖାଇବ ଖୁଡୀ ? ବାପାଙ୍କର ଯେଉଁ କଡା ନିୟମ । କେମିତି ଶିଖିବି ?

ଠିକ ଅଛି ମୁଁ ତୁମକୁ ଗୀତ ଶିଖାଇ ଦେବି ।

ଇନ୍ଦୁ ଖୁସିରେ ନାଚିଲା । ସେଦିନ ଘରକୁ ଗଲାପରେ ମା' ଦେଖି ପଚାରିଲେ ।

 ଆଲୋ ଆଜି କ'ଣ ହେଲା କି ? କାହିଁକି ଏତେ ଖୁସି ହେଉଛୁ ?

ମା', ମୋତେ ଖୁଡୀ ଗୀତ ଶିଖାଇ ଦେବେ ।

ଭଲ କଥା । ମା' କହିଲେ ।

ଇନ୍ଦୁର ଶିକ୍ଷା ଓ ସଙ୍ଗୀତ ସାଧନା ସମାନ୍ତରାଳ ଭାବେ ଆଗକୁ ଆଗକୁ ଚାଲିଲା ।

ପ୍ରତିଦିନ ସ୍କୁଲରୁ ଆସି କ'ଣ ଦିଇଟା ଖାଇ ଦେଇ ଇନ୍ଦୁ ଚାଲି ଯାଏ ଖୁଡୀଙ୍କ ପାଖକୁ । ଆଉ ସଙ୍ଗୀତ ଶିଖି ସଂଜ ହେବା ଆଗରୁ ଘରକୁ ଚାଲି ଆସି ପଢା ପଢିରେ ମନ ଦିଏ ।

ଘରେ ଛୁଆମାନେ କାନ୍ଦିଲେ ମଧ୍ୟ ପିତା ସହି ପାରନ୍ତି ନାହିଁ ।

ଦିନକର ଘଟଣା ।

ସଂଜବେଳେ ଇନ୍ଦୁ ଘରକୁ ଠିକ ସମୟରେ ଫେରି ଆସିଥାଏ ।ରାତି ଭୋଜନ ସାରି ସମସ୍ତେ ଶୋଇବାକୁ ଗଲେ । ରାତି ହେବା ସଙ୍ଗେ ସଙ୍ଗେ ଇନ୍ଦୁର କାନରେ ଯନ୍ତ୍ରଣା ଆରମ୍ଭ ହେଲା ।ରାତି ବଢିବା ସଙ୍ଗେ ସଙ୍ଗେ ଯନ୍ତ୍ରଣା ବଢିବାକୁ ଲାଗିଲା । ଡାକ୍ତରଖାନା ନେଇଯିବାକୁ ଘରେ କେହି ବଡଲୋକ ନାହାନ୍ତି । ଘରେ କେବଳ ହିଟଲର ପିତା । ସେ କୈାଣସି ପ୍ରକାର ପାଟିତୁଣ୍ଡ ଶୁଣିବାକୁ ଭଲ ପାଆନ୍ତି ନାହିଁ । ଆଉ ପିଲାଙ୍କ କାନ୍ଦ ତ ତାଙ୍କର ପରମ ଶତ୍ରୁ । ଝିଅର କଷ୍ଟ ଦେଖି ମା' ବିବ୍ରତ ହୋଇ ପଡିଲେ ।

କାହାକୁ କହିବେ ? ଏପଟେ ଝିଅ ପାଟିଖୋଲି କାନ୍ଦି ମଧ୍ୟ ପାରୁନି । ଯଦି କାନ୍ଦି ବସିବ ତେବେ ସ୍ୱାମୀ ଭୀଷଣ ଗାଳିଦେବେ । ମା' ସଙ୍ଗେ ସଙ୍ଗେ କହିଲେ, ଝିଅ ତୁ କାନ୍ଦନା । ବାପା ଶୋଇଛନ୍ତି । ଉଠି ପଡିଲେ ପ୍ରଳୟ କରିଦେବେ । ଏମିତି କହି ସେ ଇନ୍ଦୁକୁ ଦୁଇ ଅଣା ପଇସା ଲାଞ୍ଚ ଦେଲେ ।

କିନ୍ତୁ ଇନ୍ଦୁ ଥିଲା ଅତ୍ୟନ୍ତ ବୁଦ୍ଧିମତୀ ଓ ବିଚାରବନ୍ତ । ତେଣୁ ସେ ମା'କୁ କହିଲା, ମା',  ତୁ ଜମା ବ୍ୟସ୍ତ ହେବୁ ନାହିଁ । ମୁଁ ଯେତେ କଷ୍ଟ ହେଲେ ମଧ୍ୟ ପାଟି ଖୋଲିବି ନାହିଁ । ଆଉ ପଇସା ତୋ ପାଖରେ ରଖିଥା । କାରଣ କାଲି ସକାଳେ ବାପା ହିସାବ ମାଗିଲେ କୁଆଡୁ ଆଣିବୁ ? ଏମିତି କହି ନିଜ କଷ୍ଟକୁ ମନ ଭିତରେ ଚାପି ସାରା ରାତି ସେମିତି ବସି ବସି କାଟି ଦେଲା । ସକାଳ ହେବା ମାତ୍ରେ ମା' କୈାଣସି ଉପାୟରେ ଝିଅକୁ ଡାକ୍ତରଖାନା ନେଇ ଚିକିତ୍ସା କରାଇଲେ ।

 ଧିରେ ଧିରେ ଇନ୍ଦୁର ବୟସ ବଢିବାକୁ ଲାଗିଲା ।

ଇନ୍ଦୁର ବିଦ୍ୟାଳୟରେ ଥିଲେ ଜଣେ ଆଦର୍ଶ ପ୍ରଧାନ ଶିକ୍ଷକ । ସେ ଇନ୍ଦୁର ଚାଲିଚଳଣ, କଥାବାର୍ତ୍ତା ଇତ୍ୟାଦିରେ ଅତ୍ୟନ୍ତ ପ୍ରଭାବିତ ହୋଇଥିଲେ । ସେ ମନେମନେ ନିଶ୍ଚିତ କରିଥିଲେ ଯେ ସମୟ ଆସିଲେ ସେ ଇନ୍ଦୁକୁ ନିଜର ବଡ ବୋହୁ କରିନେବେ । ବିବାହ ବୟସ ହେବାରୁ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ପ୍ରଧାନ ଶିକ୍ଷକ ଇନ୍ଦୁକୁ ତାଙ୍କର ବଡ ପୁଅ ପାଇଁ ବୋହୁ କରିନେଲେ ।

ଶାଶୁଘର ସହରଠାରୁ ଅନତୀ ଦୂରରେ ଏକ ଶାସନ ଗାଁରେ ଥିଲା । ତେଣୁ ବିବାହ ପରେ ପରେ ଇନ୍ଦୁକୁ କିଛି ଦିନ ପାଇଁ ସହର ଛାଡି ଗାଁକୁ ଯିବାକୁ ପଡିଲା । ଗାଁରେ ନା ଥିଲା ବିଦ୍ୟୁତ ସୁବିଧା ନା ଗମନା ଗମନ ସୁବିଧା । ଜନ୍ମରୁ ସହରର ବିଳାସ ବ୍ୟସନରେ ବଢି ଆସିଥିବା ଇନ୍ଦୁକୁ ଶାଶୁଘରେ ପ୍ରଥମେ ପ୍ରଥମେ ବହୁତ ଅଡୁଆ ଲାଗିଲା । ତା ସହିତ ଗାଉଁଲି ଚଳଣି ଇନ୍ଦୁ ପାଇଁ ବହୁତ ବଡ ଚ୍ୟାଲେଞ୍ଜ ହୋଇଗଲା । ଶାଶୁ ଥିଲେ ଅତ୍ୟନ୍ତ କଠୋର ଏବଂ ନିର୍ଦ୍ଦୟୀ । ସେତେବେଳେ ଶାଶୁଘରେ ଚଳିବା ନୂଆବୋହୁ ପାଇଁ ସେତେଟା ସହଜ ନଥିଲା ।

ଶାଶୁଘରେ ପାଦ ଦେବାର ପର ଦିନ ସକାଳ କଥା । ଜଣେ ଖୁଡୀଶାଶୁ ଗୋଟିଏ ଖଲିରେ କିଛି ଜଳଖିଆ ନେଇ ଆସିଲେ ଆଉ ଇନ୍ଦୁକୁ ଖାଇବାକୁ ଦେଇ କହିଲେ, ବୋହୁ, ଜଳଖିଆ ଟିକିଏ ନେଇ ଆସିଛି । ସକାଳୁ କିଛି ଖାଇନଥିବୁ । ଭୋକ ଲାଗୁଥିବ । ସଅଳ ସଅଳ ଖାଇଦେଲୁ । ମୁଁ ଆସୁଛି । ଲାଜ ଜମା କରିବୁନି ।

ଇନ୍ଦୁ ଛୋଟ ପିଲା ପରି ମୁଣ୍ଡ ହଲାଇ ସମ୍ମତି ଜଣାଇଲା । ଇନ୍ଦୁ ଖାଦ୍ୟ ପାଇଁ ଲାଳାୟିତ ସେତେଟା ନଥିଲା । ତେଣୁ ସେ ଜଳଖିଆ ଖାଇବା ପାଇଁ ଆଗ୍ରହ ଦେଖାଇଲା ନାହିଁ । ଜଳଖିଆ ଖଲି ସେମିତି ଥୁଆ ହୋଇଥାଏ । ତିରିଶ ଚାଳିଶ ମିନିଟ ପରେ ସେ କୋଠରୀକୁ ଖୁଡୀ ଶାଶୁ ପୁଣି ଆସିକହିଲେ, ବୋହୁ ଜଳଖିଆ ଖାଇଦେଲୁ କି ଅଛି ?

 ଇନ୍ଦୁ ହାତ ଦେଖାଇ ଜଳଖିଆ ଖଲିକୁ ଦେଖାଇ ଦେଲା ।

ଖୁଡୀ ଶାଶୁ ଖଲିକୁ ଉଠାଇ ନେଇ କହିଲେ ବୁଝିଲୁ ବୋହୁ ମୋ ପୁଅ ପରା ଭୋକରେ କାନ୍ଦୁଛି । ତେଣୁ ଏଇ ଜଳଖିଆକୁ ନେଇ ଯାଉଛି ତାକୁ ଦେବି । ତୋ ପାଇଁ ପୁଣି ଆଣିଦେବି । ଏଇଟା ଥିଲା ବୋହୁର ପ୍ରଥମ ପରୀକ୍ଷା ।

ଶାଶୁ ଘରେ ସେତେବେଳେ ନୁଆବୋହୁକୁ ଏମିତି କରି ପରଖୁ ଥିଲେ ଯେ ବୋହୁ ଖାଦ୍ୟଲୋଭୀ ଅଛି କି ନାହିଁ ? ଯାହା ଦେଇଦେଲେ ସଙ୍ଗେସଙ୍ଗେ ଖାଇ ଦେଉଛି କି କ'ଣ ? ଏମିତି କେତେ କ'ଣ ?

 

ଇନ୍ଦୁର ସ୍ୱାମୀ ଓ ଶ୍ୱଶୁର ଥିଲେ ଅତ୍ୟନ୍ତ ଦେବପ୍ରତିମ । ସେମାନଙ୍କ ପାଟିରୁ ସହଜରେ କଥା ମଧ୍ୟ ବାହାରେ ନାହିଁ । ଇନ୍ଦୁର ବିବାହ ପାଇଁ ପିତା ସମସ୍ତ ଯାନିଯୈାତୁକ ଦେଇ ଥିଲେ । ସବୁ ସାମଗ୍ରୀ କଲିକତାରୁ ଆସିଥିଲା । ସେତେବେଳେ ପ୍ରାୟ ଯୈାତୁକ ପ୍ରଥାର ସେତେଟା ଚଳଣି ନଥିଲା । ତଥାପି ପିତା ଝିଅକୁ ସମସ୍ତ ଆଧୁନିକ ଘରକରଣା ଜିନିଷ ଦେଇଥିଲେ । ସେତେବେଳେ ସାଇକେଲ, ରେଡିଓ ଓ ଘଡି କେବଳ ବଡ ବଡିଆ ଲୋକେ ଦେଉଥିଲେ । ଇନ୍ଦୁର ଯୈାତୁକ ସାଇକେଲ ଗାଁରେ ପହଞ୍ଚିବା ପରେ ସାଇକେଲକୁ ଦେଖିବା ପାଇଁ ଆଖ ପାଖ ସମସ୍ତ ଗାଁର ଲୋକେ ଉଠି ଆସିଥିଲେ । ଗାଁ ସାରା ଚହଳ ପଡିଗଲା । ସମସ୍ତେ କହିଲେ ଅମୁକ ପୁଅ କେତେ ଯୈାତୁକ ଆଣିଛି ।

ଖୁଡିଶାଶୁ ସବୁ ଦେଖି ଈର୍ଷାରେ ଜଳିବାକୁ ଲାଗିଲେ । ସେ ସଙ୍ଗେ ସଙ୍ଗେ କହିବାକୁ ଲାଗିଲେ ଅମୁକ ତ ଏତେ ଯୈାତୁକ ଆଣିଛନ୍ତି । ତାଙ୍କର ଝିଅ ହେଲେ ସେତିକି ଯୈାତୁକ ଦେଇ ପାରିବେ ତ ? ଏମିତି କେତେ କ'ଣ ।

ଇନ୍ଦୁର ଶାଶୁଘରେ ଜଳ ଯୋଗାଣର ଏକ ମାତ୍ର ବ୍ୟବସ୍ଥା ଥିଲା ନଈ । ଗାଧୁଆଘର ଓ ପାଇଖାନା କ'ଣ ସେମାନେ ଜାଣିନଥିଲେ । ସାରା ଜୀବନ ଗାଧୁଆଘରେ ଗାଧୋଇ ଆସିଥିବା ଝିଅଟି ନଈରୁ କେମିତି ପାଣି ଆଣିବ ? ଖୋଲା ନଈରେ କେମିତି ଗାଧୋଇବ ? ସେ ଚିନ୍ତା ତାକୁ ଘାରିଲା । ଅଗତ୍ୟା ଦିନେ ନଈରୁ ପାଣି ଗରାଏ ନେଇ ଆସୁ ଆସୁ ଶାଢୀ, ବ୍ଲାଉଜ ସବୁ ଭିଜିଗଲା ।ଏବଂ ସେ ବହୁତ କଷ୍ଟ ପାଇଲା । ତଥାପି କାହକୁ କିଛି କହିଲା ନାହିଁ ।ଶ୍ୱଶୁର ଏସବୁ ଦେଖି ପାରିଲେ । ସେ ତୁରନ୍ତ ଗରାଟିକୁ ଇନ୍ଦୁ ପାଖରୁ ନେଇ ଗଲେ ଓ କହିଲେ ବୋହୁ ତୁମେ ଆଉ ନଈକୁ ପାଣି ଆଣିବା ପାଇଁ ଯିବ ନାହିଁ ।

ବାସ୍ତବରେ ସେ ଶ୍ୱଶୁର ନଥିଲେ ବରଂ ଥିଲେ ଜଣେ ଦେବତା । 

ମିଷ୍ଟଭାଷୀ ଇନ୍ଦୁ ଧିରେଧିରେ ସମଗ୍ର ଗାଁରେ ପ୍ରିୟ ହୋଇଗଲା । ସ୍ୱାମୀ ସହରରେ ଚାକିରି କରୁଥିଲେ । ତେଣୁ ଗାଁରେ କିଛି ଦିନ ରହିବା ପରେ ଶ୍ୱଶୁର ଇନ୍ଦୁକୁ କହିଲେ ବୋହୁ, ପୁଅ ସହରରେ ଏକୁଟିଆ ରୋଷେଇ କରି ଖାଇବ ଆଉ ତୁମେ ଆମମାନଙ୍କର ସେବା କଲେ କି ଲାଭ? ତେଣୁ ତୁମେ ମଧ୍ୟ ସହରକୁ ଯାଇ ପୁଅ ସହିତ ରହିବାର ବ୍ୟବସ୍ଥା କର ।

ଶ୍ୱଶୁରଙ୍କ ଯୁକ୍ତିକୁ ମାନ୍ୟ କରି ଇନ୍ଦୁ ସହରକୁ ଆସି ସ୍ୱାମୀ ପାଖରେ ରହିଲା । ଅବଶ୍ୟ ଶ୍ୱଶୁର ମଝିରେ ମଝିରେ ଆସି ବୁଲି ଯାଉଥିଲେ । ସହରରେ ଶିକ୍ଷାର ସୁବିଧା ଥିବାରୁ ଭାଇ ଓ ଦିଅରମାନେ ଆସି ଇନ୍ଦୁ ପାଖରେ ରହିଲେ ପାଠ ପଢିବା ପାଇଁ । ଡାକ୍ତରଖାନା ଓ କଚେରୀର ସୁବିଧା ଥିବାରୁ ଘରେ ସଦାବେଳେ ବନ୍ଧୁ ବାନ୍ଧବ ଓ ଅତିଥି ଅଭ୍ୟାଗତଙ୍କ ଭିଡ ଲାଗିଥାଏ । ହେଲେ କେବେ ହେଲେ କାହାକୁ ଅଭ୍ୟର୍ଥନା ଦେବାରେ ଇନ୍ଦୁ ହେଳା କରିନଥାଏ । ଧିରେଧିରେ ସନ୍ତାନ ସନ୍ତତିଙ୍କ ସଂଖ୍ୟା ବଢିଲା । କର୍ମଜଞ୍ଜାଳ ସାଙ୍ଗକୁ ଖର୍ଚ୍ଚ ବଢିବାରେ ଲାଗିଲା ।ହେଲେ ମଧ୍ୟ ଇନ୍ଦୁ କି ତାର ସ୍ୱାମୀ କେବେହେଲେ କାହାର ଅସମ୍ମାନ କରି ନାହାନ୍ତି । ସମୟର ଗତି ସଙ୍ଗେସଙ୍ଗେ ଦିଅର ମାନେ ପାଠ ପଢି ମଣିଷ ହେଲେ ଓ ଚାକିରୀବାକିରି କଲା ପରେ ବିବାହ କରି ଅଲଗା ରହିଲେ ଆଉ ତାସଙ୍ଗେ ଭୁଲି ଗଲେ ବଡ ଭାଇ ଓ ଭାଉଜଙ୍କ ସମସ୍ତ ଅବଦାନ ।    

 ସ୍ୱାମୀ ଓ ସନ୍ତାନମାନଙ୍କୁ ନେଇ ଇନ୍ଦୁର ପରିବାର ସହରଟିରେ ଭଡାଘରେ ରହୁଥାନ୍ତି । ଭଡାଘରେ କେହି କେବେହେଲ ଶାନ୍ତିରେ ରହି ପାରନ୍ତିନି । ତେଣୁ ବିଲେଇ ଛୁଆମାନଙ୍କୁ ଘର ଘର ଡେଇଁଲା ପରି ଇନ୍ଦୁ ମଧ୍ୟ ପରିବାର ସହିତ ମଝିରେ ମଝିରେ ଘର ବଦଳାଇ ରହିଲେ ।

ସେମାନଙ୍କର ଏ ପ୍ରକାର ଅବସ୍ଥା ଦେଖର ଇନ୍ଦୁର ପିତା ଯିଏକି ଦୂର ସହରରେ ଚାକିରୀ କରୁଥିଲେ କହିଲେ, ଝିଅ, ମୋ ଘର ତ ଖାଲି ପଡିଛି । ତୁମେ ମାନେ ଭଡା ଘରେ ନରହି ମୋ ଘରେ ରୁହ । ମୋ ଘରର ଦେଖାଶୁଣା କରିବ ଓ ଭାଇ ଓ ଭଉଣୀକୁ ମଧ୍ୟ ସାଙ୍ଗରେ ରଖି ପାଠ ପଢାଇବ ।

ଇଚ୍ଛା ନଥିଲେ ମଧ୍ୟ ଇନ୍ଦୁ ବାଧ୍ୟ ହୋଇ ହଁ ଭରିଲା ।

ଏତେ ବଡ ପରିବାର ସାଙ୍ଗକୁ ବର୍ଷ ସାରା ଅତିଥି ଅଭ୍ୟାଗତ ସାଙ୍ଗକୁ ଶଳା ଓ ଶାଳୀଙ୍କୁ ନେଇ ଇନ୍ଦୁର ସ୍ୱାମୀ ଏମିତି ଆର୍ଥିକ ସମସ୍ୟାରେ ବୁଡି ଯାଇଥିଲେ ଯେ ଜାଗା ଖଣ୍ଡିଏ କିଣି ଘର ତିଆରି କରି ରହିବା ମୋଟେ ସହଜ ସାଧ୍ୟ ନଥିଲା । କିନ୍ତୁ ଇନ୍ଦୁର ସହାୟତାରେ ସହରରେ ଜାଗା ଖଣ୍ଡିଏ ମିଳିଗଲା ।

ହେଲେ ଘର କେମିତି ତିଆରି ହେବ?

ଶ୍ୱଶୁର କହିଲେ ବୋହୁ, ଘର ମୁଁ ତିଆରି କରିଦେବି କିନ୍ତୁ ଆର୍ଥିକ ସହାୟତା ଆବଶ୍ୟକ । ଯାହାହେଉ ଶ୍ୱଶୁରଙ୍କ ପ୍ରଚେଷ୍ଟାରେ ଘର ଖଣ୍ଡିଏ ସହରର ମଧ୍ୟ ଭାଗରେ ତିଆରି ହୋଇଗଲା । ଇନ୍ଦୁର ସ୍ୱାମୀଙ୍କ ପ୍ରଚେଷ୍ଟାରେ ଇନ୍ଦୁର ଭାଇ ଭଉଣୀମାନଙ୍କୁ ସରକାରୀ ଚାକିରି ଖଣ୍ଡିଏ ଲେଖାଏ ମିଳିଗଲା ।

ସେତେବେଳେ ପାଠର ବହୁତ ମୂଲ୍ୟ ଥିଲା । ରାଜ୍ୟରେ କେବଳ ହାତଗଣତି ତିନି ଚାରିଟି ସରକାରୀ ଇଂଜିନିୟରିଙ୍ଗ କଲେଜ ଥିଲା । ଯିଏ ଇଂଜିନିୟରିଙ୍ଗ ପାଇଯାଉଥିଲା ତାର ଜୀବନ ସୁଧୁରି ଯାଉଥିଲା । ସହରରେ ବର୍ଷକୁ ଗୋଟିଏ ହେଲେ ଛାତ୍ର ଇଂଜିନିୟରିଙ୍ଗ ପଢିବାକୁ ସୁଯୋଗ ପାଉନଥିଲେ । କିନ୍ତୁ ଇନ୍ଦୁର ପୁଅ ଇଂଜିନିୟରିଙ୍ଗ କଲେଜରେ ସ୍ଥାନ ପାଇଗଲା । କାରଣ ସେ ଥିଲା ସହରର ଅନ୍ୟତମ ମେଧାବୀ ଛାତ୍ର ।

କିନ୍ତୁ ପାଠ ପଢିବ କେମିତି ?

ବଡ ସହରରେ ଛାତ୍ରାବାସରେ ରହି ଚାରି ବର୍ଷ ପାଠ ପଢିବା ବହୁତ ଅର୍ଥ ସାପେକ୍ଷ । ତାକୁ ପଢାଇବା ପାଇଁ ଘରେ ସମ୍ବଳ ନାହିଁ । ଇନ୍ଦୁର ପିତାଙ୍କର ଖର୍ଚ୍ଚ କରିବାର କ୍ଷମତା ଥିଲା । କିନ୍ତୁ ସେ ପଇସା ଦେବାକୁ ପଡିବ ବୋଲି ଆଗତୁରା କହି ବୁଲିଲେ ସେ କ'ଣ ଇଂଜିନିୟରିଙ୍ଗ ପଢିବ ମ ?

ତେଣୁ ଶେଷରେ ତାର ଇଂଜିନିୟରିଙ୍ଗ ପାଠ ପଢା ସେତିକିରେ ରହିଲା । କଥାରେ ଅଛି ଭଗବାନ ଭଲ ଲୋକମାନଙ୍କୁ ଶୀଘ୍ର ନେଇ ଯାଆନ୍ତି । ଇନ୍ଦୁର ଶ୍ୱଶୁର ଏମିତି ଏକ ଇଂରାଜୀ ନୂଆବର୍ଷ ଦିନ ହଠାତ ଆରପାରିକି ଚାଲିଗଲେ । ଗାଁରେ ବିଧବା ଶାଶୁ ଏକୁଟିଆ । ତାଙ୍କର ଦେହ ବାରମ୍ବାର ଖରାପ ହେବାକୁ ଲାଗିଲା । ତାଙ୍କୁ ନେଇ ପାଖରେ ରଖି ସେବା କରିବା ପାଇଁ କେହି ଆଗେଇ ଆସିଲେ ନାହିଁ । ଶେଷରେ ଇନ୍ଦୁର ସ୍ୱାମୀ ଯାଇ ଗାଁରୁ ନେଇ ଆସି ମା'କୁ ଘରେ ରଖିଲେ ଓ ସେବା କଲେ । 

ଇନ୍ଦୁର ସ୍ୱାମୀ ଥିଲେ ଅତ୍ୟନ୍ତ ଭଦ୍ର, ନମ୍ର, ଦୟାଳୁ ଓ ସ୍ନେହୀ । ନିଜ ସ୍ତ୍ରୀ ଓ ପିଲା ଛୁଆମାନଙ୍କୁ ସେ ବହୁତ ଭଲ ପାଉଥିଲେ । ଜୀବନରେ କେବେ ହେଲେ ବିରକ୍ତ ହୋଇ କାହାକୁ କିଛି କହିବାର କେହି ଶୁଣି ନାହାନ୍ତି । ତା ସହିତ ଝିଅ ବୋହୁମାନଙ୍କୁ କେମିତି ସମ୍ମାନ ଦେଇ ବ୍ୟବହାର ଦିଆଯାଏ ସେ ନିଜ ପିତାଙ୍କ ଠାରୁ ଭଲ ଭାବେ ଶିଖିଥିଲେ । ଇନ୍ଦୁକୁ ମଧ୍ୟ ସେ ବହୁତ ଭଲ ପାଉଥିଲେ । ବରଂ ଘରେ ଝିଅ ମାନେ ବିବାହ ବୟସର ହୋଇଥିବାରୁ ଇନ୍ଦୁ ବେଳେ ବେଳେ ବିରକ୍ତ ହୋଇ ସ୍ୱାମୀଙ୍କୁ କୁହେ- ହୋଇହୋ,  ଝିଅଗୁଡାକ ବଢିଗଲେଣି । ଆଉ କେତେଦିନ ଘରେ ସେମାନଙ୍କୁ ରଖିବା ? ବର ପାତ୍ର ଦେଖ । ବାହାଘର କରିଦେବା ।

ସ୍ୱାମୀ ଅଲ୍ପ ହସି କହିବେ-ଆଚ୍ଛା, ମୋତେ ବ୍ୟାଗ ଗୋଟିଏ ଦେଲ । ମୁଁ ବଜାରକୁ ଯିବି ।

ଇନ୍ଦୁ ପଚାରିବେ ବଜାର ଗଲେ କ'ଣ କରିବ ?

ଆରେ ଭଲ ବର କେତୋଟି ବଜାରରୁ ବ୍ୟାଗରେ କିଣି ଆଣିବି ମ ।

ଏକଥା ଶୁଣି ଇନ୍ଦୁ ହା ହା ହା କରି ହସି ଦିଏ ଆଉ କଥାଟା ସେତିକିରେ ପୂର୍ଣ୍ଣଛେଦ ପଡି ଯାଏ ।

ଇନ୍ଦୁ ଥିଲା ପରୋପକାରୀ ଓ ଦାନଧର୍ମକାରୀ । ସେଥିପାଇଁ ଘରେ ସବୁବେଳେ ପାଖ ଆଖ ଚାରି ପାଂଚ ସାହିର ଲୋକେ ସକାଳୁ ସଂଜ ପର୍ଯ୍ୟନ୍ତ ସାହାଯ୍ୟ ମାଗିବା ପାଇଁ ଘରେ ରୁଣ୍ଡ ହୋଇଥାଆନ୍ତି ।

କିଏ ପଇସା ପାଇଁ ତ କିଏ ଔଷଧ ପାଇଁ, କିଏ ଆଚାର ପାଇଁ ତ କିଏ ଚାଉଳ ଗଣ୍ଡିଏ ପାଇଁ, କିଏ ଚା, ଚିନି ଅମୁଲ ଟିକିଏ ପାଇଁତ କିଏ ତେଲ ଲୁଣ ଟିକିଏ ପାଇଁ । ଏମିତି କେତେ କ'ଣ ।ଇନ୍ଦୁ ମଧ୍ୟ ସେମିତି । ଖାଇ ବସିଥିବ । ଯଦି ଭିକାରିଟିଏ ଖାଇବାକୁ ମାଗିଲା ନିଜ ଖାଇବା ଗଣ୍ଡାକ ନେଇ ଦେଇ ଆସିବ । ଦୁଆର ମୁହଁକୁ କେହି କିଛି ବିକ୍ରିକରି ଆଣିଲେ ଆବଶ୍ୟକ ନଥିଲେ ମଧ୍ୟ କିଣିବ । ପିଲାମାନେ ଯଦି ପଚାରିବେ ଦରକାର ନଥିବା ଜିନିଷ କାହିଁକି କିଣୁଛୁ ?

ତେବେ ସ୍ମିତହାସ୍ୟ କରି ଇନ୍ଦୁ କହିବ, କ'ଣ ହେଲା ? ଆମର ସିନା କିଣିବାର ଦରକାର ନାହିଁ । ତାର ତ ବିକ୍ରି କରିବାର ଅଛି । ଆମେ ଯଦି ଜିନଷ ନ କିଣିବା ସେ କେମିତି ଦୁଇ ପଇସା ପାଇବ ଆଉ ତା ପିଲା ଛୁଆ ପୋଷିବ ଯେ ?

ପିଲାମାନେ ହତବାକ ହୋଇଯାଆନ୍ତି ମା'ର ଏମିତି ମନୋଭାବ ଦେଖି । ଇନ୍ଦୁ କେବଳ ପରୋପକାରୀ ନଥିଲା । ସେଥିଲା ସ୍ୱାମୀ ଅନୁରକ୍ତା ଓ ସନ୍ତାନ ସ୍ନେହୀ । ଶୀତ ଦିନେ ପ୍ରବଳ ଥଣ୍ଡାରେ ପିଲାଛୁଆ ମାନେ ପଢୁଥିଲା ବେଳେ ଜାଡରୁ ମୁକ୍ତି ପାଇବା ପାଇଁ ସମସ୍ତଙ୍କ ଚୈାକୀ ତଳେ ଗୋଟିଏ ଲେଖାଏଁ ନିଆଁ ଉହ୍ମେଇ ଜାଳି ରଖି ଦେଉଥିଲା ।

ଦୁନିଆରେ ସମସ୍ତେ ନିଜ ପାଇଁ ବଞ୍ଚନ୍ତି ଓ ସର୍ବଦା ନିଜ କଥା ଚିନ୍ତା କରନ୍ତି ଅଥଚ ଇନ୍ଦୁ ଥିଲା ସମ୍ପୂର୍ଣ୍ଣ ବିପରୀତ କାରଣ ସେ ସର୍ବଦା ଅନ୍ୟ ପାଇଁ ବଞ୍ଚୁଥିଲା ଓ ଅନ୍ୟମାନଙ୍କ କଥା ଭାବୁଥିଲା । ଦୁନିଆ ପାଇଁ ସେ ସାଧାରଣ ଥିଲେ ମଧ୍ୟ ସେଥିଲା ଅସାଧାରଣ ବ୍ୟକ୍ତିତ୍ୱ । ବ୍ରିଟିଶ ଶାସନ ସମୟରେ ମହିଳାମାନଙ୍କ ପାଇଁ କୈାଣସି ସୁଯୋଗ ନଥିଲା ବେଳେ ସେ ଅଳ୍ପ ଶିକ୍ଷାଲାଭ କରିଥିଲେ ମଧ୍ୟ ଓଡିଆ, ଇଂରାଜୀ, ହିନ୍ଦୀ ଓ ବଙ୍ଗାଳୀ ଭାଷା ପଢି, ବୁଝି ଓ କହି ପାରୁଥିଲା । ପରିବାରରେ ଆର୍ଥିକ ସମସ୍ୟା ଥାଇ ମଧ୍ୟ ସମସ୍ତ ସନ୍ତାନମାନଙ୍କୁ ପାଠ ପଢାଇ ମଣିଷ କରି ପାରିଥିଲେ ସ୍ୱାମୀ ଓ ସ୍ତ୍ରୀ ।

ଧିରେ ଧିରେ ପିଲାମାନେ ପାଠପଢି ସରକାରୀ ଚାକିରୀ କଲେ । ମାସ ଶେଷରେ ଯେତେବେଳେ ପ୍ରଥମ ଦରମା ପାଇ ବାପାଙ୍କୁ ଦେବା ପାଇଁ ଗଲେ ବାପା କହିଲେ, ମୋତେ ପଇସା କାହିଁକି ଦେଉଛ ? ମୁଁ ତ ଚାକିରୀ କରୁଛି । ବରଂ ତୁମେ ମାନେ ପଇସା ପାଖରେ ରଖ ଯେ ଭବିଷ୍ୟତରେ ତୁମମାନଙ୍କ କାମରେ ଲାଗିବ । ପିଲାମାନେ କିଛି ଆଉ କୁହନ୍ତିନି ।

ପିତାଙ୍କର ଏହି ସୁଖ ସମୟ କିନ୍ତୁ ବେଶୀଦିନ ରହିଲା ନାହିଁ । ନିଜ ପିତାଙ୍କ ପରି ସେ ମଧ୍ୟ ଖୁବ ଅଲ୍ପ ବୟସରେ ସଂସାର ଛାଡି ହଠାତ ଚାଲିଗଲେ । ସେହିଦିନଠାରୁ ଇନ୍ଦୁର ମୁଣ୍ଡରେ ଚଡକ ପଡିଲା । ବାପଛେଉଣ୍ଡ ପିଲାଛୁଆଙ୍କୁ ନେଇ ସେ ଚଳିବ କେମିତି ?

 କିନ୍ତୁ ଇନ୍ଦୁର ଦ୍ୱିତୀୟା କନ୍ୟାଥିଲା ଅତ୍ୟନ୍ତ ବିଚାରବନ୍ତ ଓ ବିବେକୀ । ପିତାଙ୍କ ମୃତ୍ୟୁ ପରେ ସେ ନିଜେ ଘରେ ରହି ନିଜର ବିଧବା ଜେଜେମା ଓ ମା' ଏବଂ ସମସ୍ତ ଭାଇ ଭଉଣୀମାନଙ୍କୁ ଦିଗଦର୍ଶନ ଦେଇ ସଂସାରକୁ ସୁରୁଖୁରୁରେ ଚଳାଇ ନେଲା । ସତେ ଯେମିତି ପିତାଙ୍କ ଅନ୍ତେ ଘରର ମୁରବୀ ବନିବା ପାଇଁ ସେ ସଂସାରରେ ଜନ୍ମ ନେଇଥିଲା ।

ସହରରେ ଯେଉଁ ସ୍ଥାନରେ ଘର ତିଆରି କରି ଇନ୍ଦୁ ସପରିବାର ରହୁଥିଲା ସେହ ଘର ସାମ୍ନାରେ ଥିବା ଜାଗାଟିକୁ ମଧ୍ୟ ମଝିରେ କିଣି ପକାଇଥିଲା । ସେହି ଜାଗାରେ ଚାରି ବଖରା ମାଟିଘର ଥିଲା । ଦୁଇ ବଖରା ଘରେ ଗୋଟିଏ ପରିବାର ରହୁଥିଲେ । ବାକି ଦୁଇ ବଖରା ଖୋଲା ପଡିଥିଲ।। ଦିନକର କଥା । ଶୀତଦିନର ଏକ ଖରାବେଳଟାରେ ଇନ୍ଦୁ ରୋଷେଇବାସ ସାରି ସୁଏଟର ବୁଣିବାରେ ବ୍ୟସ୍ତ ଥାଏ । ଏମିତି ଏକ ସମୟରେ କବାଟରେ ଠକଠକ ହେଲା । କିଏ ଡାକୁଛି ବୋଲି ଇନ୍ଦୁ ଧାଇଁ ଯାଇ କବାଟ ଖୋଲିଦେଲା ବେଳକୁ ଦେଖିଲା ଗୋଟିଏ ସ୍ତ୍ରୀ ଲୋକ କାଖରେ ଗୋଟିଏ ଛୋଟ ଝିଅ ଓ ହାତରେ ଗୋଟିଏ ଲଙ୍ଗଳା ପୁଅ ଧରି ଛିଡା ହୋଇଛି । ବିନା ବ୍ଲାଉଜ ସାୟାରେ ମଇଳା ଶାଢୀ ଖଣ୍ଡିଏ ପିନ୍ଧିଛି । ଛୁଆ ଦୁଇଟି ଦେଖିବାକୁ ତ୍ରିପଣ୍ଡ କଳା ଓ ଦେହରେ ବସ୍ତ୍ର ନାହିଁ । ଇନ୍ଦୁ ପଚାରିଲା କ'ଣ ହେଲା ?

ସେ ସ୍ତ୍ରୀ ଲୋକ ସଙ୍ଗେସଙ୍ଗେ କାନ୍ଦି କାନ୍ଦି କହିଲା ମା' ଗୋ, ମୋ ସ୍ୱାମୀଙ୍କ ଚାକିରି ଚାଲି ଯାଇଛି । ରହିବାକୁ ଜାଗା ନାହିଁ । ଛୁଆ ଦୁଇଟିକୁ ଧରି ଏଘର ସେଘର ହେଉଛି ।

ଇନ୍ଦୁ ପଚାରିଲା ତୋ ନାମ କ'ଣ ? ତୋ ଶାଶୁଘର ଆଉ ବାପଘର କୋଉଠି? ସ୍ତ୍ରୀ ଲୋକ ଟି ଉତ୍ତରରେ କହିଲା ମୋର ନାମ ସୁଲୋଚନା । ଶାଶୁ ଘର ପାଖ ଗାଁରେ । ସାବତ ଶାଶୁ ଘରକୁ ପୂରାଇ ଦେଲା ନାହିଁ । ଆର ସାହିରେ ମୋର ବାପଘର । ବାପା ଚାଲିଗଲା ପରେ ଭାଇମାନେ ମୋତେ ଘରେ ରହିବାକୁ ନ ଦେଇ ଆଜି ଧକ୍କା ମାରି ପାର କରିଦେଲେ । ମୁଁ ଏହି ଶୀତ କାକରରେ କୁଆଡେ ଛୁଆ ଦୁଇଟିକୁ ନେଇ ଯିବି ?ସ୍ୱାମୀ ମଦୁଆ ହୋଇ ଥିବାରୁ ଚାକିରୀ ଚାଲିଗଲା । ଏମିତି କହି ଲଥ କିନା ବସି ପଡିଲା ଆଉ କାନ୍ଦିଲା ।

ଦୟାଳୁ ଇନ୍ଦୁ କହିଲା ବସ ଝିଅ । ମୁଁ ଖାଇବାକୁ ଆଣି ଦେଉଛି ।

 ତୁରନ୍ତ ଘର ଭିତରକୁ ଯାଇ ନିଜ ଛୁଆମାନଙ୍କ ପାଇଁ ରୋଷେଇ କରିଥିବା ଭାତ, ଡାଲି, ତରକାରୀ ଭଜା ଇତ୍ୟାଦି ଆଣି ଥାଳିରେ ପରଶି ଦେଲା ।

ମା' ଛୁଆ ତିନିଜଣ ଖୁସିରେ ଖାଇଲେ । ତା ପରେ ନିଜ ଛୁଆମାନଙ୍କର ପିଲା ବେଳର ପୋଷାକ ଛଅ ସାତ ଯୋଡା ଆଣି ତାର ଛୁଆମାନଙ୍କୁ ଦେଲା । ନିଜର ପୁରୁଣା ଶାଢୀ, ସାୟା ବ୍ଲାଉଜ ସହିତ ଶାଲ ଗୋଟିଏ ଆଣି ସୁଲୋଚନାକୁ ଦେଲା । ସୁଲୋଚନା ସବୁ ପାଇ ବହୁତ ଖୁସି ହେଲା ଓ କହିଲା ମା' ତୁମର ବହୁତ ମଙ୍ଗଳ ହେବ । ଇନ୍ଦୁ କହିଲା, ତୁ ଏବେ ଯିବୁ କୁଆଡେ ? ସୁଲୋଚନା କହିଲା କେଉଁ ଗଛ ମୂଳରେ ଛୁଆମାନଙ୍କୁ ନେଇ ଶୋଇଯିବି । ଇନ୍ଦୁର ମନ ବହୁତ ଖରାପ ହେଲା । ସେ ଭାବିଲା ଏ ଶୀତ କାକରରେ ଛୁଆ ଦୁଇଟିକୁ ନେଇ କୁଆଡେ ଯିବ ସେ ?

 ତେଣୁ କିଛି ଚିନ୍ତା ନକରି କହିଲା ସୁଲୋଚନା, ଆମ ସାମ୍ନା ଘରଟିରେ ଦୁଇ ବଖରା ଖାଲି ଅଛି । ତୁ ଅନ୍ୟତ୍ର ବ୍ୟବସ୍ଥା ନ କରିବା ପର୍ଯ୍ୟନ୍ତ ସେଠାରେ ରହି ପାରିବୁ । ସୁଲୋଚନା କହିଲା,  ମା', ମୁଁ ତ ଭଡା ଦେଇ ପାରିବିନି । ଇନ୍ଦୁ ଅଳ୍ପ ହସି କହିଲା ଆଲୋ ମୋତେ ପରା ମା' ବୋଲି ଡାକୁଛୁ ଆଉ ଭଡା କଥା କାହିଁକି କହୁଛୁ ? ତୋତେ ଭଡା କିଏ ମାଗିଲା ?ସଙ୍ଗେ ସଙ୍ଗେ ଇନ୍ଦୁ ଘର ଚାବି ଆଣି ଦେଇଦେଲା ଆଉ ସେ ଖୁସିରେ ଯାଇ ସେ ଘରେ ରହିଲା । କିନ୍ତୁ ବିଚାରି ଇନ୍ଦୁ ଜାଣି ନଥିଲା ଯେ ସେ ଅଜାଣତରେ ଗୋଟିଏ ନାଗୁଣୀକୁ ନିଜ ଘରେ ସ୍ଥାନ ଦେଲା ବୋଲି ।

ସୁଲୋଚନାକୁ ଖୋଜି ଖୋଜି ପରେ ତାର ମଦ୍ୟପ ସ୍ୱାମୀ ଆସି ପହଞ୍ଚିଲା । ମଦ୍ୟ ପାନ କରିଥିବାରୁ ନିଶାରେ ସୁଲୋଚନାକୁ ବହୁତ ଗାଳିଗୁଲଜ କଲା, ଖାଇବାକୁ ମାଗିଲା ଓ ଦୁଆରଟାରେ ସେମିତ ଶୋଇ ପଡିଲା ।

ସଂଜ ନଇ ଆସିଲା ବେଳକୁ ଇନ୍ଦୁ ପୁଣି ଗରମ ଭାତ, ଡାଲି, ତରକାରି ଇତ୍ୟାଦି ନେଇ ସୁଲୋଚନାକୁ ଦେଇ ଆସିଲା ଓ କହିଲା ଆଜି ରାତିରେ ସମସ୍ତେ ଏହାକୁ ଖାଇ ଦିଅ । କାଲିଠାରୁ କିଛି ବ୍ୟବସ୍ଥା କରିବୁ । 

ଇନ୍ଦୁ ଘରେ ବାସନ ମାଜିବା ପାଇଁ ଜଣଙ୍କର ଆବଶ୍ୟକତା ଥିଲ।। କିନ୍ତୁ ଇନ୍ଦୁ ସେ ସମ୍ପର୍କରେ କେବେ କାହାକୁ କିଛି କହି ନଥିଲ।। 

ତା ପର ଦିନ ସୁଲୋଚନା ଆସି କହିଲା ମା' କିଛି କାମ କରିଦେବି ?

 ଇନ୍ଦୁ ସଙ୍କୋଚରେ କହିଲା ନା ଲୋ ତୁ କଣ ପାଇଁ ଆମଘରେ କାମ କରିବୁ ?

ହେଲେ ସୁଲୋଚନା ମାନିଲା ନାହିଁ । ଆସି ଘରେ ପ୍ରତିଦିନ କାମ କରିବାକୁ ଲାଗିଲା । ଧିରେ ଧିରେ ଆତ୍ମୀୟତା ବଢିବାକୁ ଲାଗିଲା । ଇନ୍ଦୁଘରର ସୁପାରିଶରେ ତାକୁ ସାଇରେ ମଧ୍ୟ ଦୁଇଟା କାମ ମିଳିଗଲ।। ଇନ୍ଦୁ ସମସ୍ତଙ୍କ ଆଗରେ ସୁଲୋଚନାକୁ ନିଜ ଝିଅ ବୋଲି ପରିଚୟ ଦେଲା । ପୂଜାପାର୍ବଣରେ ଇନ୍ଦୁ ଭଲମନ୍ଦ ନେଇ ସୁଲୋଚନାକୁ ଦେଇ ଆସେ । ଯାନିଯାତରାରେ ସମସ୍ତଙ୍କୁ ନୂଆ ପିନ୍ଧିବାକୁ ଦିଏ । ମୋଟାମୋଟି କହିବାକୁ ଗଲେ ନିଜର ସନ୍ତାନ ପରିକା ସୁଲୋଚନାକୁ ମୁଣ୍ଡରେ ବସାଇ ରଖିଲା । ଦେହ ପା' ଖରାପ ହେଲେ କି ଥାନା ଦରବାର ହେଲେ ଇନ୍ଦୁର ପୁଅ ମାନେ ସୁଲୋଚନାର ପରିବାରକୁ ସାହାଯ୍ୟ କରୁଥିଲେ । ବେଳ ଅବେଳରେ ପଇସା ଦରକାର ପଡିଲେ ଇନ୍ଦୁ ପାଖରୁ ନେଇ ସୁଲୋଚନା କାମ ଚଳାଉ ଥିଲା । ମଦ୍ୟପ ସ୍ୱାମୀର ଦେହ ଧିରେ ଧିରେ ଖରାପ ହେବାକୁ ବସିଲା । କିଛି ମାସ ପରେ ସେ ମଧ୍ୟ ଆର ପାରିକୁ ଚାଲି ଗଲ।। ସେତେବେଳେ ଇନ୍ଦୁର ପରିବାର ସୁଲୋଚନାକୁ ବହୁତ ସାହାଯ୍ୟ କରିଥିଲେ ।

ଦେଖୁ ଦେଖୁ ବର୍ଷ ପରେ ବର୍ଷ ବିତି ଗଲା ।

 ଇତି ମଧ୍ୟରେ ସୁଲୋଚନା ସାହିରେ ଥିବା ଇନ୍ଦୁର ଜଣେ ସମ୍ପର୍କୀୟଙ୍କ ଘରେ କାମ କଲା । ଆଉ ସେହିଦିନ ଠାରୁ ସୁଲୋଚନାର ପ୍ରକୃତି ଖରାପ ହେବାକୁ ଲାଗିଲା । ଧିରେ ଧିରେ ସୁଲୋଚନାର ମୁହଁ ବଢିବାକୁ ଲାଗିଲା । ଇତିମଧ୍ୟରେ ସୁଲୋଚନାର ପିଲା ମାନେ ଇନ୍ଦୁର ପରିବାରର ସହାୟତାରେ ପାଠପଢି ବଡ ହେବାରେ ଲାଗିଲେ । ଭଗବାନଙ୍କ ଦୟାରୁ ଝିଅଟି କୈାଣସି ଏକ ସରକାରୀ ବିଭାଗରେ ଅସ୍ଥାୟୀ ଚାକିରୀ ଖଣ୍ଡିଏ ପାଇଗଲ।। ବାସ, ତାପରେ ସୁଲୋଚନାର ଗୋଡ ଆଉ ତଳେ ଲାଗିଲା ନାହିଁ । ସେ ତାପରେ ଇନ୍ଦୁର ସମ୍ପର୍କୀୟଙ୍କ ସଙ୍ଗେ ମିଶି ଚକ୍ରାନ୍ତ କରିବାକୁ ଲାଗିଲେ । ସେମାନଙ୍କ ଚକ୍ରାନ୍ତ ଏମିତି ବଢିବାରେ ଲାଗିଲା ଯେ ଶେଷରେ ଦିନେ ସୁଲୋଚନା ତାର ପରିବାର ସହିତ ଇନ୍ଦୁ କିମ୍ବା ତାର ପରିବାରକୁ ନଜଣାଇ ରାତାରାତି ଲୁଚି ଲୁଚି ଇନ୍ଦୁର ସମ୍ପର୍କୀୟଙ୍କ ଘରକୁ ଚାଲିଗଲା । ତାପର ଦିନ ସକାଳୁ ଦେଖିଲା ବେଳକୁ ଘର ମେଲା ପଡିଛି ।

ଇନ୍ଦୁର ବହୁତ ମନଦୁଃଖ ହେଲା ଯେ ଯାହାକୁ ସେ ଝିଅର ପରିଚୟ ଦେଇଥିଲା ସେ ତାର ସମ୍ପର୍କୀୟ ସହିତ ମିଶି ତାକୁ ଧୋକା ଦେଇ ଘର ଛାଡି ଚାଲିଗଲା ।

ଇନ୍ଦୁର ମନ ଖରାପ ହେବାର ଦେଖି ତାର ପୁଅ କହିଲା, ମା' ମନ ଖରାପ କାହିଁକି କରୁଛୂ ?

କଥାରେ ପରା ଅଛି-

"ଗଛ ଲଗାଇବୁ ଧରମ କରିବୁ କରୁ ନାହିଁ ତୋତେ ମନା, 

ମଣିଷ ଗଛ ତୁ କେବେ ନଲାଗାଇବୁ ଉଠାଇବ ତୋର ଦାନା" ।

ସେହିଦିନ ଠାରୁ ଇନ୍ଦୁ ମନ ମାରି ରହିଲା । ପାଖ ସହରରେ ରହୁଥିବା ଇନ୍ଦୁର ବଡ ପୁଅ ଦିନେ ଖବର ଦେଲା ଯେ ସେ ତାର ଘରେ ଭାଗବତ ପାଠ କରିବ । ତେଣୁ ମା' (ଇନ୍ଦୁ) ସେଠାକୁ ଗଲେ ଭଲ ହୁଅନ୍ତା ।

 ପୁଅ ଯେତେବେଳେ ବିଭା ହୋଇ ବୋହୁକୁ ଘରକୁ ଆଣିଲା ସେତେବେଳେ ସମସ୍ତେ ଖୁସି ହୋଉଥିଲେ ଯେ ଭଲ ବୋହୁଟିଏ ଆସିଲା ବୋଲି । କିନ୍ତୁ ଇନ୍ଦୁର ସେ ପୁଅ ବୋହୁ ଥିଲେ ବହୁତ ଚାଲାକ ଓ କପଟୀ । ସେ କଥା ଘରର କେହି କେବେ ଜାଣି ପାରିନଥିଲେ । କାରଣ ସେ ପୁଅ ବୋହୁ କେବଳ ଭୋଜି ଭାତ ହେଲେ ଘରକୁ ଦୁଇ ତିନି ଦିନ ପାଇଁ ଆସି ମିଠା ମିଠା କଥା କହି ଚାଲି ଯାଉଥିଲେ । ତେଣୁ ସେମାନଙ୍କ ପ୍ରକୃତି ସମ୍ପର୍କରେ କେହି ଟେର ପାଇନଥିଲେ । ଇନ୍ଦୁର ଆଗରୁ କୈାଣସି ରୋଗ ନଥିଲା କି ଜୀବନରେ ସେ କେବେ ଔଷଧ ଟିକିଏ ଖାଇବାର କେହି ଦେଖି ନଥିଲେ । କିନ୍ତୁ ବଡ ପୁଅ ଘରେ ଥିଲା ବେଳେ କ'ଣ ଏମିତି ମାନସିକ ଚାପ ତା ଉପରେ ପଡିଲା କେଜାଣି ଭାଗବତ ପାଠ ଚାଲିଥିଲା ବେଳେ ଦିନେ ସକାଳୁ ଇନ୍ଦୁର ରକ୍ତଚାପ ହଠାତ ବଢି ଯାଇ ସେ ପଡିଗଲା ଏବଂ ତାର ମସ୍ତିଷ୍କରେ ଆଘାତ ହୋଇ ପକ୍ଷାଘାତ ରୋଗ ହୋଇଗଲା ଓ କୋମାକୁ ସିଧା ଚାଲିଗଲା । ଚତୁର ପୁଅ ବୋହୁ ସଙ୍ଗେ ସଙ୍ଗେ ଭାଇ ଭଉଣୀମାନଙ୍କୁ ଖବର ଦେଇ ଡକାଇ ଦେଲେ । ସେତେବେଳେ ଯାଇ ପୁଅ ବୋହୁଙ୍କ ପ୍ରକୃତ ସ୍ୱରୂପ ପଦାକୁ ଆସିଲା ଯେ ଇନ୍ଦୁର କଥା କିଏ ବୁଝିବ ? କିଏ ନେଇ ତାକୁ ପାଖରେ ରଖି ସେବା କରିବ ?ବୋହୁ ବୁଲି ବୁଲି କହିଲା ମୁଁ ଏତେ କାମ କରି ପାରବି ନାହିଁ । ମୁଁ ଶାଶୁକୁ ରଖିପାରିବି ନାହିଁ ।

ଆଗରୁ ସେମାନେ ପ୍ରକୃତରେ ଘରୁ ଅଲଗା ହେବା ପାଇଁ ଚାହୁଁଥିଲେ । କିନ୍ତୁ ଭଦ୍ରମୁଖା ଖୋଲିଯିବ ବୋଲି ପ୍ରକାଶ କରୁନଥିଲେ ସିନା ହେଲେ ସୁଯୋଗ ଖୋଜୁଥିଲେ କେମିତି କିଛି ବାହାନା କରି ଘରୁ ଅଲଗା ହୋଇଗଲେ ଶାଶୁର ସେବା କରିବାକୁ ପଡିବ ନାହିଁ କି ଘରର ଦାୟିତ୍ୱ ଆଉ ନେବାକୁ ପଡିବ ନାହିଁ । ଇନ୍ଦୁକୁ ଦେଖିଗଲା ବେଳେ ଭାଇ ଭଉଣୀମାନେ ବଡ ପୁଅ ବୋହୁଙ୍କ ଦ୍ୱାରା ଅପମାନିତ ହେଲେ । ସେ ଯାହା ହେଉ ନିଜ ରୋଗିଣା ମା'ର ସେବା କରିବା ପାଇଁ ଇନ୍ଦୁର ଅବିବାହିତ ମଝିଆଁ ପୁତ୍ର ରାଜି ହେଲା । ସେ କହିଲା ମୁଁ ମୋ ମା'କୁ ସାରା ଜୀବନ ରଖିବି ଆଉ ସେବା କରିବି । ତାର କଥା ଚିନ୍ତା କରିବା କାହାର ଦରକାର ନାହିଁ । ସତକୁ ସତ ଦିନେ ଗୋଟିଏ ଗାଡି ଧରି ମଝିଆଁ ପୁଅ ନିଜ ରୋଗିଣା ମା' ସହିତ ଅନ୍ୟ ଭଉଣୀମାନଙ୍କୁ ନେଇ ଚାଲି ଆସିଲା । ସେହିଦିନ ଠାରୁ ବଡ ପୁଅ ଓ ବୋହୁ ଆଉ ଘରକୁ ଆସିଲେ ନାହିଁ କି ଇନ୍ଦୁର କଥା ମଧ୍ୟ ବୁଝିବାକୁ ଆଉ ଚେଷ୍ଟା କଲେ ନାହିଁ । ଏପରିକି ଫୋନ କରି ମଧ୍ୟ ବୁଝିବାକୁ ଚାହିଁଲେ ନାହିଁ ।କହିବାକୁ ଗଲେ ସେମାନେ ଯାହା ଚାହୁଁଥିଲେ ସେଇଆ ହିଁ ହେଲା । ଘର ସହିତ ମା' ଭଉଣୀ ଭାଇ ସମସ୍ତଙ୍କୁ ସେମାନେ ଛାଡିଦେଲେ ।

ଇନ୍ଦୁର ମନ ବହୁତ ଖରାପ ହେଲା ସିନା କିନ୍ତୁ ମଝିଆଁ ପୁଅ ପାଖରେ ସେବା ପାଇ ସେ ଦିନ କାଟିଲା । ପୁଅର ଯତ୍ନ ପାଇ ଇନ୍ଦୁ କିଛି ବର୍ଷ ଖୁସିରେ ରହିଲା ।

ମା'କୁ ସାରା ଭାରତ ବର୍ଷର ଅଧିକାଂଶ ତୀର୍ଥ କ୍ଷେତ୍ରକୁ ନେଇ ମଝିଆ ପୁଅ ବୁଲାଇ ଆଣିଲା । ତା ସହିତ ମଝିରେ ମଝିରେ ବନ୍ଧୁ ବାନ୍ଧବ ଘରକୁ ମଧ୍ୟ ନେଇ ଇନ୍ଦୁର ମନକୁ ହାଲୁକା କରିବାକୁ ଚେଷ୍ଟା କଲା । ଝିଅମାନେ ମଧ୍ୟ ଆସି କିଛି ଦିନ ଲେଖା ରହି ମା'ର ସେବା କରି ଯାଉଥିଲେ କିମ୍ବା ନିଜ ଘରକୁ ନେଇ କିଛି ଦିନ ରଖି ମା'ର ସେବା କରୁଥିଲେ । ମଝିଆ ପୁଅର ସେବା ଦେଖି ବନ୍ଧୁ ବାନ୍ଧବ ଇନ୍ଦୁକୁ କହିଲେ ଭାଗ୍ୟ କରି ପୁଅ ପାଇଛ । ସେ ଉଭୟ ପୁଅ ଓ ବୋହୁର ସେବା କରୁଛି । ଏମିତି କିଛି ବର୍ଷ ଗଲାପରେ ହଠାତ ଦିନେ ଇନ୍ଦୁର ଦେହ ଖରାପ ହେଲା । ପୁଅ ନେଇ ଡାକ୍ତରଖାନାରେ ଭର୍ତିକଲା ସିନା ହେଲେ ବିଧିର ବିଧାନ ଆଗରେ କେହି ବଡ ନୁହଁନ୍ତି । ଖବର ପାଇ ସବୁ ଝିଅ ମାନେ ଡାକ୍ତରଖାନାରେ ପହଞ୍ଚିଗଲେ । ଇନ୍ଦୁ ସମସ୍ତଙ୍କୁ ଏକା କରି ଜୀବନର ସବୁ ମାନ ଅଭିମାନକୁ ହୃଦୟରେ ରଖି ଆର ପାରିକୁ ଚାଲିଗଲା । ଇନ୍ଦୁ ଚାଲିଗଲା ପରେ ଖବରପାଇ ବଡପୁଅ ଓ ବୋହୁ ନିର୍ଲ୍ଲଜମାନଙ୍କ ପରି ଆସିଲେ । ଉପରେ ପଡି କ୍ରିୟା କର୍ମ କରିବାକୁ ଚାହିଁଲେ । ହେଲେ ସମସ୍ତେ ସେମାନଙ୍କୁ ଜାଣି ସାରିଥିଲେ ଆଉ ଦାନ୍ତ ଚିପିଚିପି ହସୁଥିଲେ ସେମାନଙ୍କର କୁତ୍ରିମ ମାତୃଭକ୍ତି ଦେଖି ।


ଉପସ୍ଥିତ ବନ୍ଧୁ ବାନ୍ଧବ ମାନେ ମଝିଆ ପୁଅକୁ କହିଗଲେ - ତୁମେ ମାତୃଋଣ ଶୁଝିଦେଲ । ଧନ୍ୟ ତୁମେ । ଧନ୍ୟ ତୁମ ମାତୃଭକ୍ତି । ଧନ୍ୟ ତୁମ ମାତୃସେବା ।



Rate this content
Log in

Similar oriya story from Inspirational