ବେଳ ସନ୍ଧିକ୍ଷଣ
ବେଳ ସନ୍ଧିକ୍ଷଣ
ହଜିତ ଯାଉଛି ଆମ ପିଲାବେଳ
ହସଖୁସି ସୁଖ ଦିନ
ଛଡାଇ ନେଉଛି ନିଷ୍ଠୁର ସମୟ
ସରସ ସରଳ ପଣ ।
ସସାଗରା ଧରା ହୁଏ ରସହୀନ
ଗନ୍ଧବାସ ଗୁଣ ହୀନ
ଯନ୍ତ୍ର ଦାସ ହୋଇ ଜୀଉଛି ମଣିଷ
ଜଳର ବିହୁନେ ମୀନ ।
ଚାଲେ ସରସର ଗାଡି ଓ ମଟର
ରକେଟ ରେଳ ଇଞ୍ଜିନି
ବ୍ଯାପେ ପ୍ରଦୂଷଣ ଜଳସ୍ଥଳ ନଭେ
ସବୁଜିମା ହୁଏ ହାନି ।
ଅତି ଆଧୁନିକ ମଣିଷ ତଟସ୍ଥ
ମାଡି ଆସେ ବିପର୍ଯ୍ୟୟ
ହିମ ମେରୁ ଶିଖେ ତରଳେ ବରଫ
ରୋଗ ମାରାତ୍ମକ ଭୟ ।
ବୃଦ୍ଧି ପାଏ ହିଂସା ଅସତ୍ଯ ଅନ୍ଯାୟ
ବ୍ଯଭୀଚାର ଦୁରାଚାର
ପ୍ରଲୁବ୍ଧ ମଣିଷ ପାଲଟେ ରାକ୍ଷସ
ମଦମତ୍ତ ଯୁଦ୍ଧଖୋର ।
ବିକାଶ ନାମରେ ଚାଲଇ ବିନାଶ
ଅବିରତ ବିନିର୍ମାଣ
ସ୍ଥାବର ଜଙ୍ଗମ ନର ପଶୁପକ୍ଷୀ
ଅସହାୟ ବାସହୀନ ।
ବୋଲାଏ ମଣିଷ ନିଜକୁ ବିବେକୀ
ଜ୍ଞାନବାନ ଶ୍ରେଷ୍ଠ ଜୀବ
ସ୍ବାର୍ଥେ ଅନ୍ଧ ହୋଇ କରେ ଅବିଚାର
ଭୋଗେ ଐଶ୍ବର୍ଯ୍ଯ ବୈଭବ ।
ଏ ଘୋର ସଙ୍କଟ ବେଳ ସନ୍ଧିକ୍ଷଣ
ହୁଅ ସର୍ବେ ସାବଧାନ
ବେଳ ଥାଉଁ ସାଧୁ ଖଟାଅ ବିବେକ
ସୁଉଦ୍ଯମ ସଂରକ୍ଷଣ ।
ହରାଉଛି ଆମ ଧରଣୀ ବସୁଧା
ପ୍ରାକୃତିକ ଭାରସାମ୍ଯ
ନିବୃତ୍ତ ନହେଲେ ବିନାଶ ଅକାର୍ଯ୍ଯୁ
ହେବ ଧନଜନ କ୍ଷୟ ।

