ଅଧା କୃଷ୍ଣ ଅଧା ରାଇ
ଅଧା କୃଷ୍ଣ ଅଧା ରାଇ
ଏ କି ରୂପ ତୁମ ଦେଖାଅ ହେ ଶ୍ୟାମ
ଅଧା କୃଷ୍ଣ ଅଧା ରାଇ,
ତୁଚ୍ଛାରେ କାହିଁକି ରାଧାକୁ ଡକାଅ
ମୋହନ ମୁରଲୀ ବାଇ ।
ତୁମ ଲାଗି ନିତି ଗଞ୍ଜଣା ସହୁଛି
ନ ଥାଇ ବି ତା'ର ଦୋଷ,
ତେଣୁ କରି ସିନା ବେଳେବେଳେ ସିଏ
ବହୁଅଛି ଟିକେ ରୋଷ ।
କହି ପାରୁନି କି ସହି ସେ ପାରୁନି
ତା' ହୃଦ ବେଦନା ଯାହା,
କହିବାକୁ ଗଲେ ଭୁଲେଇ ଦେଉଛ
ମିଠା କଥା କହି ନାହା ।
ତୁମରି ଉପରେ ଭରସା କରି ସେ
ଆନମନା ହୁଏ ଖାଲି,
କହିଛି-"ଶ୍ୟାମଙ୍କୁ ପଚାରି ବୁଝିବ
ଗଲେଣି କି ମୋତେ ଭୁଲି !!"
ଏଠି ଆସି ଯାହା ଆଖିରେ ଦେଖୁଛୁ
ପରତେ ହେଉନି ଜମା,
ରାଧା ଆଉ କୃଷ୍ଣ ଭିନ୍ନ ଅଙ୍ଗ ନୁହେଁ
ଦୋଷଥିଲେ କର କ୍ଷମା ।