ଦିଗହରା ପଥିକ
ଦିଗହରା ପଥିକ
ଦିଗହରା ପଥିକ ମୁଁ ପାଥେୟ ବିହୀନ
ଚାଲି ଚାଲି ଖାଲି ପାଦେ ସରିଯାଏ ଦିନ ।
ଦିଗନ୍ତ ବିସ୍ତାରି ମାୟା ମରୁ ମରୀଚିକା
ତୁଲ୍ୟ ଲାଗେ ମୋତେ ନିତି ଏ ଭବ ବିଥିକା ।
ଦିହୁଡି ପରାଏ ଚନ୍ଦ୍ର ତାରକା ମେଳରେ
ଦୁଃଖ,ଶୋକ,କୋହ,ତାପ,କଷ୍ଟ ସହ୍ୟକରେ ।
ଦୀପ ପ୍ରାୟେ ଦପ ଦପ ଦିପାଳି ଆଲୋକେ
ନଦେଖଇ ବିଥୀ କାହିଁ ଘଞ୍ଚ ବନପଥେ ।
ଅନ୍ଧାରେ ଆଚ୍ଛନ୍ନ ବନ-ଗିରି-ନଦୀ-ନାଳ
ନଜାଣି ଚାଲିଛି ଅତି ଅବାଧ ଚଞ୍ଚଳ ।
ଜୀବନ ଯାତ୍ରାରେ ଆହା ! ମହା ଭୟଙ୍କର
ବନ୍ୟା , ବିଭୀଷିକା କମ୍ପେ ତାପିତ ଶରୀର ।
କ୍ରମଶଃ ଶୀତେଇ ଯାଏ ସଂସାର ବିମୁଖ
ଅବାଧ ଗତିରେ ସଦା ଚାଲେ ଅହର୍ନିଶ ।
ଅସଂଖ୍ୟ ସନ୍ତାପ ପୀଡା , ଆଶା ଓ ଆକାଂକ୍ଷା
ପୂରଣ ପାଇଁ କି ନିତି ଲଭେ ନବ ଶିକ୍ଷା ।
ଆଶ୍ଵାସନା , କାହିଁ ଅବା ଅଭୟ ସାନ୍ତ୍ଵନା
ନପାଏ କେଉଁଠି ଖାଲି ପାଦରେ ଯାତନା ।
ସହି ସହି ସମ୍ଭାଳି କି ଆସ୍ତେ ଅଗ୍ରଗତି
ଏ ଭଗ୍ନ ଜୀବନେ ଏବେ କରୁଛି ନିଇତି ।
ପଥ ପରିସର ବ୍ୟାପ୍ତ ବିପୁଳ ବିକୃତି
ପ୍ରକୃତିର ଭୟାନକ ଦୁର୍ଭିକ୍ଷ କେଉଁଠି ।
କାହିଁ କେଉଁଠି ଯେ ପୁଣି ବଢ଼ି,ଭୂମିକମ୍ପ
କିଛି ନମାନି ମୁଁ ଦିଏ , ତୀବ୍ରତର ଲମ୍ଫ ।
ନୈରାଶ୍ୟ , ଯନ୍ତ୍ରଣା ଜାଳ ହୃଦେ ଗୁରୁତର
ଆହତ , ବିକ୍ଷତ ହୋଇ ହୁଏ ଅଗ୍ରସର ।