ସାଉଁଟା ସ୍ମୃତି
ସାଉଁଟା ସ୍ମୃତି
ବୁଢ଼ୀ ମାଆଠାରୁ ଗପ ଶୁଣୁ ଶୁଣୁ
ନିତି ଆସୁଥିଲା ନିଦ
ହଜିଗଲା କେଣେ ସେହି ପିଲାଦିନ
ମନେ ଆସୁଅଛି ଖେଦ l
ଏବେ ବି ମନରେ ସାଇତି ରଖିଛି
କେତେ ଯେ ଅଭୁଲା ସ୍ମୃତି l
ଭୂତଗପ ଶୁଣି ହେଲି ହଟହଟା
ଅପାଶୋରା ଅନୁଭୂତି l
ସେ ରାତିରେ ଆଉ ଶୋଇପାରିଲିନି
ଭୂତ କଥା ଭାବି ଭାବି
ଆଖି ବୁଜିଲେ ବି ମୋତେ ଦିଶୁଥିଲା
ଭୂତଗୁଡ଼ାଙ୍କର ଛବି l
ବିକଟାଳ ବେଶ ଅଲରା କେଶକୁ
ସାଥେ ଲମ୍ବା ହାତଗୋଡ଼
ଧଳା ଧୋତି, ଶାଢ଼ୀ ପିନ୍ଧି ଭୁତମାନେ
ଦାନ୍ତ କଲେ କଡ଼ମଡ଼ l
ଲାଗିଲା ଯେମିତି ମୋ ଖଟ ପାଖରେ
ରୁଣ୍ଡ ହୋଇଛନ୍ତି ଭୂତ
ବୁଦ୍ଧି ହଜିଗଲା କଅଣ କରିବି ?
ଭାବି ପାରିଲିନି ମୁଁ ତ l
ଚାଦର ଭିତରେ ହୋଇ ଭିଡିମୋଡି
ପଡିଲି ଖଟରୁ ତଳେ
ଥରୁଥିଲା ଦେହ, ମାଆ ମାଆ ଡାକି
କାନ୍ଦିଲି ମୁହିଁ ବିକଳେ l
ମୋ ବୋବାଳି ଶୁଣି ମାଆ, ବାପା, ନାନୀ
ସମସ୍ତେ ଆସିଲେ ଧାଇଁ
ତଥାପି ବି କଥା କହି ନପାରି ମୁଁ
କାନ୍ଦୁଥିଲି କଇଁ କଇଁ l
ଖାଲି ମୋ ପାଟିରୁ ଭୂତ ଶବ୍ଦ ଶୁଣି
ମାଆ ସବୁ ବୁଝି ଗଲେ
ବୁଢୀ ମାଆ ଗପ ଶୁଣାର ପ୍ରଭାବ
ବୋଲି ବାପାଙ୍କୁ କହିଲେ l
ସମସ୍ତେ ହସିଲେ ମୋତେ ଚିଡ଼ାଇଲେ
କେଣେ ଗଲା ତୋର ଭୂତ
ଆମକୁ ଦେଖି ସେ ଡରି ପଳାଇଲା
ଗାଁ ପାଖ ଧାନ କ୍ଷେତ l
ବାପା ଥାପୁଡ଼ାଇ ପିଠିକୁ ମୋହର
କହିଲେ ହେଲୁ କି ବାଇ?
ଗପ ମୁଣିରେ ତ ଭୂତ ରହିଅଛି
ବାହାରେ କେଉଁଠି ନାହିଁ l
ଠାକୁରେ ଅଛନ୍ତି ଚଉବାହାକୁ ତୋ
ମନୁ ତେଜ ଡର, ଭୟ
ସେ ଦେବେ ଧଇର୍ଯ୍ୟ, ସାହସ, ଶକତି,
ରଖ ତାଙ୍କଠାରେ ଲୟ l