ଦୁଃଖ
ଦୁଃଖ
ଦୁଃଖ ଚାହେଁନା କେହି
ସେ ଅବାଞ୍ଛିତ
ଆସେ କିନ୍ତୁ ଅଜାଣତରେ
ଅଚାନକ
ନୀରବ ନୀସ୍ତବ୍ଧରେ
ଡାଳରେ ବସିଥିବା ପକ୍ଷୀକୁ
ହଠାତ୍ ପଥରର ଢେଲା
ବାଜିଲା ପରି
ସେ ଆସି ଦିଏ ଆଘାତ
କ୍ଷତାକ୍ତ କରେ ଶରୀର ମନ
ଝରାଏ ରକ୍ତ
ବୁହାଏ ଆଖିରୁ ତପ୍ତ ଲୁହ
ହୃଦୟରେ ଭରିଦିଏ
ଯନ୍ତ୍ରଣା ଅନେକ
ଦୁଃଖ କାୟାର ଛାୟା ପରି
ହସ ତଳର କାନ୍ଦ
ତାକୁ ଦେଖି ହୁଏ ନାହିଁ
ଅଦେଖା ତାର ଛଦ୍ମରୂପ
ଛାତିର କୋହ
ତାକୁ ରଖି ପାରେନା ଚାପି
ମଳିନ କରିଦିଏ ମୁଖମଣ୍ଡଳ
ଅସହାୟତା ବୋଧ ହୁଏ
ନିଃସଙ୍ଗ ଲାଗେ ଜୀବନ
ମାନସିକତାର ହୁଏ ଅବକ୍ଷୟ
ଦୁର୍ବଳ ହୁଏ ଆତ୍ମବିଶ୍ଵାସ
ନିଜ ଉପରେ ଆସେ
ତିକ୍ତତାର ବିରକ୍ତି ଭାବ
ନାସ୍ତିକ ଚିନ୍ତା କରେ ଗ୍ରାସ
ଦୁଃଖ ଆସେ ପ୍ରତିକୂକ ହୋଇ
ଦେବାକୁ ସାମୟିକ ବିରତି
ସେ ଆଣି ଦିଏ ସୁଯୋଗ
ଆତ୍ମାନୁଶୀଳନରେ
ସଂଶୋଧନ କରିବାକୁ ନିଜର ତ୍ରୁଟି
ଆଗକୁ ଯିବାରେ ଯୋଗାଏ ବଳ
ଦିଏ ପ୍ରେରଣା
ତା'ଠୁ ରହିବା ପାଇଁ ଦୂରେଇ
ସୃଷ୍ଟିକରେ ସଚେତନତା
କରିବାକୁ ଭବିଷ୍ୟତ ନିର୍ଣ୍ଣୟ
ହେଲେ ଅଧୈର୍ଯ୍ୟ ଅଥୟ
ଭାଙ୍ଗିଯାଏ ମନୋବଳ
ଏ ଦୁଃଖ ହିଁ ଶିଖାଏ
ଝୁଣ୍ଟି ପଡ଼ିଲେ ଉଠିବାର କୌଶଳ।