ହରର
ହରର
ବୈତରଣୀ ନଦୀରେ ବାଉଁଶ ଡ଼ଙ୍ଗା
ପାଣିର ଭିତରେ ପୋତି
ଆଗରୁ ଲୋକମାନେ ସେହି ଡ଼ଙ୍ଗାରେ
ବହୁତ ମାଛ ମାରନ୍ତି ।
ଏକଦିନେ ମାଧିଆ ସହିତ ରାମ
ଡ଼ଙ୍ଗା ଉଠାଇ ବାଲିରେ
ମାଛ ସବୁ ରଖି ବସିଥିଲେ ଦୁହେଁ
ନଦୀର ବାଲି ଉପରେ ।
ଦେଖିଲେ ପାଣିରେ ଦୁଇପଟୁ ଦୁଇ
ବଡ଼ ମାଟି ହାଣ୍ଡି ଆସି
ଢ଼ୋ, ଢ଼ୋ, ହୋଇ ପିଟି ହେଉଥିଲେ
ପୁଣି ଯାଉଥିଲେ ଭାସି ।
ଏହିପରି ବାରମ୍ବାର ପିଟି ହୋଇ
ଅଲଗା ହୋଇଯାଆନ୍ତି
ଏହାକୁ ଦେଖିଣ ସେହି ଦୁଇଜଣ
ଭୟରେ ଥରି ଉଠନ୍ତି ।
ମାଛକୁ ନଦୀର ବାଲି ର ଉପରେ
ଛାଡି କି ଚାଲି ଆସିଲେ
ଆସିକରି ତାଙ୍କ ଅଜାଙ୍କ ଆଗରେ
ସବୁ ଘଟଣା କହିଲେ ।
ପଚାରିଲେ ଅଜା, କୁହ ମାଟିହାଣ୍ଡି
ପାଣିରେ କାହୁଁ ଆସିଲା
ପିଟି ହୋଇ ଗଲା, ଟିକେ ନ ଭାଙ୍ଗିଲା
ପୁଣି ପିଟି ହେଉଥିଲା।
ଶୁଣିକରି ଅଜା କହିଲେ ଶୁଣ ରେ
ମାଟିହାଣ୍ଡି ସିଏ ନୁହେଁ
ଦୁଇଟି କବନ୍ଧ କରୁଥିଲେ ଖେଳ
ଦେଖୁଥିଲ ତୁମେ ଦୁହେଁ ।
କବନ୍ଧ କଅଣ ପଚାରିଲେ ଦୁହେଁ
ଅଜା କହିଲେ ବୁଝାଇ
ଏକ ଲକ୍ଷ ଶବ ପୋଡା ଗଲା ପରେ
ଏକ କବନ୍ଧ ହୁଅଇ ।
ତୁମେ ଦୁଇଜଣ ମାଛ ଛାଡିଦେଇ
ଭଲ କାମ ଅଛ କରି
ନ ହେଲେ ସେ ତୁମ ଦୁଇଜଣଙ୍କୁ ଯେ
ଦେଇଥାନ୍ତା ଆଜି ମାରି ।
ଅଜାଙ୍କ ମୁହଁରୁ ଏହିକଥା ଶୁଣି
ଦୁଇଜଣ ଡରିଗଲେ
ସେହିଦିନ ଠାରୁ ଡ଼ଙ୍ଗା ଟେକିବାକୁ
ଆଉ ସେ କେବେ ନ ଗଲେ ।
ଏହି କଥା ଟି ଯେ କଳ୍ପନା ନୁହଁଇ
ଅଙ୍ଗେ ଲିଭା କଥା ଜାଣ
ଆଗରୁ ଏସବୁ ବହୁ କଥା ଥିଲା
ଏବେ ହେଲାଣି ସ୍ବପନ ।
ଭୂତ, ପ୍ରେତ, ଡାହାଣୀ ଓ ଚିରୁଗୁଣୀ
ଆଗରୁ ଥିଲେ ବହୁତ
ଯେଉଁ ମାନେ ଏହା ସବୁ ଦେଖିଥିଲେ
ଏବେ ଅଛନ୍ତି ଜୀବିତ ।

