ଗୁଡ୍ ମଣିଙ୍ଗ୍
ଗୁଡ୍ ମଣିଙ୍ଗ୍
ଗ୍ରୀଷ୍ମଋତୁ ଖରା ଶୀଘ୍ର ଛୁଏଁ ଧରା
ହୁଏ ଦିନବଡ଼ ରାତିସାନ
ସୂରୁଯ ସଅଳ ଉଦୟ ହୁଅନ୍ତି
କିନ୍ତୁ ଡେରିରେ ହୁଅନ୍ତି ଲୀନ ।
ଝରକା ଫାଙ୍କରେ କଅଁଳ କିରଣ
ଶୁପ୍ତ ମୁହେଁ ଆସି ଯେବେ ପଡ଼େ
ରାତି ହଟିଯାଇ ସକାଳ ହେଲାଣି
ବୋଲି ବାସ୍ତବରେ ଜଣା ପଡ଼େ ।
ଶୁଭୁଥାଏ ପରା ପକ୍ଷୀଙ୍କ କାକଳି
ସତେ କହନ୍ତି ଶୁଭ ସକାଳ
ଦାଣ୍ଡ ଖରକିବା ଶବଦ ଶୁଭଇ
କେହି ବାହାରନ୍ତି ତୋଳି ଫୁଲ ।
ପ୍ରଭାତ ଭ୍ରମଣ ଦେହ ପାଇଁ ହିତ
ଉଠି ଚାଲନ୍ତି ଭ୍ରମଣକାରୀ
ନବବଧୂ ପରା ସଅଳ ସେ ଉଠି
ଦେଇଥାଏ ନିତ୍ୟକର୍ମ ସାରି ।
ଡ୍ରେସିଙ୍ଗ୍ ଟେବୁଲ୍ ସମ୍ମୁଖରେ ବସି
ପ୍ରିୟା ସଜାଏ ରୂପକୁ ତା'ର
ସକାଳ ହେଲାଣି ଉଠିପଡ଼ ତୁମେ
ଏଣେ ଡାକୁଥାଏ ବାରମ୍ଵାର ।
ପ୍ରେମିକ ପ୍ରବର ଜାଣିଶୁଣି ପରା
ଶେଯେ ରହିଥାଏ ଚେଇଁ ଶୋଇ
ଭଲଲାଗେ ପ୍ରିୟା ଗୁଡ୍ ମଣିଙ୍ଗ୍ କହି
ଯେବେ ଦିଏ ନିଦରୁ ଉଠେଇ ।
ଗୁଡ଼ମଣିଙ୍ଗ୍ ସହ ଭାରି ଭଲଲାଗେ
ପ୍ରେମ ଭରା ବେଡ଼୍ ଟି ର ସ୍ଵାଦ
ଭଲପାଏ ବୋଲି କହିଦେଲେ ପ୍ରିୟା
ମନ ହୋଇଯାଏ ପ୍ରଫୁଲ୍ଲିତ ।