ପ୍ରେତାତ୍ମା ଓ କୋଠି
ପ୍ରେତାତ୍ମା ଓ କୋଠି
ଦୁନିଆଁ ସେପାରି ଅନ୍ଧାର ଭିତିରି
ଅଜଣା ଅଶୁଣା ଗାଆଁ,
ମଣିଷ ଦୁନିଆଁ ନାହିଁ ଧୂଆଁ ନିଆଁ
ପ୍ରେତାତ୍ମା କୋଠି ତା ନାଆଁ |୧|
କିରି କିରି ହସେ ଛାଇ ଉପହାସେ
ଛାଇ ଖେଳର ଖେଳାଳୀ,
ନାହିଁ ତା ଉପମା କିନ୍ତୁ ଅନୁପମା
ଏକକୁ ଆରେକ ବଳି |୨|
ନାହିଁ ହାତଗୋଡ଼ ମାନେ ନାହିଁ ବାଡ଼
ମୁଣ୍ଡ ତଳ ଦେଇ ଚାଲେ,
ଲମ୍ବା ଲମ୍ବା ଚୁଟି ଦେଇଥାଏ ଛାଟି
ମୁଖ ଲୁଚିଥିଏ ଗାଲେ |୩|
ଅନ୍ଧାର ସେ କୋଠି ନ ଦିଶେ ଯେଉଁଠି
ଦିନ ବି ଅନ୍ଧାର ଲାଗେ,
ପୂର୍ଣ୍ଣିମାର ଜହ୍ନ ନ ଦିଶେ ତା ଚିହ୍ନ
ଚିକିମିକି ଭୟ ଲାଗେ |୪|
କୋଉ ଯୁଗ କୋଠି ହଜିଛି ତା ଷଠି
ନାହିଁ ଗତାଗତ ତାର,
ମଣିଷ ସମାଜ ହୁଏ ସଜବାଜ
ସାହସ ନ ହୁଏ କା'ର |
୫|
ବିସ୍ମୟ କିମ୍ଭୁତ ଲାଗଇ ଅଦ୍ଭୁତ
କୋଠି ଦିଶେ ଭୟଙ୍କର,
ସେ କୋଠି ମଣିଷ
ମୁହେଁ ଥାଏ ବିଷ
ଲାଗେ ବଡ଼ ଭୟାତୁର |୬|
ଅଦ୍ଭୁତ ଶବଦେ ଅବା ଗଦଗଦେ
ଶୁଭେ ପାଦର ନୂପୁର,
ନୂପୁର ଶବ୍ଦରେ କୋଠି ଗରଜେରେ
ଅସମ୍ଭବ ଧରଣର |୭|
ଦେଖିନାହିଁ କେହି କୋଠିର ସିପାହୀ
ମାତ୍ର ବନ୍ଦ କୋଠି ବାଟ,
ରାତ୍ରିର ପ୍ରହରେ ଶୁଭେ ଥରେ ଥରେ
ଚାଲୁଥିବା ରାଜଥାଟ |୮|
କଳ୍ପନା ହେଲେବି ସମ୍ଭବ ତା ଛବି
କୋଠିର ଝରକା କହେ,
ଚିଲ ବାଦୁଡ଼ିରେ ଭରା ସେ ଦୁଆରେ
ଅକୁହା ଗପକୁ କହେ |୯|
ଦିନର ଆଲୋକେ କୋଠି ଥିବାଲୋକେ
ଆସନ୍ତିନି କେବେ ଥରେ,
ଗୁମସୁମ ରାତି ପ୍ରେତାତ୍ମା ଆସନ୍ତି
ମନର ସେହି ଛାଇରେ |୧୦|