STORYMIRROR

CHINMAYEE PRADHAN

Horror Tragedy

4  

CHINMAYEE PRADHAN

Horror Tragedy

କବିତା ଓ କଙ୍କାଳ

କବିତା ଓ କଙ୍କାଳ

1 min
220


ଭାବୁଥିଲି ବସି ନିରୋଳା ସ୍ଥାନରେ

   ଦେଖୁଥିଲି ଗଛଲତା,

ବର୍ଣ୍ଣନା କରିବି ପ୍ରକୃତିର ଶୋଭା

   ଅସୁମାରୀ ପ୍ରେମ କଥା।


ଲେଖନୀ ଚାଳନା କରୁ କରୁ ମୁହିଁ

   ଶୁଭିଲା କାହାର ସ୍ବର,

ନୟନ ଫେଡ଼ି ମୁଁ ଚାହିଁଲି ଦୂରକୁ

   ଦେଖିଲି କଙ୍କାଳ ନର।


କିଛି ଲୋକ ଘେରି ପିଟୁଥିଲେ ତାକୁ

   ଯାଇଥିଲା ତଳେ ପଡି, 

ଚୋର ଚୋର କହି ଚିଲାଉଥିଲେ ତ

   ବସିଥିଲେ ତାକୁ ମାଡି। 


ଭିଡ ତେଜି ମୁହିଁ ପହଞ୍ଚିଲି ସେଠି 

   ଉଠାଇଲି ତାକୁ ଧରି, 

ଥର ଥର କଣ୍ଠେ କହିଲା ସେ ଧୀରେ 

   କରିନାହିଁ ମୁହିଁ ଚୋରି। 


ଚାରିଦିନ ହେବ ଉପାସ ଅଛନ୍ତି 

   ତା ଘରେ ତା ପିଲାଛୁଆ, 

ଦାନା ଗଣ୍ଡିଏକୁ ଡହଳ ବିକଳ

   ମାଗୁଥିଲେ ଭିକ ଯାହା। 


କଳା ମଚମଚ ଚେହେରା ତାହାର

    କୋରଡରେ ଥିଲା ଆଖି, 

ବାଉଁଶ କଣି ତା ଆଙ୍ଗୁଳି ଗୁଡିକ 

   ପେଟପିଠି ଯାଏ ଲାଖି।


ଉଠିବାକୁ ବଳ ପାଏ ନାହିଁ ତାର

   ପଡିଯାଏ ପୁଣି ତଳେ,

ହାତ ଧରି ତାର ମୁଣ୍ଡ ଦେଇ ଟେକି

   ରଖିଦେଲି ମୋର କୋଳେ।


ଖାଇବାକୁ ଦେଇ ପାଣି ମୁନ୍ଦେ ଦେଲି 

   ପିଇଗଲା ଢକଢକ, 

ପ୍ରାଣବାୟୁ ତାର ଉଡିଗଲା ଆହା

   ଦେଖି ମନ ଛଟପଟ। 


ହଠାତ୍ ଦେଖିଲି ଚାରିପଟେ ମୋର 

   ଲାଗିଛି କଙ୍କାଳ ଭିଡ, 

ଅଟ୍ଟହାସ୍ୟ କରି କହୁଛନ୍ତି ମତେ 

   ଶବଟାକୁ ଏବେ ଛାଡ। 


ସେ କଙ୍କାଳ ପୁଣି ପାଲଟିଲେ ଶବ

   ଦେଖେ ଶବ ଗଦା ଗଦା, 

କ୍ଷୁଧାର ଅନଳ ରଚଇ ତାଣ୍ଡବ 

   କରିଚାଲେ ସବୁ ପଦା। 


ସେ ଶବରୁ ଆତ୍ମା ବାହାରି ବୁଲନ୍ତି 

   ଅତୃପ୍ତ ହୋଇଣ ପୁଣି, 

କମ୍ପି ଉଠେ ମହୀ ଆର୍ତ୍ତ ଚିତ୍କାରେ

   କର୍ଣ୍ଣ ମୋ ବଧିର ଶୁଣି। 


ଶିହରି ଉଠିଲା ଶରୀର ମୋହର 

  ଲେଖନୀ ପଡିଲା ଖସି, 

କି ବର୍ଣ୍ଣିବି ଆଉ ପ୍ରେମ ଓ ପ୍ରକୃତି

  ଭାବୁଛି ମୁଁ ବସିବସି। 




Rate this content
Log in

Similar oriya poem from Horror