STORYMIRROR

Alhadini Panigrahi dash

Fantasy Others

3  

Alhadini Panigrahi dash

Fantasy Others

ଅଭୁଲା ସ୍ମୃତି

ଅଭୁଲା ସ୍ମୃତି

2 mins
553

"ଆରେ ହେ ପିଲାମାନେ ଆଉ କେତେ ଗାଧେଇବ ନୂଆଁ ପାଣି ଦିହରେ ଯିବ ନି ରେ ବାହାରି ଆସ " ପିଲାଏ କି ଶୁଣନ୍ତି! ସେମାନେ ଯେ ଗାଧୁଆ କମ୍ ମସ୍ତି ବେଶୀ କରିବାରେ ବ୍ୟସ୍ତ ।

 "ଦେଖିଲୁ ଦିପୁ, ତୋ ପୁଅଟା ପୋଖରୀକୁ ଗାଧୋଇ ଆସିବାକୁ ମନା କରୁଥିଲା, କିନ୍ତୁ ଆସିଲା ପରେ ଦେଖ୍ ବାହାରକୁ ଆସିବା ନାଁ ଧରୁନି, ଏଇ ପିଣ୍ଟୁ,ଚିଣ୍ଟୁ ସାଙ୍ଗେ ପୁରା ପୁରି ମିଶି ଗଲାଣି ।"

 ବଡ ଭାଇ ମୋତେ କହୁଥିଲେ, ମୁଁ କିନ୍ତୁ ଭାବୁଥିଲି ମୋ ପିଲାବେଳ କଥା ଏଇ ସେଇ ପୋଖରୀ, ଏଇଠି ଗାଧୋଇ ମୁଁ ବଡ ହୋଇଛି ।ଏଇ ପୋଖରୀ ହୁଡାରେ ବସି କେତେ ମନୋରମ ସଂଧ୍ୟା ଅତିବାହିତ କରିଛି । ଏଇ ପୋଖରୀ ମୋତେ ଶିଖାଇଛି ପହଁରିବା । ସାଙ୍ଗମାନଙ୍କ ମେଳରେ ଏମୁଣ୍ଡରୁ ସେ ମୁଣ୍ଡ ଏକ କରିଦେବା ସବୁ ଗୋଟି ଗୋଟି କରି ଭାସି ଆସୁଛି ମାନସ ଚକ୍ଷୁରେ।

 ସତରେ କେତେ ସୁନ୍ଦର, ମଧୁମୟ ଥିଲା ସେ ଦିନ ଗୁଡିକ ! ପୋଖରୀରେ ଗାଧୋଇବା, ବାଟଚଲା ରାସ୍ତାରେ ବହି ବସ୍ତାନୀ ପିଠିରେ ପକାଇ ସ୍କୁଲ ଯିବା, ସେତେବେଳେ ଆମପାଇଁ ସ୍କୁଲବସ୍ ର ସୁବିଧା ନଥିଲା । ଆସିଲେ ମା’ ହାତରନ୍ଧା ପଖାଳ ଦିଟା ପେଟରେ ପଡିଲେ ଯେଉଁ ଶାନ୍ତି ମିଳୁଥିଲା, ଏବେକାର ଫାଇଭଷ୍ଟାର ହୋଟେଲର ମାଂସ, ବିରିୟାନୀ ରେ ସେ ତୃପ୍ତି କାହିଁ ?ତାପରେ ସାଙ୍ଗ ମାନଙ୍କ ସହ କବାଡି, ବୋହୁଚୋରୀ ଆଦି କେତେ ଖେଳରେ ସମୟ କିପରି କଟିଯାଉଥିଲା ଜଣା ପଡୁ ନଥିଲା ।


ସତରେ ପିଲାବେଳର ସ୍ମୃତି ସବୁ କେତେ ମଧୁର ନା ସେଇ ଦିନ ଗୁଡିକ ସ୍ମୃତି ରେ ଏବେ ବି ମନ ଉଲ୍ଲସିତ ହୁଏ, ଆଉ ଆଜିର ପିଲାମାନେ କେତେ ହତ ଭାଗ୍ୟ ସତେ ! ତାଙ୍କ ମୁଣ୍ଡ ରେ ଆମେ ଜାକି ଦେଉଛୁ କେବଳ ପାଠ ପଢାର ବୋଝ । ବାଲ୍ୟକାଳରୁ କେବଳ ପାଠ ଆଉ ପାଠ, ଟିକେ ଫୁରସତ ପାଇଲେ ବସିଯାଉଛନ୍ତି ମୋବାଇଲ୍ ଧରି ।ବାର୍ଦ୍ଧକ୍ୟରେ ବି ତାଙ୍କୁ ପିଲାବେଳର ସ୍ମୃତି ରୋମାଂଚିତ କରୁଛି । ଅନ୍ତତଃ କିଛି ମୁହୂର୍ତ୍ତ ପାଇଁ ହେଉ ପଛେ ସଂସାର ଜଞାଳରେ ବ୍ୟସ୍ତ, ବିବ୍ରତ ମନଟା ତ ଶୀତଳ ହୋଇ ପାରୁଛି ସେଇ ଅଭୁଲା ସ୍ମୃତିରେ ଭିଜି । କିନ୍ତୁ ଆଜିର ପିଲାମାନେ ବଡହେଲେ ତାଙ୍କ ପିଲାଦିନ ସ୍ମୃତିକୁ କିଭଳି ଭାବରେ ମନେ ପକାଇବେ, ମନେ ପକାଇବାକୁ ଥିବ ଅବା କଣ, କେବଳ ପାଠ ଆଉ ମୋବାଇଲ୍ ଛଡା ।

"ଏଇ ଦିପୁ, ହେଇ ଦେଖ ବା ତୋ ପୁଅଟା କାନ୍ଦିଲାଣି ପରା !" ଚମକି ଉଠିଲା ଦୀପକ । ସତରେ ତ ଖେଳୁ ଖେଳୁ କେତେ ବେଳେ ବଡ ଭାଇର ପୁଅ ଦି'ଟା ତାଙ୍କ ପୁଅକୁ ଆଞ୍ଜୁଳା ଆଞ୍ଜୁଳା ପାଣି ଛାଟି, ଫିଙ୍ଗୁଛନ୍ତି ତାଆଡେ । ସହରରେ ବଢିଲା ପିଲା ତ, ତାଙ୍କ ସହ ମିଶି ଖେଳି ନପାରି କାନ୍ଦୁଛି ।

 ବଡ ଭାଇଙ୍କୁ ଅନାଇଲେ ଦିପକ,"କାନ୍ଦିଲେ କାନ୍ଦୁ, ଦି'ଦିନ ପରେ ତ ପୁଣି ଚାଲି ଯିବ ସହରକୁ । ତୁମେ ଆଉ ମଝିଆଁ ଭାଇନା ବି ତ ମୋତେ ଏମିତି କନ୍ଦଉଥିଲ ।"

 -- ଆଉ ତୁ ଯାଇ ବାପାଙ୍କୁ କହି ଆମ ଦୁହିଁଙ୍କୁ ମାଡ ଖୁଆଉଥିଲୁ । ମନେ ଅଛି ।"ବଡଭାଇ କହୁ କହୁ ଦୁଇଜଣ ମିଶି ହସିଉଠିଲେ ।

 ହଠାତ୍ ଗମ୍ଭୀର ହୋଇଗଲେ ଭାଇ ,କହିଲେ -"କେତେ ଭଲ ଲାଗୁଛି ରେ ଦିପୁ, ତୁମେ ସମସ୍ତେ ଗାଁକୁ ଆସିଲ ବୋଲି । ଏଇ ଫନିଟା ଆସିଲା ବୋଲି ସିନା ଗାଁକୁ ପଳାଇ ଆସିଲ, ନହେଲେ ତୁ କିଏ ଆଉ ଏ ଗାଁ କିଏ "! ଅଭିମାନ ଭରା କଣ୍ଠ ଭାଇଙ୍କର ।

ଅପରାଧ ବୋଧରେ ମୁଣ୍ଡ ତଳକୁ କରିଦେଲେ ଦିପକ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Fantasy