ପ୍ରେମର ସ୍ବପ୍ନ - ଏକ ସନେଟ୍
ପ୍ରେମର ସ୍ବପ୍ନ - ଏକ ସନେଟ୍


ଝରି ଯାଉଥିଲା ଜହ୍ନରୁ ଜୋଛନା ଥରି ଯାଉଥିଲା ଛାତି,
ଭରି ଯାଉଥିଲା ଅଙ୍ଗେ ଶୀହରଣ ସରି ଯାଉଥିଲା ରାତି
ଲୋଟି ଯାଉଥିଲା ଶେଫାଳି କଳିକା ଛୁଟି ଯାଉଥିଲା ବାସ
ପ୍ରିୟା ଆଲିଙ୍ଗନେ ମନ ଯଉବନେ ଫୁଟି ଯାଉଥିଲା ରାସ ।
ଅଧରେ ଅଧର ମିଶି ଯାଉଥିଲା ମନ ସହ ପୁଣି ମନ
ମାଟିର କୁଟୀର ଲାଗୁଥିଲା ସତେ ପ୍ରୀତିଭରା କୁଞ୍ଜବନ
ଚାଲି ଯାଉଥିଲା ସଂସାର ଜଞ୍ଜାଳ ଖୋଲି ଯାଉଥିଲା ଦେହ
ପ୍ରେମେ ଉତ୍ଫୁଲିତ ନିରୀହ ହୃଦୟ ଭୁଲି ଯାଉଥିଲା କୋହ ।
ହସି ଉଠୁଥିଲା ନୟନ ଯୁଗଳ କଷି ଧରୁଥିଲା ସାଥି
ଫୁଲି ଉଠୁଥିଲା ପ୍ରଣୟ ଜୁଆର ପ୍ରେମର କ୍ରୀଡ଼ାରେ ମାତି
କଣ୍ଠୁ ଝରୁଥିଲା ମଧୁର ମୂର୍ଚ୍ଛନା ହେଉଥିଲି ଆନମନା
ମଧୁ ପାନ ଆଶେ ପାଗଳ ଭ୍ରମର ହୋଇଲା କି ବାଟବଣା ?
ପ୍ରେମର ସପନ ଆହା କି ସୁନ୍ଦର ଦୟନୀୟ ବାସ୍ତବତା !
ଏକାକୀ ହୃଦୟ ନୀରବେ କାନ୍ଦଇ ଭାଳି ପ୍ରେୟସୀର କଥା ।