ସ୍ମୃତି ଏକ ଜନ୍ମାନ୍ତରର
ସ୍ମୃତି ଏକ ଜନ୍ମାନ୍ତରର
ମୁଁ ତ ଛାଡି ଆସିଥିଲି ସେ ପାର୍ଥିବ ଦେହଟା
ଭିନ୍ନ ଏକ ଲୋକକୁ
ଜଳିଯାଉ ଅନ୍ୟମାନଙ୍କ ପରି ବୋଲି ,
ପୁଣି କାହିଁକି ଯେ
ମଥା ପିଟି କେତେ କାନ୍ଦୁଥିଲ ତୁମେ ?
ସେମାନେ ତ ମୋତେ ଛାଡିଦେଲେ
ମିଆଦ ପୂରିଗଲା ଯେବେ
ଉଡିଯିବାକୁ ଆଉଥରେ ପୃଥିବୀ ଆଡକୁ
ଆଗଭଳି ପ୍ରେମ ଓ ଆଲୋକ ସନ୍ଧାନରେ ,
ଉଡି ଚାଲିଲି ପକ୍ଷକୁ ବିସ୍ତାରି ।
ମନେନାହିଁ ବିତିଥିଲା କେତେ ବର୍ଷମାସ
ଆଭା ତ ନଥିଲା ଅନ୍ଧାର ଘୋଟିଥିଲା
କ୍ଳାନ୍ତ କି ଥିଲା ସେଠାର ଅପରାହ୍ଣ !
ଆଖି ଆଗେ ଉଡୁଥିଲେ ଅନ୍ଧାରକୁ ଚିରି
କ୍ଷିପ୍ର ବେଗେ ପିପାସୁ ଶକୁନର ବଳ ,
ଧାଇଁ ଯାଇ ପଚାରିଲି ଆଣ୍ଟ ବାନ୍ଧି
ପଛର ଜଣକୁ ,
କହି କି ପାରିବ ଏଠି ଅନ୍ଧାର କାହିଁକି
ମୃତ୍ୟୁର ଏହି ଅବବାହିକାରେ ?
କହିଲା ସେ ମଝିବାଟେ ମୁଣ୍ଡକୁ ବୁଲାଇ
ସେଠି କିଏ ବା ଅଛି ତୁମ ଆପଣାର ,
ନିବିଡ଼ତର କେଉଁ ବା ସମ୍ପର୍କର ?
ଅନୁଚ୍ଚ ଗଳାରେ ଦେଲି ମୁଁ ଉତ୍ତର --
ମୋର ସମସ୍ତେ ଅଛନ୍ତି
କେବଳ ମୋତେ ଛାଡି
ହୁଁ ,
ତମେ ଏବେ ଏବେ ଆସିଛ ନା ନୂଆ ନୂଆ ,
ଦେଇପାରିବ ସାକ୍ଷ୍ୟପ
୍ରମାଣ ଭଲ ପାଇବାର ?
ସେମାନେ ନାହାନ୍ତି ଯାହାଙ୍କୁ ଖୋଜୁଛ ତମେ ।
ଆଉଥରେ ହଜିଗଲି ଅନ୍ଧାରରେ
ଥିବି କାଳେ ତାଙ୍କ ମନଗହନରେ ,
ହୃଦୟ ଭିତରେ !
ଯଦିବା ଥାଆନ୍ତି ରକ୍ତମାଂସ ଶରୀରରେ
ନୂତନ ଦେହରେ ସଂସର୍ଗର ସୁଖରେ
ଅତୀବ ଆପଣାର ସମ୍ପର୍କୀୟଟେ ହୋଇ
ପାରନ୍ତେ କି ଆପଣେଇ ସବୁଦିନ ପାଇଁ ?
ହାୟ ପୁଣି ବିତିଗଲା କେତେ କାଳ ଉଡି ଉଡି
ଶେଷରେ ମାଗିବାକୁ
ଆଉ ଏକ ମୃତ୍ୟୁ ଚିରକାଳକୁ
ପରୀକ୍ଷିତ ପରି ମୋହମୁକ୍ତ ହୋଇ ଦେହବନ୍ଧନରୁ ,
ଅତୁଟ ସମ୍ପର୍କ ଯେ ଥିଲା
ପିତା ପରମାତ୍ମା ତୁଲେ
ଅନାଦି କାଳରୁ କଳ୍ପ କଳ୍ପ ଧରି
ଅଂଶୀ ଅଂଶ ଯେଣୁ .….
ବାକି ଯାହା ଥିଲା ଅଭିନୟ ଖାଲି
ନିଜସ୍ବ ଭୁମିକାରେ ।
ଭିନ୍ନ ଏକ ରଙ୍ଗ ବୋଳିବାର ନାହିଁ ଆଉ ,
କ୍ଳାନ୍ତ ମୁଁ ଅବିରତ କ୍ଷିପ୍ର ଶକୁନର ପରି
ଉଡୁଛି ଯେ ଉଡୁଛି ଆଜି ଯାଏଁ
ପାଇଲି ନାହିଁ ଲବେ ପ୍ରଣୟ କି ପ୍ରେମ
ଅଚିହ୍ନା ବୋଲି କି ନିଜ ପ୍ରୀତି ଦରବାରେ ?
ରହିଯାଏ ଖାଲି ସ୍ମୃତି
ଆଉ ଯେତେ ଭୁଲ ଖାଲି ଭୁଲ ,
ଆହାଃ ଏତକ ହିଁ ବିସ୍ମୟ ଯାହା !!