ଭୂତ ନାଚ
ଭୂତ ନାଚ
ଭୂତ କୋଠୀ ଥିଲା ଏକ ସ୍ଥାନ
ଗହନ କାନନ କୋଳେ
ଭୂତ ପ୍ରେତ ଆଉ ଡାହାଣୀ , କଙ୍କାଳ
ଧାଡ଼ି ସେହି ଠାରୁ ଚଳେ ।
ସନ୍ଧ୍ୟା ପରେ ପରେ ନଈ ପଠା ବିଲ
ତୋଟା ମାଳ ଓ ବଣରେ
ଦେଖା ଦେଇ ଭୂତ ପ୍ରେତ ପିଶାଚ ଏ
ଧେଇ ଢେଇ ନାଚ ଚାଲେ ।
ଭୂତ ନାଚ କହି ଦୂରରୁ ଦେଖନ୍ତି
ସୁଚାରୁ ଲୋଳ ନର୍ତ୍ତନ
ଅଧିକ ଭାବରେ ଏଇ ନାଚ ଚାଲେ
କୋଠୀ ନିକଟ ଓ ବଣ ।
ଖରା ଦିନେ ଗ୍ରୀଷ୍ମ ତପ୍ତ ନଈ ବାଲି
ପଠା କୋଳେ ମାରିଚିଲା
ଏଇ ଭୂତ ନାଚ ଦେଖିବା ପାଇଁ କି
ମେଳ ହୋଇଥାନ୍ତି ପିଲା ।
ଆହା କି ଆବେଗ ଆହା କି ରୋମାଞ୍ଚ
ଭରା ଏ ରମ୍ୟ ନର୍ତ୍ତନ
କଳା ଧଳା ଛାଇ ମାନେ ମେଳ ହୋଇ
ତାକ ତାକ୍ ଧିନା ଧିନ ।
ନାଚିବାରେ ଲାଗି ରହି ଥିଲେ ନିତି
କରି ବିକଟ ଚିତ୍କାର
ମନ୍ଦ ମନ୍ଦ ଭାସି ଆସଇ ତହିଁରୁ
ଉତ୍କଟ ମଦ ଦୁର୍ଗନ୍ଧ ।
ପ୍ରାଣ ମୋଦ କରେ ଭୂତ ପିଶାଚଙ୍କ
ଭୟଙ୍କର ନାଚ ଲୀଳା
ଗୀତ ବାଜା ସଜା ଲାଗେ କେତେ ମଜା
ଭୟେ ହୁଅନ୍ତି ବାଉଳା ।
ଅନୁଭବି ଜନ କରି ବିଲୋକନ
କମ୍ପଇ ଶରୀର ଭୟେ
କ୍ରମଶଃ କମ୍ପ ଯେ ବଢି ଉଠେ ବେଗେ
ଆଖି ଆପେ ବୁଜି ଯାଏ ।