ଶେଷ ବସନ୍ତର ଚିଠି
ଶେଷ ବସନ୍ତର ଚିଠି


ବସନ୍ତ ଦେଇଛି ଚିଠିଟିଏ ଲେଖି
ଟିକି ପକ୍ଷୀଟିର ହାତେ
ଦାରୁଣ ନିଦାଘ ଛଡାଇ ନେଇଛି
ପ୍ରୀତି ପୀୟୂଷ କେମନ୍ତେ||
ଚଇତାଳି ଜଳେ ନିଦାଘ ସନ୍ତାପେ
ବସନ୍ତର କଥା ଭାବି
ଅତୀତ ବସନ୍ତ ସ୍ମୃତିରେଖା ମନେ
ଆଙ୍କିଦିଏ ରମ୍ୟ ଛବି||
ସର୍ବ ତରୁ ଲତା ନବ ପଲ୍ଲବରେ
ହେଉଛନ୍ତି ପଲ୍ଲବିତ
ଦାରୁଣ ନିଦାଘ ଦାଉ ସାଜିଅଛି
ଜଳାଭାବେ ସନ୍ତାପିତ||
ଆମ୍ରକୁଞ୍ଜେ ଆଗ ଭଳି ଶୁଭୁନାହିଁ
କୋଇଲିର କୁହୁ ଗୀତ
ଚଇତ ଗଭାରେ ମଲ୍ଲୀର ଗଜରା
ମହକରେ ମହକିତ ||
ନିମ୍ବ ବୃକ୍ଷ ପଟୁ ଭାସିଆସୁଅଛି
ନିମ୍ବ ଫୁଲର ମହକ
ଭାବାନ୍ତର ସୃଷ୍ଟି କରେ ବାର ବାର
କୋଇଲିର କୁହୁ ଡାକ ||
ଦୂର ତାଳବଣ ଆକାଶେ ଚୁମ୍ବନ
ଦେଇ କହୁଅଛି ଦେଖ
ତୋଳି ନେଇ ଖାଅ &n
bsp; ତାଳସଜ ଯେତେ
ତୁମ ଇଛା ମୁତାବକ||
ଖଜୁରୀ ଗଛରେ ଝୁଲୁଅଛି ଦେଖ
ମାଟିର ମାଠିଆ କେତେ
ଖଜୁରୀ ଗଛରୁ ନିଃସୃତ ରସକୁ
ତାଡି କହି ଯାଚେ ମୋତେ||
କୁନି ଝିଅଟିଏ କସି ଆମ୍ବଟିଏ
ଯାଚି କହୁଅଛି ମୋତେ
ଲୁଣ ଲଙ୍କାଗୁଣ୍ଡ ମିଶାଇ ଖାଇଲେ
ଜାଣିବ ତା ସ୍ୱାଦ କେତେ||
ଗାଆଁ ଦାଣ୍ଡେ ଦେଖ ଦଣ୍ଡ ପାଟୁଆଙ୍କ
ଦଣ୍ଡନାଚ ମନହରେ
ସାଙ୍ଗସାଥି ମେଳେ ବେଲପଣା ଖିଆ
ଆନନ୍ଦ ଦିଏ ମନରେ||
ଚଇତାଳି କାନ୍ଦେ ନିଦାଘ ଜ୍ୱାଳାରେ
ମନେ ଦୁଃଖ ଅପ୍ରମିତ
ଗାଇପାରୁନାହିଁ ନିଦାଘ ସନ୍ତାପେ
ବସନ୍ତର ମଧୁଗୀତ||
ଜଳାଧାର ଯେତେ ଶୁଖି ଶୁଖି ଆସେ
ଜଳକଷ୍ଟ ବଢିଚାଲେ
ନର ପଶୁ ପକ୍ଷୀ କୀଟ ତରୁଲତା
ଜଳାଭାବ ଭୋଗିଚାଲେ||