ଘୋଷୁଛି ଆଜି ବି ଧରା
ଘୋଷୁଛି ଆଜି ବି ଧରା


ତୁମଠାରୁ ବଳି ବୁଦ୍ଧିଆ ଠାକୁର
ଏ ସଂସାରେ ଅଛି କିଏ ,
କ୍ଷଣିକ ଭିତରେ ଚଉଦ ବ୍ରହ୍ମାଣ୍ଡ
ବୁଲି ଆସିଥିଲା ଯିଏ ।
ଉଦରଟା ତୁମ ଜ୍ଞାନର ଭଣ୍ଡାର
ମଗଜରେ ବୁଦ୍ଧି ଭରା ,
ଉପଯୋଗ କଲ କେଡ଼େ କଉଶଳେ
ଘୋଷୁଛି ଆଜି ବି ଧରା ।
ପିତା,ମାତା ସାରା ଜଗତଠୁଁ ବଡ଼
ସବୁରି ନମସ୍ୟ ଅତି ,
ବୁଝେଇଲ ପରା ଜଗତବାସୀଙ୍କୁ
ଘୁରି ତାଙ୍କ ଚଉକତି ।
ଆପଣା ଜ୍ଞାନ ଓ ଗୁଣ ଭଣ୍ଡାରକୁ
ଖୋଲି ଦେଲ ବିଶ୍ୱ ହିତେ ,
ସାଧନା କରିକି,ସାଉଁଟି-ସାଜିଲେ
ଜ୍ଞାନୀ,ଗୁଣୀ ଜନ କେତେ ।
ବିଘ୍ନହର୍ତ୍ତା ବୋଲି ତୁମ ଆବାହନ
କରିଲେ ଯେ ତିନି ଲୋକ,
ପ୍ରସନ୍ନ ହୋଇକି ଅବିଳମ୍ବେ ଦେବ
ନାଶୁଅଛ ତାଙ୍କ ଶୋକ ।