ପହିଲି ପ୍ରେମ
ପହିଲି ପ୍ରେମ


ନହୁଲି ବୟସେ ପହିଲି ପ୍ରେମ ଏ ଆଖିରେ ମହୁଲି ନିଶା,
ଚହଲି ଯାଏ ମୋ କଅଁଳ ଛାତିଟା ଓଠରେ କାଉଁରି ଭାଷା ।
ଘରକୁ ତ ଡର ପରକୁ ବି ଡର ଆଲୁଅକୁ ବେଶୀ ଡର,
ହସିବାକୁ ଡର କାନ୍ଦିବାକୁ ଡର ଅନ୍ଧାରକୁ ନାହିଁ ଡର ।
ମନ ହୁଏ ସିନା ଲେଖିବାକୁ ଚିଠି ଲେଖି ପାରେ ନାହିଁ ଡରି,
ଯଦିବି ଲେଖିଲି ଦେବା ପାଇଁ ଡର ଡରି ଡରି ଯାଏ ମରି ।
ଏତେ ଡରି ଡରି ମରୁ ନଈ ପରି ମରି ଯାଏ ସବୁ ଆଶା,
ଜାଣି ନଥିଲି ମୁଁ ଏଡ଼େ କଷ୍ଟ ଏଇ ପହିଲି ପ୍ରେମର ଭାଷା ।
ଖାଇବାକୁ ବିଷ ପିଇବାକୁ ବିଷ ଜୀଇଁବାକୁ ଲାଗେ ବିଷ,
ଯୁଆଡ଼େ ଚାହିଁଲେ ବିଷ ପରି ଲାଗେ ସପନ ଲାଗୁଛି ବିଷ ।
ମନ କହେ ସିନା ମନ କଥା ଖୋଲି କହିବାକୁ ଆନ ପାଶେ,
ଏ କାନ ସେ କାନ ହେଇ ଯିବ ଭାବି ମନ ମୋ ପଛେଇ ଆସେ ।
ନା ପାରେ କହି ନା ପାରେ ସହି ମିଛେ ହୁଏ ଲୋକହସା,
ଜାଣି ମୁଁ ନଥିଲି ଏତେ ମତୁଆଲି ପହିଲି ପ୍ରେମର ନିଶା ।
#SM Boss