ଭାବନାରେ ଭୂତପ୍ରେତ
ଭାବନାରେ ଭୂତପ୍ରେତ
ମନ ଭାବନାରେ ଭୟଟା ସଂଚାରେ
ଭୂତପ୍ରେତ ଆବିର୍ଭାବେ ,
କେତେ ପ୍ରାସଙ୍ଗିକ କେତେ ଯୁକ୍ତିଯୁକ୍ତ
ଭୟଭୀତ ଅନୁଭବ ।
ଘୋର ଅନ୍ଧକାର ଭୟର କାରଣ
ନିର୍ଜ୍ଜନ ରାତ୍ରୀର ଛବି ,
ସ୍ଥିତି ପରିସ୍ଥିତି ଯାଏ'ତ ବିଗିଡି
ଭୂତପ୍ରେତ କଥା ଭାବି ।
ଆଖି ଆଗେ ନାଚେ ବିକଟାଳ ରୂପ
ଅମା ଅନ୍ଧକାରେ ଜାଣି ,
ଶୋଇବା ଶେଜରୁ ଉଠିହୁଏ ନାହିଁ
ବାଷ୍ପରୁଦ୍ଧ ହୁଏବାଣୀ ।
ଧବଳ ବସନ ଭୂତର ପ୍ରିୟର
ଏ'କଥା ବୋଲନ୍ତି ସର୍ବେ ,
ଧଳାଲୁଗା ପିନ୍ଧି ଭୂତୁଣୀ ଆସନ୍ତି
ନିଶାର୍ଦ୍ଧ ରାତିରେ ଭବେ ।
ଶୂନ୍ୟରୁ ଆସନ୍ତି ଶୂନ୍ୟରେ ହଜନ୍ତି
ପ୍ରେତ ଆତ୍ମା ଭୂତ ହୋଇ ,
ଭଙ୍ଗା କୋଠରିରେ ନିର୍ଜ୍ଜନ ସ୍ଥାନରେ
ରହିଥାନ୍ତି ସେ'ଯେ ଚେଇଁ ।
ଅନ୍ଧାରକୁ ସଜ ଭୂତଙ୍କ ପ୍ରକୋପ
ଶୂନ୍ୟରୁ ଝିଙ୍କାର ଶବ୍ଦ ,
ଦେହ ମନପ୍ରାଣ ଭୟ ଅଧିନସ୍ଥ
ଶୁଖିଯାଏ ସବୁରକ୍ତ ।
ଖଟକଟମଟ ଏ' ଶବଦ ଭିନ୍ନ
ଭୟରେ ଥରଇ ଛାତି ,
ସପନ ନିଦରେ ଭୂତଟା ଆସିଛି
ଚିପି ଦେବ ବୋଧେ ତଣ୍ଟି ।
ଭାୟାତୁର ହୋଇ କମ୍ବଳ ଯାବୁଡି
ମୁହଁମାଡ଼ି ଶୋଇ ଯାଆ ,
ଭୂତ ପ୍ରେତଆତ୍ମା କରିବେନି କ୍ଷମା
ଲିଭି ଯିବ ନାଁଆଗାଁଆ ।
ଭୌତିକ ବୌଦ୍ଧିକ କେତେସତ୍ୟାସତ୍ୟ
ବିଜ୍ଞାନ ଦର୍ଶନ ଶାସ୍ତ୍ରେ ,
ହେତୁବାଦୀ କହେ ଭୂତନାହିଁ ମର୍ତ୍ତ୍ଯେ
ଭାବନାର ଚିତ୍ର ନିଶ୍ଚେ ।
ଭୟ କର ନାହିଁ ଭୂତ ଆସିବନି
ଶୟନ କକ୍ଷକୁ କେବେ ,
ଭୂତପ୍ରେତ ଆତ୍ମା ଆମରି ଆତ୍ମଜା
ଛାୟା ରୂପେଛନ୍ତି ଭବେ ।